Categories
ବିଶେଷ ଖବର ବ୍ୟବସାୟ

‘ମୁକ୍ତ ବର୍ଗ’ ଅଧୀନରେ ହରଡ଼ ଓ ବିରି ଆମଦାନୀ ଅବଧି ବଢ଼ାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଘରୋଇ ବଜାରରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଉପଲବ୍ଧତା ବଢ଼ାଇବା ଏବଂ ମୂଲ୍ୟ ସ୍ଥିର ରଖିବା ଲାଗି କେନ୍ଦ୍ର ସରକାର ଆଉ ଏକ ସକ୍ରିୟ ତଥା ତତ୍ପରତାପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଉ ଗୋଟିଏ ବର୍ଷ ପର୍ଯ୍ୟନ୍ତ, ଅର୍ଥାତ୍‌ ମାର୍ଚ୍ଚ ୩୧, ୨୦୨୩ ପର୍ଯ୍ୟନ୍ତ ‘ମୁକ୍ତ ବର୍ଗ’ରେ ହରଡ଼ ଏବଂ ବିରି ଡାଲି ଆମଦାନୀ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏ ସଂକ୍ରାନ୍ତରେ ଆଜି ଏକ ବିଜ୍ଞପ୍ତି ଜାରି ହୋଇଛି।

ଏହି ନିଷ୍ପତ୍ତି ଫଳରେ ଆଗାମୀ ୨୦୨୨-୨୩ ଆର୍ଥିକ ବର୍ଷରେ ହରଡ଼ ଓ ବିରି ଡାଲିର ଆମଦାନୀ ନୀତି ପରିଚାଳନାକୁ ନେଇ ରହିଥିବା ଆକଳନରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଏହା ମଧ୍ୟ ଏକ ସ୍ଥିର ନୀତିଗତ ବ୍ୟବସ୍ଥାର ସଙ୍କେତ ଦେଉଛି ଯାହାକି ସବୁ ଅଂଶୀଦାରମାନଙ୍କୁ ଲାଭାନ୍ବିତ କରିବ। କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଫଳରେ ଘରୋଇ ବଜାରରେ ଏସବୁ ଡାଲିର ଉପଲବ୍ଧତା ବଢ଼ାଇବା ପାଇଁ ବାଧାମୁକ୍ତ ଆମଦାନୀ ସୁନିଶ୍ଚିତ ହେବ। ଯାହାଫଳରେ ସାଧାରଣ ଗ୍ରାହକମାନେ ସୁଲଭ ଦରରେ ଡାଲି ପାଇପାରିବେ।

ସୁଗମ ଏବଂ ବାଧାମୁକ୍ତ ଆମଦାନୀ ସୁନିଶ୍ଚିତ କରିବା ଲାଗି ସରକାର ‘ମୁକ୍ତ ବର୍ଗ’ରେ ହରଡ଼, ବିରି ଏବଂ ମୁଗ ଡାଲି ଆମଦାନୀକୁ ଅନୁମତି ଦେଇଥିଲେ। ଏହା ମେ ୧୫, ୨୦୨୧ ଠାରୁ ଅକ୍ଟୋବର ୩୧, ୨୦୨୧ ପର୍ଯ୍ୟନ୍ତ ଲାଗୁ ହୋଇଥିଲା। ଏହାପରେ ମାର୍ଚ୍ଚ ୩୧, ୨୦୨୨ ପର୍ଯ୍ୟନ୍ତ ମୁକ୍ତ ବର୍ଗ ଅଧୀନରେ ହରଡ଼ ଓ ବିରି ଡାଲି ଆମଦାନୀର ଅବଧି ସମ୍ପ୍ରସାରଣ କରାଯାଇଥିଲା। ଏହି ନୀତିଗତ ପଦକ୍ଷେପ ସହିତ ଏହାର କାର୍ଯ୍ୟକାରିତା ନିମନ୍ତେ ସୁବିଧାଜନକ ପଦକ୍ଷେପ ଗ୍ରହଣ କରାଯାଇଥିଲା ଏବଂ ସମ୍ପୃକ୍ତ ସମ୍ପୃକ୍ତ ବିଭାଗ/ସଂଗଠନ ପକ୍ଷରୁ ଗୁରୁତ୍ବର ସହ ଏହାକୁ ନିରୀକ୍ଷଣ କରାଯାଇଥିଲା।

ଉପଭୋକ୍ତା ବ୍ୟାପାର ବିଭାଗ (ଡିଓସିଏ)ର ସରକାରୀ ତଥ୍ୟ ଅନୁଯାୟୀ, ସର୍ବଭାରତୀୟ ସ୍ତରରେ ୨୮.୦୩.୨୦୨୨ରେ ହରଡ଼ ଡାଲିର ହାରାହାରୀ ଖୁଚୁରା ଦର କିଲୋ ପ୍ରତି ୧୦୨ ଟଙ୍କା ୯୯ ପଇସା ରହିଥିଲା, ଯାହାକି ୨୮.୦୩.୨୦୨୧ରେ ରେକର୍ଡ ହୋଇଥିବା ପ୍ରତି କିଲୋଗ୍ରାମ ଖୁଚୁରା ଦର ୧୦୫ ଟଙ୍କା ୪୬ ପଇସା ଠାରୁ ୨.୪ ପ୍ରତିଶତ କମ୍‌। ଅନ୍ୟପକ୍ଷରେ ସର୍ବଭାରତୀୟ ସ୍ତରରେ ୨୮.୦୩.୨୦୨୨ରେ ରେକର୍ଡ ହୋଇଥିବା ତଥ୍ୟ ଅନୁଯାୟୀ, ବିରି ଡାଲିର ହାରାହାରୀ ଖୁଚୁରା ଦର କିଲୋ ପ୍ରତି ୧୦୪ ଟଙ୍କା ୩ ପଇସା ରହିଥିଲା, ଯାହାକି ୨୮.୦୩.୨୦୨୧ରେ ରେକର୍ଡ ହୋଇଥିବା ପ୍ରତି କିଲୋଗ୍ରାମ ଖୁଚୁରା ଦର ୧୦୮ ଟଙ୍କା ୨୨ ପଇସା ଠାରୁ ୩.୬୨ ପ୍ରତିଶତ କମ୍‌।