Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ମେଟା ଗ୍ଲୋବାଲ ଆଫେୟାର୍ସର ସଭାପତି

ନୂଆଦିଲ୍ଲୀ: ଫେସବୁକ, ହ୍ୱାଟ୍ସଆପ ଏବଂ ଇନଷ୍ଟାଗ୍ରାମକୁ ସଂଚାଳିତ କରୁଥିବା ମେଟା ଗ୍ଲୋବାଲ ଆଫେୟାର୍ସର ସଭାପତି ନିକ୍ କ୍ଲେଗ ବୁଧବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ବାସଭବନରେ ସାକ୍ଷାତ୍ କରିଛନ୍ତି।

ଭାରତର ଦକ୍ଷତା ବିକାଶ ଏବଂ ଉଦ୍ୟମିତା କ୍ଷେତ୍ରରେ ମେଟା ଟେକ୍ନୋଲୋଜିକୁ କିପରି ବ୍ୟବହାର କରାଯାଇପାରିବ ସେ ବିଷୟରେ କେନ୍ଦ୍ରମନ୍ତ୍ରୀ ଏହି ବୈଠକ କାଳରେ ବିସ୍ତୁତ ଭାବେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଜାତୀୟ ଶିକ୍ଷା ନୀତି ଟେକ୍ନୋଲୋଜି ଆଧାରିତ ଶିକ୍ଷାକୁ ପ୍ରୋତ୍ସାହନ ଦେଉଛି। ଷ୍ଟାର୍ଟଅପରେ ନିୟୋଜିତ ଥିବା ଯୁବ ଉଦ୍ୟୋଗୀମାନେ କିପରି ସେମାନଙ୍କର ବ୍ୟବସାୟକୁ ଟେକ୍ନୋଲୋଜି ମାଧ୍ୟମରେ ବଢାଇପାରିବେ ସେ ବାବଦରେ ଅବଗତ କରାଇଥିଲେ। ସେହିପରି ଟେକ୍ନୋଲୋଜି ଇନୋଭେସନ, ଉଦ୍ୟମିତା କ୍ଷେତ୍ରକୁ ଉପଯୋଗ କରିବା ଉପରେ ଚର୍ଚ୍ଚା ସହ ଡିଜିଟାଲ ଇଣ୍ଡିଆ ଏବଂ ସ୍କିଲ୍ ଇଣ୍ଡିଆ ମିଶନ ସଶକ୍ତ କରିବା ପାଇଁ ମେଟାକୁ ନିମନ୍ତ୍ରଣ କରିଥିଲେ କେନ୍ଦ୍ରମନ୍ତ୍ରୀ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନିକ୍ କ୍ଲେଗଙ୍କୁ ଓଡ଼ିଶାର ପାରମ୍ପରିକ ପଟ୍ଟଚିତ୍ର ପ୍ରଦାନ କରିବା ସମୟରେ ଓଡ଼ିଶାର ପ୍ରତିଭାସମ୍ପନ୍ନ ବ୍ୟକ୍ତି ଓ କଳାକାରଙ୍କ ସମେତ ରାଜ୍ୟର କଳା, ସଂସ୍କୃତି, ପରମ୍ପରା ଉପରେ ଚର୍ଚ୍ଚା କରିଥିଲେ। ଦେଶ ସମେତ ଓଡ଼ିଶା ଭଳି ରାଜ୍ୟରେ ମେଟା ଟେକ୍ନୋଲୋଜି କିଭଳି ଯୁବ ପ୍ରତିଭାଙ୍କୁ ଅଧିକ ଦକ୍ଷ କରିବା ସହ ସ୍କିଲ୍ କ୍ଷେତ୍ରକୁ ମଜଭୂତ୍ କରିବ, ତାହା ଉପରେ କାମ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଇଣ୍ଡିଆ ପୋଷ୍ଟ ନାମରେ ପୁରସ୍କାର ଜିତିବା ନେଇ ନକଲି ୱେବସାଇଟ୍

ଭୁବନେଶ୍ୱର: ଗତ କିଛିଦିନ ହେଲା ଦେଖାଯାଉଛି ଯେ ଇଣ୍ଡିଆ ପୋଷ୍ଟ ନାମରେ ବିଭିନ୍ନ ପ୍ରକାର ୟୁଆରଏଲ ଏବଂ ୱେବସାଇଟରେ ସର୍ଭେ, କୁଇଜ୍ ଆଦି ମାଧ୍ୟମରେ ପୁରସ୍କାର ଜିତିଥିବା ମିଥ୍ୟା ଧୋକାବାଜୀପୂର୍ଣ୍ଣ ମେସେଜ ସବୁ ଘୂରିବୁଲୁଛି। ଏଗୁଡ଼ିକ ମୁଖ୍ୟତଃ ହ୍ୱାଟ୍ସଆପ, ଇନଷ୍ଟାଗ୍ରାମ, ଇମେଲ, ଏସ.ଏମ.ଏସ ଆଦି ମାଧ୍ୟମରେ ଲୋକଙ୍କ ନିକଟକୁ ଆସୁଛି।

ଇଣ୍ଡିଆ ପୋଷ୍ଟ ପକ୍ଷରୁ ଏଭଳି କୌଣସି ସର୍ଭେ ପୁରସ୍କାର ଘୋଷଣା, ରିହାତି, ବୋନସ ଆଦିର ଘୋଷଣା କରାଯାଇ ନାହିଁ କିମ୍ବା ସେଭଳି ୱେବସାଇଟ ନାହିଁ। ଲୋକମାନେ ଏଭଳି ବିଭ୍ରାନ୍ତିକର ସୂଚନା ଠାରୁ ସତର୍କ ହୋଇ ରହିବା ପାଇଁ ଇଣ୍ଡିଆ ପୋଷ୍ଟ ବିଜ୍ଞପ୍ତି ଜାରି କରିଛି। ଏଭଳି ତଥ୍ୟକୁ ବିଶ୍ୱାସ ନ କରିବା, ଏଥିରେ ଉତ୍ତର ନ ଦେବା କିମ୍ବା ଏହାକୁ ଅନ୍ୟମାନଙ୍କ ନିକଟକୁ ନ ପଠାଇବା ପାଇଁ ମଧ୍ୟ ସତର୍କ କରାଇ ଦିଆଯାଇଛି। ଜନ୍ମ ତାରିଖ, ମୋବାଇଲ ନମ୍ବର, ଓଟିପି, ବ୍ୟାଙ୍କ ଏକାଉଣ୍ଟ ନମ୍ବର ଆଦି ନିଜର ବ୍ୟକ୍ତିଗତ ତଥ୍ୟ କାହାରିକୁ ନ ଦେବା ପାଇଁ କୁହାଯାଇଛି।

ଏହି ନକଲି ୱେବସାଇଟ, ୟୁଆରଏଲ ଲିଙ୍କ୍ ଆଦି ବିରୁଦ୍ଧରେ ଇଣ୍ଡିଆ ପୋଷ୍ଟ ଉପଯୁକ୍ତ ପଦକ୍ଷେପ ନେଉଛି। ଏସବୁକୁ ବିଶ୍ୱାସ ନ କରିବା ପାଇଁ ଲୋକଙ୍କୁ ସତର୍କ କରାଇ ଦିଆଯାଉଛି।

ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଇଣ୍ଡିଆ ପୋଷ୍ଟ ଏବଂ ପତ୍ର ସୂଚନା କାର୍ଯ୍ୟାଳୟ ନକଲି ୱେବସାଇଟ ଏବଂ ପୁରସ୍କାର ଘୋଷଣା ସମ୍ପର୍କରେ ଲୋକଙ୍କୁ ସଚେତନ କରୁଛି।