Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦାଦା ବଟି ଦାବି କରି ବ୍ୟବସାୟୀଙ୍କୁ ଆକ୍ରମଣ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡା ହନୁମାନ ମନ୍ଦିର ନିକଟରେ ଆଖୁ ରସ ବିକୁଥିବା ଶୋଭା ଚନ୍ଦ୍ର ସେଠୀ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୭ ଜଣ ଯୁବକ ଆଖୁ ରସ ପିଇ ପଇସା ଦେଲେ ନାହିଁ। ବ୍ୟବସାୟୀ ଜଣକ ପଇସା ଦାବି କରିବାରୁ ଗାଳିଗୁଲଜ କରିବା ସହ ମାଡ଼ ମାରି ଆହତ କରିଥିଲେ। ଯାହା ଫଳରେ ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଆଜିଠାରୁ ମାସିକିଆ ଦାଦା ବଟି ଦେବୁ ନହେଲେ ତୋତେ ହତ୍ୟା କରିବୁ ବୋଲି ଧମକ ଦେଇ ଚାଲିଗଲେ।

ଆହତ ବ୍ୟବସାୟୀ ଜଣକ ଭୟଭୀତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଆସିଲା ପରେ ନିମଖଣ୍ଡି ଥାନାରେ ଅଭିଯୋଗ କରିଥିଲେ ଓ ଅଭିଯୋଗ ଅନୁଯାୟୀ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Categories
ଆଞ୍ଚଳିକ

ବିଲଗାଡିଆରେ ହନୁମାନ ମନ୍ଦିର ପ୍ରାଙ୍ଗଣରେ ବିଶ୍ୱଶାନ୍ତି ମହାଯଜ୍ଞ

ରଣପୁର; ରଣପୁର ବ୍ଲକ୍ ଅନ୍ତର୍ଗତ ଗୌରାଙ୍ଗପୁର ଗ୍ରାମ ପଂଚାୟତର ବିଲଗାଡିଆ ଗ୍ରାମରେ ହନୁମାନ ଜୟନ୍ତୀ ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହନୁମାନ ମନ୍ଦିର ପରିସର ମଧ୍ୟରେ ୭ମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଗତ ୧୩ ତାରିଖ ରେ ଅଙ୍କୁରରୋପଣ କାର୍ଯ୍ୟ ସମାପନ କରାଯାଇଥିବା ବେଳେ ୧୪ ତାରିଖରେ ଶତାଧିକ ଶ୍ରଦ୍ଧାଳୁ ଲୋମ୍ବୋଡି ଗ୍ରାମ ନିକଟରେ ଥିବା ମନ୍ଦାକିନୀ ନଦୀ ରୁ ଜଳ ସଂଗ୍ରହ କରି କଳସୀ ପୂଜା ସାରିବା ପରେ କଳସୀ ଶୋଭାଯାତ୍ରାରେ ବାହାରି ଲେମ୍ବୋଡି, ଗୌଡିଆପଡା ଓ ବିଲଗାଡିଆ ଗ୍ରାମ ପରିକ୍ରମା ସାରି ହନୁମାନ ମନ୍ଦିର ନିକଟରେ ପହଂଚିଥିଲେ। ସେଠାରେ କଳସୀଧାରୀ ମାନେ ମନ୍ଦିର ଓ ଯଜ୍ଞ ମଣ୍ଡପ ପରିକ୍ରମା ସାରିବା ପରେ କଳସୀ ଗୁଡିକୁ ଯଜ୍ଞ ମଣ୍ଡପ ମଧ୍ୟରେ ସ୍ଥାପନା କରିଥିଲେ। ପରେ ହନୁମାନଙ୍କ ସହ ରାମ, ଲକ୍ଷ୍ମଣ ଓ ସୀତା ଙ୍କ ବିଗ୍ରହ କୁ ମନ୍ଦିର ମଧ୍ୟରୁ ନିଆଯାଇ ଯଜ୍ଞ ମଣ୍ଡପରେ ସ୍ଥାପନା କରାଯାଇ ଯଜ୍ଞ କାର୍ଯ୍ୟର ଶୁଭାରମ୍ଭ ହୋଇଥିଲା।

ଏହି ଯଜ୍ଞ ତିନି ଦିନ ପର୍ଯ୍ୟନ୍ତ ଚାଲୁ ରହିବାର ସ୍ଥିର କରାଯାଇଥିବା ବେଳେ ଆଜି ଦ୍ୱିତୀୟ ଦିବସରେ ବିଧି ମୁତାବକ ଯଜ୍ଞ କାର୍ଯ୍ୟ ସମାପନ ହୋଇଅଛି। ଆସନ୍ତା ତା୧୬/୪/୨୩ ରିଖ ରବିବାର ଦିନ ଗୋଧୂଳି ସମୟରେ ଏହି ଯଜ୍ଞର ପୂର୍ଣ୍ଣାହୂତି କାର୍ଯ୍ୟ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଅଛି। ପ୍ରତିଦିନ ଯଜ୍ଞ କାର୍ଯ୍ୟ ସରିବା ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଥିବାର ସୂଚନା ମିଳିଛି।