ନୂଆଦିଲ୍ଲୀ: ଏକ ଜାତୀୟ ହଳଦୀ ବୋର୍ଡ ଗଠନ ସଂକ୍ରାନ୍ତ ସରକାରୀ ବିଜ୍ଞପ୍ତି ଆଜି ପ୍ରକାଶ ପାଇଛି। ଏହି ଜାତୀୟ ହଳଦୀ ବୋର୍ଡ ଦେଶରେ ହଳଦୀ ଓ ହଳଦୀ ଜାତ ସାମଗ୍ରୀର ବିକାଶ ତଥା ଅଭିବୃଦ୍ଧି ସମ୍ପର୍କରେ କାମ କରିବ।
ହଳଦୀ ସମ୍ବନ୍ଧୀୟ ବିଷୟରେ ଏହି ବୋର୍ଡ ନେତୃତ୍ୱ ଭୂମିକା ନେବ। ଏହା ଦେଶରା ଜାତୀୟ ମସଲା ବୋର୍ଡ ଓ ଅନ୍ୟାନ୍ୟ ସରକାରୀ ସଂସ୍ଥା ସହିତ ସମନ୍ୱୟ ରକ୍ଷା କରି ହଳଦୀ ଓ ଏହାର ବିଭିନ୍ନ ସାମଗ୍ରୀର ବ୍ୟବହାର ତଥା ବିକ୍ରିବଟାକୁ ବଢାଇବାକୁ କାମ କରିବ।
ଏବେ ସମଗ୍ର ବିଶ୍ୱରେ ହଳଦୀର ବ୍ୟବହାର ଓ ଉପାଦେୟତା ବଢାଇବାକୁ ପ୍ରଚୁର ସୁଯୋଗ ରହିଛି। ଲୋକେ ଅଧିକ ସ୍ୱାସ୍ଥ୍ୟ ସଚେତନ ହେବା ସହିତ ପ୍ରାକୃତିକ ବ୍ୟାଧି ନିରୋଧକ ହଳଦୀର ବ୍ୟବହାର ଉପରେ ଗୁରୁତ୍ୱ ଦେଉଛନ୍ତି। ଫଳରେ ଆନ୍ତର୍ଜାତିକ ସ୍ତରରେ ହଳଦୀର ଗୁରୁତ୍ୱ ବଢିଛି। ତେଣୁ ଉଭୟ ଦେଶ ଓ ବିଦେଶରେ ହଳଦୀ ଓ ହଳଦୀ ଜାତ ସାମଗ୍ରୀର ବ୍ୟବହାର ତଥା ଏ ସଂକ୍ରାନ୍ତ ସଚେତନତା ବୃଦ୍ଧି ଦିଗରେ ଏହି ଜାତୀୟ ବୋର୍ଡ କାମ କରିବ । ଏହା ବିଦେଶରେ ହଳଦୀର ନୂଆ ବଜାର ସୃଷ୍ଟି କରି ଏହାର ରପ୍ତାନୀ ବୃଦ୍ଧି ଉପରେ ଗୁରୁତ୍ୱ ଦେବ । ଏହା ଛଡା ହଳଦୀର ନୂଆ ଉତ୍ପାଦ ବିକଶିତ କରିବାକୁ ଏହି ବୋର୍ଡ ଗବେଷଣାକୁ ପ୍ରୋତ୍ସାହିତ କରିବ । ହଳଦୀର ମୂଲ୍ୟ ମିଶ୍ରିତ ସାମଗ୍ରୀ ଉତ୍ପାଦନ ପାଇଁ ଆମର ଯେଉଁ ପାରମ୍ପରିକ ଜ୍ଞାନ କୌଶଳ ଅଛି ତାହାର ବିକାଶ କ୍ଷେତ୍ରରେର କାମ କରିବାକୁ ଏହି ବୋର୍ଡ ପଦକ୍ଷେପ ନେବ ।
ନିର୍ଦ୍ଦିଷ୍ଟ ଭାବେ ଏହି ବୋର୍ଡ ହଳଦୀ ଚାଷୀଙ୍କ ଦକ୍ଷତା ବିକାଶ ଓ ହଳଦୀର ଉତ୍ପାଦନ ବୃଦ୍ଧି ଉପରେ ସ୍ୱତନ୍ତ୍ର ଧ୍ୟାନ ହେବ । ମୂଲ୍ୟ ମିଶ୍ରଣ କରି ଚାଷୀ ହଳଦୀ ଓ ଏହାର ସାମଗ୍ରୀରୁ କିପରି ଅଧିକ ଆୟ କରିପାରିବେ ସେ ବିଷୟରେ ବୋର୍ଡ କାମ କରିବ । ସେହିଭଳି ହଳଦୀର ମାନ ଓ ନିରାପତ୍ତା ପ୍ରତି ମଧ୍ୟ ଧ୍ୟାନ ଦେବ । ହଳଦୀର ଯେଉଁ ପ୍ରାକୃତିକ ଉପାଦେୟତା ରହିଛି ତାହାର ଲାଭ ସମଗ୍ର ମାନବ ସମାଜ ଯେପରି ପାଏ ସେ ଦିଗରେ ଏହି ବୋର୍ଡ କାମ କରିବ ।
ଜାତୀୟ ହଳଦୀ ବୋର୍ଡ ହଳଦୀ ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ ସ୍ୱତନ୍ତ୍ର ଭାବେ କାର୍ଯ୍ୟ କରିବ । ହଳଦୀ ଚାଷୀଙ୍କ ଆୟ ଓ ଉତ୍ପାଦନ ଯେପରି ବଢିବ ସେଥି ପାଇଁ ଏହା ଉତ୍ପାଦିତ ସାମଗ୍ରୀର ମୂଲ୍ୟ ମିଶ୍ରଣ ଓ ଅନ୍ୟାନ୍ୟ ଦିଗ ଉପରେ ଗୁରୁତ୍ୱ ଦେବ । ହଳଦୀ ଚାଷୀ ଚାଷ ଜମି ନିକଟରେ ଯେପରି ଉତ୍ତମ ପ୍ରକ୍ରିୟାକରଣ ସୁବିଧା ପାଇବେ ଓ ସେମାନଙ୍କ ଉତ୍ପାଦ ଗୁଣମାନ ଦୃଷ୍ଟିରୁ ଉତ୍କୃଷ୍ଟ ତଥା ରପ୍ତାନୀ ଉପଯୋଗୀ ହେବ ସେ ଦିଗରେ ବୋର୍ଡ ବିଭିନ୍ନ ପଦକ୍ଷେପ ନେବ । ଏହି ବୋର୍ଡ ହଳଦୀ ଓ ଏହାର ବିଭିନ୍ନ ଉତ୍ପାଦନର ଗବେଷଣା, ଉନ୍ନୟନ, ବଜାର ବିକାଶ , ବିକ୍ରିବଟା, ବ୍ୟବହାର ବୃଦ୍ଧି, ମୂଲ୍ୟ ମିଶ୍ରଣ, ବ୍ୟବସାୟ ତଥା ରପ୍ତାନୀ କ୍ଷେତ୍ରରେ କାମ କରିବ । ବିଶେଷକରି ବିଦେଶକୁ ଅଧିକ ପରିମାଣର ଉତ୍କୃଷ୍ଟ ହଳଦୀ ଏବଂ ହଳଦୀଜାତ ସାମଗ୍ରୀ ରପ୍ତାନୀ କରି ଭାରତ ତାହାର ଅଗ୍ରଣୀ ସ୍ଥିତିକୁ ଆହୁରି ଯେପରି ସୁଦୃଢ କରିପାରିବ ସେ ଦିଗରେ ଏହି ବୋର୍ଡ ଉଦ୍ୟମ ଜାରି ରଖିବ ।
ଏହି ବୋର୍ଡର ଜଣେ ଅଧ୍ୟକ୍ଷ ରହିବେ ଓ ସେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତି ହେବେ । ଏହାର ସଦସ୍ୟଭାବେ ଆୟୁଷ, ଭେଷଜ, କୃଷି ଓ କୃଷକ କଲ୍ୟାଣ, ବାଣିଜ୍ୟ ଓ ଶିଳ୍ପ ବିଭାଗର ପ୍ରତିନିଧିମାନେ ନିଯୁକ୍ତି ପାଇବେ । ଏହି ସଭ୍ୟମାନେ ପାଳି କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରୁ ବୋର୍ଡକୁ ମନୋନୀତ ହେବେ । ଆବଶ୍ୟକସ୍ଥଳେ ହଳଦୀ ଚାଷ, ଗବେଷଶା, ବ୍ୟବସାୟ ଓ ରପ୍ତାନୀ କ୍ଷେତ୍ରରେ ପ୍ରତିନିଧିମାନଙ୍କୁ ମଧ୍ୟ ବୋର୍ଡର ସଦସ୍ୟଭାବେ ଗ୍ରହଣ କରାଯିବ । ବୋର୍ଡର ସଚିବ ନିଯୁକ୍ତି କାର୍ଯ୍ୟ କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟ କରିବ ।
ଭାରତ ବିଶ୍ୱର ସର୍ବବୃହତ୍ ହଳଦୀ ଉତ୍ପାଦନକାରୀ ଦେଶ । ଦଳଦୀର ବ୍ୟବହାର ଓ ରପ୍ତାନୀରେ ମଧ୍ୟ ଭାରତ ବିଶ୍ୱରେ ଏକ ନମ୍ବର ।୨୦୨୨-୨୩ରେ ଭାରତରେ ୩.୨୪ ଲକ୍ଷ ହେକ୍ଟର ଜମିରେ ହଳଦୀ ଚାଷ କରାଯାଇଥିଲା । ସେ ବର୍ଷ ଉତ୍ପାଦିତ ହଳଦୀର ପରିମାଣ ଥିଲା ୧୧. ୬୧ ଲକ୍ଷ ଟନ । ଏହା ବିଶ୍ୱର ମୋଟ ହଳଦୀ ଉତ୍ପାଦନର ୭୫ଭାଗରୁ ଅଧିକ । ଭାରତରେ ୩୦ପ୍ରକାରରୁ ଅଧିକ କିସମର ହଳଦୀ ଉତ୍ପାଦିତ ହୋଇଥାଏ । ଏହା ଦେଶର ୨୦ଟି ରାଜ୍ୟରେ ଚାଷ ହୁଏ । ମହାରାଷ୍ଟ୍ର, ତେଲଙ୍ଗାନା, କର୍ଣ୍ଣାଟକ ଓ ତାମିଲନାଡୁରେ ଅଧିକ ହଳଦୀ ଚାଷ ହୁଏ ।
ବିଶ୍ୱ ହଳଦୀ ବ୍ୟବସାୟରେ ଭାରତର ଅଂଶ ୬୨ ଶତାଂଶରୁ ଅଧିକ । ୨୦୨୨-୨୩ରେ ୩୮୦ରୁ ଅଧିକ ରପ୍ତାନୀକାରୀ ଭାରତରୁ ୧.୫୩୪ ଲକ୍ଷ ଟନ ହଳଦୀ ରପ୍ତାନୀ କରିଥିଲେ । ଏହାର ମୂଲ୍ୟ ଥିଲା ୨୦୭.୪୫ ନିୟୁତ ଆମେରିକୀୟ ଡଲାର । ବାଂଲାଦେଶ, ସଂଯୁକ୍ତ ଆରବ ଏମିରେଟ୍ସ, ଆମେରିକାର ଓ ମାଲେସିଆରେ ଭାରତୀୟ ହଳଦୀର ଚାହିଦା ଅଧିକ । ନବଗଠିତ ହଳଦୀ ବୋର୍ଡ ତାହାର କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରି ୨୦୩୦ସୁଦ୍ଧା ଭାରତରୁ ଏକ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ହଳଦୀ ଓ ହଳଦୀଜାତ ସାମଗ୍ରୀ ରପ୍ତାନୀ କରିବାକୁ ଆଶା ରଖିଛି ।