Categories
ବିଶେଷ ଖବର

ଋଷ ମାମଲାରେ ଭାରତକୁ ଚେତାବନୀ ଦେଲା ଆମେରିକା, କଡା ଜବାବ ଦେଲେ ସୟଦ ଅକବରଉଦ୍ଦିନ

ନୂଆଦିଲ୍ଲୀ: ଋଷ ବିଷୟରେ ଭାରତକୁ ଆମେରିକାର ଉପ ରାଷ୍ଟ୍ରୀୟ ସୁରକ୍ଷା ଉପଦେଷ୍ଟା (ଡୁପିଟି ଏନଏସଏ) ଦଲିପ ସିଂ ଧମକ ଦେଇଛନ୍ତି। ବର୍ତ୍ତମାନ ଆମେରିକାର ଏହି ଧମକ ଉପରେ ଭାରତ କଡା ଜବାବ ଦେଇଛି। ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ସୟଦ ଅକବରଉଦ୍ଦିନ ଡେପୁଟି ଏନଏସଏସ ଦଲିପ ସିଂଙ୍କୁ ସମାଲୋଚନା କରିଛନ୍ତି ଏବଂ ଏହା କୂଟନୈତିକ ଭାଷା ନୁହେଁ ବୋଲି କହିଛନ୍ତି। ଏହା ହେଉଛି ବାଧ୍ୟବାଧକତାର ଭାଷା।

ବାସ୍ତବରେ, ରୁଷ ବିରୋଧରେ ଆମେରିକାର ପ୍ରତିବନ୍ଧକ ପ୍ରସ୍ତୁତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଆମେରିକୀୟ ଡେପୁଟି ଏନଏସଏସ ଦଲିପ ସିଂ ଦୁଇ ଦିନିଆ ଗସ୍ତରେ ବୁଧବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଋଷର ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣକୁ ନେଇ ମସ୍କୋକୁ ସମାଲୋଚନା ନକରିବା ଭାରତର ଆଭିମୁଖ୍ୟକୁ ନେଇ ପାଶ୍ଚାତ୍ୟ ଦେଶରେ ଅସନ୍ତୋଷର ପୃଷ୍ଠଭୂମିରେ ତାଙ୍କର ଏହି ଗସ୍ତ ଆସିଛି। ଏହି ସମୟ ମଧ୍ୟରେ ମସ୍କୋ ଏବଂ ବେଜିଂ ମଧ୍ୟରେ ଥିବା “ଅସୀମିତ” ଭାଗିଦାରୀ ବିଷୟରେ ଦଲିପ ସିଂ କହିଛନ୍ତି ଯେ, ଋଷ ଉପରେ ଚୀନ୍ ଯେତେ ପ୍ରଭାବ ପକାଇବ, ତାହା ଭାରତ ପାଇଁ କମ୍ ଅନୁକୂଳ ହେବ। ମୁଁ ଭାବୁନାହିଁ ଯେ, ଯଦି ଚୀନ୍ ଏଲଏସିକୁ ଉଲ୍ଲଂଘନ କରେ, ତେବେ ଭାରତର ସୁରକ୍ଷା ପାଇଁ ଋଷ ଆଗକୁ ଆସିବ।

ଦଲିପ ସିଂ ଏହା ମଧ୍ୟ କହିଛନ୍ତି ଯେ, ଋଷ ବିରୋଧରେ ଆମେରିକାର ପ୍ରତିବନ୍ଧକକୁ ସକ୍ରିୟ ଭାବେ ଗତିରୋଧ କରୁଥିବା ଦେଶଗୁଡିକ ଏହାର ପରିଣାମର ସମ୍ମୁଖୀନ ହେବାକୁ ପଡିବ। ସେ କହିଛନ୍ତି ଯେ, ଋଷରୁ ଶକ୍ତି ଏବଂ ଅନ୍ୟାନ୍ୟ ସାମଗ୍ରୀ ସମେତ ଭାରତର ଆମଦାନୀରେ “ତୀକ୍ଷ୍ଣ” ବୃଦ୍ଧି ଦେଖିବାକୁ ସେ ପସନ୍ଦ କରିବେ ନାହିଁ। ସିଂ କହିଛନ୍ତି ଯେ, ଋଷର ବର୍ତ୍ତମାନର ଆମଦାନୀ ଆମେରିକାର କୌଣସି ପ୍ରତିବନ୍ଧକକୁ ଉଲ୍ଲଂଘନ କରୁନାହିଁ। କାରଣ ଆମେରିକା ଋଷର ଶକ୍ତି ଯୋଗାଣ ଉପରେ ବର୍ତ୍ତମାନ ପ୍ରତିବନ୍ଧକ ଲଗାଇନାହିଁ। ୟୁକ୍ରେନ ସଙ୍କଟ ଉପରେ ସେ କହିଛନ୍ତି ଯେ, ଯଦି ଋଷର ଆକ୍ରମଣ ବନ୍ଦ ନହୁଏ ତେବେ ଏହାର ବିନାଶକାରୀ ପରିଣାମ ହେବ।

ଦଲିପ ସିଂଙ୍କ ମନ୍ତବ୍ୟ ଏଭଳି ସମୟରେ ଆସିଛି, ଯେତେବେଳେ ଋଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ତାଙ୍କର ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଏହିସମୟରେ ଦୁଇ ଦେଶ ମଧ୍ୟରେ ରୁଷୀୟ ତେଲ କ୍ରୟ କରିବା ସହିତ ଦ୍ୱିପାକ୍ଷିକ ବାଣିଜ୍ୟ ପାଇଁ ରୁଷୀୟ ମୁଦ୍ରା-ଭାରତୀୟ ମୁଦ୍ରା ବିନିମୟ ବିଷୟରେ ଆଲୋଚନା ହୋଇପାରେ।