Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର

ଇରାନରେ ହିଜାବ ବିବାଦ: ଜେଲରେ ଥିବା ଜଣେ ମହିଳାଙ୍କ ମୃତ୍ୟୁ ପରେ ୫ ବିକ୍ଷୋଭକାରୀ ନିହତ

ନୂଆଦିଲ୍ଲୀ: ଇରାନରେ ହିଜାବ ପିନ୍ଧିନଥିବାରୁ ଜଣେ ମହିଳାଙ୍କୁ ପୋଲିସ ହେପାଜତକୁ ନେଇଥିଲା। କିନ୍ତୁ ପୋଲିସ ହେପାଜତରେ ଉକ୍ତ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଯାହାଫଳରେ ଦେଶରେ ଅଶାନ୍ତିର ବାତାବରଣ ଦେଖାଦେଇଛି ଏବଂ ଅନେକ ସ୍ଥାନରେ ପ୍ରଦର୍ଶନ ହିଂସାତ୍ମକ ରୂପ ନେଉଛି। ଏହି ସମୟରେ ଦୀବାନଦାରେହ ସହରରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଏହା ହେଉଛି ଇରାନର କୁର୍ଦ୍ଦ ଅଞ୍ଚଳର ଏକ ଅଂଶ ଯେଉଁଠାରେ ଭୀଷଣ ବିରୋଧ ପ୍ରଦର୍ଶନ କରାଯାଉଛି।

ସୂଚନା ଅନୁଯାୟୀ, ଇରାନର କୁର୍ଦ୍ଦ ଅଞ୍ଚଳରେ ବିକ୍ଷୋଭକାରୀଙ୍କ ଉପରେ ସୈନିକମାନେ ଗୁଳି ଚଳାଇଥିଲେ। ବିକ୍ଷୋଭକାରୀମାନେ ସମଗ୍ର ଦେଶରେ ରାସ୍ତାକୁ ଓହ୍ଲାଇଥିଲେ, ବିଶେଷ କରି କୁର୍ଦ୍ଦ ଅଞ୍ଚଳରେ ଯେଉଁଠାରେ ୮ ମିଲିୟନରୁ ୧୦ ମିଲିୟନ ଇରାନ କୁର୍ଦ୍ଦ ଅଛନ୍ତି।

ଏହି ସମୟରେ ଇରାନର ମହିଳା ବିକ୍ଷୋଭକାରୀମାନେ କେଶ କାଟିବା ସହ ହିଜାବ ପୋଡି ଦେଇଥିଲେ। ପରଦାରେ ରହିବାର କଠୋର ନିୟମକୁ ମହିଳାମାନେ ବିରୋଧ କରୁଛନ୍ତି। ଇରାନର ନ୍ୟାୟପାଳିକା ମହିଳାଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ପ୍ରକାଶ ଯେ ଇରାନରେ ମହିଳାମାନଙ୍କୁ ହିଜାବ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ସେପ୍ଟେମ୍ବର ୧୩ ତାରିଖ ଦିନ ୨୨ ବର୍ଷିୟା ମହସା ଆମିନୀଙ୍କୁ ହିଜାବ ନ ପିନ୍ଧିଥିବାରୁ ପୋଲିସ ଗିରଫ କରିଥିଲା ​​ଏବଂ ପୋଲିସ ତାଙ୍କୁ ମାଡ ମାରିବା ପରେ ସେ କୋମାକୁ ଚାଲିଯାଇଥିଲେ। ତିନି ଦିନ ପରେ ମହସା ଆମିନୀଙ୍କ ମୃତ୍ୟୁ ହୋଇଥିଲା। ମହସା ଆମିନୀ ପରିବାର ସହିତ ତେହେରାନ ବୁଲିବାକୁ ଯାଇଥିଲେ। କିନ୍ତୁ ଜଣାନଥିଲା ଯେ, ହିଜାବ ଯୋଗୁଁ ତାଙ୍କ ଜୀବନ ଚାଲିଯିବ।

ତେବେ ଇରାନ ପୋଲିସ ଏହି ଅଭିଯୋଗକୁ ଅସ୍ୱୀକାର କରୁଛି। ପୋଲିସ କହିଛି ଯେ ହୃଦଘାତରେ ମହସା ଆମିନୀଙ୍କ ମୃତ୍ୟୁ ଘଟିଛି। ମହସା ଆମିନୀଙ୍କ ମୃତ୍ୟୁ ଇରାନରେ ମାନବିକ ଅଧିକାର ଏବଂ ମହିଳାଙ୍କ ସ୍ୱାଧୀନତା ପ୍ରସଙ୍ଗକୁ ପୁଣି ଥରେ ଉଠାଇଛି। ସମଗ୍ର ବିଶ୍ୱରେ ସମାଲୋଚନା ପରେ ଇରାନ ସରକାରଙ୍କୁ ଏହି ଘଟଣାର ଗମ୍ଭୀରତା ଦେଖାଇଥିବା ଜଣାପଡିଛି। ରାଷ୍ଟ୍ରପତି ଇବ୍ରାହିମ ରଇସି ମହସା ଆମିନୀଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବାକୁ ଗୃହ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି।