Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଦେଶରେ ଚାଲିବ ହାଇଡ୍ରୋଜେନ ଟ୍ରେନ, ସୋଆ ବିଶ୍ବବିଦ୍ୟାଳୟରେ କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ବର: ଭାରତରେ ଆସନ୍ତା 2023 ମସିହାରେ ଆରମ୍ଭ ହେବ ହାଇଡ୍ରଜୋନ ଟ୍ରେନ ଚଳାଚଳ। ଏହା ଏପରି ଏକ ଟେକନୋଲୋଜିରେ ନିର୍ମାଣ ହେବ ଯାହା ହାଇଡ୍ରୋଜେନ ଶକ୍ତିରେ ଟ୍ରେନ ଚାଲିବ। ଏହିପରି ଏକ ସୂଚନା ଦେଇଛନ୍ତି କେନ୍ଦ୍ର ରେଳ, ଆଇଟି ଏବଂ ଯୋଗାଯୋଗ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଭୁବନେଶ୍ବର ଶିକ୍ଷା ଓ ଅନୁସନ୍ଧାନ ବା ସୋଆ ବିଶ୍ବବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ସେ ଏହା କହିଛନ୍ତି।

ସୋଆ ବିଶ୍ବବିଦ୍ୟାଳୟରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ମନ୍ତ୍ରୀ କହିଛନ୍ତି ଯେ ଏହି ନୂତନ ଧରଣର ଟ୍ରେନଟି ସଂପୂର୍ଣ୍ଣ ଦେଶୀୟ ଜ୍ଞାନକୌଶଳରେ ନିର୍ମାଣ ହେବ। ବର୍ତ୍ତମାନ ବିଶ୍ବରେ ଏହି ଧରଣର ଟ୍ରେନ ଜର୍ମାନୀରେ ଚାଲିଛି। ଗତ ଅଗଷ୍ଠମାସରେ ଏହି ଟ୍ରେନର ଚଳାଚଳ ଆରମ୍ଭ ହୋଇଛି। ଏହାପରେ ଭାରତ ବିଶ୍ବର ଦ୍ବିତୀୟ ହାଇଡ୍ରୋଜେନ ଟ୍ରେନ ନିର୍ମାତା ହେବ ବୋଲି ମନ୍ତ୍ରୀ କହିଛନ୍ତି।

ଏହି ଟ୍ରେନ ସଂପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ, ଏହି ଟ୍ରେନଟିର ଡିଜାଇନିଂ ଏବଂ ଟେକନଲୋଜି ଭାରତର ବିଶେଷଜ୍ଞମାନେ ନିର୍ମାଣ କରିବେ। ସେମାନଙ୍କର କହିବା ଅନୁସାରେ ଏହି ଟ୍ରେନଟି ହାଇଡ୍ରୋଜେନ ପରି ବିଶେଷ ଇନ୍ଧନରେ ଚାଲିବ। ବର୍ତ୍ତମାନ ଟ୍ରେନଗୁଡିକ ଡିଜେଲରେ ଚାଲୁଛି। ସାଢେ ଚାରି କେଜି ଡିଜେଲରେ ଟ୍ରେନ ଯେତିକି ବାଟ ଯିବ ଏକ କିଲୋ ହାଇଡ୍ରୋଜେନ ଇନ୍ଧନରେ ଏହା ସେତିକି ବାଟ ଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଏହି ସ୍ବତନ୍ତ୍ର ଇନ୍ଧନ ପ୍ରଦୂଷଣ ମୁକ୍ତ ହେବ, ଯାହା ଭାରତ ପାଇଁ ବିଶେଷ ଭାବେ ଆବଶ୍ୟକ ବୋଲି ମନ୍ତ୍ରୀ କହିଛନ୍ତି। ଗୋଟିଏ ଟ୍ରେନରେ ଯଦି ଗୋଟିଏ ହାଇଡ୍ରୋଜନ ଟ୍ୟାଙ୍କର ରୁହେ ତେବେ ତାହା ଏକ ହଜାର କିଲୋମିଟର ପର୍ଯ୍ୟନ୍ତ ଚାଲିପାରିବ ବୋଲି ମନ୍ତ୍ରୀ କହିଛନ୍ତି। ଏହି ଇନ୍ଧନରେ ଟ୍ରେନଟି ଘଣ୍ଟା ପ୍ରତି 140 କିଲୋମିଟର ପର୍ଯ୍ୟନ୍ତ ଗତି କରିବ। ଏହା ଯାତ୍ରୀ ତଥା ପରିବେଷ ପାଇଁ ବେଶ ଅନୁକୂଳ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ମନ୍ତ୍ରୀ ବର୍ତ୍ତମାନର ରେଳ ସେବା ଉପରେ ମତ ରଖି କହିଛନ୍ତି ଯେ, ଭାରତ ଗତ କିଛି ବର୍ଷ ଧରି ରେଳ ଉପରେ ବେଶ ଅଗ୍ରଗତି କରିଛି। ପୂର୍ବରୁ ରେଳର ବେଗ ଘଣ୍ଟାକୁ 160 କିଲୋମିଟର ରହୁଥିଲା। ବର୍ତ୍ତମାନ ଏହାର ବେଗ 180 କିଲୋମିଟର ଘଣ୍ଟା ପ୍ରତି ରହୁଛି। ସେହିପରି ବନ୍ଦେ ଭାରତ ଏକ୍ସପ୍ରେସ 52 ସେକେଣ୍ଡରେ 100 କିମି ପହଁଚିପାରୁଛି। ଯାହା ବୁଲେଟ ଟ୍ରେନ 55 ସେକେଣ୍ଡ ନେଉଛି। ଆସନ୍ତା ସ୍ବାଧୀନତା ଦିବସରେ ଭାରତରେ ଏହି ହାଡ୍ରୋଜେନ ଟ୍ରେନ ସେବା ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି।