Categories
ଆଜିର ଖବର ଜାତୀୟ ଖବର

ବିଜେପିରେ ଯୋଗ ଦେଲେ କଂଗ୍ରେସର ହର୍ଷଦ ରିବାଡିଆ: କହିଲେ କାରଣ

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ବିଧାୟକ ହର୍ଷଦ ରିବାଡିଆ ଆଜି ଗାନ୍ଧିନଗରରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ପାଟିଦାର ସମ୍ପ୍ରଦାୟର ଜଣେ ନେତା ରିବାଡିଆ ଦୁଇ ଦିନ ପୂର୍ବରୁ ଗୁଜୁରାଟ ବିଧାନସଭା ସଦସ୍ୟତା ପଦରୁ ଇସ୍ତଫା ଦେଇଥିଲେ। ଏଠାରେ ବିଜେପିର ରାଜ୍ୟ ମୁଖ୍ୟାଳୟ ‘କମଲମ’ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତାଙ୍କୁ ଦଳରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଚଳିତ ବର୍ଷ ଶେଷରେ ଗୁଜୁରାଟରେ ବିଧାନସଭା ନିର୍ବାଚନ ହେବ।

ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପ୍ରଦୀପ ସିଂ ଭାଘେଲା ହର୍ଷଦ ରିବାଡିଆଙ୍କୁ ଦଳରେ ସ୍ୱାଗତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବହୁ ସ୍ଥାନୀୟ କଂଗ୍ରେସ ନେତା ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ବିଜେପିରେ ଯୋଗଦେବା ପରେ ପୂର୍ବତନ କଂଗ୍ରେସ ବିଧାୟକ ହର୍ଷଦ ରିବାଡିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ପ୍ରଶଂସା କରିବା ସହ କହିଛନ୍ତି ଯେ, ସେ କେନ୍ଦ୍ର ସରକାରଙ୍କ “କୃଷକ ହିତ” ନୀତି ଏବଂ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ବୃଦ୍ଧି କରିବା ପଦକ୍ଷେପ ଦ୍ୱାରା ପ୍ରଭାବିତ।

ଜୁନାଗଡ ଜିଲ୍ଲାର ବିଶାବଦର ଅଞ୍ଚଳର ପୂର୍ବତନ ବିଧାୟକ ରିବାଡିଆ କଂଗ୍ରେସକୁ ଦିଗହୀନ ବୋଲି ଅଭିହିତ କରିଛନ୍ତି ଏବଂ ଆବଶ୍ୟକ ସମୟରେ ଦଳର ନେତୃତ୍ୱ ତାଙ୍କୁ ସାହାଯ୍ୟ କରିନାହାଁନ୍ତି ବୋଲି କହିଛନ୍ତି। ସେ ଗଣମାଧ୍ୟମକୁ କହିଛନ୍ତି ଯେ, ମୋଦୀ କିପରି ଭାବରେ ଦେଶର ବିକାଶ କରୁଛନ୍ତି ଏବଂ ଏମଏସପି ବୃଦ୍ଧି କରି ଅନ୍ୟାନ୍ୟ ପଦକ୍ଷେପ ନେଇ କୃଷକଙ୍କ ସ୍ୱାର୍ଥ ରକ୍ଷା ପାଇଁ କାର୍ଯ୍ୟ କରୁଛନ୍ତି ମୁଁ ଏଥିରେ ଅତ୍ୟନ୍ତ ପ୍ରଭାବିତ ହୋଇଛି।

ରିବାଡିଆ କହିଛନ୍ତି ଯେ, ତାଙ୍କ ନିର୍ବାଚନମଣ୍ଡଳୀର ଲୋକମାନେ ମଧ୍ୟ ବିଜେପିର ନୀତି ଦ୍ୱାରା ପ୍ରଭାବିତ ହୋଇଛନ୍ତି। ସେ କହିଛନ୍ତି ଯେ, ‘ବିଜେପି ସରକାର ଦିନେ ମୋ ଅଞ୍ଚଳର ଚାଷୀଙ୍କୁ ବିଦ୍ୟୁତ ଯୋଗାଣ ପାଇଁ ମୋର ଅନୁରୋଧକୁ ବିଚାର କରିଥିଲା। ଏହିପରି ଅନେକ ପଦକ୍ଷେପ ମୋତେ ପ୍ରଭାବିତ କରିଛି ଏବଂ ସେଥିପାଇଁ ମୁଁ ବିଜେପିରେ ଯୋଗ ଦେଇଛି। ଆଗାମୀ ଦିନରେ ମୋର ଅନେକ ବନ୍ଧୁ ମଧ୍ୟ ପାର୍ଟିରେ ଯୋଗଦେବେ। ଆମେ ଦଳର ସୈନିକ ଭାବରେ କାର୍ଯ୍ୟ କରିବୁ।