Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ତିନିଦିନିଆ ୟୁଏଇ ଗସ୍ତ ସାରି ସ୍ୱଦେଶ ଫେରିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ କରିବା ଲକ୍ଷ୍ୟରେ ୟୁଏଇ ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ସାରି ଆଜି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ଗସ୍ତ କାଳରେ ଭାରତୀୟ ଯୁବକଙ୍କୁ ଦକ୍ଷତା ତାଲିମ ଦେବା ସହ ବିଦେଶରେ ନିଯୁକ୍ତି ସୃଷ୍ଟି କରିବା ପାଇଁ ଏନଏସଡିସି ଏବଂ ଡିପି ଓ୍ୱାର୍ଲଡର ୱି ୱାନ୍ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହେବା ନେଇ ଶ୍ରୀ ପ୍ରଧାନ ଖୁସି ପ୍ରକାଶ କରିଛନ୍ତି।

କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତର ଅନ୍ତିମ ଦିନରେ ଟେକ୍ନୋଲୋଜି କମ୍ପାନୀ ଭିଏଫଏସ୍ ଗ୍ଲୋବାଲ ଏବଂ ଲଜିଷ୍ଟିକ୍ କମ୍ପାନୀ ଟ୍ରାନ୍ସ ଓ୍ୱାର୍ଲ୍ଡର ଟିମ୍ ଗୁଡିକ ମଧ୍ୟରେ ଅନୁଷ୍ଠିତ ବୈଠକ ଫଳପ୍ରଦ ହୋଇଥିବା ଜଣାପଡିଛି। ଏହି ବୈଠକରେ ଭାରତର ଯୁବକମାନଙ୍କୁ ବିଦେଶରେ ସୁଯୋଗ ସହ ଯୋଡିବା, ଭାରତରେ ପ୍ରଶିକ୍ଷଣ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ଦକ୍ଷତା ବିକାଶରେ କ୍ଷମତା ଗଠନ ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ଉପରେ ଆଲୋଚନା ହୋଇଥିଲା। ଦକ୍ଷତା, ପ୍ରଶିକ୍ଷଣ ଏବଂ ନିଯୁକ୍ତି ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବା ଏବଂ ଆମର ଯୁବକମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପ୍ରାଥମିକତା ଅଟେ। ଭବିଷ୍ୟତକୁ ସୁରକ୍ଷିତ କରିବା, ଯୁବକମାନଙ୍କୁ ସଶକ୍ତ କରିବା ଏବଂ ଆମର ଦକ୍ଷତା କ୍ଷେତ୍ରକୁ ଅଧିକ ଜୀବନ୍ତ କରିବାରେ ଭାରତର ସହଯୋଗୀ ହେବା ନେଇ ଭିଏଫଏସ୍ ଗ୍ଲୋବାଲ ଓ ଟ୍ରାନ୍ସ ଓ୍ୱାର୍ଲ୍ଡର ଉଭୟ କମ୍ପାନୀ ମଧ୍ୟରେ ଥିବା ଆଗ୍ରହକୁ ନେଇ ଶ୍ରୀ ପ୍ରଧାନ ପ୍ରଶଂସା କରିଥିଲେ।
ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ଦୁବାଇ ସ୍ଥିତ ଲଜିଷ୍ଟିକ କମ୍ପାନୀ ଡିପି ଓ୍ୱାର୍ଲ୍ଡ ପରିଦର୍ଶନ କରିଥିଲେ। ବିଶ୍ୱସ୍ତରୀୟ ପ୍ରତିଭାକୁ ଗତି ଦେବା ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବା ସହିତ ଭାରତୀୟ ଯୁବକମାନଙ୍କୁ ଦକ୍ଷ ତାଲିମ ଏବଂ ସଂପୃକ୍ତ ବିଦେଶୀ ନିଯୁକ୍ତି ସୁଯୋଗ ସହିତ ଯୋଡ଼ିବା ପାଇଁ ଏନଏସଡିସି ଏବଂ ଡିପି ଓ୍ୱାର୍ଲଡର ସହାୟକ ସଂସ୍ଥା ୱି ୱାନ୍ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିବାରୁ ଶ୍ରୀ ପ୍ରଧାନ ଖୁସିବ୍ୟକ୍ତ କରିଥିଲେ। ସେ କହିଥିଲେ ଭାରତ ହେଉଛି ବ୍ୟାପକ ପ୍ରତିଭାର ଭଣ୍ଡାର। କେବଳ ଭାରତ ପାଇଁ ନୁହେଁ ବରଂ ବିଶ୍ୱ ଅର୍ଥନୀତି ପାଇଁ ଅର୍ଥନୈତିକ ସମୃଦ୍ଧି ଆଣିବା ପାଇଁ ଭାରତର ଯୁବବର୍ଗଙ୍କ ଆକାଂକ୍ଷା ପୂରଣ କରିବା ଏବଂ ସେମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାକୁ ଭାରତ ସରକାର  ପ୍ରତିଶ୍ରୁତିବଦ୍ଧ।

ଏହା ପୂର୍ବରୁ ଗତକାଲି ଶ୍ରୀ ପ୍ରଧାନ ୟୁଏଇରେ କାର୍ଯ୍ୟ କରୁଥିବା ସମସ୍ତ ୧୦୫ଟି ସିବିଏସଇ ଅନୁବନ୍ଧିତ ବିଦ୍ୟାଳୟର ପ୍ରିନ୍ସିପାଲ ମାନଙ୍କ ସହ ଆଲୋଚନା କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ସମସ୍ତ ବିଦ୍ୟାଳୟ ଗୁଡିକ ଜାତୀୟ ଶିକ୍ଷା ନୀତି ସହ ଯୋଡି ହୋଇ କାର୍ଯ୍ୟ କରୁଛନ୍ତି। ବିଦେଶରେ ଥିବା ଭାରତୀୟ ବିଦ୍ୟାଳୟଗୁଡିକ ଆମର ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ପ୍ରୟାସ କରୁଛନ୍ତି। ଉପସାଗରୀୟ ଦେଶ ଗୁଡିକରେ ସିବିଏସଇ ଅନୁବନ୍ଧିତ ଭାରତୀୟ ବିଦ୍ୟାଳୟରେ ପଢୁଥିବା ୫ ଲକ୍ଷ ଭାରତୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨.୫୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ୟୁଏଇରେ ଅଛନ୍ତି। ପ୍ରବାସୀ ଭାରତୀୟଙ୍କ ସୁବିଧା ପାଇଁ ଦୁବାଇରେ ସିବିଏସଇର ଏକ ଆଞ୍ଚଳିକ କାର୍ଯ୍ୟାଳୟ ଖୋଲିବା ପାଇଁ ନିଷ୍ପତି ହୋଇଛି।

ଇଏଫଏସ ଫାସିଲିଟି ମ୍ୟାନେଜମେଣ୍ଟ ସର୍ଭିସ ଗ୍ରୁପର ସିଇଓ ତରିଖ୍ ଚୌହ୍ୱାନଙ୍କ ସହ ମଧ୍ୟ ବୈଠକ କରିଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଜିସିସି ଦେଶଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦେଇ ଭାରତର କର୍ମଚାରୀଙ୍କ ଅନ୍ତର୍ଜାତୀୟ ଗତିଶୀଳତାକୁ ସୁଗମ କରିବା ପାଇଁ ଇଏଫ୍ଏସ୍ ଫେସିଲିଟି ସର୍ଭିସେସ୍ ଗ୍ରୁପ୍ ଏବଂ ଏନଏସଡିସି ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଥିବା ଦେଖି ଶ୍ରୀ ପ୍ରଧାନ ଖୁସିବ୍ୟକ୍ତ କରିଥିଲେ। ଏହି ବୁଝାମଣାପତ୍ର ପାଠ୍ୟକ୍ରମ ବିକାଶ କ୍ଷେତ୍ରରେ ଯୋଗଦାନକୁ ଗଭୀର କରିବା ସହିତ ଯୁଗ୍ମ ଦକ୍ଷତା କାର୍ଯ୍ୟକ୍ରମ ଏବଂ ସହ-ବ୍ରାଣ୍ଡେଡ୍ ଦକ୍ଷତା ଅନୁଷ୍ଠାନଗୁଡ଼ିକର ବିକାଶ ପାଇଁ ବାଟ ଖୋଲିବ ଏବଂ ଶିଳ୍ପ-ପ୍ରସ୍ତୁତ ଦକ୍ଷତା ସହିତ କର୍ମଚାରୀମାନଙ୍କୁ ଉନ୍ନତ କରିବ ଏବଂ ସେମାନଙ୍କୁ ବିଶେଷ କରି ଜିସିସି ଦେଶମାନଙ୍କରେ ବିଶ୍ୱସ୍ତରୀୟ ସୁଯୋଗ ପାଇଁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ୟୁଏଇ ଗସ୍ତର ପ୍ରଥମ ଦିନରେ ୟୁଏଇ ଶିକ୍ଷା ମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ବୈଠକ

ଆବୁଧାବୀ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୟୁଏଇ ଗସ୍ତର ପ୍ରଥମ ଦିନରେ ୟୁଏଇ ଶିକ୍ଷା ମନ୍ତ୍ରୀ ଅହମ୍ମଦ ଅଲ୍ ଫଲାସୀଙ୍କ ସହ ବୈଠକ କରିବା ସହ ଆବୁଧାବୀରେ ବିଭିନ୍ନ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିଛନ୍ତି। ଏହି ଅବସରରେ ଭାରତ ଓ ୟୁଏଇ ମଧ୍ୟରେ ଷ୍ଟ୍ରାଟେଜିକ୍ ସମ୍ପର୍କକୁ ଶିଖରକୁ ନେବା ଆମର ଲକ୍ଷ୍ୟ ରହିଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜିର ସମୟରେ ଶିକ୍ଷା ଓ ଦକ୍ଷତା ସମେତ ଅନେକ କ୍ଷେତ୍ରରେ ଭାରତ ଏବଂ ୟୁଏଇ ମଧ୍ୟରେ ଗଭୀର ସମ୍ପର୍କ ରହିଛି। ଷ୍ଟ୍ରାଟେଜିକ୍ ଭାଗିଦାରୀ ତଥା ବିଶେଷ ଭାବରେ ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ସୁଦୃଢ ହୋଇଛି। ୟୁଏଇରେ ଆଇଆଇଟି ଖୋଲାଯାଉଛି ଏବଂ ଭାରତର ପ୍ରମୁଖ ବିଶ୍ୱବିଦ୍ୟାଳୟ ଗୁଡିକ ଏଠାରେ ଅବସ୍ଥାପିତ ଅଛି। ଭବିଷ୍ୟତରେ ମଧ୍ୟ ଅନେକ ବିଶ୍ୱବିଦ୍ୟାଳୟ ୟୁଏଇରେ ଖୋଲାଯିବାର ସମ୍ଭାବନା ରହିଛି। ଭାରତର ପ୍ରମୁଖ ଜାତୀୟ ଶିକ୍ଷା ବୋର୍ଡ ସିବିଏସଇର ୧୦୦ରୁ ଅଧିକ ବିଦ୍ୟାଳୟ ୟୁଏଇରେ କାର୍ଯ୍ୟ କରୁଛି। ଖୁବଶୀଘ୍ର ଏଠାରେ ଏକ ସିବିଏସଇ କାର୍ଯ୍ୟାଳୟ ଖୋଲାଯିବାର ଯୋଜନା ରହିଛି। ୟୁଏଇ ଶିକ୍ଷା ମନ୍ତ୍ରୀଙ୍କ ସହ ହୋଇଥିବା ବୈଠକ ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ଦୁଇ ଦେଶର ପାରସ୍ପରିକ ସ୍ୱାର୍ଥର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ଏବଂ ସମନ୍ୱୟକୁ ପ୍ରୋତ୍ସାହିତ କରିବ।

ଏହି ଗସ୍ତକାଳରେ କେନ୍ଦ୍ରମନ୍ତ୍ରୀ ‘୪୨ ଆବୁଧାବୀ’ ସ୍କୁଲ ପରିଦର୍ଶନ କରିଥିଲେ। ଉକ୍ତ କୋଡିଂ ସ୍କୁଲରେ ପ୍ରକଳ୍ପ ଭିତ୍ତିକ ପାଠ୍ୟକ୍ରମ ମାଧ୍ୟମରେ ଇନୋଭେସନକୁ ପ୍ରୋତ୍ସାହନ ଦେବା, ସୃଜନଶୀଳତା ଏବଂ ଶିକ୍ଷାକୁ ପ୍ରାଥମିକତା ଦିଆଯାଉଥିବା ଦେଖି ଖୁସିବ୍ୟକ୍ତ କରିଥିଲେ। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଉପସାଗରୀୟ ଦେଶରେ ପ୍ରଥମ ଥର ପାଇଁ ଏହି ଟେକ୍ନୋଲୋଜି ଆଧାରିତ ସ୍କୁଲ ଭବିଷ୍ୟତର ସ୍ୱପ୍ନକୁ ସାକାର କରିବା ପାଇଁ ଶିକ୍ଷା ପ୍ରତି ଥିବା ପ୍ରତିବନ୍ଧକକୁ ଦୂର କରିବା ଉପରେ ଗୁରୁତ୍ୱ ଦେଉଅଛି। ଏହି ଅନୁଷ୍ଠାନ ବିଦ୍ୟାର୍ଥୀ ମାନଙ୍କୁ ସେମାନଙ୍କର କାର୍ଯ୍ୟସୂଚୀ ଅନୁଯାୟୀ ଶିକ୍ଷା ଦେବା ସହ ରୋଜଗାର କରିବା ଉପରେ ଉତ୍ତମ ବାତାବରଣ ପ୍ରଦାନ କରିବା ପ୍ରଶଂସନୀୟ। ରୋଜଗାର କରିବା ସମୟରେ ସୁବିଧା ପ୍ରଦାନ କରିବା ଏବଂ ଶିଖିବା ଜାତୀୟ ଶିକ୍ଷା ନୀତିର ଏକ ପ୍ରମୁଖ ସୁପାରିଶ। ଭାରତର ପ୍ରତିଭାସମ୍ପନ୍ନ ଯୁବକ ଓ କର୍ମଚାରୀଙ୍କୁ ସଶକ୍ତ କରିବାର ଏହା ଏକ ପ୍ରମୁଖ ମାଧ୍ୟମ ଶ୍ରୀ ପ୍ରଧାନ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଆବୁଧାବୀ ଭାରତୀୟ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ସହ ମଧ୍ୟ ସାକ୍ଷାତ୍ କରିଥିଲେ। ଏହି ସ୍କୁଲ ଭାରତ ଓ ୟୁଏଇର ସଂସ୍କୃତି, ବିଚାର ଓ ମୂଲ୍ୟବୋଧ ଶିକ୍ଷା ଦେଉଥିବା ନେଇ ସେ ଖୁସି ପ୍ରକଟ କରିଥିଲେ। ଏକବିଂଶ ଶତାବ୍ଦୀର ଆବଶ୍ୟକତାକୁ ଧ୍ୟାନରେ ରଖି ଭାରତ ଏବଂ ୟୁଏଇ ମଧ୍ୟରେ ରଣନୈତିକ ଭାଗିଦାରୀକୁ ଅଧିକରୁ ଅଧିକ ମଜଭୂତ୍ କରିବା ଲକ୍ଷ୍ୟରେ ଏହି ୟୁଏଇ ଗସ୍ତର ଲକ୍ଷ୍ୟ ରହିଥିବା ନେଇ କେନ୍ଦ୍ରମନ୍ତ୍ରୀ ସୂଚନା ଦେଉଥିଲେ।

Categories
ବିଶେଷ ଖବର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୟୁଏଇ ଗସ୍ତ ଅବସରରେ ଭାରତ-ୟୁଏଇ ମିଳିତ ବକ୍ତବ୍ୟ

ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଅମୀରତନ୍ତ୍ର (ୟୁଏଇ)ର ରାଷ୍ଟ୍ରପତି ଶେଖ୍‌ ମହମ୍ମଦ ବିନ୍‌ ଜାୟେଦ ଅଲ୍‌ ନାହ୍ୟାନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫ ଜୁଲାଇ ୨୦୨୩ ରେ ଆବୁଧାବି ଠାରେ ପରସ୍ପରକୁ ସାକ୍ଷାତ କରିଛନ୍ତି।

ବିଗତ ଆଠ ବର୍ଷ ମଧ୍ୟରେ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଷ୍ଟମ ୟୁଏଇ ଗସ୍ତ ବୋଲି ଉଭୟ ପକ୍ଷ ସ୍ୱୀକାର କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଜୁନ ୨୦୨୨ ରେ ଶେଷ ଥର ପାଇଁ ୟୁଏଇ ଗସ୍ତ କରିଥିଲେ। ଏହି ସମୟରେ ମହାମହିମ ଶେଖ୍‌ ମହମ୍ମଦ ବିନ୍‌ ଜାୟେଦ ଅଲ୍‌ ନାହ୍ୟାନ ୟୁଏଇ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ।

୨୦୧୫ ରେ ପ୍ରଧାନମନ୍ତ୍ରୀ ମୋଦୀ ବିଗତ ୩୪ ବର୍ଷ ମଧ୍ୟରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ୟୁଏଇ ଗସ୍ତ କରିଥିଲେ। ଏହାପରେ ୨୦୧୬ ରେ ମହାମହିମ ଶେଖ୍‌ ମହମ୍ମଦ ବିନ୍‌ ଜାୟେଦ ଅଲ୍‌ ନାହ୍ୟାନ ଭାରତ ଗସ୍ତରେ ଆସିଥିଲେ। ଏହାପରେ ୨୦୧୭ ରେ ଭାରତର ସାଧାରଣତନ୍ତ୍ର ଦିବସ ସମାରୋହରେ ମହାମହିମ ଶେଖ୍‌ ମହମ୍ମଦ ବିନ୍‌ ଜାୟେଦ ଅଲ୍‌ ନାହ୍ୟାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅଧିକନ୍ତୁ, ୨୦୧୭ ରେ ମହାମହିମ ଶେଖ୍‌ ମହମ୍ମଦ ବିନ୍‌ ଜାୟେଦ ଅଲ୍‌ ନାହ୍ୟାନଙ୍କ ଭାରତ ଗସ୍ତ ସମୟରେ ଭାରତ-ୟୁଏଇ ସମ୍ପର୍କ ଔପଚାରିକ ଭାବେ ବିସ୍ତୃତ ରଣନୀତିକ ଭାଗିଦାରୀକୁ ଉନ୍ନୀତ ହୋଇଥିଲା।

ୟୁଏଇ-ଭାରତ ସମ୍ପର୍କ ସବୁ ଦିଗରୁ ଅଭୂତପୂର୍ବ ପ୍ରଗତି ହାସଲ କରିଥିବାରୁ ଉଭୟ ନେତା ସନ୍ତୋଷ ବ୍ୟକ୍ତ କରିଥିଲେ। ୨୦୨୨ ରେ ଭାରତ-ୟୁଏଇ ବାଣିଜ୍ୟ କାରବାର ୮୫ ବିଲିୟନ ଆମେରିକୀୟ ଡଲାରକୁ ବୃଦ୍ଧି ପାଇଥିଲା। ଫଳରେ ୟୁଏଇ ୨୦୨୨-୨୩ ରେ ଭାରତର ତୃତୀୟ-ସର୍ବବୃହତ ବ୍ୟବସାୟ ସହଯୋଗୀ ଏବଂ ଭାରତର ଦ୍ୱିତୀୟ ସର୍ବବୃହତ ରପ୍ତାନି ଲକ୍ଷ୍ୟସ୍ଥଳୀରେ ପରିଣତ ହୋଇଥିଲା। ଅନ୍ୟପଟେ ଭାରତ ହେଉଛି ୟୁଏଇର ଦ୍ୱିତୀୟ ସର୍ବବୃହତ ବ୍ୟବସାୟିକ ସହଯୋଗୀ। ଭାରତ ହେଉଛି ପ୍ରଥମ ଦେଶ ଯାହା ସହିତ ୟୁଏଇ ଫେବୃଆରୀ ୨୦୨୨ ବିସ୍ତୃତ ଆର୍ଥିକ ସହଭାଗିତା ରାଜିନାମା (ସିଇପିଏ) ସ୍ୱାକ୍ଷର କରିଥିଲା। ୧ ମେ ୨୦୨୨ ରେ ସିଇପିଏ କାର୍ଯ୍ୟକାରୀ ହେବା ପରଠାରୁ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ପ୍ରାୟ ୧୫% ବୃଦ୍ଧି ପାଇଛି ।

୨୦୨୩ ରେ ଭାରତ ଜି-୨୦ ଅଧ୍ୟକ୍ଷତା ଏବଂ ୟୁଏଇ କପ୍‌ ୨୮ ଅଧ୍ୟକ୍ଷତା ଦାୟିତ୍ୱ ନିର୍ବାହ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଉଭୟ ରାଷ୍ଟ୍ର ଦ୍ୱାରା ବିଶ୍ୱସ୍ତରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରାଯିବାକୁ ଦୁଇ ନେତା ସନ୍ତୋଷର ସହିତ ଉଲ୍ଲେଖ କରିଥିଲେ। ଜାନୁଆରୀ ୨୦୨୩ ରେ ଭାରତ ଦ୍ୱାରା ଭଏସ୍‌ ଅଫ୍‌ ଗ୍ଲୋବାଲ୍‌ ସାଉଥ୍‌ ଶିଖର ସମ୍ମିଳନୀ ଆୟୋଜନ କରାଯିବାକୁ ୟୁଏଇ ପକ୍ଷ ପ୍ରଶଂସା କରିଥିଲା। କପ୍‌ ୨୮ରେ ଗ୍ଲୋବାଲ୍‌ ସାଉଥ୍‌ ରାଷ୍ଟ୍ରମାନଙ୍କର ହିତକୁ ସୁରକ୍ଷା ଦେବା ଏବଂ କପ୍‌ ୨୮ କୁ ‘‘କପ୍‌ ଅଫ୍‌ ଆକ୍ସନ୍‌’’ରେ ପରିଣତ କରିବା କ୍ଷେତ୍ରରେ ୟୁଏଇର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ମଧ୍ୟ ଭାରତୀୟ ପକ୍ଷ ପ୍ରଶଂସା କରିଥିଲା। ଆଇ୨ୟୁ୨ ଏବଂ ୟୁଏଇ – ଫ୍ରାନ୍ସ – ଭାରତ ତ୍ରିପାକ୍ଷିକ ସହଯୋଗ ପ୍ରୟାସ ଭଳି ବହୁପକ୍ଷୀୟ ମଞ୍ଚରେ ଅଧିକ ସହଯୋଗ ନେଇ ଉଭୟ ପକ୍ଷ ଆଗ୍ରହୀ ରହିଛନ୍ତି। ଏପରି ମଞ୍ଚ ଉଭୟ ଦେଶକୁ ସେମାନଙ୍କର ସହଭାଗିତାକୁ ଏକ ନୂତନ ଉଚ୍ଚତାକୁ ନେଇ ଯିବା ଲାଗି ବ୍ୟାପକ ସୁଯୋଗ ଯୋଗାଇ ଦେଉଥିବା ସେମାନେ କହିଥିଲେ।

ଆଜି, ଆବୁଧାବି ଠାରେ, ୟୁଏଇର ରାଷ୍ଟ୍ରପତି ମହାମହିମ ଶେଖ୍‌ ମହମ୍ମଦ ବିନ୍‌ ଜାୟେଦ ଅଲ୍‌ ନାହ୍ୟାନ ଏବଂ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ନିମ୍ନ କାର୍ଯ୍ୟକ୍ରମଗୁଡ଼ିକ ସମ୍ପାଦିତ ହୋଇଛି:

ସମ୍ପୃକ୍ତ ରାଷ୍ଟ୍ରର କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରଙ୍କ ଦ୍ୱାରା ସୀମାପାର୍‌ ଅର୍ଥ କାରବାର ପାଇଁ ସ୍ଥାନୀୟ ମୁଦ୍ରା (ଭାରତୀୟ ଟଙ୍କା- ଆରବ ଏମିରେଟ୍ସ ଦିରାମ) ବ୍ୟବହାରକୁ ପ୍ରୋତ୍ସାହନ ଦେବା ଲାଗି ଏକ ବ୍ୟବସ୍ଥା ପ୍ରତିଷ୍ଠା କରିବା ଲାଗି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

ସମ୍ପୃକ୍ତ ରାଷ୍ଟ୍ରର କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରଙ୍କ ଦ୍ୱାରା ଆନ୍ତଃସଂଯୁକ୍ତ ଅର୍ଥପଇଠ ଏବଂ ମେସେଜିଂ ପ୍ରଣାଳୀ ଉପରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

ଆବୁଧାବି ଠାରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି-ଦିଲ୍ଲୀର ଏକ ଶାଖା ପ୍ରତିଷ୍ଠା କରିବା ଲାଗି ବୁଝାମଣାପତ୍ର ସ୍ୱାକ୍ଷର।

ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ବାବଦରେ ଅର୍ଥ ପରିଶୋଧ କରିବା ଲାଗି ଦୁଇ ଦେଶ ମଧ୍ୟରେ ସ୍ଥାନୀୟ ମୁଦ୍ରା ପରିଶୋଧ ପ୍ରଣାଳୀ ବିକଶିତ କରାଯିବା ଉଭୟ ପକ୍ଷ ମଧ୍ୟରେ ଆପୋସ ବିଶ୍ୱାସକୁ  ପ୍ରକଟ କରୁଛି ବୋଲି ନେତାମାନେ ଆଲୋଚନା କରିଥିଲେ। ଅଧିକନ୍ତୁ, ଏହା ଦୁଇ ଦେଶର ସୁଦୃଢ଼ ଅର୍ଥବ୍ୟବସ୍ଥା ଉପରେ ଆଲୋକପାତ କରିଥାଏ ଏବଂ ୟୁଏଇ ଓ ଭାରତ ମଧ୍ୟରେ ରହିଥିବା ଆର୍ଥିକ ସମ୍ପର୍କକୁ ବଢ଼ାଇଥାଏ। ୟୁଏଇ ଓ ଭାରତ ମଧ୍ୟରେ ସୀମାପାର ଅର୍ଥ କାରବାରକୁ ଅଧିକ କୁଶଳତା ପୂର୍ବକ ସମ୍ପାଦନ କରିବା ଲାଗି ନିଜର ତ୍ୱରିତ ଅର୍ଥପଇଠ ପ୍ରଣାଳୀ ମଧ୍ୟରେ ଏକୀକରଣକୁ ସକ୍ଷମ କରି ଅର୍ଥପଇଠ ପ୍ରଣାଳୀ କ୍ଷେତ୍ରରେ ସହଯୋଗକୁ ମଜବୁତ କରିବା ନେଇ ନେତାମାନେ ଆଗ୍ରହ ପ୍ରକଟ କରିଥିଲେ। ଏପରି ସହଯୋଗରେ ଜାତୀୟ କାର୍ଡ ପରିବର୍ତ୍ତନ ବ୍ୟବସ୍ଥାକୁ ପରସ୍ପର ସହ ଯୋଡ଼ିବା ଜରିଆରେ ଘରୋଇ କାର୍ଡ ଯୋଜନାକୁ ଆପୋସ ସ୍ୱୀକୃତି ମଧ୍ୟ ସାମିଲ ରହିବ। ଏହି ପ୍ରଣାଳୀଗୁଡ଼ିକ ପରସ୍ପର ସହ ଏକୀକୃତ ହେବା ଫଳରେ ଦୁଇ ଦେଶର ନାଗରିକ ଓ ବାସିନ୍ଦାମାନଙ୍କୁ ବିଭିନ୍ନ ଅର୍ଥପଇଠ ସେବାର ଉପଯୋଗ ସୁବିଧା ମିଳିପାରିବ।

ଉଭୟ ନେତା ଦୁଇ ଦେଶ ମଧ୍ୟରେ ନିବେଶ ସମ୍ପର୍କକୁ ଆହୁରି ମଜବୁତ କରିବା ନେଇ ସଂକଳ୍ପକୁ ଦୋହରାଇଥିଲେ। ଏହି ପରିପ୍ରେକ୍ଷୀରେ, ସେମାନେ ନିବେଶର ଦ୍ୱିପକ୍ଷିକ ଉଚ୍ଚସ୍ତରୀୟ ମିଳିତ କାର୍ଯ୍ୟବଳର ପ୍ରୟାସକୁ ପ୍ରଶଂସା କରିଥିଲେ। ସେମାନେ ସ୍ୱୀକାର କରିଥିଲେ ଯେ, ୟୁଏଇ ୨୦୨୨-୨୩ରେ ଭାରତରେ ଚତୁର୍ଥ ସର୍ବବୃହତ ନିବେଶକରେ ପରିଣତ ହୋଇଛି । ଅନ୍ୟପକ୍ଷରେ ୨୦୨୧-୨୨ରେ ଏହା ଭାରତର ସପ୍ତମ ସର୍ବବୃହତ ନିବେଶକ ଥିଲା। ଆସନ୍ତା କିଛି ମାସ ମଧ୍ୟରେ ଗୁଜରାଟ ଇଣ୍ଟରନେସନାଲ ଫାଇନାନ୍ସ ଟେକ୍‌ – ସିଟି (ଗିଫ୍ଟ ସିଟି) ଠାରେ ନିଜର ଉପସ୍ଥିତି ପ୍ରତିଷ୍ଠା କରିବା ଲାଗି ଆବୁଧାବି ନିବେଶ ପ୍ରାଧିକରଣ (ଏଡିଆଇଏ)ର ଯୋଜନାକୁ ସେମାନେ ପ୍ରଶଂସା କରିଥିଲେ। ସୂଚନାଯୋଗ୍ୟ, ଗିଫ୍ଟ ସିଟୀ ହେଉଛି ଗୁଜରାଟରେ ଏକ ଆର୍ଥିକ ମୁକ୍ତ କ୍ଷେତ୍ର। ଏହାଦ୍ୱାରା ଭାରତରେ ନିବେଶ କରିବା ଲାଗି ୟୁଏଇକୁ ଅଧିକ ସୁବିଧା ସୁଯୋଗ ମିଳିପାରିବ।

ଆଇଆଇଟି ଦିଲ୍ଲୀ-ଆବୁ ଧାବି ପ୍ରତିଷ୍ଠା କରିବା ନିମନ୍ତେ ଭାରତର ଶିକ୍ଷା ମନ୍ତ୍ରଣାଳୟ, ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି ଦିଲ୍ଲୀ) ଏବଂ ଆବୁଧାବି ଶିକ୍ଷା ଓ ଜ୍ଞାନ ବିଭାଗ (ଏଡିଇକେ) ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ତ୍ରିପାକ୍ଷିକ ରାଜିନାମାର ଗୁରୁତ୍ୱ ସମ୍ପର୍କରେ ନେତାମାନେ ଆଲୋଚନା କରିଥିଲେ। ଗତ ବର୍ଷ ଫେବୃଆରୀ ମାସରେ ଦୁଇ ନେତାଙ୍କ ମଧ୍ୟରେ ଭର୍ଚୁଆଲ ଶିଖର ସମ୍ମିଳନୀ ଅବସରରେ ୟୁଏଇ ଠାରେ ଏକ ଆଇଆଇ ପ୍ରତିଷ୍ଠା କରିବା ନେଇ ସହମତି ପ୍ରକାଶ ପାଇଥିଲା। ଏହି ଦୃଷ୍ଟିକୋଣକୁ ସାକାର କରିବା ଲାଗି ଉଭୟ ପକ୍ଷ ବିଗତ ଦୁଇ ବର୍ଷ ମଧ୍ୟରେ ବ୍ୟାପକ ପ୍ରୟାସ କରିଛନ୍ତି। ଆଇଆଇଟି ଦିଲ୍ଲୀ-ଆବୁଧାବି ଇନ୍ଧନ କ୍ଷେତ୍ରରେ ପରିବର୍ତ୍ତନ ଓ ସ୍ଥିରତା ସହ ଜଡ଼ିତ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ କରି ଜାନୁଆରୀ ୨୦୨୪ ସୁଦ୍ଧା ନିଜର କାମ ଆରମ୍ଭ କରି ଦେବା ନେଇ ଦୁଇ ନେତା ସମର୍ଥନ ଓ ଅନୁମୋଦନ ବ୍ୟକ୍ତ କରିଥିଲେ। ଦୀର୍ଘସ୍ଥାୟୀ ଊର୍ଜା, ଜଳବାୟୁ ସମ୍ବନ୍ଧୀୟ ଅଧ୍ୟୟନ, କମ୍ପ୍ୟୁଟିଂ ଓ ଡେଟା ବିଜ୍ଞାନ କ୍ଷେତ୍ରରେ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବା ବ୍ୟତୀତ ସେପ୍ଟେମବର ୨୦୨୪ ଠାରୁ ଏଠାରେ ସ୍ନାତକ, ସ୍ନାତକୋତ୍ତର ଏବଂ ପିଏଚଡି ସ୍ତରୀୟ ପାଠକ୍ରମ ଆରମ୍ଭ କରାଯିବ ବୋଲି ଆଶା କରାଯାଉଛି।

ଉଭୟ ନେତା ଊର୍ଜା – ତୈଳ ଓ ବାଷ୍ପ ତଥା ଅକ୍ଷୟ ଶକ୍ତି କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ଆଗକୁ ବଢ଼ାଇବା ନେଇ ସଂକଳ୍ପ ନେଇଥିଲେ। ଉଭୟ ପକ୍ଷ ସବୁଜ ହାଇଡ୍ରୋଜେନ, ସୌର ଶକ୍ତି ଏବଂ ଗ୍ରୀଡ୍‌ ସଂଯୋଗ କ୍ଷେତ୍ରରେ ଆପୋସ ସହଯୋଗକୁ ଆହୁରି ଆଗକୁ ବଢ଼ାଇବେ। ଉଭୟ ପକ୍ଷ ଭାରତର ରଣନୀତିକ ପେଟ୍ରୋଲିୟମ ରିଜର୍ଭ କାର୍ଯ୍ୟକ୍ରମ ସମେତ ବିସ୍ତୃତ ଊର୍ଜା ଶ୍ରେଣୀରେ ନିବେଶ ବଢ଼ାଇବାକୁ ନେଇ ସହମତି ପ୍ରକାଶ କରିଥିଲେ।

ଦୁଇ ନେତା, ବିଶେଷ କରି ଭାରତ ଜି-୨୦ ଅଧ୍ୟକ୍ଷତା ଏବଂ ୟୁଏଇର କପ୍‌ ୨୦ ଅଧ୍ୟକ୍ଷତା ଅବସରରେ ଜଳବାୟୁ ପରିବର୍ତ୍ତନ ସହ ଜଡ଼ିତ ପ୍ରସଙ୍ଗରେ ମିଳିତ ଭାବେ କାର୍ଯ୍ୟ କରିବାକୁ ସ୍ୱୀକାର କରିଥିଲେ। ସେମାନେ କପ୍‌ ୨୮କୁ ସମସ୍ତଙ୍କ ପାଇଁ ସଫଳ କରିବା ଲାଗି ମିଳିମିଶି କାମ କରିବା ନେଇ ସଂକଳ୍ପ ନେଇଥିଲେ।

ଖାଦ୍ୟ ସୁରକ୍ଷାର ଗୁରୁତ୍ୱକୁ ହୃଦୟଙ୍ଗମ କରି, ଉଭୟ ନେତା ଖାଦ୍ୟ ଯୋଗାଣ ଶୃଙ୍ଖଳାର ବିଶ୍ୱସନୀୟତା ଓ ସୁଦୃଢ଼ତାକୁ ପ୍ରୋତ୍ସାହନ ଦେବା ଏବଂ ଭାରତରେ ଖାଦ୍ୟ କରିଡର ପ୍ରକଳ୍ପ ସମେତ ଖାଦ୍ୟ ଓ କୃଷି ବ୍ୟବସାୟର ବିସ୍ତାର କରିବା ନେଇ ନିଜର ସଂକଳ୍ପକୁ ଦୋହରାଇଥିଲେ। ୟୁଏଇ ପକ୍ଷ ଏହି କ୍ଷେତ୍ରରେ ପ୍ରକଳ୍ପଗୁଡ଼ିକୁ ଶୀଘ୍ର ସାକାର କରିବା ଲାଗି ବିଭିନ୍ନ ଭାରତୀୟ ଅଂଶୀଦାରଙ୍କ ସହିତ ନିଜର ବିଚାରବିମର୍ଶକୁ ଦ୍ରୁତ ଗତିରେ ସମ୍ପୂର୍ଣ୍ଣ କରିବ।

ଦୁଇ ନେତା ସ୍ୱାସ୍ଥ୍ୟ କ୍ଷେତ୍ରର ମହତ୍ୱ ଏବଂ ଦ୍ୱିପାକ୍ଷିକ ଓ ତୃତୀୟ ଦେଶରେ ଜାରି ରହିଥିବା ସ୍ୱାସ୍ଥ୍ୟ ସହଯୋଗକୁ ସକ୍ରିୟ କରିବା ତଥା ଏଥିରେ ଆହୁରି ବିବିଧତା ଆଣିବା ସହିତ ସହଯୋଗର ପରିଧିକୁ ବଢ଼ାଇବା ଉପରେ ଆଲୋକପାତ କରିଥିଲେ। ଟିକା ଏବଂ ଔଷଧର ବିଶ୍ୱ ସ୍ୱାସ୍ଥ୍ୟ ଯୋଗାଣ ଶୃଙ୍ଖଳରେ ଏକ ବିଶ୍ୱସନୀୟ ବିକଳ୍ପ ଭାବେ ଉଭା ହେବା ନିମନ୍ତେ ଦୁଇ ଦେଶର କ୍ଷମତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ୟୁଏଇ ଓ ଭାରତରେ ବର୍ଦ୍ଧିତ ସ୍ୱାସ୍ଥ୍ୟ ସହ ଜଡ଼ିତ ମୌଳିକ ଭିତ୍ତିଭୂମି କ୍ଷେତ୍ରରେ ସହଯୋଗ ଅବସରକୁ ନେଇ ମଧ୍ୟ ଆଲୋଚନା କରିଥିଲେ।

ଦୁଇ ନେତା କହିଥିଲେ ଯେ, ଉଭୟ ଦେଶର ଲୋକମାନଙ୍କ ମଧ୍ୟରେ ଶହ ଶହ ବର୍ଷ ପୁରୁଣା ଆପୋସ ସମ୍ପର୍କ ଭାରତ ଏବଂ ୟୁଏଇର ଐତିହାସିକ ସମ୍ପର୍କର ସବୁଠୁ ମଜବୁତ ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ମଧ୍ୟରୁ ଅନ୍ୟତମ। ବହୁ ସଂଖ୍ୟାରେ ଭାରତୀୟ ପ୍ରବାସୀ ୟୁଏଇ ସମାଜ ଏବଂ ଅର୍ଥବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରୁଛନ୍ତି।

ଦୁଇ ନେତା ଭାରତ, ୟୁଏଇ ଏବଂ ସହଯୋଗୀ ପଡ଼ୋଶୀଙ୍କ ମଧ୍ୟରେ ସମୃଦ୍ଧିକୁ ପ୍ରୋତ୍ସାହନ ଦେବା ଲାଗି କ୍ଷେତ୍ରୀୟ ସାମୁଦ୍ରିକ ସୁରକ୍ଷା ଓ ଯୋଗାଯୋଗକୁ ମଜବୁତ କରିବା ନିମନ୍ତେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ସୁଦୃଢ଼ କରିବା ନେଇ ସହମତି ବ୍ୟକ୍ତ କରିଥିଲେ। ସେମାନେ ପ୍ରତିରକ୍ଷା ବିନିମୟ, ଅଭିଜ୍ଞତା ଆଦାନପ୍ରଦାନ, ପ୍ରଶିକ୍ଷଣ ଓ କ୍ଷମତା ନିର୍ମାଣରେ ସୁଧାର କରିବାକୁ ନେଇ ମଧ୍ୟ ସହମତ ହୋଇଥିଲେ।

ଦୁଇ ନେତା କ୍ଷେତ୍ରୀୟ ଓ ଅନ୍ତର୍ଜାତୀୟ ଉଭୟ ସ୍ତରରେ ସମସ୍ତ ରୂପରେ ସୀମାପାର ଆତଙ୍କବାଦ ସମେତ ଉଗ୍ରବାଦ ଓ ଆତଙ୍କବାଦ ବିରୋଧରେ ଲଢ଼େଇ କରିବା ଲାଗି ନିଜର ମିଳିତ ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ। ଦୁଇ ନେତା ଆତଙ୍କବାଦ, ଆତଙ୍କବାଦକୁ ପାଣ୍ଠି ଯୋଗାଣ ଏବଂ ଉଗ୍ରବାଦ ବିରୋଧୀ ଲଢ଼େଇରେ ନିଜର ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ପ୍ରଗାଢ଼ କରିବା ନେଇ ସହମତ ହୋଇଥିଲେ। ଏହି ପରିପ୍ରେକ୍ଷୀରେ, ଲୋକମାନଙ୍କ ମଧ୍ୟରେ ଶାନ୍ତି, ସଂଯମ, ସହାବସ୍ଥାନ ଓ ସହିଷ୍ଣୁତାର ମୂଲ୍ୟବୋଧକୁ ପ୍ରୋତ୍ସାହନ ଦେବା ଉପରେ ଜୋର ଦେଇଥିଲେ ତଥା ସମସ୍ତ ପ୍ରକାରର ଉଗ୍ରବାଦ, ଘୃଣା ସୃଷ୍ଟିକାରୀ ଭାଷଣ, ଭେଦଭାବ ଓ ଉତ୍ତେଜନାକୁ ଅସ୍ୱୀକାର କରିବାର ଆବଶ୍ୟକତା ଉପରେ ବଳ ଦେଇଥିଲେ।

ଉଭୟ ନେତା ବହୁପକ୍ଷବାଦର ମହତ୍ୱ ଉପରେ ବଳ ଦେଇଥିଲେ ଏବଂ ନ୍ୟାୟପୂର୍ଣ୍ଣ, ନିୟମ-ଆଧାରିତ ବୈଶ୍ୱିକ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ଲାଗି ସାମୂହିକ ପ୍ରୟାସ ନିମନ୍ତେ ଆହ୍ୱାନ କରିଥିଲେ। ଦୁଇ ନେତା ମିଳିତ ଜାତିସଂଘ ସୁରକ୍ଷା ପରିଷଦ ପ୍ରସଙ୍ଗରେ ଉଭୟ ପକ୍ଷଙ୍କ ମଧ୍ୟରେ ସମନ୍ୱୟକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ, ବିଶେଷ କରି ୨୦୨୨ରେ ଯେତେବେଳେ ଦୁଇ ଦେଶ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ସୁରକ୍ଷା ପରିଷଦର ନିର୍ବାଚିତ ସଦସ୍ୟ ରୂପରେ ୟୁଏଇର କାର୍ଯ୍ୟକାଳ ସମୟରେ ୟୁଏଇର ଉପଲବ୍ଧିକୁ ପ୍ରଶଂସା କରିଥିଲେ। ୟୁଏଇ ସଂଶୋଧିତ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତା ପାଇଁ ଭାରତର ଦାବି ପ୍ରତି ନିଜର ସମର୍ଥନ ଦୋହରାଇଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ନିଜ ପ୍ରତିନିଧି ମଣ୍ଡଳୀକୁ ମିଳିଥିବା ହାର୍ଦ୍ଦିକ ଆତିଥେୟ ପାଇଁ ମହାମହିମ ଶେଖ୍‌ ମହମ୍ମଦ ବିନ୍‌ ଜାୟେଦ ଅଲ୍‌ ନାହ୍ୟାନଙ୍କୁ ଧନ୍ୟବାଦ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ୯-୧୦ ସେପ୍ଟେମ୍ବର ୨୦୨୩ରେ ନୂଆଦିଲ୍ଲୀରେ ହେବାକୁ ଥିବା ଜି-୨୦ ନେତାମାନଙ୍କର ଶିଖର ସମ୍ମିଳନୀରେ ମହାମହିମ ଶେଖ୍‌ ମହମ୍ମଦ ବିନ୍‌ ଜାୟେଦ ଅଲ୍‌ ନାହ୍ୟାନଙ୍କ ଅଂଶଗ୍ରହଣକୁ ଆଗ୍ରହର ସହିତ ଅପେକ୍ଷା କରି ରହିଥିବା କହିଥିଲେ ।

ଉଭୟ ନେତା ବ୍ୟାପକ ରଣନୀତିକ ଭାଗିଦାରୀକୁ ଆହୁରି ମଜବୁତ କରିବା, ସହଯୋଗର ପ୍ରଗତିଶୀଳ କ୍ଷେତ୍ରକୁ ଅନୁସନ୍ଧାନ କରିବା ଏବଂ କ୍ଷେତ୍ରୀୟ ଓ ବ୍ୟାପକ କ୍ଷେତ୍ରରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧିକୁ ପ୍ରୋତ୍ସାହନ ଦେବା ଲାଗି ନିଜର ପ୍ରତିବଦ୍ଧତାକୁ ଦୋହରାଇଥିଲେ।

Categories
ବିଶେଷ ଖବର

ଫ୍ରାନ୍ସ ଓ ୟୁଏଇ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଭାଷଣ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଯାଇଛନ୍ତି। ଏହାପରେ ଆସନ୍ତା ୧୫ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ୟୁଏଇ ଗସ୍ତ କରିବେ। ତେବେ ଏହି ଗସ୍ତ ପୂର୍ବରୁ ଅର୍ଥାତ ବିମାନ ବନ୍ଦରରୁ ପ୍ରସ୍ଥାନ କରିବା ସମୟରେ ଏହି ଗସ୍ତକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ନିଜର ମନ୍ତବ୍ୟ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ମୋର ବନ୍ଧୁ ଫ୍ରାନ୍ସର ରାଷ୍ଟ୍ରପତି ମାନ୍ୟବର ଇମାନୁଏଲ ମାକ୍ରୋନ୍‌ଙ୍କ ନିମନ୍ତ୍ରଣ କ୍ରମେ ମୁଁ ଏକ ସରକାରୀ ଗସ୍ତରେ ଜୁଲାଇ ୧୩ ରୁ ୧୪ ତାରିଖ ପର୍ଯ୍ୟନ୍ତ ଫ୍ରାନ୍ସ ଯାଉଛି।

ଏହି ଗସ୍ତ ବିଶେଷ ସ୍ୱତନ୍ତ୍ର। କାରଣ ମୁଁ ଫ୍ରାନ୍ସର ଜାତୀୟ ଦିବସ ଅଥବା ପ୍ୟାରିସରେ ଅନୁଷ୍ଠିତ ବଷ୍ଟିଲ୍ ଡେ ଉତ୍ସବରେ ଅତିଥି ଅତିଥି ଭାବରେ ଯୋଗଦେବି। ବଷ୍ଟିଲ ଡେ ପ୍ୟାରେଡର ଭାରତୀୟ ସେନାର ତିନିଟି ଦଳ ଅଂଶବିଶେଷ ଥିବାବେଳେ ଭାରତୀୟ ବାୟୁସେନାର ବିମାନ ଏହି ଅବସରରେ ଏକ ଉଡାଣ କୌଶଳ ପ୍ରଦର୍ଶନ କରିବ।

ଏହି ବର୍ଷ ଆମର ରଣନୀତିକ ଭାଗିଦାରୀର ୨୫ ତମ ବାର୍ଷିକୀ ପାଳନ କରାଯାଉଛି।  ଗଭୀର ବିଶ୍ୱାସ ଏବଂ ପ୍ରତିବଦ୍ଧତାର ଅନୁରୂପ ଆମର ଦୁଇ ଦେଶ ପ୍ରତିରକ୍ଷା, ମହାକାଶ, ବେସାମରିକ, ଆଣବିକ, ଅର୍ଥନୀତି, ବାଣିଜ୍ୟ, ପୁଞ୍ଜି ବିନିଯୋଗ, ଶିକ୍ଷା, ସଂସ୍କୃତି ଏବଂ ଲୋକ ସମ୍ପର୍କ କ୍ଷେତ୍ରରେ ଘନିଷ୍ଠ ଭାବରେ ସହଯୋଗ କରନ୍ତି। ଆମେ ମଧ୍ୟ ଆଞ୍ଚଳିକ ଏବଂ ବିଶ୍ୱ ସ୍ତରୀୟ ପ୍ରସଙ୍ଗରେ ଏକତ୍ର କାର୍ଯ୍ୟ କରୁ।

ମୁଁ ରାଷ୍ଟ୍ରପତି ମାକ୍ରୋନ୍‌ଙ୍କୁ ଭେଟିବାକୁ ଏବଂ ଆଗାମୀ ୨୫ ବର୍ଷ ମଧ୍ୟରେ ଏହି ଦୀର୍ଘସ୍ଥାୟୀ ଏବଂ ସମୟ ପରୀକ୍ଷିତ ଭାଗିଦାରୀକୁ ଆଗକୁ ନେବା ପାଇଁ ବ୍ୟାପକ ଆଲୋଚନା କରିବାକୁ ଅପେକ୍ଷା କରିଛି। ୨୦୨୨ ମସିହାରେ ମୋର ଶେଷ ସରକାରୀ ଗସ୍ତ ପରଠାରୁ ରାଷ୍ଟ୍ରପତି ମାକ୍ରୋନଙ୍କୁ ଅନେକ ଥର ସାକ୍ଷାତ କରିବାର ସୁଯୋଗ ପାଇଛି। ନିକଟରେ ଜି -୭ ସମ୍ମିଳନୀ ସମୟରେ ଜାପାନର ହିରୋସିମାଠାରେ ସାକ୍ଷାତ କରିଥିଲି।

ମୁଁ ମଧ୍ୟ ଫ୍ରାନ୍ସର ନେତୃମଣ୍ଡଳୀ, ଫ୍ରାନ୍ସର ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀମତୀ ଏଲିଜାବେଥ ବୋର୍ନ, ସିନେଟର ସଭାପତି ମାନ୍ୟବର ଜେରାର୍ଡ ଲାରଚର ଏବଂ ନେସନାଲ ଆସେମ୍କିର ସଭାପତି ମାନ୍ୟବର ଶ୍ରୀମତୀ ୟେଲ ବ୍ରାଉନ୍‌-ପିଭେଟ୍‌ଙ୍କ ସହିତ ମୋର ପାରସ୍ପରିକ ଆଲୋଚନାକୁ ଅପେକ୍ଷା କରିଛି।

ମୋର ଏହି ଗସ୍ତ ସମୟରେ, ମୁଁ ଭାରତୀୟ ସମ୍ପ୍ରଦାୟ, ଉଭୟ ଦେଶର ଅଗ୍ରଣୀ ସିଇଓ ତଥା ଫ୍ରାନ୍ସର ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଭେଟିବାର ସୁଯୋଗ ପାଇବି। ମୁଁ ନିଶ୍ଚିତ ଯେ ମୋର ଗସ୍ତ ଆମର ରଣନୀତିକ ଭାଗିଦାରୀ ପାଇଁ ଏକ ନୂତନ ପ୍ରେରଣା ଯୋଗାଇବ।

ପ୍ୟାରିସରୁ ମୁଁ ଜୁଲାଇ ୧୫ ରେ ଏକ ସରକାରୀ ଗସ୍ତ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସର ଆବୁଧାବି ଯାତ୍ରା କରିବି। ମୁଁ ମୋର ବନ୍ଧୁ  ୟୁଏଇର ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ମାନ୍ୟବର ଶ୍ରୀ ଶେଖ ମହମ୍ମଦ ବିନ୍‍ ଜାଏଦ ଅଲ୍‍ ନାହ୍ୟାନଙ୍କୁ ଭେଟିବାକୁ ଅପେକ୍ଷା କରିଛି।

ଆମର ଦୁଇ ଦେଶ ବାଣିଜ୍ୟ, ପୁଞ୍ଜି ବିନିଯୋଗ, ଶକ୍ତି, ଖାଦ୍ୟ ନିରାପତ୍ତା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ଶିକ୍ଷା, ଫିନଟେକ୍‌, ପ୍ରତିରକ୍ଷା, ନିରାପତ୍ତା ଏବଂ ଦୃଢ ଲୋକ-ସମ୍ପର୍କ ଭଳି ବିଭିନ୍ନ କ୍ଷେତ୍ର ମଧ୍ୟରେ ଜଡିତ। ଗତ ବର୍ଷ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାଏଦ ଏବଂ ମୁଁ ଆମର ଭାଗିଦାରୀର ଭବିଷ୍ୟତ ବିଷୟରେ ଏକ ରୋଡମ୍ୟାପରେ ସହମତ ହୋଇଥିଲୁ ଏବଂ ତାଙ୍କ ସହ କିପରି ଆମର ସମ୍ପର୍କକୁ ଆହୁରି ଗଭୀର କରିହେବ ସେ ବିଷୟରେ ଆଲୋଚନା କରିବାକୁ ମୁଁ ଅପେକ୍ଷା କରିଛି।

ୟୁଏଇ ଚଳିତ ବର୍ଷ ଶେଷରେ ୟୁଏନଏଫ୍‍ସିସିସି (ସିଓପି-୨୮) ର ୨୮ ତମ ସମ୍ମିଳନୀ ଆୟୋଜନ କରିବ। ଶକ୍ତି ପରିବର୍ତ୍ତନ ଏବଂ ପ୍ୟାରିସ୍ ଚୁକ୍ତିନାମାକୁ କାର୍ଯ୍ୟକାରୀ କରିବା ପାଇଁ ଜଳବାୟୁ କ୍ଷେତ୍ରରେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ ବିଶ୍ୱ ସହଯୋଗକୁ ମଜବୁତ କରିବା ଉପରେ ମଧ୍ୟ ମତ ବିନିମୟ କରିବାକୁ ମୁଁ ଉତ୍ସକୁ ଅଛି।

ମୁଁ  ନିଶ୍ଚିତ  ଯେ ମୋର ୟୁଏଇ ଗସ୍ତ ଆମର ବିସ୍ତୃତ ରଣନୀତିକ ଭାଗିଦାରୀରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବ।”

Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର ଜାତୀୟ ଖବର

ପିଏମ ମୋଦୀଙ୍କ ୟୁଏଇ ଗସ୍ତ ଯୋଗୁଁ ପାକିସ୍ତାନ ବିବ୍ରତ: ସୋସିଆଲ ମିଡିଆରେ ରଚିଲା ଷଡଯନ୍ତ୍ର

ନୂଆଦିଲ୍ଲୀ: ବିଶ୍ୱ ମଞ୍ଚରେ ଭାରତର ଶକ୍ତି ବୃଦ୍ଧି ଯୋଗୁଁ ପାକିସ୍ତାନକୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୟୁଏଇ ଗସ୍ତ ସମୟରେ ତାଙ୍କୁ ଯେଉଁଭଳି ସ୍ୱାଗତ କରାଯାଇଥିଲା, ତାହା ପାକିସ୍ତାନକୁ ନିଦ ଉଡାଇ ନେଇଛି। ସୋସିଆଲ ମିଡିଆ ଆନାଲିସିସ୍ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡିଛି ଯେ, ଭାରତକୁ ବଦନାମ କରିବାର ଷଡଯନ୍ତ୍ରର ଏକ ଅଂଶ ଭାବରେ ଭାରତ ବିରୋଧରେ ନୂଆ ହ୍ୟାସଟ୍ୟାଗ ଟ୍ରେଣ୍ଡ ହୋଇଛି।

ସୋସିଆଲ ମିଡିଆରେ ଭାରତ ବିରୋଧରେ ହ୍ୟାସଟ୍ୟାଗ ଟ୍ରେଣ୍ଡ କରିବାକୁ ପାକିସ୍ତାନରେ ଏକ ‘ଟ୍ୱିଟ୍ ଆର୍ମି’ ଅଛି। ହଜାର ହଜାର ହ୍ୟାସଟ୍ୟାଗ୍ ଟୁଇଟ୍ ଏବଂ ଟ୍ରେଣ୍ଡ ହୋଇଛି। ସୂଚନାନୁସାରେ, ପାକିସ୍ତାନରୁ ବହୁ ସଂଖ୍ୟାରେ #ପ୍ରୋଫେଟମୁହମ୍ମଦ, #ବଏକଟଇଣ୍ଡିଆ, #ମୋଦି, #ଆରବ ଏବଂ #ନୁପୁରଶର୍ମା ଭଳି ହ୍ୟାସଟ୍ୟାଗ ଟ୍ରେଣ୍ଡ ହୋଇଥିଲା।

କେବଳ ଏତିକି ନୁହେଁ, ସାରା ବିଶ୍ୱରେ ବସିଥିବା ପାକିସ୍ତାନୀମାନେ ଫେକ ଲୋକେସନରୁ ୧ ଲକ୍ଷରୁ ଅଧିକ ଭାରତ ବିରୋଧୀ ମନ୍ତବ୍ୟ ଲେଖିଛନ୍ତି। ସୂଚନାନୁସାରେ ୪୦ ଟି ଭାଷା ଏବଂ ୩୦ ଟି ଦେଶରୁ ପ୍ରାୟ ୪୬ ହଜାର ପ୍ରୋଫାଇଲ୍ ମାଧ୍ୟମରେ ଭାରତ ବିରୁଦ୍ଧରେ ସମସ୍ତ ଭିତ୍ତିହୀନ ଜିନିଷ ସମଗ୍ର ବିଶ୍ୱରେ ବ୍ୟାପିଗଲା। ବୋଧହୁଏ, ଗଲ୍ଫ ଦେଶ ସହ ଭାରତର ସମ୍ପର୍କକୁ ନଷ୍ଟ କରିବାକୁ ଷଡଯନ୍ତ୍ରର ଏକ ଅଂଶ ଭାବରେ ନୁପୁର ଶର୍ମା ସହ ଜଡିତ ଏକ ହ୍ୟାସଟ୍ୟାଗ ପାକିସ୍ଥାନରୁ ଟ୍ରେଣ୍ଡ କରାଯାଇଥିଲା।

ସୂଚନାନୁସାରେ, ସାରା ବିଶ୍ୱରେ ସୋସିଆଲ ମିଡିଆରେ #ଷ୍ଟପଇନ୍ସଲ୍ଟିଂ_ପ୍ରୋଫେଟ୍ ମହମ୍ମଦ ଏବଂ #ନୁପୁରଶରାମା କୁ ସାରା ଦୁନିଆରେ ଟ୍ରେଣ୍ଡ କରିବା ପାଇଁ ପାକିସ୍ତାନରେ ସେହି ଟ୍ୱିଟର ହ୍ୟାଣ୍ଡେଲର ସାହାରା ନିଆଯାଇଥିଲା, ଯେଉଁଥିରେ ଯାହାର ହଜାରେ ଏବଂ ଲକ୍ଷ ଲକ୍ଷ ଅନୁସରଣକାରୀ ଅଛନ୍ତି।

#StopInsulting_ProphetMuhammad ଏବଂ #Nupursharama କୁ ଟ୍ରେଣ୍ଡ କରିବା ପାଇଁ ପାକିସ୍ତାନରେ ବୋଟ ଆକାଉଣ୍ଟ ବ୍ୟବହାର କରାଯାଇଥିଲା। ସୂଚନାଯୋଗ୍ୟ ଯେ କେବଳ ଏହି ଦୁଇଟି ହ୍ୟାସଟ୍ୟାଗରେ କେବଳ ପାକିସ୍ତାନରୁ ପ୍ରାୟ ୨୦ ହଜାର ଟ୍ୱିଟ୍ କରାଯାଇଥିଲା, ଯେଉଁଥିରେ ନପୁର ଶର୍ମା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତୀୟ ଜନତା ପାର୍ଟି ବିରୋଧରେ ଲେଖାଯାଇଥିଲା।