Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର ସଂସ୍କୃତି

ଭୁବନେଶ୍ବରରେ ଉଦ୍‌ଘାଟିତ ହେଲା ରାଜ୍ୟ ହସ୍ତଶିଳ୍ପ ପ୍ରଦର୍ଶନୀ, ଭାଗ ନେଉଛନ୍ତି ୧୨୦ କାରୀଗର

ଭୁବନେଶ୍ୱର: ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ ରାଜ୍ୟ ସ୍ତରୀୟ ହସ୍ତତନ୍ତ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଛନ୍ତି। ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ରୀମତୀ ପ୍ରଶତି ଛୋଟରାୟ, ଉତ୍କଳିକାର ପରିଚାଳନା ନିର୍ଦ୍ଦେଶକ ଶ୍ରୀମତୀ କଲ୍ୟାଣୀ ପଟ୍ଟନାୟକ ଏବଂ ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ସରୋଜ କୁମାର ପଟେଲ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ପଦ୍ମଶ୍ରୀ ବିନୋଦ ମହାରଣାଙ୍କୁ ସମ୍ମାନିତ କରାଯାଇଥିଲା।

ହସ୍ତଶିଳ୍ପ କାରୀଗରମାନଙ୍କ ଉତ୍ପାଦିତ ସାମଗ୍ରୀ ଗୁଡ଼ିକର ବିକି୍ରବଟାର ସହାୟତା ନିମନ୍ତେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ମାଧ୍ୟମରେ ଚଳିତ ବର୍ଷ ଏହି ରାଜ୍ୟସ୍ତରୀୟ ପ୍ରଦର୍ଶନୀ ଭୁବନେଶ୍ୱରସ୍ଥ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହୋଇଛି।

ଏହି ପ୍ରଦର୍ଶନୀରେ ୨୩ ଗୋଟି ଜିଲ୍ଲାର ପ୍ରାୟ ୧୨୦ ଜଣ ହସ୍ତଶିଳ୍ପ କାରିଗରୀଙ୍କୁ ବିନା ଦେୟରେ ଷ୍ଟଲ ପ୍ରଦାନ କରାଯାଇଛି। ଅଂଶଗ୍ରହଣ କରୁଥିବା ଜିଲ୍ଲାଗୁଡ଼ିକରେ ମଧ୍ୟରେ କେନ୍ଦୁଝର, ଯାଜପୁର, ବାଲେଶ୍ୱର, ବରଗଡ଼, ଖୋର୍ଦ୍ଧା, ନୟାଗଡ଼, ଢେଙ୍କାନାଳ, ମୟୂରଭଞ୍ଜ, କଟକ, ନବରଙ୍ଗପୁର, କେନ୍ଦ୍ରାପଡ଼ା, ପୁରୀ, ସୁନ୍ଦରଗଡ଼, ଗଞ୍ଜାମ, କଳାହାଣ୍ଡି, ରାୟଗଡ଼ା, ବଲାଙ୍ଗିର, ବୌଦ୍ଧ, ଗଜପତି, ଜଗତସିଂହପୁର, ଝାରସୁଗୁଡ଼ା, ନୂଆପଡ଼ା ଓ ଭଦ୍ରକ ରହିଛନ୍ତି।

ଓଡ଼ିଶାର ହସ୍ତଶିଳ୍ପର ନିଜସ୍ୱ ସ୍ୱତନ୍ତ୍ର ପରିଚୟ ରହିଛି। ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁମୋଦିତ ୫୧ଟି ହସ୍ତଶିଳ୍ପକୁ ଆଧାର କରି ୧,୬୦,୦୦୦ରୁ ଊଦ୍ଧ୍ୱ କାରିଗରମାନେ ବିଭିନ୍ନ ସାମଗ୍ରୀ ଉତ୍ପାଦନ କରୁଛନ୍ତି। ହସ୍ତଶିଳ୍ପ କଳାକୃତି ପାଇଁ ଆମ ରାଜ୍ୟ ଓଡ଼ିଶା ବହୁ ସଂଖ୍ୟାରେ ଜାତୀୟ ପୁରସ୍କାର ପାଇବାର ଗୌରବ ଅର୍ଜନ କରିଛି।

ଅଦ୍ୟାବଧି ୧୯୩ ଜଣ ହସ୍ତଶିଳ୍ପୀ ଜାତୀୟ ପୁରସ୍କାର ପାଇଥିବା ବେଳେ ତନ୍ମଧ୍ୟରୁ ୫ ଜଣ ପଦ୍ମ ପୁରସ୍କାର, ୧୩ ଜଣ ଶିଳ୍ପଗୁରୁ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଏତଦ୍‌ବ୍ୟତୀତ ୩୪୨ ଜଣ ହସ୍ତଶିଳ୍ପୀ ରାଜ୍ୟସ୍ତରୀୟ ପୁରସ୍କାର ଗ୍ରହଣ କରିଛନ୍ତି।

ଓଡ଼ିଶା ସରକାର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମାଧ୍ୟମରେ ହସ୍ତଶିଳ୍ପର ବିକାଶ ପାଇଁ ବିଭିନ୍ନ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି। ବଜାର ସହାୟତା ପାଇଁ ପ୍ରଦର୍ଶନୀମାନ ଆୟୋଜନ କରାଯାଉଛି। କାରିଗର, ସ୍ୱୟଂସହାୟକ ଗୋଷ୍ଠୀ, ଶୀର୍ଷ ଅନୁଷ୍ଠାନ ଓ ସମବାୟ ସମିତିମାନଙ୍କୁ ଦକ୍ଷତା ବୃଦ୍ଧି, କାରିଗରୀ କୌଶଳ ବୃଦ୍ଧି ତାଲିମ, ଉନ୍ନତମାନର ଯନ୍ତ୍ରପାତି, ବ୍ୟାଙ୍କ ଋଣ ସହାୟତା, ଭିତ୍ତିଭୂମିର ବିକାଶ, ନମୁନା ବିକାଶ, ପ୍ରଦର୍ଶନୀ ମାଧ୍ୟମରେ ବଜାୟ ସହାୟତା ଇତ୍ୟାଦି ଯୋଗାଇ ଦିଆଯାଉଛି। ଏଥି ସହିତ ହସ୍ତଶିଳ୍ପ ସାମଗ୍ରୀ ପାଇଁ ଅନ୍‌ଲାଇନ୍‌ ମାର୍କେଟିଂର ବ୍ୟବସ୍ଥା କରାଯାଉଛି।

Categories
ଆଜିର ଖବର

ଭୁବନେଶ୍ବରର ଏକ୍ରାମହାଟରେ ଆରମ୍ଭ ହେଲା ଗାନ୍ଧୀ ଶିଳ୍ପ ବଜାର ପ୍ରଦର୍ଶନୀ ୨୦୨୩

ଭୁବନେଶ୍ବର: ଓଡ଼ିଶା ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧିନସ୍ତ ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର ଉତ୍କଳିକା ଦ୍ଵାରା ବିକାଶ ଆୟୁକ୍ତ (ହସ୍ତଶିଳ୍ପ) ନୂଆଦିଲ୍ଲୀ ଭାରତ ସରକାର ଓ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ, ଓଡ଼ିଶା ଭୁବନେଶ୍ଵରଙ୍କ ଆର୍ଥିକ  ସହାୟତାରେ ଏକ ଦଶଦିନ ବ୍ୟାପି ଜାତୀୟ ସ୍ତରୀୟ ପ୍ରଦର୍ଶନୀ ଗାନ୍ଧୀଶିଳ୍ପ ବଜାର -୨୦୨୩ ଆୟୋଜିତ ହୋଇଛି।

ଏହା ଆସନ୍ତା ନଭେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଏକାମ୍ରହାଟ ଭୁବନେଶ୍ଵରଠାରେ ଚାଲିବ। ଏଥିରେ ଓଡ଼ିଶା ସମେତ ବାହାର ୨୧ଟି ରାଜ୍ୟରୁ ମୋଟ ୧୦୦ ଜଣ ଶିଳ୍ପୀ ଏବଂ ହସ୍ତଶିଳ୍ପ କାରିଗର ଭାଗ ନେଇ ସେମାନଙ୍କ ଦ୍ଵାରା ଉତ୍ପାଦିତ ସାମଗ୍ରୀମାନ ପ୍ରଦର୍ଶନୀ କରିବା ସଙ୍ଗେ ସଙ୍ଗେ ବିକ୍ରୟ କରୁଛନ୍ତି।

ଏଥିରେ ବିଭିନ୍ନ ପ୍ରକାରର ହସ୍ତଶିଳ୍ପ ସାମଗ୍ରୀ ଯଥା ଜାମୁ ଓ କାଶ୍ମୀରର ଏମବ୍ରୋଡୋରୀ ପଟ୍ଟଚିତ୍ର, କାଶ୍ମିରୀ ଶାଲ, ରାଜସ୍ଥାନର ଜୁଏଲାରୀ ଚମଡ଼ାଶିଳ୍ପ, ଜାରୀଶିଳ୍ପ, ମଧ୍ୟପ୍ରଦେଶର ଏମବ୍ରୋଡୋରୀ ଜରୀ ଶିଳ୍ପ,ଆଦିବାସୀ ଜୁଏଲାରୀ, ମଣିପୁରର ମଣିପୁରୀ ଶାଢି, ନାଗଲାଣ୍ଡର ପୁଷ୍ପଶିଳ୍ପ ଓ ବୟନ ଶିଳ୍ପ, ଉତ୍ତର ପ୍ରଦେଶର କାର୍ପେଟ ଖୋଦେଇ ଚମଡ଼ାଶିଳ୍ପ, ଜରିଶିଳ୍ପ , ଜୁଏଲାରୀ, ବୟନ ଶିଳ୍ପ, ଲୌହଶିଳ୍ପ, ପଶ୍ଚିମବଙ୍ଗର ଝୋଟ ଶିଳ୍ପ ସାମଗ୍ରୀ,ଏମବ୍ରୋଡୋରୀ, ପେଣ୍ଟିଙ୍ଗ ଶାଢୀ ରହିଛି।

ସେହିପରି ଓଡ଼ିଶାର ପଥର ଖୋଦେଇ କାଠ ଖୋଦେଇ, ଶାମୁକା କାର୍ପେଟ, କଂସା ଓ  ପିତଳ ଢୋକରା, ସିଂଘ, ଝୋଟ କମଭଳି ଅତ୍ୟନ୍ତ ଉଚ୍ଚମାନର ହସ୍ତଶିଳ୍ପ ସମଗ୍ରୀମାନଙ୍କର ପ୍ରଦର୍ଶନ ତଥା ବିକ୍ରୟ କରାଯିବ।

ଏହିଭଳି ଏକ ଗୌରବମୟ ମେଳାର ଆୟୋଜନ ଓ ପରିଚାଳନା ତଥା ସର୍ବପରୀ ଦୁର୍ଗାପୂଜା ଓ କୁମାର ପୂର୍ଣ୍ଣିମା ଅବସରରେ ଜନ ସାଧରଣଙ୍କ ଆବଶ୍ୟକଟାକୁ ଦୃଷ୍ଟିରେ ରଖାଯାଇ ଆନୁମାନିକ ୩୦ଲକ୍ଷ ଟଙ୍କାର ବ୍ୟବସାୟ ଆକଳନ କରାଯାଇଅଛି ଏବଂ ୨୫-୩୦ ହଜାର ଦର୍ଶକଙ୍କ ଆଗମାନର ସମ୍ଭାବନା ରହିଛି।

ଶ୍ରୀମତୀ ପ୍ରଣତୀ ଛୋଟରାୟ, ନିର୍ଦ୍ଦେଶିକା ହସ୍ତଶିଳ୍ପଏହି ପ୍ରଦର୍ଶନୀର ଶୁଭ ଉଦଘାଟନ କରିଥିଲେ। କୁମାରୀ ଦେବସ୍ମିତା ସାହୁ, ସଭାପତୀ, ଶ୍ରୀ ପ୍ରଶାନ୍ତ କୁମାର ମହାପାତ୍ର, ଉପ ସଭାପତୀ ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ. ଭୁବନେଶ୍ଵର, ଶ୍ରୀ ବିକ୍ରମାଦିତ୍ଵ ବାରିକ, ଅତିରିକ୍ତ ଶାସନ ସଚିବ, ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ ଏବଂ ଶ୍ରୀମତୀ କଲ୍ୟାଣୀ ପଟ୍ଟନାୟକ, ଯୁଗ୍ମ ସଚିବ, ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ, ନିର୍ଦ୍ଦେଶିକା ଉତ୍କଳିକା,ଶ୍ରୀ ଅଶୋକ କୁମାର ହୋତା, ବରିଷ୍ଠ ସହନିର୍ଦ୍ଦେଶକ ବିକାଶ ଆୟୁକ୍ତ (ହସ୍ତଶିଳ୍ପ) ଭୁବନେଶ୍ବର ଓ ଅନ୍ୟାନ୍ୟ ଅଧିକାରୀଗଣ  ଏହି ଉତ୍ସବରେ ଉପସ୍ଥିତ ଥିଲେ।

ଏହି ପ୍ରଦର୍ଶନୀ ପ୍ରତ୍ୟହ ଦିନ ୧୧ ଟାରୁ ରାତି ୯ ଟା ପର୍ଯ୍ୟନ୍ତ ଖୋଲା ରହିବ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଜିଲ୍ଲା ମହୋତ୍ସବର ଉଦଘାଟନୀ ଦିବସରେ ଗ୍ରାମାଞ୍ଚଳ କାରିଗରମାନଙ୍କ ଦ୍ୱାରା ହସ୍ତଶିଳ୍ପ ପ୍ରଦର୍ଶନୀ

ଖୋର୍ଦ୍ଧା: ଜିଲ୍ଲା ପ୍ରଶାସନ, ରାଜ୍ୟ ପଂଚାୟତି ରାଜ ଓ ପାନୀୟ ଜଳ ବିଭାଗ, ଜିଲ୍ଲା ସଂସ୍କୃତି ପରିଷଦ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମିଳିତ ସହଯୋଗରେ ଆଜି ଜିଲ୍ଲା ମହୋତ୍ସବ ଓ ପଲ୍ଲଶ୍ରୀ ମେଳାର ଉଦଘାଟନୀ ଦିବସ, ଖୋର୍ଦ୍ଧା ସ୍ଥିତ ହାଭେଳି ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ମୁଖ୍ୟ ଅତିଥି ପଂଚାୟତି ରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ ଅମାତ, ମୁଖ୍ୟ ବକ୍ତା ଭାବେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ଖୋର୍ଦ୍ଧା ବିଧାୟକ ଜ୍ୟୋତିନ୍ଦ୍ର ନାଥ ମିତ୍ର, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀରାଣୀ ଗୁମାନସିଂ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଖୋର୍ଦ୍ଧା ଅଧ୍ୟକ୍ଷା କଲ୍ୟାଣୀ ମଞ୍ଜରୀ ମହାନ୍ତି, ଜିଲ୍ଲାପାଳ ସୁଦର୍ଶନ ଚକ୍ରବର୍ତ୍ତୀ, ଡ଼ି. ଏଫ. ଓ ପି. ପୁର୍ଣିମା, ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ଦିଗନ୍ତ ରାଉତରାୟ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ପ୍ରମୁଖ ଯୋଗ ଦେଇଥିଲେ।

ଏହି ମେଳାରେ ଗ୍ରାମାଞ୍ଚଳ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ହସ୍ତଶିଳ୍ପ, ଘରୋଇ ଉପକରଣ ସାମଗ୍ରୀର ପ୍ରଦର୍ଶନୀ ଓ ବିକ୍ରୟ ସହିତ ଖାଦ୍ୟ ମେଳା ମଧ୍ୟ ପ୍ରଦର୍ଶିତ କରାଯାଇଛି।  ଏଥି ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଜମୁଛି ଏକ୍ରାମ ହାଟରେ ଚାଲିଥିବା ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ

ଭୁବନେଶ୍ୱର: ଏକାମ୍ର ହାଟରେ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ, ଓଡ଼ିଶା ଦ୍ୱାରା ଜୁଲାଇ ୨୧ ତାରିଖଠାରୁ ଏକ ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀର ଆୟୋଜନ କରାଯାଇଛି । ଏହି ପ୍ରଦର୍ଶନୀରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା କାରିଗରମାନେ ସେମାନଙ୍କ ଦ୍ୱାରା ଉତ୍ପାଦିତ ପଟ୍ଟଚିତ୍ର, ତାଳପତ୍ର ଖୋଦେଇ, ଚାନ୍ଦୁଆ କାମ, ବାଉଁଶ କାମ, କାଠ ଖୋଦେଇ, ଲାଖ କାମ, କାଇଁଚ, ଶିଙ୍ଘ କାମ, ଟେରାକୋଟା, ରୂପା ତାରକଶି ଭଳି ୧୯ଟି ହସ୍ତଶିଳ୍ପର ପ୍ରଦର୍ଶନ ଓ ବିକ୍ରୟ କରୁଛନ୍ତି ।

ଏହି ପ୍ରଦର୍ଶନୀରେ ଭାଗ ନେଇଥିବା କାରିଗରମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରିତା ସାହୁ ଆଜି ସନ୍ଧ୍ୟାରେ ଏକାମ୍ର ହାଟ ପରିଦର୍ଶନ କରିଥିଲେ । ତାଙ୍କ ସହିତ ବରି ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ, ବ୍ରଜରାଜନଗର ବିଧାୟିକା ଶ୍ରୀମତୀ ଅଳକା ମହାନ୍ତି ଓ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହନ୍ତ ପ୍ରଦର୍ଶନୀ ପରିଦର୍ଶନ କରି କାରିଗରମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ ଯେ ନୂଆ ରୂପରେ ଏକାମ୍ର ହାଟ ଭୁବନେଶ୍ୱରର ଲୋକାର୍ପଣ ହେବା ପରେ କାରିଗର, ବୁଣାକାର, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଉତ୍ପାଦକ ଗୋଷ୍ଠୀ ଓ ସମବାୟ ସମିତିମାନଙ୍କର ବ୍ୟବସାୟ ବୃଦ୍ଧି ନିମନ୍ତେ ଏହି ହାଟରେ ବିଭିନ୍ନ ସମୟରେ ପ୍ରଦର୍ଶନୀମାନ ଆୟୋଜନ କରାଯାଉଛି । ପରିଦର୍ଶକମାନେ ଏହି ହାଟରେ ଥିବା ସମୁଦାୟ ୮୩ଟି ଷ୍ଟଲରେ ହସ୍ତଶିଳ୍ପୀ ଓ ବୁଣାକାରମାନଙ୍କ ଉତ୍ପାଦିତ ହସ୍ତଶିଳ୍ପ ତଥା ହସ୍ତତନ୍ତ ସାମଗ୍ରୀ ପ୍ରତ୍ୟକ୍ଷ ଭାବେ ଦେଖିବା ଓ କିଣିବାର ସୁଯୋଗ ପାଇବା ସଙ୍ଗେ ସଙ୍ଗେ ସେମାନଙ୍କ ସହ ଭାବର ଆଦାନପ୍ରଦାନ କରିପାରୁଛନ୍ତି ।

ଏଥି ମଧ୍ୟରୁ ଉତ୍କଳିକା, କଳାଭୂମି, ବୟନିକା, ଅମ୍ଳାନ, ସମ୍ବଲପୁରୀ ବସ୍ତ୍ରାଳୟ ଏବଂ ଓର୍‌ମାସ୍‌ ଭଳି ସଂସ୍ଥାମାନଙ୍କୁ ୮ଟି ଷ୍ଟଲ ଆବଣ୍ଟନ କରାଯାଇଛି । ଏତଦ୍‌ବ୍ୟତୀତ ଏହି ହାଟରେ ଦର୍ଶକମାନଙ୍କ ପାଇଁ ୧୦ଟି ସ୍ୱତନ୍ତ୍ର ଜଳପାନ ଷ୍ଟଲ ଉପଲବ୍ଧ କରାଯାଇଛି । ସେହି ଷ୍ଟଲମାନଙ୍କରେ ପାରମ୍ପରିକ ଓଡ଼ିଆ ଖାଦ୍ୟ ସହିତ ଭାରତର ଅନ୍ୟ ପ୍ରାନ୍ତର ସୁସ୍ୱାଦୁ ଖାଦ୍ୟମାନ ଉପଲବ୍ଧ କରାଯାଉଛି ।

ସେହିପରି ପରିଦର୍ଶକ,ପ୍ରଦର୍ଶକ, କ୍ରେତାମାନଙ୍କ ସୁବିଧା ନିମନ୍ତେ ଏକାମ୍ର ହାଟ ପରିସରରେ ସମ୍ମିଳନୀ କକ୍ଷ, ମୁକ୍ତାକାଶ ମଞ୍ଚ, ଏଟିଏମ୍‌, ପାର୍କିଂ ସ୍ଥଳ ଓ କିଓସ୍କ ଆଦିର ସୁବିଧା ଉପଲବ୍ଧ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ରୀ ଶ୍ୟାମଭକ୍ତ ମିଶ୍ର ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ପ୍ରଦର୍ଶନୀ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଉଦ୍‌ଘାଟିତ, ଏଥର 111ଟି ଷ୍ଟଲରେ ପ୍ରଦର୍ଶିତ ହୋଇଛି ସାମଗ୍ରୀ

ଭୁବନେଶ୍ୱରର, ଆଜି ୟୁନିଟ୍‌-୩ ସ୍ଥିତ ଇଡ଼୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଛନ୍ତି । ଏହି ପ୍ରଦର୍ଶନୀରେ ୧୧୧ଟି ଷ୍ଟଲ୍‌ ନିର୍ମାଣ କରାଯାଇ ବିଭିନ୍ନ ହସ୍ତଶିଳ୍ପ ପ୍ରଦର୍ଶିତ ସହିତ ବିକ୍ରି ମଧ୍ୟ କରାଯାଉଛି।

ଏହି ଷ୍ଟଲଗୁଡିକ କାରିଗରମାନଙ୍କୁ ବିନା ଦେୟରେ ପ୍ରଦାନ କରାଯାଇଛି । ଚଳିତ ବର୍ଷ ଅଂଶଗ୍ରହଣ କରୁଥିବା ଜିଲ୍ଲାଗୁଡ଼ିକ ହେଉଛି କେନ୍ଦୁଝର, ଯାଜପୁର, ବାଲେଶ୍ୱର, ସୁବର୍ଣ୍ଣପୁର, ବରଗଡ଼, ଖୋର୍ଦ୍ଧା, ନୟାଗଡ଼, ଢେଙ୍କାନାଳ, ମୟୂରଭଞ୍ଜ, କଟକ, ନବରଙ୍ଗ ପୁର, ସମ୍ବଲ ପୁର, କେନ୍ଦ୍ରା ପଡ଼ା, ପୁରୀ, ସୁନ୍ଦରଗଡ଼, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, କୋରା ପୁଟ, ରାୟଗଡ଼ା ଓ ଭଦ୍ରକ ।

ଏହି ପ୍ରଦର୍ଶନୀ ମାଧ୍ୟମରେ ପ୍ରାୟ ୮୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହସ୍ତଶିଳ୍ପ ସାମଗ୍ରୀ ବିକ୍ରି ହେବାର ଆକଳନ କରାଯାଇଛି । ଉଦଘାଟନୀ ଉତ୍ସବରେ  ବିଭାଗୀୟ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ବିଭାଗୀୟ ଅତିରିକ୍ତ ଶାସନ ସଚିବ କୈଳାଶ ଚନ୍ଦ୍ର ସାହୁ, ହସ୍ତଶିଳ୍ପ ଓ କୁଟୀରଶିଳ୍ପ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସନାତନ ନାୟକ, ସ୍ୱତନ୍ତ୍ର ଅଧିକାରୀ ଏସ୍‌.ଆର୍‌. ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରଦର୍ଶନୀ ଦିନ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲାରହିବ । ଏହି ପ୍ରଦର୍ଶନୀ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ ।