Categories
ଜାତୀୟ ଖବର ବିଶେଷ ଖବର

ଦିଲ୍ଲୀ ଅଧ୍ୟାଦେଶ ରାଜନୀତି: ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ସିଂହଙ୍କୁ ହ୍ୱିପ୍ ଜାରି କଲା ଜେଡିୟୁ

ନୂଆଦିଲ୍ଲୀ: ଆଗାମୀ ସପ୍ତାହରେ ରାଜ୍ୟସଭାରେ ଦିଲ୍ଲୀରେ ଅଧିକାରୀଙ୍କ ବଦଳି ସଂକ୍ରାନ୍ତ ବିଲ୍ ପରେ ଆଲୋଚନା ହେବ ବୋଲି ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ବିଲକୁ ଅନୁମୋଦନ ମିଳିଛି। ଏହି ବିଲ ପରେ ଆଲୋଚନା ପୂର୍ବରୁ ଇଣ୍ଡିଆ ଆଲାଏନ୍ସର ସମସ୍ତ ଦଳ ହ୍ୱିପ୍ ଜାରି କରିଛନ୍ତି।

ମୌସୁମୀ ଅଧିବେଶନ ପାଇଁ ଦଳର ରାଜ୍ୟସଭା ସାଂସଦ ବିଲ୍ ବିରୋଧରେ ଭୋଟ୍ ଦେଇ ଦଳର ଆଭିମୁଖ୍ୟକୁ ସମର୍ଥନ କରିବା ପାଇଁ ଜେଡିୟୁ ହ୍ୱିପ୍ ଜାରି କରିଛି। ଜେଡିୟୁ ପକ୍ଷରୁ ଜାରି ହୋଇଥିବା ହ୍ୱିପରେ ରାଜ୍ୟସଭାଉପାଧ୍ୟକ୍ଷଙ୍କୁ ମଧ୍ୟ ସାମିଲ କରାଯାଇଛି।

ହରିବଂଶ ନାରାୟଣ ସିଂଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଛି

ରାଜ୍ୟସଭା ଉପାଧ୍ୟକ୍ଷ ତଥା ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂହଙ୍କୁ ମଧ୍ୟ ଜେଡିୟୁ ଜାରି କରିଥିବା ହ୍ୱିପରେ ସାମିଲ କରାଯାଇଛି। ଏନେଇ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି। ଅନେକ ସମୟରେ ହରିବଂଶ ପାର୍ଟି ଲାଇନରୁ ଦୂରେଇ ଯାଉଥିବା ଦେଖିବାକୁ ମିଳିଥିଲା, ଯାହା ପରେ ତାଙ୍କ ଏବଂ ଦଳ ମଧ୍ୟରେ ମତଭେଦକୁ ନେଇ ଚର୍ଚ୍ଚା ହୋଇଥିଲା।

ଗତ ବର୍ଷ ଅଗଷ୍ଟରେ ବିଜେପି ସହ ଜେଡିୟୁର ମେଣ୍ଟ ଭାଙ୍ଗିବା ପରେ ମଧ୍ୟ ସେ ନିଜ ପଦରେ ରହିଛନ୍ତି। ଉଭୟ ଦଳ ମଧ୍ୟରୁ କୌଣସି ଦଳ ତାଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ ଚାପ ପକାଇନଥିଲେ।

ସମସ୍ତ ସାଂସଦଙ୍କୁ ହ୍ୱିପ୍ ଜାରି କଲା ବିଜେପି: ଅନିଲ ହେଗଡେ

ଏହି ପ୍ରସଙ୍ଗରେ ଗଣମାଧ୍ୟମକୁ ପଚରାଯିବାରୁ ଜେଡିୟୁ ମୁଖ୍ୟ ସଚେତକ ଅନୀଲ ହେଗଡେ କହିଛନ୍ତି ଯେ ଯେତେବେଳେ ବି ଗୁରୁତ୍ୱପୂର୍ଣ୍ଣ ବିଲ୍ ଆସେ ସେତେବେଳେ କେବଳ ଜେଡିୟୁ ନୁହେଁ ବରଂ ସବୁ ଦଳ ନିଜ ନିଜ ସାଂସଦଙ୍କୁ ହ୍ୱିପ୍ ଜାରି କରିଥାନ୍ତି। ଆମେ ଆମ ଦଳର ସାଂସଦମାନଙ୍କୁ ହ୍ୱିପ୍ ଜାରି କରିଛୁ, ଏହା ଆମେ ସବୁବେଳେ କରିଆସୁଛୁ। ତେବେ ଅତୀତରେ କୌଣସି ସମୟରେ ଉପାଧ୍ୟକ୍ଷଙ୍କୁ ହ୍ୱିପ୍ ଜାରି କରାଯାଇଥିଲା କି ନାହିଁ ତାହା ମୁଁ ଜାଣିନାହିଁ ବୋଲି ହେଗଡେ କହିଛନ୍ତି।

ମୋଦିଙ୍କ ନିକଟତର ହେବାରେ ଲାଗିଛନ୍ତି ହରିବଂଶ

ସାମ୍ପ୍ରତିକ ସମୟରେ ହରିବଂଶ ନାରାୟଣ ସିଂହ ତାଙ୍କ ଦଳର ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କଠାରୁ ଦୂରତା ବଜାୟ ରଖି ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିଜେପିର ଘନିଷ୍ଠ ହେବାରେ ଲାଗିଛନ୍ତି। ନୂଆ ସଂସଦ ଭବନ ଉଦଘାଟନରୁ ଜେଡିୟୁ ନିଜକୁ ଦୂରେଇ ରଖିଥିଲା, କିନ୍ତୁ ହରିବଂଶ ଏଥିରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ସେତେବେଳେ ଜେଡିୟୁ ମୁଖ୍ୟ ମୁଖପାତ୍ର ନୀରଜ କୁମାର ହରିବଂଶଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।

ଅଧ୍ୟକ୍ଷ କିମ୍ବା ଉପାଧ୍ୟକ୍ଷଙ୍କୁ ହ୍ୱିପ୍ ଜାରି କରିପାରିବେ ନାହିଁ

ରାଜ୍ୟସଭା ନିୟମ ଅନୁଯାୟୀ କୌଣସି ଦଳର ହ୍ୱିପ୍ ସେହି ସଦସ୍ୟଙ୍କ ଉପରେ ଲାଗୁ ହୁଏ ନାହିଁ ଯେପର୍ଯ୍ୟନ୍ତ ସେ ଗୃହ ଚଳାଇବା ପାଇଁ ଚେୟାରରେ ବସିଛନ୍ତି, ତେଣୁ ଏବେ ହରିବଂଶଙ୍କୁ ଗୃହର ଚେୟାରରେ ବସି ଗୃହ ଚଳାଇବାକୁ ପଡ଼ିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୋଆ ଓ ସମ୍ମମ୍‌କୁ ମିଳିଲା ସକାରାତ୍ମକତା ରତ୍ନ ଓ ସକାରାତ୍ମକତା ନେତୃତ୍ୱ ପୁରସ୍କାର

ଭୁବନେଶ୍ୱର: ସମାଜରେ ସକାରାତ୍ମକତା ସୃଷ୍ଟି ଓ ଦେଶ ଗଠନ କରିବାରେ ଉଲ୍ଲେଖନୀୟ ଅବଦାନ କ୍ଷେତ୍ରରେ ଚଳିତ ବର୍ଷ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ସକାରାତ୍ମକତା ରତ୍ନ ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଓଡ଼ିଶାରେ ଅଗ୍ରଣୀ ଭୂମିକା ନେଇଥିବା ସମ୍ ଅଲ୍ଟିମେଟ୍ ମେଡିକେୟାରକୁ ସକାରାତ୍ମକତା ନେତୃତ୍ୱ ପୁରସ୍କାର ପ୍ରଦାନ କରାଯାଇଛି।

ସୋସାଇଟି ଫର୍ ଇନିସିଏଟିଭ୍‌ସ ଦ୍ୱାରା ଦେଶରେ ସକାରାତ୍ମକତା ଆନ୍ଦୋଳନକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଯୋଗ୍ୟ ବିବେଚିତ ହୋଇଥିବା ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରିବା ନିମନ୍ତେ ଏହାର ଦ୍ୱିତୀୟ ଜାତୀୟ ସମ୍ମିଳନୀ ନୂଆଦିଲ୍ଲୀ ସ୍ଥିତ ସିଭିଲ୍ ସର୍ଭିସେସ୍ ଅଫିସର୍ସ ଇନ୍‌ଷ୍ଟିଚ୍ୟୁଟ୍ ଠାରେ ଶୁକ୍ରବାର ଆୟୋଜିତ ହୋଇଥିଲା। ଏହାକୁ ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦ୍‌ଘାଟନ କରିଥିଲେ।

ଏହି ସମାରୋହରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସୋଆ ଓ ସମ୍ମମ୍‌କୁ ଏହି ପୁରସ୍କାର ପ୍ରଦାନ କରିବା ସହ ସମ୍ମାନିତ କରିଛନ୍ତି। ସୋଆ ଓ ସମ୍ ଅଲ୍ଟିମେଟ୍ ପକ୍ଷରୁ ପୁରସ୍କାର ରାଜଧାନୀ ଦିଲ୍ଲୀରେ ଅବସ୍ଥାପିତ ସୋଆ ସଂସ୍ଥାପକଙ୍କ ଓଏସ୍‌ଡି ପ୍ରୀତମ୍ ନାୟକ ଉଭୟ ପୁରସ୍କାର ଗ୍ରହଣ କରିଥିଲେ।

ଏହି ଅବସରରେ ପୂର୍ବତନ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ତାଙ୍କର ଉଦ୍‌ଘାଟନୀ ଭାଷଣରେ ସକାରାତ୍ମକତା ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ସେ ଏକ ଅଧା ପାଣି ଭରା ଗ୍ଲାସର ଉଦାହରଣ ଦେଇ କହିଥିଲେ ଯେ ଯଦି ଆମେ ଏହାକୁ ଅଧା ଖାଲି ଭାବେ ଦେଖୁ ତାହା ମନର ନୈରାଶ୍ୟ ଭାବକୁ ବୁଝାଇଥାଏ। ଯଦି ଆମେ ଏହାକୁ ଅଧା ଭରା ଭାବେ ଦେଖୁ ତା’ହେଲେ ଏହା ମନର ସକାରାତ୍ମକତାର ପରିଚୟ ଦେଇଥାଏ। ଜୀବନ ଓ ସମାଜରେ ବଢିବାକୁ ହେଲେ ନୈରାଶ୍ୟବୋଧକୁ ଛାଡି ସକାରାତ୍ମକ ମନୋଭାବ ପୋଷଣ କଲେ ହିଁ ନିଜେ ଆଗକୁ ଉଠିବା ସହ ସମାଜ ଏବଂ ଦେଶ ପ୍ରଗତି ପଥରେ ଅଗ୍ରଗତି ହୋଇପାରିବ ବୋଲି ସେ ଉଲ୍ଲେଖ କରିଥିଲେ।

ଶ୍ରୀ କୋବିନ୍ଦ୍ ଦର୍ଶାଇଥିଲେ ଯେ ଘୋର ନୈରାଶ୍ୟଜନକ ପରିସ୍ଥିତି ସମୟରେ ସକାରାତ୍ମକତାର ସାମାନ୍ୟ କିରଣ ଅଶେଷ ଶକ୍ତି ପ୍ରଦାନ କରିଥାଏ। ଏହି ମନୋଭାବକୁ ଆପଣେଇବା ପାଇଁ ସେ ସମସ୍ତଙ୍କୁ ନିବେଦନ କରିଥିଲେ।

ଯେଉଁ ଅନୁଷ୍ଠାନଗୁଡିକ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ସେମାନେ ସମାଜରେ ସକାରାତ୍ମକତା ସୃଷ୍ଟି କରିବା ସହ ଦେଶ ଗଠନରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି ବୋଲି ଉଲ୍ଲେଖ କରି ପୂର୍ବତନ ରାଷ୍ଟ୍ରପତି ସେମାନଙ୍କୁ ଅଶେଷ ଧନ୍ୟବାଦ ଦେଇଥିଲେ।

ଏହି ଅବସରରେ ରାଜ୍ୟସଭାର ଉପାଧ୍ୟକ୍ଷ ଶ୍ରୀ ସିଂହ ସମାଜରେ ସକାରାତ୍ମକତା ସୃଷ୍ଟି କରିବା କ୍ଷେତ୍ରରେ ସୋଆ ଓ ସମ୍ ଅଲ୍ଟିମେଟ୍ ସମେତ ସମସ୍ତ ପୁରସ୍କାର ବିଜେତାଙ୍କ ଭୂମିକାଙ୍କୁ ସାଧୁବାଦ ଦେବା ସହ ସମାଜରେ ସକାରାତ୍ମକତା ସୃଷ୍ଟି କରିବା ପାଇଁ ଅଧିକ ପ୍ରୋତ୍ସାହନ ଦେବାକୁ ତାଙ୍କ ଭାଷଣରେ ବିଶେଷ ଗୁରୁତ୍ୱ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ଜାତୀୟ ମାନବ ଅଧିକାର କମିଶନର ଅଧ୍ୟକ୍ଷ ଅରୁଣ କୁମାର ମିଶ୍ର ଓ ଇଣ୍ଡିଆନ କାଉନ୍‌ସିଲ୍ ଫର୍ କଲ୍‌ଚରାଲ୍ ରିଲେସେନ୍‌ସର ଅଧ୍ୟକ୍ଷ ବିନୟ ସହସ୍ରବୁଦ୍ଧେ, ନୀତି ଆୟୋଗର ପୂର୍ବତନ ସିଇଓ ତଥା ଜି -୨୦ର ଶେରପା ଅମିତାଭ କାନ୍ତ, କେନ୍ଦ୍ର କୌଶଳ ବିକାଶ ଓ ଇଲୋକ୍‌ଟ୍ର୍ରୋନିକ୍ସ ଏବଂ ଟେକ୍‌ନୋଲୋଜି ରାଜ୍ୟ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, କେନ୍ଦ୍ର ବୈଦେଶିକ ବ୍ୟାପାର ରାଜ୍ୟ ମନ୍ତ୍ରୀ ମିନାକ୍ଷୀ ଲେଖି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ମାନବ ଅଧିକାର କମିଶନର ସଦସ୍ୟ ଦ୍ୟାନେସ୍ୱର ମୁଲେ, ପଜିଟିଭ ଇନିସିଏଟିଭସ୍ ସୋସାଇଟିର ସଭାପତି ଋଷି କୁମାର, ଭାରତ ମଂଚର ସଭାପତି ପ୍ରଶାନ୍ତ ଦ୍ୱିବେଦୀ ଓ ନ୍ୟାସ୍‌ନାଲ୍ ଆସେସ୍‌ମେଂଟ ଆଣ୍ଡ ଆକ୍ରେଡିଟେସନ୍ କାଉନିସଲ୍‌ (ନାକ୍‌)ର ପରାମର୍ଶଦାତା ଜଗନ୍ନାଥ ପାଟିଲ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।

ଶ୍ରୀ ପାଟିଲ ଉଚ୍ଚଶିକ୍ଷା ପାଠ୍ୟକ୍ରମରେ ସକାରାତ୍ମକତାକୁ ସାମିଲ କରିବା ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ। ବିଭିନ୍ନ ବିଶ୍ୱବିଦ୍ୟାଳୟମାନେ ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ସେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେବେ ବୋଲି କହିଥିଲେ। ଏହା ଉଚ୍ଚଶିକ୍ଷା ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ମନରେ ଗଭୀର ପ୍ରଭାବ ପକାଇବ ଏବଂ ଏଥିରୁ ସେମାନଙ୍କୁ ନିଜର ଭବିଷ୍ୟତ ଗଠନ ପାଇଁ ପ୍ରୋତ୍ସାହନ ମିଳିବ ବୋଲି ସେ କହିଥିଲେ। ଏହି ସମାରୋହର ଶେଷରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।