Categories
ବିଶେଷ ଖବର ରାଜ୍ୟ ଖବର

ସ୍କୁଲରେ ଆରମ୍ଭ ହେଲା ‘ହାଉସ ସିଷ୍ଟମ’, ଭିନ୍ନ ୟୁନିଫର୍ମ ପିନ୍ଧି ଚମକିଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଟି-ସାର୍ଟ ଓ ଘନନୀଳ ଟ୍ରାକ୍‌ ପ୍ୟାଣ୍ଟ୍‌ର ୟୁନିଫର୍ମ ପିନ୍ଧି ପିଲାମାନେ ବେଶ୍‌ ଉତ୍ସାହିତ। ହାଇସ୍କୁଲ ରୂପାନ୍ତରଣ ସହ ଲାଲ୍‌, ହଳଦିଆ, ସବୁଜ ଓ ନୀଳ ୟୁନିଫର୍ମରେ ଛାତ୍ରଛାତ୍ରୀମାନେ ନୂଆ ରୂପରେ ସଜେଇ ହୋଇଛନ୍ତି। ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟରେ ‘ହାଉସ ସିଷ୍ଟମ’ ଅନୁସାରେ ଏହି ରଙ୍ଗିନ ପୋଷାକ ବ୍ୟବସ୍ଥା କରାଯାଇଛି।

ପିଲାମାନଙ୍କୁ ଶାରୀରିକ ଓ ମାନସିକ ଭାବରେ ସମୃଦ୍ଧ କରିବା ଉଦ୍ଦେଶ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏହି ନୂତନ ପ୍ରୟାସ ‘ହାଉସ ସିଷ୍ଟମ’ ଆରମ୍ଭ କରିଛି। ‘ହାଉସ ସିଷ୍ଟମ’ ଅନୁସାରେ, ପ୍ରତି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଦଳଗତ କାର୍ଯ୍ୟ କରିବାକୁ ମଧ୍ୟ ଉତ୍ସାହିତ କରାଯାଉଛି।

ଅନ୍ତର୍ନିହିତ ଗୁଣର ବିକାଶ, ସମସ୍ୟାର ସମାଧାନ କରିବା, ପାରସ୍ପରିକ ସମ୍ପର୍କ, ସୃଜନଶୀଳ ଚିନ୍ତାଧାରା, ସହାନୁଭୂତି ମନୋଭାବ, ଦଳଗତ କାର୍ଯ୍ୟ, ସହଯୋଗ ମନୋବୃତ୍ତି, ନିଷ୍ପତି ନେବାର କ୍ଷମତା, ସମାଲୋଚନାତ୍ମକ ଚିନ୍ତାଧାରା, କର୍ତ୍ତବ୍ୟପରାୟଣତା, ଆତ୍ମସଚେତନତା, ଆତ୍ମବିଶ୍ୱାସ ବୃଦ୍ଧି, ବିଫଳତାରୁ ଶିକ୍ଷାଲାଭ କରିବାର କ୍ଷମତା- ଆଦି ବିଭିନ୍ନ ମୌଳିକ ଗୁଣକୁ ବିକାଶ କରିବାରେ ‘ହାଉସ ସିଷ୍ଟମ’ ସହାୟକ ହେବ।

‘ହାଉସ ସିଷ୍ଟମ’ ଉଭୟ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଲାଗୁ ହୋଇଛି। ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟଗୁଡିକରେ ୪ଟି ହାଉସ ଗଠନ କରାଯାଉଛି। ପ୍ରତି ଶ୍ରେଣୀର ଛାତ୍ରଛାତ୍ରୀ, ପ୍ରତିଭା ଏବଂ ଲିଙ୍ଗଗତ ସାମସ୍ୟକୁ ଦୃଷ୍ଟିରେ ରଖି ସମାନୁପାତରେ ୪ଟି ଦଳ ଗଠନ କରାଯାଉଛି।

୧୦୦ରୁ କମ୍‌ ଥିବା ବିଦ୍ୟାଳୟରେ ଦୁଇଟି ହାଉସ ବା ଦଳ ଗଠନ କରାଯାଉଛି। ପ୍ରତି ହାଉସକୁ ବିଦ୍ୟାଳୟ ପକ୍ଷରୁ ନାମକରଣ କରାଯାଉଛି। ପ୍ରାକୃତିକ ସମ୍ପଦ- ନଦୀ, ପର୍ବତ, ଗଛ, ପକ୍ଷୀ, ଫୁଲଗୁଡିକର ନାମକୁ ବ୍ୟବହାର କରାଯାଉଛି। ପାଠପଢ଼ା, ନେତୃତ୍ୱ ନେବାର କଳା, ବିଭିନ୍ନ କାର୍ଯ୍ୟକଳାପରେ ଦକ୍ଷ ଥିବା ଜଣେ ଛାତ୍ରଙ୍କୁ ପ୍ରଧାନ ଶିକ୍ଷକ ହାଉସର ଅଧିନାୟକ(କ୍ୟାପଟେନ) ଭାବେ ମନୋନୀତ କରୁଛନ୍ତି। ଆଉ ଜଣେ ଉପଅଧିନାୟକ ଓ ଜଣେ ହାଉସ ପ୍ରତିନିଧି ଭାବେ ମଧ୍ୟ ମନୋନୀତ ହେଉଛନ୍ତି।

ପ୍ରତି ସପ୍ତାହରେ ଗୋଟିଏ ପିରିୟଡରେ ହାଉସର ବୈଠକ ଅନୁଷ୍ଠିତ ହେବାର ବ୍ୟବସ୍ଥା କରାଯାଇଛି। ବୈଠକରେ ବିଭିନ୍ନ କାର୍ଯ୍ୟର ଯୋଜନା, କ୍ରିୟାନ୍ୱୟନ ସମ୍ପର୍କରେ ଆଲୋଚନା କରାଯାଉଛି। ପ୍ରତି ହାଉସ ପାଇଁ ଜଣେ ଶିକ୍ଷକଙ୍କୁ ହାଉସ ମାଷ୍ଟର ଭାବେ ପ୍ରଧାନ ଶିକ୍ଷକ ନିୟୋଜିତ କରିଛନ୍ତି। ହାଉସ ମାଷ୍ଟରଙ୍କ ତତ୍ତ୍ୱାବଧାନରେ ଅଧିନାୟକ କାର୍ଯ୍ୟ କରୁଛନ୍ତି। ପ୍ରତି ବର୍ଷ ଭଲ କାମ କରିଥିବା ହାଉସକୁ ‘ହାଉସ ଅଫ୍‌ ଦ ଇୟର’ର ଭାବେ ପୁରସ୍କୃତ କରାଯିବ।

ପ୍ରତି ହାଉସ ପକ୍ଷରୁ ଜାତୀୟ ତଥା ଅନ୍ତର୍ଜାତୀୟ ଦିବସ ପାଳନ କରିବା, ଏହି ଅବସରରେ କୁଇଜ୍‌, ବକ୍ତୃତା, ଚିତ୍ରାଙ୍କନ, ପୋଷ୍ଟର ତିଆରି କରିବା, ବିଦ୍ୟାଳୟର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବୃକ୍ଷରୋପଣ, ପୁଷ୍ପବାଟିକା ଦାୟିତ୍ୱ ନେବା, ବିଦ୍ୟାଳୟର ସ୍ୱଚ୍ଛତା ପ୍ରତି ଦୃଷ୍ଟି ଦେବା, ପ୍ରାର୍ଥନା ସଭାରେ ସମାଚାର ଉପସ୍ଥାପନା କରିବା, ପର୍ବପର୍ବାଣିରେ ଲୋକନୃତ୍ୟ, ଲୋକକଳା, ନାଟକ ପରିବେଷଣ କରିବା, ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବା, ପ୍ରବନ୍ଧ ରଚନା, ପୁସ୍ତକ ସମୀକ୍ଷା ଆଦି ବିଭିନ୍ନ କାର୍ଯ୍ୟକଳାପ ମାଧ୍ୟମରେ ଶିକ୍ଷାଦାନ କରିବା ଦିଗରେ ‘ହାଉସ ସିଷ୍ଟମ’ କାର୍ଯ୍ୟ କରୁଛି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଛାତ୍ରଛାତ୍ରୀଙ୍କୁ ନେତା କରିବା ପାଇଁ ଏଣିକି ଓଡିଶା ସ୍କୁଲରେ ଲାଗୁ ହେବ ‘ସ୍କୁଲ କ୍ୟାବିନେଟ’

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ମଧ୍ୟରେ ସକରାତ୍ମକ ପ୍ରତିଯୋଗିତା ମନୋଭାବ ସୃଷ୍ଟିକରିବା ସହ ଟିମ୍‌ ୱାର୍କ, ନେତୃତ୍ୱ ନେବାର ଦକ୍ଷତା ବୃଦ୍ଧିକରିବା ଲକ୍ଷ୍ୟରେ ରାଜ୍ୟରେ ଥିବା ସମସ୍ତ ବିଦ୍ୟାଳୟରେ ଆରମ୍ଭ ହେବ ‘ହାଉସ୍‌ ସିଷ୍ଟମ୍‌’ ଏବଂ ‘ସ୍କୁଲ କ୍ୟାବିନେଟ’।

ସ୍କୁଲ ଶିକ୍ଷାରେ ସହପାଠ୍ୟଭିତ୍ତିକ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବାକୁ ପୂର୍ବରୁ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ଥିବା ସ୍କୁଲ୍‌ କ୍ୟାବିନେଟ୍‌କୁ ଅଧିକ କାର୍ଯ୍ୟକ୍ଷମ କରାଯିବ । ପ୍ରାଥମିକ ବିଦ୍ୟାଳୟରେ ‘ସ୍କୁଲ୍‌ କ୍ୟାବିନେଟ୍‌’ ଏବଂ ମାଧ୍ୟମିକ ବିଦ୍ୟାଳୟରେ ‘ହାଉସ୍‌ ସିଷ୍ଟମ୍‌’ ରହିବ। ସ୍କୁଲ୍‌ରେ ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ହାଉସ୍‌ ଗଠନ କରାଯିବ ଏବଂ ପ୍ରତ୍ୟେକ ହାଉସ୍‌ରେ ଉଭୟ ଛାତ୍ର ଏବଂ ଛାତ୍ରୀ ରହିବେ।

ସପ୍ତାହର ପ୍ରତ୍ୟେକ ଶନିବାର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାର ସହପାଠ୍ୟଭିତ୍ତିକ ଏବଂ ଆକାଂକ୍ଷିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଆଗାମୀ ଶିକ୍ଷାବର୍ଷରୁ ରାଜ୍ୟର ସମସ୍ତ ଉଚ୍ଚ ବିଦ୍ୟାଳୟରେ ଏହି ହାଉସ୍‌ ବ୍ୟବସ୍ଥା ଲାଗୁ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଶ୍ରୀମତୀ ଅଶ୍ୱଥି ଏସ୍‌. କହିଛନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କାର୍ଯ୍ୟାଳୟରେ ଅନୁଷ୍ଠିତ ‘ମୋ ସ୍କୁଲ୍‌ ଅଭିଯାନ’ର ୩୮ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଯୋଗଦେଇ ବିଭାଗୀୟ ଶାସନ ସଚିବ ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଷ୍ଟୁଡେଣ୍ଟ୍‌ ଡାଏରୀ ବାଧ୍ୟତାମୂଳକ କରିବା ପ୍ରତ୍ୟେକ ବିଦ୍ୟାଳୟରେ ଏକାଡେମିକ୍‌ କ୍ୟାଲେଣ୍ଡର୍‌ ପ୍ରଚଳନ କରିବାକୁ କହିଥିଲେ ।

‘ମୋ ସ୍କୁଲ୍‌’ ସହ ବିଭାଗ ଅଧୀନସ୍ଥ ଅନ୍ୟ ନିର୍ଦ୍ଦେଶାଳୟ ମିଳିତ ଭାବରେ ଏ ଦିଗରେ କାର୍ଯ୍ୟକରିବେ। ଅନ୍ୟପକ୍ଷରେ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଜାନୁୟାରୀ ୨୬ ତାରିଖରୁ ଜିଲ୍ଲା ଏବଂ ସ୍କୁଲ୍‌ସ୍ତରରେ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଅଧିକରୁ ଅଧିକ ପୁରାତନ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ଶିକ୍ଷା ବିକାଶ ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ରହିବ।

ଆସନ୍ତା ଫେବୃୟାରୀ ମାସରେ ପୁରାତନ ଛାତ୍ରଛାତ୍ରୀଙ୍କ ସହ ସମସ୍ତ ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀ ଏବଂ ଜିଲ୍ଲାପାଳମାନଙ୍କୁ ନେଇ ‘ମୋ ସ୍କୁଲ୍‌’ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ‘ମୋ ସ୍କୁଲ୍‌ ଅଭିଯାନ’ ଅଧୀନରେ ଭଲ ପ୍ରଦର୍ଶନ କରିଥିବା ଜିଲ୍ଲାମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯିବ। ଏନେଇ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଥିଲା।

ବୈଠକରେ ଓଡ଼ିଶାର ୨୮ଟି ଜିଲ୍ଲାର ମୋଟ ୨୩୦ କୋଟି ୩୧ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଗତ ୧ ମାସ ମଧ୍ୟରେ ୪୫,୩୮୮ ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍‌ ଅଭିଯାନ’ ସହ ଯୋଡ଼ିହୋଇଛନ୍ତି । ସେମାନେ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ୧୬ କୋଟି ୨୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି।

ବିଭିନ୍ନ ସିଏସ୍‌ଆର୍‌ ପାଣ୍ଠିରୁ ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ମୋ ସ୍କୁଲ୍‌ ଅଭିଯାନକୁ ୬୦ କୋଟି ୫୬ ଲକ୍ଷ ଟଙ୍କାର ଅନୁଦାନ ଆସିଛି। ପୁରାତନ ଛାତ୍ରଛାତ୍ରୀ ଏବଂ ସିଏସ୍‌ଆର୍‌ ପାଣwି ଅନୁଦାନ ସହ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ସହାୟତାକୁ ମିଶାଇ ମୋଟ ୨୩୦ କୋଟି ୩୧ ଲକ୍ଷ ଟଙ୍କାର ପ୍ରକଳ୍ପକୁ କାର୍ଯ୍ୟନିର୍ବାହୀ ପରିଷଦ ଅନୁମୋଦନ ପ୍ରଦାନ କରିଛି, ଯାହାକି ୩୮୨୦ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟର ଭିତ୍ତିଭୂମି ବିକାଶରେ ବିନିଯୋଗ ହେବ।

ବାଲେଶ୍ୱରରେ ସର୍ବାଧିକ ୨ କୋଟି ୮୯ ଲକ୍ଷ, ଯାଜପୁରରେ ୧ କୋଟି ୬ ଲକ୍ଷ, ମୟୂରଭଞ୍ଜରେ ୬୭ ଲକ୍ଷ, ଗାମରେ ୫୯ ଲକ୍ଷ ଏବଂ କଟକରେ ୪୪ ଲକ୍ଷ ୫୧ ହଜାର ଟଙ୍କା ପୁରାତନ ଛାତ୍ରଛାତ୍ରୀମାନେ ପ୍ରଦାନ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ମୋଟ ୭ ଲକ୍ଷ ୭୧ ହଜାର ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍‌ ଅଭିଯାନ’ ମାଧ୍ୟମରେ ସ୍କୁଲ୍‌ଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟମରେ ‘ମୋ ସ୍କୁଲ୍‌’ ସଦସ୍ୟ ସଚିବ, ବିଭାଗୀୟ ଅତିରିକ୍ତ ଶାସନ ସଚିବ, ବିଭାଗୀୟ ଆର୍ଥିକ ଉପଦେଷ୍ଟା, ନିର୍ଦ୍ଦେଶକ, ଉଚ୍ଚ ମାଧ୍ୟମିକ ଶିକ୍ଷା, ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା, ନିର୍ଦ୍ଦେଶକ, ପ୍ରାଥମିକ ଶିକ୍ଷା, ନିର୍ଦ୍ଦେଶକ, ଟିଇ ଆଣ୍ଡ ଏସ୍‌ସିଇଆର୍‌ଟି ଏବଂ ମୋ ସ୍କୁଲ୍‌ ଅଭିଯାନ ମୁଖ୍ୟ ପରିଚାଳନା ଅଧିକାରୀ, ମୋ ସ୍କୁଲ୍‌ ଭାରପ୍ରାପ୍ତ ଅଧିକାରୀ ଉପସ୍ଥିତ ଥିଲେ।