Categories
ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ହିନ୍ଦୀ ଭାଷାର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ

ଭୁବନେଶ୍ୱର: ଆଜି ନୂଆଦିଲ୍ଲୀରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ହିନ୍ଦୀ ସମିତିର ୩୨ତମ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡିଶାରେ ହିନ୍ଦୀ ଭାଷାର ପ୍ରଚାର ପ୍ରସାର ପାଇଁ କେତେକ ପ୍ରସ୍ତାବ ରଖିଥିଲେ। ସେଗୁଡିକ ହେଲା- ଓଡିଶାରେ ସ୍ୱତନ୍ତ୍ର ହିନ୍ଦୀ ଶିକ୍ଷା ପ୍ରତିଷ୍ଠାନ ସ୍ଥାପନ- ରାଜ୍ୟରେ  ଅଧିକ ସଂଖ୍ୟକ ହିନ୍ଦି ଶିକ୍ଷକ ସୃଷ୍ଟି କରିବା ଏବଂ ହିନ୍ଦୀ ସାହିତ୍ୟକୁ ପ୍ରୋତ୍ସାହନ ଦେବା ପାଇଁ ସ୍ୱତନ୍ତ୍ର ହିନ୍ଦୀ ଶିକ୍ଷା ପ୍ରତିଷ୍ଠାନର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଓଡିଆ-ହିନ୍ଦି ଅନୁବାଦ କେନ୍ଦ୍ର ପ୍ରତିଷ୍ଠା-  ଓଡିଆ ଓ ହିନ୍ଦି ଭାଷାର ପ୍ରଚାର ପ୍ରସାର ପାଇଁ ଉଭୟ ଭାଷାର ଅନବଦ୍ୟ ସାହିତ୍ୟିକ କୃତି ଏବଂ ଅନ୍ୟାନ୍ୟ ରଚନା ଗୁଡିକର ଅନୁବାଦ ଆବଶ୍ୟକ। ଏଥି ପାଇଁ କେନ୍ଦ୍ର ସରକାରଙ୍କ ରାଜଭାଷା ବିଭାଗର ଆର୍ଥିକ ସହାୟତାରେ ଏକ ସ୍ୱତନ୍ତ୍ର ଅନୁବାଦ କେନ୍ଦ୍ର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ।

ଅଧିକ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମର ଆୟୋଜନ- ହିନ୍ଦୀ ଏବଂ ଓଡିଆ ଭାଷା ଓ ସାହିତ୍ୟ ମଧ୍ୟରେ ଅଧିକ ସାଂସ୍କୃତିକ ବିନିମୟ ପାଇଁ ଜାତୀୟ ଓ ରାଜ୍ୟ ସ୍ତରରେ ଅଧିକ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ଆବଶ୍ୟକ। ଏହି ସବୁ କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର କବି, ସାହିତ୍ୟିକ, ଲେଖକ ଓ  ବୁଦ୍ଧିଜୀବୀମାନେ ଅଂଶଗ୍ରହଣ କରିବା ଆବଶ୍ୟକ। ଏହା ଦ୍ୱାରା ହିନ୍ଦୀ ଓ ଓଡିଆ ମଧ୍ୟରେ ସାହିତ୍ୟିକ ଓ ସାଂସ୍କୃତିକ ସମ୍ବନ୍ଧ ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରସ୍ତାବରେ କହିଥିଲେ।

ଉଭୟ ଭାଷାରେ ଅନୁସନ୍ଧାନ ଓ ଗବେଷଣା ପାଇଁ  ଓଡିଶାରେ ଏକ ଇଣ୍ଟର-ଲାଙ୍ଗୁଏଜ୍ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍ ର ସ୍ଥାପନା କରାଯିବା ଆବଶ୍ୟକ। ଏହା ଦ୍ୱାରା ଉଭୟ ଭାଷାର ପାରସ୍ପରିକ ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଶିକ୍ଷା ବ୍ୟବସ୍ଥାରେ ହିନ୍ଦୀ ଶିକ୍ଷାଦାନ ପାଇଁ ଆବଶ୍ୟକୀୟ ସମ୍ବଳ ପାଇଁ ରାଜ୍ୟକୁ କେନ୍ଦ୍ରୀୟ ଅନୁଦାନ ଏବଂ ସ୍ୱତନ୍ତ୍ର ସହାୟତା ପ୍ରଦାନ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ରଖିଥିଲେ।

ଏହା ସହିତ ହିନ୍ଦୀ ସାହିତ୍ୟର ବିକାଶ ପାଇଁ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ ଶିକ୍ଷା ପ୍ରତିଷ୍ଠାନ ଗୁଡିକୁ ସ୍ୱତନ୍ତ୍ର ଅନୁଦାନ ଏବଂ ସହଯୋଗ ପ୍ରଦାନ କରାଯିବା  ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ।

ଏହି ବୈଠକରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ. ପି. ନଡ୍ଡା, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂକେନ୍ଦ୍ର ମନ୍ତ୍ରୀ ମଣ୍ତଳ ର ଅନେକ ସଦସ୍ୟ , କଟକ ସାଂସଦ ଭର୍ତ୍ତୃହରି ମହତାବ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କାର୍ଯ୍ୟ କ୍ଷେତ୍ରରେ ହିନ୍ଦୀ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକ

ଭୁବନେଶ୍ୱର: ଭାରତ ସରକାରଙ୍କ ସରକାରୀ ଭାଷା ନୀତି ସହିତ ସରକାରୀ କାର୍ଯ୍ୟରେ ହିନ୍ଦୀ ଭାଷାର ବ୍ୟବହାରକୁ ମଜବୁତ କରିବା ପାଇଁ ପୂର୍ବତଟ ରେଳପଥ ଏହାର ମୁଖ୍ୟାଳୟ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥିତ ରେଳ ସଦନ ଠାରେ ଏକ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକ ଆୟୋଜନ କରିଥିଲା। ସମସ୍ତ ସ୍ତରରେ ସରକାରୀ କାର୍ଯ୍ୟରେ ହିନ୍ଦୀ ବ୍ୟବହାରକୁ ବୃଦ୍ଧି କରାଇବା ପାଇଁ ପୂର୍ବତଟ ରେଳପଥର ପ୍ରତିବଦ୍ଧତାକୁ ଏହି ବୈଠକରେ ଦର୍ଶାଯାଇଛି।

ଏହି ବୈଠକରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଯୋଗଦାନ କରି ସରକାରୀ କାର୍ଯ୍ୟକଳାପରେ ବିଶେଷ ଭାବରେ ଇ-ଫାଇଲ, ଇ-ଅଫିସ ଏବଂ ଅଫିସିଆଲ ନୋଟିଙ୍ଗସ ମାଧ୍ୟମରେ ହିନ୍ଦୀ ବ୍ୟବହାରର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ଦୈନନ୍ଦିନ କାର୍ଯ୍ୟରେ ହିନ୍ଦୀ ଭାଷାର ଗୁରୁତ୍ୱ ଉପରେ ପ୍ରାଥମିକତା ଦେଇ ନୋଟ୍ ଡ୍ରାଫ୍ଟ ଏବଂ ଚିଠି ଲେଖିବାକୁ ସେ କର୍ମଚାରୀମାନଙ୍କୁ ଉପଦେଶ ଦେଇଥିଲେ।

ସରକାରୀ କାର୍ଯ୍ୟରେ ହିନ୍ଦୀର ବ୍ୟବହାରକୁ ଆହୁରି ବୃଦ୍ଧି କରାଇବା ପାଇଁ ଅନେକ ପ୍ରମୁଖ ପଦକ୍ଷେପ ଗ୍ରହଣ କରିବାକୁ ମହାପ୍ରବନ୍ଧକ କହିଥିଲେ ଯେଉଁଥିରେ….

ନିୟମିତ ଯାଞ୍ଚ: ସରକାରୀ କାର୍ଯ୍ୟରେ ହିନ୍ଦୀ ଉପରେ ନଜର ରଖିବା ଏବଂ ପ୍ରୋତ୍ସାହିତ କରିବା ପାଇଁ ଷ୍ଟେସନ୍ ଏବଂ ରେଳ ମଣ୍ଡଳ ଗୁଡ଼ିକର ନିୟମିତ ପରିଦର୍ଶନ କରିବା।

ରାଜଭାଷା ଇ-ପତ୍ରିକା: କାର୍ଯ୍ୟ କ୍ଷେତ୍ରରେ ରେଫରେନ୍ସ ସାମଗ୍ରୀ ଯୋଗାଇବା ଏବଂ କର୍ମଚାରୀଙ୍କ ମଧ୍ୟରେ ସୃଜନଶୀଳ ହିନ୍ଦୀ ଲେଖାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଉତ୍ସର୍ଗୀକୃତ ଇ-ପତ୍ରିକା ପ୍ରକାଶ କରିବା।

ଏହି ବୈଠକରେ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ମହେଶ କୁମାର ବେହେରା, ମୁଖ୍ୟ ରାଜଭାଷା ଅଧିକାରୀ ତଥା ପ୍ରମୁଖ ବୈଦ୍ୟୁତିକ ଯନ୍ତ୍ରୀ ଆଲୋକ ସହାୟଙ୍କ ସହିତ ରେଳପଥର ସମସ୍ତ ପ୍ରମୁଖ ଓ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ହିନ୍ଦୀକୁ ଏହାର କାର୍ଯ୍ୟ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ପରିଣତ କରିବା ସହ ରାଜଭାଷା ପଦକ୍ଷେପକୁ ପ୍ରଭାବଶାଳୀ ଯୋଗାଯୋଗ ଏବଂ ଅନୁକରଣକୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ମାରକ ଭାବରେ ପରିଣତ କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଉଅଛି।

Categories
ବିଶେଷ ଖବର

ଦେଶରେ ପ୍ରଥମ ଥର ପାଇଁ ହିନ୍ଦୀ ଭାଷାରେ ଡାକ୍ତରୀ ପାଠ୍ୟକ୍ରମ ଆରମ୍ଭ କଲେ କେନ୍ଦ୍ର ଗୃହ ମନ୍ତ୍ରୀ

ଦିଲ୍ଲୀ: କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ମଧ୍ୟପ୍ରଦେଶର ଭୋପାଳ ଠାରେ ଦେଶରେ ପ୍ରଥମ ଥର ପାଇଁ ହିନ୍ଦୀ ଭାଷାରେ ଡାକ୍ତରୀ ପାଠ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅବସରରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ।

ତାଙ୍କ ବକ୍ତବ୍ୟରେ, କେନ୍ଦ୍ର ଗୃହ ମନ୍ତ୍ରୀ କହିଥିଲେ ଯେ, ଏହି ଦିନଟି ସ୍ୱାଧୀନତାର ଅମୃତ ମହୋତ୍ସବ ବର୍ଷରେ ଚିକିତ୍ସା କ୍ଷେତ୍ର ନିମନ୍ତେ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ବର୍ଷ, ସମୟ ଆସିବ ଏହା ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବ। ଆଜି ଦେଶର ଶିକ୍ଷା କ୍ଷେତ୍ରର ପୁର୍ନନିର୍ମାଣର ଦିନ ବୋଲି ସେ କହିଥିଲେ। ଶ୍ରୀ ଶାହ କହିଥିଲେ ଯେ, ପ୍ରାଥମିକ,  ବୈଷୟିକ ଏବଂ ଚିକିତ୍ସା ଶିକ୍ଷା କ୍ଷେତ୍ରରେ ମାତୃଭାଷାକୁ ଗୁରୁତ୍ୱ ପ୍ରଦାନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ ଶିକ୍ଷା ନୀତିରେ ଏକ ବଡ଼ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ସେ ଆହୁରି ମଧ୍ୟ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡାକ୍ତରୀ ଶିକ୍ଷା ଏବଂ ବୈଷୟିକ ଶିକ୍ଷାକୁ ଆଂଚଳିକ ଭାଷା, ଯଥା -: ହିନ୍ଦୀ, ତାମିଲ୍‌, ତେଲୁଗୁ, ମାଲାୟଲମ୍‌, ଗୁଜରାଟୀ, ବେଙ୍ଗଲୀ ଭାଷାରେ ଶିକ୍ଷଶ ପ୍ରଦାନ କରିବାକୁ ଆହ୍ୱାନ ଦେଇଛନ୍ତି ଏବଂ ଶ୍ରୀ ମୋଦୀଙ୍କର ଏହି ଇଚ୍ଛାକୁ ପୂରଣ କରିବାରେ ଶିବରାଜ ସିଂହ ଚୌହାନଙ୍କ ନେତୃତ୍ୱାଧୀନ ମଧ୍ୟପ୍ରଦେଶର ସରକାର ହେଉଛନ୍ତି ଦେଶରେ ପ୍ରଥମ।

ଅମିତ ଶାହ କହିଥିଲେ ଯେ ଆଜି ଡାକ୍ତରୀ ଶିକ୍ଷା ହିନ୍ଦୀ ଭାଷାରେ ଆରମ୍ଭ ହେଉଛି ଏବଂ ବହୁତ ଶୀଘ୍ର ବୈଷୟିକ ଶିକ୍ଷାର ବହି ଗୁଡିକ ସାରା ଦେଶରେ ଆଠ ଗୋଟି ଭାଷାରେ ଉପଲବ୍ଧ ହେବ ଏବଂ ଖୁବ୍ ଶୀଘ୍ର ସାରା ଦେଶରେ ଛାତ୍ରଛାତ୍ରୀ  ମାନେ ବୈଷୟିକ ଶିକ୍ଷା ଏବଂ ଡାକ୍ତରୀ ଶିକ୍ଷା ସେମାନଙ୍କ ନିଜ ମାତୃଭାଷାରେ ଲାଭ କରି ପାରିବେ। ସେ କହିଥିଲେ ଯେ, ଆଜି ଠାରୁ ଏହି ଦିନଟି ବହୁତ ଗୁରୁତ୍ୱପୂର୍ଣ୍ଣ, କାରଣ ଛାତ୍ରଛାତ୍ରୀ  ମାନେ ନିଜ ମାତୃଭାଷାରେ  କେବଳ ବୈଷୟିକ ଏବଂ ଡାକ୍ତରୀ ଶିକ୍ଷା ଗ୍ରହଣ କରିବେ ନାହିଁ, ବରଂ ନିଜ ଭାଷାରେ ଗବେଷଣା  ମଧ୍ୟ କରି ପାରିବେ।

କେନ୍ଦ୍ର ଗୃହ ମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ନୂତନ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ମଧ୍ୟ ପ୍ରଦେଶ ହେଉଛି ପ୍ରଥମ ରାଜ୍ୟ ଏବଂ ଏହାକୁ ଖୁବ୍ ଭଲ ଭାବେ ମଧ୍ୟ କାର୍ଯ୍ୟକାରୀ କରି ପାରିଛି। ଶ୍ରା ଶାହ କହିଥିଲେ ଯେ, ଚିନ୍ତା କରିବାର ପ୍ରକ୍ରିୟା ଅର୍ଥାତ୍ ସୃଜନଶୀଳତାର ପ୍ରକ୍ରିୟା ମାତୃ ଭାଷାରେ  ଉତ୍ତମ ରୂପେ ହୋଇ ପାରିବ ଏବଂ ମାତୃ ଭାଷାରେ କୁହା ଯାଉଥିବା କଥା ହୃଦୟକୁ ଭଲ ଭାବେ ଛୁଇଁଥାଏ। ସେ କହିଥିଲେ ଯେ, ମସ୍ତିଷ୍କ ନିଜର ମାତୃ ଭାଷାରେ ଚିନ୍ତା କରିବା, ସଂଶୋଧନ କରିବା, ଗବେଷଣା କରିବା, ତର୍କ କରିବା, ବିଷ୍ଲେଶଣ କରିବା ଏବଂ ପରିଶେଷରେ ନିର୍ଣ୍ଣୟରେ ପହଂଚିବାର ପ୍ରକ୍ରିୟା କରିଥାଏ। ସେ କହିଥିଲେ ଯେ, ଯଦି ମାତୃଭାଷାରେ ଅଧ୍ୟୟନ ଏବଂ ଗବେଷଣା କରାଯାଏ, ତେବେ ଭାରତୀୟ ଛାତ୍ର ଅନ୍ୟ କୌଣସି ଦେଶର ଛାତ୍ର ମାନଙ୍କ ଠାରୁ କୌଣସି ଗୁଣରେ କମ୍ ଦକ୍ଷ ନୁହନ୍ତି, ସେମାନେ ଗବେଷଣା କ୍ଷେତ୍ରରେ ଭାରତର ନାମକୁ ନିଶ୍ଚିତ ରୂପେ ଉଜ୍ଜ୍ୱଳ କରିବେ।

ଅମିତ ଶାହ କହିଥିଲେ ଯେ, ଏକ ବିଂଶ ଶତାବ୍ଦୀରେ କେତେକ ଶକ୍ତି ବ୍ରେନ୍ ଡ୍ରେନ୍ ସିଦ୍ଧାନ୍ତ ଗ୍ରହଣ କରିଥିଲେ ଏବଂ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସିଦ୍ଧାନ୍ତକୁ ବ୍ରେନ୍ ଗେନ୍ ସିଦ୍ଧାନ୍ତରେ ପରିବର୍ତ୍ତନ କରୁଛନ୍ତି। ସେ କହିଥିଲେ, ଆଜି ଶ୍ରୀ ମୋଦୀଙ୍କର ନେତୃତ୍ୱରେ ନୂତନ ଶିକ୍ଷା ନୀତି ଆମର ଭାଷାକୁ ଗୁରୁତ୍ୱ ଦେବା ଆରମ୍ଭ କରିଛି। ଆମେ ଦେଶରେ ଜେଇଇ, ଏନ୍‌ଇଇଟି ଏବଂ ୟୁଜିସି ପରୀକ୍ଷା ଗୁଡିକୁ ୧୨ଟି ଭାଷାରେ  ଆୟୋଜିତ କରିବା ଆରମ୍ଭ କରି ଦେଇଛୁ। ସମାନ ରୂପରେ, କମନ ୟୁନିଭର୍ସିଟି ଏଂଟ୍ରାନ୍ସ ଟେଷ୍ଟ ୧୩ଟି ଭାଷାରେ ଆରମ୍ଭ ହେବାକୁ ଯାଉଛି ଏବଂ ୧୦ଟି ରାଜ୍ୟ ତାମିଲ୍‌, ତେଲୁଗୁ, ମରାଠୀ, ବଙ୍ଗାଳୀ, ମାଲାୟଲମ୍ ଏବଂ ଗୁଜରାଟୀ ଭାଷାରେ ଅବୁଦାଦ କରି ବୈଷୟିକ ପାଠ୍ୟକ୍ରମକୁ ପଢ଼ାଇବା ଆରମ୍ଭ କରି ଦେଇଛନ୍ତି।

କେନ୍ଦ୍ର ଗୃହ ମନ୍ତ୍ରୀ କହିଥିଲେ ଯେ, ନିଜ ଭାଷାରେ ଶିକ୍ଷା ଲାଭ କରିବା ନିଶ୍ଚିତ ରୂପରେ ଛାତ୍ରଛାତ୍ରୀ ମାନଙ୍କର ଦକ୍ଷତାକୁ ବୃଦ୍ଧି କରିବ। ସେ କହିଥିଲେ, ସାରା ଦେଶର ଛାତ୍ରଛାତ୍ରୀ  ମାନେ ସେମାନଙ୍କର ଭାଷାକୁ ନେଇ ରହିଥିବା ହୀନମନ୍ୟତାରୁ ବାହାରକୁ ବାହାରି ଆସିବା ଉଚିତ୍‌, କାରଣ ବର୍ତ୍ତମାନ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏକ ସରକାର ଚାଲିଛି ଏବଂ ସେମାନେ ନିଜ ଦକ୍ଷତାକୁ ନିଜ ମାତୃଭାଷାରେ ପ୍ରଦର୍ଶନ କରି ପାରିବେ। ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ, ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଯେତେବେଳେ ଆମ ଦେଶର ସରକାରୀ ଭାଷା – ହିନ୍ଦୀ ଭାଷାରେ ବିଶ୍ୱ ସ୍ତରୀୟ ମଂଚରେ  କଥାବାର୍ତ୍ତା କରନ୍ତି ସେତେବେଳେ ସେ ବିଶ୍ୱ ପାଇଁ ଏକ ବାର୍ତ୍ତା ଦେଇଥାନ୍ତି, ଯେତେବେଳେ ଶ୍ରୀ ମୋଦୀ ବିଶ୍ୱ ସ୍ତରୀୟ ମଂଚରେ ହିନ୍ଦୀ ଭାଷାରେ କଥାବାର୍ତ୍ତା କରନ୍ତି, ସେତେବେଳେ ଆମର ଯୁବକଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇଥାଏ।

ଶୀ ଶାହ ସୂଚନା ଦେଇଥିଲେ ଯେ, ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ବୈଷୟିକ ଏବଂ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ଅନେକ ପରିବର୍ତ୍ତନ କରିଛନ୍ତି। ସେ  ଏହା ମଧ୍ୟ କହିଥିଲେ, ୨୦୧୪ ମସିହାରେ ଦେଶରେ ୩୮୭ ମେଡିକାଲ୍ କଲେଜ ଥିଲା ଏବଂ ଆଜି ସେଗୁଡିକର ସଂଖ୍ୟା ବୃଦ୍ଧି ପାଇ ୫୯୬ ହୋଇଛି, ଏମ୍‌ବିବିଏସ୍  ଆସନ ସଂଖ୍ୟା ୫୧,୦୦୦ ରୁ ୭୯,୦୦୦କୁ ବୃଦ୍ଧି ହୋଇଛି, ଆଇଆଇଟି ସଂଖ୍ୟା ପୂର୍ବରୁ ୧୬ ଥିବା ବେଳେ ବର୍ତ୍ତମାନ ୨୩ ହୋଇଛି, ଆଇଆଇଏମ୍ ଗୁଡିକର ସଂଖ୍ୟା ୧୩ ରୁ ୨୦ ଏବଂ ଆଇଆଇଆଇଟି ସଂଖ୍ୟା ୯ ରୁ ୨୫ କୁ ବୃଦ୍ଧି ପାଇଛି। ୨୦୧୪ ମସିହାରେ, ଭାରତରେ ୭୨୩ଟି  ବିଶ୍ୱ ବିଦ୍ୟାଳୟ ଥିଲା ଏବଂ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଶ୍ୱ ବିଦ୍ୟାଳୟ ଗୁଡିକର ସଂଖ୍ୟା ୧,୦୪୩ ରହିଛି। ଶ୍ରୀ ମୋଦୀଙ୍କ ନୂତନ ଶିକ୍ଷା ନୀତି ମାଧ୍ୟମରେ ଆମର ଭାଷାକୁ ନେଇ ରହିଥିବା ଆତ୍ମାଭିମାନକୁ ପୁନସ୍ଥାପନ କରିବା ଏବଂ ଦେଶରେ ବୈଷୟିକ ଶିକ୍ଷା, ଡାକ୍ତରୀ  ଶିକ୍ଷା ଏବଂ ଆଇନ ଅଧ୍ୟୟନ ପାଇଁ ପଦକ୍ଷେପ ଗ୍ରହଣ କରିବା କାରଣରୁ ଏକ ଶିକ୍ଷା ଭିତ୍ତିକ ବିପ୍ଳବ ସୃଷ୍ଟି ହେବାକୁ ଯାଉଛି ବୋଲି ସେ ଉଲ୍ଲେଖ କରିଥିଲେ।

ଶ୍ରୀ ଶାହ କହିଥିଲେ ଯେ, ଇଂରାଜୀ ଭାଷାର ପ୍ରଚାର ପ୍ରସାର କରୁଥିବା ଲୋକମାନେ ଭାଷାକୁ ବୌଦ୍ଧିକ କ୍ଷମତା ସହିତ ଯୋଡି ଦେଇଛନ୍ତି,  କିନ୍ତୁ ଭାଷା ଏବଂ ବୌଦ୍ଧିକ ଦକ୍ଷତା ମଧ୍ୟରେ କୌଣସି ସମ୍ପର୍କ ନାହିଁ। ଭାଷା କେବଳ ଅଭିବ୍ୟକ୍ତିର ମାଧ୍ୟମ ହୋଇଥିବା ବେଳେ ବୌଦ୍ଧିକ ଦକ୍ଷତା ହେଉଛି ଏକ ପ୍ରାକୃତିକ ଉପହାର, ଯାହା ଶିକ୍ଷା ମାଧ୍ୟମରେ ଉନ୍ନତ ହୋଇପାରିବ ଏବଂ ଯଦି ଶିକ୍ଷା ମାତୃ ଭାଷାରେ ପ୍ରଦାନ କରାଯାଏ ତେବେ, ତାହା ବୌଦ୍ଧିକ କ୍ଷମତାକୁ ଉନ୍ନତ କରିବା କ୍ଷେତ୍ରରେ ବହୁତ ଲାଭଦାୟକ ହେବ।

ସେ କହିଥିଲେ ଯେ, ଆଜିର ଏହି ଆରମ୍ଭ ସହିତ, ବିଶ୍ୱ ସ୍ତରୀୟ ଗବେଷଣା କ୍ଷେତ୍ରରେ ଭାରତ ଆଗକୁ  ବଢ଼ିବ ଏବଂ ଆମର ଛାତ୍ର ମାନଙ୍କର ବୌଦ୍ଧିକ ସାମର୍ଥ୍ୟ ମଧ୍ୟ ବିଶ୍ୱ ଆଗରେ ଉପସ୍ଥାପିତ ହେବ।

****
SSP