Categories
ଆଞ୍ଚଳିକ

ଅନ୍ଧକାରମୟ ପ୍ରସିଦ୍ଧ ଶକ୍ତିପିଠ ମା’ ଭଗବତୀ ମନ୍ଦିର, ବଢୁଛି ଜନ ଅସନ୍ତୋଷ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ପ୍ରସିଦ୍ଧ ଶକ୍ତିପିଠ ମା’ ଭଗବତୀ ମନ୍ଦିର ସମ୍ମୁଖ ସମ୍ପୂର୍ଣ୍ଣ ଅନ୍ଧକାରମୟ ହୋଇଛି। ପୁର୍ବରୁ ମନ୍ଦିର ସମ୍ମୁଖ ଷ୍ଟ୍ରିଟ ଲାଇଟ ଅଚଳ ଥିବା ବେଳେ ବର୍ତ୍ତମାନ ଏଠାରେ ଏନଏସି ପକ୍ଷରୁ ବାତ୍ୟା ଉପଲକ୍ଷେ ହାଇମାଷ୍ଟ ଲାଇଟକୁ ତଳକୁ ଖସାଇ ଦିଆଯାଇଛି।

ତେବେ ବାତ୍ୟାର ପ୍ରଭାବ ବାଣପୁର ଅଞ୍ଚଳରେ ପଡ଼ିନଥିବା ବେଳେ ଅଦ୍ୟାବଧି ଉକ୍ତ ହାଇମାଷ୍ଟ ଲାଇଟକୁ କାର୍ଯ୍ୟକ୍ଷମ କରାଯାଉନାହିଁ। ଫଳରେ ସ୍ଥାନୀୟ ଏବଂ ରାଜ୍ୟରୁ ଆସୁଥିବା ଶ୍ରଦ୍ଧାଳୁମାନେ ସଂନ୍ଧ୍ୟାରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ଅନ୍ଧାରର ସୁଯୋଗ ନେଇ କିଛି ମଦ୍ୟପ ଓ ଅସାମାଜିକ ବ୍ୟକ୍ତିମାନେ ମନ୍ଦିର ନିକଟରେ ଆଡ୍ଡା ଜମାଉଛନ୍ତି।

ଫଳରେ ଶ୍ରଦ୍ଧାଳୁମାନେ ସଂନ୍ଧ୍ୟାରେ ମନ୍ଦିରକୁ ଯିବାକୁ ସୁରକ୍ଷିତ ମଣୁନାହାନ୍ତି। ମା’ ଭଗବତୀ ମନ୍ଦିର ଓଡିଶାର ଏକ ପ୍ରମୁଖ ଶକ୍ତିପିଠ ହୋଇଥିବା ବେଳେ ମାସ ମାସ ଧରି ଅଚଳ ହୋଇ ପଡ଼ିଥିବା ସାମାନ୍ୟ ଷ୍ଟ୍ରିଟ ଲାଇଟକୁ ଏନଏସି ମଧ୍ୟ ମରାମତି କରିପାରୁନାହିଁ।

ଏଣ୍ଡାଉମେଣ୍ଟ ସଭାପତି ତଥା ବାଣପୁର ତହସିଲଦାର ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦୃଢ ଦାବି ହେଉଛି।