Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବୁଣାକାର ଓ କାରିଗରଙ୍କ ପାଇଁ ନବୀନଙ୍କ ବଡ ଘୋଷଣା, ପାଇବେ ମାସିକ ୨୦୦୦ ଟଙ୍କା ସହାୟତା

ଭୁବନେଶ୍ବର: ରାଜ୍ୟର ବରିଷ୍ଠ ବୁଣାକାର ଓ ହସ୍ତ ଶିଳ୍ପ କାରିଗର ମାନଙ୍କ ପାଇଁ ଖୁସି ଖବର। ସେମାନଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ନୂଆ ଯୋଜନା । ‘ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା’।

ଏହି ଯୋଜନାରେ ୪୦ ବର୍ଷରୁ ୮୦ ବର୍ଷ ବୟସ ମଧ୍ୟରେ ଥିବା ମହିଳା ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ହସ୍ତଶିଳ୍ପ କାରିଗର, ଏବଂ ୫୦ ରୁ ୮୦ ବର୍ଷ ବୟସ ମଧ୍ୟରେ ଥିବା ପୁରୁଷ ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ହସ୍ତଶିଳ୍ପ କାରିଗର ମାନଙ୍କୁ ମାସିକ ୨୦୦୦ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ।

୮୦ ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ବରିଷ୍ଠ ହସ୍ତଶିଳ୍ପ କାରିଗରମାନଙ୍କୁ (ଉଭୟ ମହିଳା ଓ ପୁରୁଷ) ମାସିକ ୨୫୦୦ ଟଙ୍କାର ଆର୍ଥିକ ସହାୟତା ଯୋଗାଇଦିଆଯିବ ।

ସୂଚନା ଯୋଗ୍ୟ ଯେ ରାଜ୍ୟର ବୁଣାକାର ଓ ହସ୍ତଶିଳ୍ପ କାରିଗର ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ଦକ୍ଷତା ବିକାଶ ଓ କଲ୍ୟାଣ ମୂଳକ ଯୋଜନା କାର୍ଯ୍ୟକାରୀ କରିଆସୁଛନ୍ତି । ରାଜ୍ୟର ସମୃଦ୍ଧ ଐତିହ୍ୟର ପ୍ରଦର୍ଶନ ଏବଂ ସଂରକ୍ଷଣ ପାଇଁ ବୁଣାକାର ଓ ହସ୍ତ ଶିଳ୍ପ କାରିଗର ମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।

ରାଜ୍ୟରେ ୧,୨୫,୦୦୦ ରୁ ଅଧିକ ବୁଣାକାର ତଥା ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଥିବା ବେଳେ ୧,୫୦,୦୦୦ ରୁ ଅଧିକ ହସ୍ତଶିଳ୍ପ କାରିଗର ଅଛନ୍ତି।  ତେବେ, ପରିଣତ ବୟସରେ ବୁଣାକାର ମାନଙ୍କ ସହାୟତା ପାଇଁ ରାଜ୍ୟ ସରକାରଙ୍କ “ବରିଷ୍ଠ ବୁଣାକାର ସହାୟତା ଯୋଜନା “ ଥିବା ବେଳେ ବରିଷ୍ଠ ହସ୍ତ ଶିଳ୍ପ କାରିଗର ମାନଙ୍କ ପାଇଁ କୌଣସି ଯୋଜନା ନାହିଁ।

ବୁଣାକାର ମାନେ ୬୦ ରୁ ୮୦ ବର୍ଷ ବୟସ ମଧ୍ୟରେ ମାସିକ ୫୦୦ ଟଙ୍କାର ସହାୟତା ପାଉଥିବା ବେଳେ ୮୦ ବର୍ଷ ବଯସରୁ ଅଧିକ ବୟସରେ ମାସିକ ୭୦୦ ଟଙ୍କାର ସହାୟତା ପାଉଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ଅଞ୍ଚଳର ବୁଣାକାର ଓ ହସ୍ତଶିଳ୍ପ କାରିଗରମାନେ ଏ ସମ୍ପର୍କରେ ଅନୁରୋଧ କରିଥିଲେ। ଏହି ଅନୁରୋଧକୁ ବିଚାରକୁ ନେଇ ରାଜ୍ୟ ସରକାର ରାଜ୍ୟର ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ହସ୍ତଶିଳ୍ପ କାରିଗର ମାନଙ୍କର କଲ୍ଯାଣ ନିମନ୍ତେ ଏକ ନୂତନ ଯୋଜନା “ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା“ ପ୍ରଣୟନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଏହି ଯୋଜନାରେ ଯୋଗ୍ୟ ବିବେଚିତ ହେବାପାଇଁ ନିମ୍ନଲିଖିତ ଯୋଗ୍ୟତା ଥିବା ଆବଶ୍ୟକ।

କ ) ହିତାଧିକାରୀଙ୍କ ନାମ ବୟନଶିଳ୍ପ ନିର୍ଦ୍ଦେଶକ ଓ ହସ୍ତଶିଳ୍ପ ନିର୍ଦ୍ଦେଶକ ଙ୍କ ଦ୍ଵାରା କରାଯାଇଥିବା ସର୍ବେକ୍ଷଣ ତାଲିକା ରେ ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ହସ୍ତଶିଳ୍ପ କାରିଗର ଭାବରେ ପଞ୍ଜିକୃତ ହୋଇଥିବ ।

ଖ ) ତାଙ୍କର ପରିବାରର ବାର୍ଷିକ ଆୟ ୧ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ହୋଇନଥିବ I

ଗ) ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାର ଙ୍କ ଦ୍ଵାରା କୌଣସି ଅନୁରୂପ ଯୋଜନାର ଲାଭାର୍ଥୀ ହୋଇନଥିବେ I

ଘ) ହିତାଧିକାରୀ ସରକାରୀ କର୍ମଚାରୀ, ଆୟକରଦାତା କିମ୍ବା କେନ୍ଦ୍ର ଅଥବା ରାଜ୍ୟ ସରକାରଙ୍କ ପେନସନଭୋଗୀ ହୋଇନଥିବେ I

ଙ) ଗୋଟିଏ ପରିବାରରୁ ଜଣେ ମାତ୍ର ଏହି ଯୋଜନାରେ ଲାଭ ପାଇପାରିବେ।

ଚ) ଏହି ଯୋଜନାର ସହାୟତା ରାଶି ଯୋଗ୍ୟ ବିବେଚିତ ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ହସ୍ତଶିଳ୍ପ କାରିଗର ମାନଙ୍କ ଆଧାର ସଂଯୁକ୍ତ ବ୍ଯାଙ୍କ ସଞ୍ଚୟ ଖାତାକୁ ସିଧା ସଳଖ ଡିବିଟି ଦ୍ଵାରା ପ୍ରଦାନ କରାଯିବ I

୬. ଏହି ଯୋଜନା ହସ୍ତତନ୍ତ , ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ଵାରା କାର୍ଯ୍ୟକାରୀ କରାଯିବ ।

ଏଥିନିମନ୍ତେ ଆବଶ୍ଯକୀୟ ମାର୍ଗଦର୍ଶିକା ବିଭାଗ ତରଫରୁ ଜାରି କରାଯିବ।

ବରିଷ୍ଠ ବୁଣାକାର ସହାୟତା ଯୋଜନାରେ ସହାୟତା ପାଉଥିବା ହିତାଧିକାରୀ ମାନଙ୍କୁ ବର୍ଦ୍ଧିତ ହାରରେ ସହାୟତା ରାଶି ଫେବୃଆରୀ ମାସ ୨୦ ରୁ ୨୫ ତାରିଖ ମଧ୍ୟରେ ପ୍ରଦାନ କରାଯିବ।

ପରବର୍ତ୍ତୀ ସମୟରେ ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ହସ୍ତଶିଳ୍ପ କାରିଗରମାନଙ୍କ ମଧ୍ୟରୁ ଉପଯୁକ୍ତ ହିତାଧିକାରୀ ଚୟନ କରାଯାଇ ସହାୟତା ରାଶି ଯଥାଶୀଘ୍ର ପ୍ରଦାନ କରାଯିବ।

Categories
ଆଞ୍ଚଳିକ

ଭାରତ ସରକାରଙ୍କ ପକ୍ଷରୁ ‘ଚଉପାଲ୍‌’ ହସ୍ତଶିଳ୍ପୀମାନଙ୍କ କର୍ମଶାଳା

ଭୁବନେଶ୍ୱର: ବିକାଶ ଆୟୁକ୍ତ (ହସ୍ତଶିଳ୍ପ) ବସ୍ତ୍ର ମନ୍ତ୍ରଣାଳୟ ଭାରତ ସରକାରଙ୍କ ତରଫରୁ ଚଉପାଲ କାର୍ଯ୍ୟକ୍ରମ ସ୍ଥାନୀୟ ନୂଆଗାଁ (ମଳିପଡ଼ା) ମୃତ୍ତିକା କାରିଗର ସମବାୟ ସମିତି କର୍ମଶାଳା ପ୍ରକୋଷ୍ଠରେ ଦିବା ୧୧ ଘଟିକା ସମୟରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ୫୦ରୁ ଉର୍ଦ୍ଧ୍ୱ ହସ୍ତଶିଳ୍ପୀମାନେ ଯୋଗ ଦେଇ ତାଙ୍କର ଭାବ ବିନିମୟ ପ୍ରଦାନ କରିଥିଲେ। ବିଶେଷକରି ସରକାର ଏବଂ ଶିଳ୍ପୀମାନଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ସ୍ଥାପନ କରିବା, ବିଭିନ୍ନ ପରିଯୋଜନା ଏବଂ ବିଭିନ୍ନ ସ୍କିମ୍ ବିଷୟରେ ଜଣାଇବା, କାରିଗର ପରିଚୟ ପତ୍ର ପ୍ରଦାନ କରିବା, ଦକ୍ଷତା ବୃଦ୍ଧି ତାଲିମ, ବିପଣନ ଦକ୍ଷତା ବୃଦ୍ଧି, କେତ୍ରାମାନଙ୍କ ମନ ପସନ୍ଦର ଜିନିଷ ତିଆରି କରି ଉପଯୁକ୍ତ ସାମଗ୍ରୀକୁ ବିଦେଶକୁ ରପ୍ତାନୀ କରାଯାଇ ଚଉପାଲ ମାଧ୍ୟମରେ ପ୍ରତ୍ୟେକ ହସ୍ତଶିଳ୍ପୀଙ୍କ ନିକଟରେ କିପରି ପହଞ୍ôଚ ପାରିବ, ସେ ନେଇ ଆଲୋଚନା କରାଯାଇଥିଲା।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ କାଳୀଚରଣ ପଟ୍ଟନାୟକ (ତାଳପତ୍ର ଖୋଦେଇ ଶିଳ୍ପୀ) ଏବଂ ବୟୋଜ୍ୟଷ୍ଠ ଟେରାକୋଟା ଶିଳ୍ପୀ ମନ୍ଦର ରଣାଙ୍କୁ ଉପଢୌକନ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ୱାଲ୍‌ଡ଼ ଆକ୍ଟର ସମ୍ପାଦକ ବିପିନ ବିହାରୀ ସାହୁ ଅଧ୍ୟକ୍ଷତା କରି ସମସ୍ତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ବିକାଶ ଆୟୁକ୍ତ ହସ୍ତଶିଳ୍ପର ବରିଷ୍ଠ ସହାୟକ ନିର୍ଦ୍ଦେଶକ ଅଶୋକ କୁମାର ହୋତା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବିପଣନ ଦକ୍ଷତା ବୃଦ୍ଧି, ଦକ୍ଷତା ବୃଦ୍ଧି ତାଲିମ, କ୍ରେତାମାନଙ୍କ ପସନ୍ଦର ଜିନିଷ ତିଆରି କରି କିପରି ବିଜାରରେ ଉପଲବ୍ଧ ହୋଇପାରିବ ସେ ନେଇ ସରକାରଙ୍କ ସହଯୋଗ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ସ୍ୱାଧୀନତା ୭୫ବର୍ଷ ପରେ ମଧ୍ୟ କାରିଗର ମାନେ ନିଜ ନିଜର ପେଷାକୁ ବଜାୟ କରିଥିବା ବେଳେ ମହାମାରୀ କରୋନା ସମୟରେ ମଧ୍ୟ ନିଜ ପେଶାକୁ ଭୁଲିପାରି ନାହାଁନ୍ତି। ସେଥିପାଇଁ ସମସ୍ତ ହସ୍ତଶିଳ୍ପୀ କାରିଗରମାନଙ୍କୁ ସାଧୁବାଦ ଜଣାଇବା ସହ ଭାରତ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ।

ସମ୍ମାନିତ ଅତିଥି ଭାବରେ ନିର୍ମଳା ବିକାଶ ଟ୍ରଷ୍ଟର ଅଧ୍ୟକ୍ଷ ଇଂ ଦିଲ୍ଲୀପ ପଟ୍ଟନାୟକ ହସ୍ତଶିଳ୍ପୀମାନଙ୍କ ଭଗବାନ ସହିତ ତୁଳନା କରିଥିଲେ ଏବଂ ଆମକୁ ଯୁଗ ହିସାବରେ ନୂତନ ପ୍ରକାର ଜିନିଷ ତିଆରି କରି ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ପରାମର୍ଶ ଦେଇଥିଲେ। ଅରୁପାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଶୋକ କୁମାର ସାହୁ ଯୋଗଦେଇ ମହାମାରୀ କରୋନା ସମୟରେ କରିଗରମାନଙ୍କର ସାମାଜିକ, ଅର୍ଥନୈତିକ ମାନଦଣ୍ଡ କିପରି ସୁଦୃଢ ହୋଇପାରିବ ସେ ବିଷୟରେ ମତବ୍ୟକ୍ତ କରିଥିଲେ।

ବରିଷ୍ଠ ନମୂନା ବିକାଶକାରୀ ରାମାନୁଜ ବଇରୀଗଞ୍ଜନ ବିଶେଷକରି ଗ୍ରାମାଞ୍ଚଳରେ ଥିବା ସମସ୍ତ ହସ୍ତଶିଳ୍ପୀ କାରିଗରମାନଙ୍କୁ ଚଉପାଲର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇବା ପାଇଁ ସମସ୍ତ ଶିଳ୍ପୀମାନଙ୍କୁ ଅନୁରୋଧ କରିଥିଲେ। ମୂର୍ତ୍ତିକା କାରଗିର ସମବାୟ ସମିତିର ସମ୍ପାଦକ ଜ୍ଞାନ ପଣ୍ଡା ସରକାରଙ୍କ ସମସ୍ତ କାର୍ଯ୍ୟକ୍ରମକୁ ନିଜର କାର୍ଯ୍ୟକ୍ରମ ଭାବି ଆଗକୁ ଆଗେଇବା ପାଇଁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟେରାକୋଟା ଶିଳ୍ପୀ ତରୁଣ ତପନ ସାହୁ, ଗଦାଧର ରଣା, ବିକାଶ ଆୟୁକ୍ତର ୟୁଡ଼ିସି ଅମର ମିଶ୍ର ଏବଂ ୱାଲ୍‌ଡ଼ ଆକ୍ଟର କର୍ମୀ ଜ୍ୟୋତିରଞ୍ଜନ ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ। ଶେଷରେ ମୃର୍ତ୍ତିକା ସଂଘର ସଭାପତି ସଞ୍ଜୟ ମୁଦୁଲି ସମସ୍ତ ଅତିଥି ଓ କାରିଗରମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମ ସମାପ୍ତ ପରେ କର୍ମଶାଳା ପରିସରରେ ଭାରତ ସରକାରଙ୍କ ତରଫରୁ ଏକ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକମ ଅନୁଷ୍ଠିତ ହୋଇଥିଲା।