Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରିଲାଏନ୍ସ ଜିଓର ୫ଜି ଷ୍ଟାଣ୍ଡ-ଏଲୋନ ଟେକ୍ନୋଲୋଜିରେ ପ୍ରାଧାନ୍ୟ, ଭାରତକୁ ବିଶ୍ୱରେ କରାଇଛି ଅଗ୍ରଣୀ

ନୂଆଦିଲ୍ଲୀ: ୫ଜି ଷ୍ଟାଣ୍ଡାଲୋନ (ଏସଏ) ନେଟୱାର୍କ ସ୍ଥାପନରେ ଭାରତ ଆମେରିକା ଓ ୟୁରୋପକୁ ପଛରେ ପକାଇ ଦେଇଛି ଏବଂ ଏଥିରେ ରିଲାଏନ୍ସ ଜିଓ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଟେଲିକମ କ୍ଷେତ୍ରର ଅନୁଶୀଳନକାରୀ ସଂସ୍ଥା ଓକଲାର ସଦ୍ୟତମ ରିପୋର୍ଟ ଅନୁଯାୟୀ, ୫୨ ପ୍ରତିଶତ ୫ଜି ଷ୍ଟାଣ୍ଡାଲୋନ ଉପଲବ୍ଧତା ସହ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ଚୀନ ୮୦ ପ୍ରତିଶତ ଉପଲବ୍ଧତା ଉପଲବ୍ଧତା ସହ ଏହି ତାଲିକାରେ ଶୀର୍ଷରେ ରହିଛି। ୟୁରୋପରେ ଏହି ସଂଖ୍ୟା ମାତ୍ର ଏକ ପ୍ରତିଶତ ରହିଛି, ଯାହା ଭାରତର ଦ୍ରୁତ ଅଗ୍ରଗତିକୁ ଦର୍ଶାଉଛି। ଏହି ରିପୋର୍ଟ ଅନୁଯାୟୀ, ଭାରତରେ ୫ଜି ଷ୍ଟାଣ୍ଡାଲୋନ ନେଟୱାର୍କର ବ୍ୟାପକ ଉପଲବ୍ଧତା ପଛରେ ରହିଛି ଜିଓର ଦ୍ରୁତ ୫ଜି ନେଟୱାର୍କ ସମ୍ପ୍ରସାରଣ ଏବଂ ୭୦୦ ମେଗାହର୍ଜ ସ୍ପେକ୍ଟ୍ରମର ବ୍ୟାପକ ବ୍ୟବହାର। ଏହି ଲୋ-ବ୍ୟାଣ୍ଡ୍ ସ୍ପେକ୍ଟ୍ରମ୍ ସମଗ୍ର ଦେଶରେ ପ୍ରଭାବଶାଳୀ ଏବଂ ନିର୍ଭରଯୋଗ୍ୟ କଭରେଜ୍ ସୁନିଶ୍ଚିତ କରିଛି, ଯାହା ଗ୍ରାମାଞ୍ଚଳ ତଥା ସୁଦୂର ଅଞ୍ଚଳରେ ମଧ୍ୟ ୫ଜି ଉପଲବ୍ଧତାକୁ ସୁନିଶ୍ଚିତ କରିଛି।

ଭାରତ ୫ଜି ଷ୍ଟାଣ୍ଡାଲୋନ ଡାଉନଲୋଡ୍ ସ୍ପିଡରେ ମଧ୍ୟ ଆଗରେ ରହିଛି, ଯେଉଁଠାରେ ଜିଓ ସହାୟତାରେ ହାରାହାରି ସ୍ପିଡ଼ ୨୬୦.୭୧ ଏମବିପିଏସରେ ପହଞ୍ଚିଛି। ଏହାର ତୁଳନାରେ, ଚୀନରେ ୨୨୪.୮୨ ଏମବିପିଏସ ଏବଂ ଜାପାନରେ ୨୫୪.୧୮ ଏମବିପିଏସ ସ୍ପିଡ଼ ରେକର୍ଡ କରାଯାଇଥିବାବେଳେ ୟୁରୋପରେ ଏହା ମାତ୍ର ୨୨୧.୧୭ ଏମବିପିଏସ ରହିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ଭାରତୀୟ ୫ଜି ଷ୍ଟାଣ୍ଡାଲୋନ ନେଟୱାର୍କ ବିସ୍ତାରର ଦ୍ରୁତ ଗତିର ଶ୍ରେୟ ଟେଲିକମ୍ ଅପରେଟରଙ୍କ ଦ୍ୱାରା କରାଯାଇଥିବା ପୁଞ୍ଜିନିବେଶକୁ ଦିଆଯାଇଥିବା ବେଳେ, ଏଥିରେ ଜିଓ ସବୁଠାରୁ ଆଗରେ ରହିଛି। କମ୍ପାନୀର ଅଲ-ଆଇପି ନେଟୱାର୍କ ଏବଂ ଉନ୍ନତ ଟେକ୍ନୋଲୋଜି ଇକୋସିଷ୍ଟମ୍ ଭାରତକୁ ବିଶ୍ୱ ସ୍ତରରେ ୫ଜି ପ୍ରତିଦ୍ବନ୍ଦିତାରେ ଏକ ସଶକ୍ତ ପ୍ରତିଦ୍ବନ୍ଦୀ ଭାବରେ ଉପସ୍ଥାପିତ କରିଛି।

ଓକଲା ରିପୋର୍ଟ ସ୍ପଷ୍ଟ ଭାବେ ଦର୍ଶାଇଛି ଯେ ରିଲାଏନ୍ସ ଜିଓ ୫ଜି ଷ୍ଟାଣ୍ଡାଲୋନ ଯୁଗରେ ଭାରତକୁ ଅଗ୍ରଣୀ ସ୍ଥାନ ହାସଲରେ ପ୍ରମୁଖ ଭୂମିକା ନେଇଛି, ଯାହାଦ୍ୱାରା ଦେଶ ଡିଜିଟାଲ ବିପ୍ଳବରେ ଏକ ନୂତନ ଅଧ୍ୟାୟ ଯୋଡିଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଜିଓ ପକ୍ଷରୁ ଆକର୍ଷଣୀୟ ଆନ୍ତର୍ଜାତୀୟ ରୋମିଂ ପ୍ୟାକ୍ ସମୂହର ଶୁଭାରମ୍ଭ

ମୁମ୍ବାଇ /ଭୁବନେଶ୍ୱର: ଦେଶର ଅଗ୍ରଣୀ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ୟୁଏଇ, ଥାଇଲ୍ୟାଣ୍ଡ, କାନାଡା, ସାଉଦି ଆରବ, ୟୁରୋପ ଏବଂ କାରିବିୟାନ୍ ଦ୍ୱୀପପୁଞ୍ଜ ଭଳି ଦେଶଗୁଡିକୁ ଯାତ୍ରା କରୁଥିବା ଗ୍ରାହକଙ୍କ ପାଇଁ ସର୍ବୋତ୍ତମ ଆନ୍ତର୍ଜାତୀୟ ରୋମିଂ ପ୍ୟାକ ସମୂହ ଆରମ୍ଭ କରାଯାଇଛି। ଅଧିକ ଡାଟା, କମ୍ ଦର ଏବଂ ଅତିରିକ୍ତ ଫିଚର ସହିତ ଯାତ୍ରୀମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ନୂତନ ପ୍ୟାକ ଗୁଡିକର ପରିକଳ୍ପନା କରାଯାଇଛି।

ୟୁଏଇ, କାନାଡା, ଥାଇଲ୍ୟାଣ୍ଡ, ଏବଂ ସାଉଦି ଆରବ ପାଇଁ ଜିଓର ପ୍ୟାକ୍ ଅସୀମିତ ଇନକମିଙ୍ଗ ଏସଏମଏସ, ସ୍ଥାନୀୟ ଏବଂ ଆନ୍ତର୍ଜାତୀୟ ଆଉଟଗୋଇଙ୍ଗ କଲ୍ ଏବଂ ହାଇ ସ୍ପିଡ୍ ଡାଟା ପ୍ରଦାନ କରୁଛି। ଡାଟା ପ୍ୟାକ୍ ସରିଯିବା ପରେ ମଧ୍ୟ ଉପଭୋକ୍ତାମାନେ ୬୪ କେବିପିଏସ ସ୍ପିଡ଼ରେ ଅସୀମିତ ଇଣ୍ଟରନେଟ୍ ବ୍ୟବହାର କରିପାରିବେ। ଏଥି ସହିତ ଯେକୌଣସି ଦେଶରୁ ଆସୁଥିବା ଇନକମିଙ୍ଗ କଲ୍ ଗ୍ରହଣ କରାଯାଇପାରିବ ଏବଂ ୱାଇ-ଫାଇ କଲିଂ ମାଧ୍ୟମରେ ନିରବଛିନ୍ନ ଯୋଗାଯୋଗ ଉପଲବ୍ଧ ହୋଇପାରିବ।

ଜିଓ କାରିବିୟାନ୍ ଦ୍ୱୀପପୁଞ୍ଜର ୨୪ ଟି ଦେଶ ପାଇଁ ସ୍ୱତନ୍ତ୍ର ପ୍ୟାକ୍ ନେଇଆସିଛି, ଯେଉଁଥିରେ ୩୮୫୧ ଟଙ୍କା ପ୍ଲାନରେ ଇନଫ୍ଲାଇଟ୍ ସୁବିଧା ମଧ୍ୟ ଅନ୍ତର୍ଭୁକ୍ତ ରହିଛି ଏବଂ ଅସୀମିତ ଏସଏମଏସ, ତଥା ସ୍ଥାନୀୟ ଏବଂ ଭାରତକୁ ଆଉଟଗୋଇଙ୍ଗ କଲ୍ ସୁବିଧା ରହିଛି। ୟୁରୋପର ୩୨ ଟି ଦେଶ ପାଇଁ ରହିଥିବା ପ୍ୟାକ୍ ମଧ୍ୟ ସମାନ ସୁବିଧା ସାଙ୍ଗକୁ ମାଗଣା ଇନଫ୍ଲାଇଟ୍ ସେବା ପ୍ରଦାନ କରୁଛି। ଏଥିରେ ଅସୀମିତ ଇନକମିଙ୍ଗ ଏସଏମଏସ, ହାଇ ସ୍ପିଡ୍ ଡାଟା ଏବଂ ଯେକୌଣସି ଦେଶରୁ ଆସୁଥିବା ଇନକମିଙ୍ଗ କଲ୍ ଗ୍ରହଣ ସୁବିଧା ରହିଛି।

ବିଦେଶ ଯାତ୍ରା କରୁଥିବା ଗ୍ରାହକଙ୍କ ସୁବିଧା ପାଇଁ ଜିଓ ୩୨ ଟି ଆନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳରେ ଦରକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଛି, ଯାହା ବିଦେଶ ଭ୍ରମଣ ସମୟରେ ସଂଯୁକ୍ତ ରହିବା ଦିଗରେ ଅଧିକ ସୁଲଭ ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଆର୍ଥିକ କରିଡର ସହଯୋଗ, ଉଦ୍ଭାବନ ଏବଂ ମିଳିତ ପ୍ରଗତିର ପ୍ରତୀକ ହେବ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଆର୍ଥିକ କରିଡରକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଏହା ସହଯୋଗ, ନବସୃଜନ ଏବଂ ସହଭାଗୀ ପ୍ରଗତିର ପ୍ରତୀକ ହେବ ତଥା ସହଭାଗୀ ଆକାଂକ୍ଷା ଓ ସ୍ୱପ୍ନର ଯାତ୍ରା କରିବ।

ଏକ୍ସ ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ଏକ ପୋଷ୍ଟ କରି ଲେଖିଛନ୍ତି:

‘‘ସହଭାଗୀ ଆକାଂକ୍ଷା ଓ ସ୍ୱପ୍ନର ଯାତ୍ରା ଆରମ୍ଭ କରି, ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଆର୍ଥିକ କରିଡର ସହଯୋଗ, ଉଦ୍ଭାବନ ଏବଂ ସହଭାଗୀ ପ୍ରଗତିର ପ୍ରତୀକ ହେବାର ସମ୍ଭାବନା ସୃଷ୍ଟି କରିଛି। ଇତିହାସ ଯେମିତି ସାମ୍ନାକୁ ଆସୁଛି, ଏହି କରିଡର ବିଭିନ୍ନ ମହାଦେଶରେ ମାନବିକ ପ୍ରୟାସ ଓ ଏକତାର ପ୍ରମାଣ ହୋଇପାରିବ।’’

Categories
ଆଜିର ଖବର ରାଜ୍ୟ ଖବର

ସର୍ବୋଚ୍ଚ ଶିଖର ଆରୋହଣ କରିଥିବା ଇନ୍‌ଟର୍ଣ୍ଣଙ୍କୁ ସମ୍ବର୍ଦ୍ଧିତ କଲେ ସୋଆ ପ୍ରତିଷ୍ଠାତା ସଭାପତି

ଭୁବନେଶ୍ୱର: ୟୁରୋପର ସର୍ବୋଚ୍ଚ ଶିଖର ମାଉଂଟ ଏଲ୍‌ବ୍ରସ୍‌କୁ ସଫଳତାର ସହ ଆରୋହଣ କରିଥିବା ଡଃ ଆଦିତ୍ୟ ଖାଡଙ୍ଗାଙ୍କୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଶୁକ୍ରବାର ସମ୍ବର୍ଦ୍ଧିତ କରାଯାଇଛି। ସୋଆର ଫ୍ୟାକଲ୍ଟି ଅଫ୍ ମେଡିସିନ୍ ଇନ୍‌ଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଇନ୍‌ଟର୍ଣ୍ଣ ଭାବେ ଡଃ ଖାଡଙ୍ଗା କାର୍ଯ୍ୟ କରୁଛନ୍ତି।

ଗତ ଅଗଷ୍ଟ ୧୬ ତାରିଖ ଦିନ ପ୍ରତିକୂଳ ପାଗର ସାମ୍ନା କରି ୧୮,୫୧୦ ଫୁଟ ଉଚ୍ଚତାର ଏହି ଶୃଙ୍ଗକୁ ଡଃ ଖାଡଙ୍ଗା ଆରୋହଣ କରିଥିଲେ। ଦକ୍ଷିଣ ପଶ୍ଚିମ ଋଷର କାବାର୍ଡିନୋ-ବାଲ୍‌କାରିଆ ଅଂଚଳରେ ଅବସ୍ଥିତ ମାଉଂଟ ଏଲ୍‌ବ୍ରସ୍‌ରେ ଦୁଇଟି ସୁପ୍ତ ଆଗ୍ନେୟଗିରି ରହିଛି।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ଡଃ ଖାଡଙ୍ଗା ପୂର୍ବରୁ ଆଫ୍ରିକାର ୧୯,୩୪୧ ଫୁଟ ଉଚ୍ଚତା ବିଶିଷ୍ଟ ସର୍ବୋଚ୍ଚ ପର୍ବତ ମାଉଂଟ କିଲିମାଞ୍ଜାରୋ ଆରୋହଣ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ପ୍ରତିକୂଳ ପାଗ ଯୋଗୁଁ ଶିଖରରୁ ୫୦ ଫୁଟ ଦୂରତାରେ ଏହି ଉଦ୍ୟମରୁ ଓହରି ଯାଇଥିଲେ। ଆସନ୍ତା ଜାନୁଆରୀ ମାସରେ ଆର୍ଜେଂଟିନାରେ ଅବସ୍ଥିତ ୨୨,୮୩୭ ଫୁଟ ଉଚ୍ଚତାର ମାଉଂଟ ଆକୋନ୍‌କାଗୁଆ ଆରୋହଣ କରିବା ନିମନ୍ତେ ପ୍ର୍ରୟାସ କରିବାର ସେ ଯୋଜନା ରଖିଥିବା କହିଛନ୍ତି।

ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏହି ଯୁବ ପର୍ବତାରୋହୀଙ୍କୁ ତାଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତରେ ତାଙ୍କର ଅଧିକ ସଫଳତା କାମନା କରିଥିଲେ।

ଏହି ଅବସରରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ଡେପୁଟି ମେଡିକାଲ୍ ସୁପରିଟେଣ୍ଡେଂଟ ଡାକ୍ତର ରାଜେଶ ଲେଙ୍କା ଓ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଉପସ୍ଥିତ ଥିଲେ।

ବରଗଡ଼ ଅଂଚଳର ଡଃ ଖାଡଙ୍ଗା କହିଛନ୍ତି ଯେ ଖୁବ୍ କମ୍ ବୟସରୁ ପର୍ବତାରୋହଣ ପ୍ରତି ସେ ଆକର୍ଷିତ ହୋଇଥିଲେ ଏବଂ ଏଥିପାଇଁ ସେ ପ୍ରଶିକ୍ଷଣ ମଧ୍ୟ ନେଇଥିଲେ। ସେ ନିଜର ଅନୁଭୂତି ବଖାଣି କହିଥିଲେ ଯେ ଗତ ଅଗଷ୍ଟ ୧୫ ତାରିଖ ଦିନ ବିଳମ୍ବିତ ରାତ୍ରିରେ ଅସହ୍ୟ ଶୀତରେ ଓ ମାଇନସ୍ ୨୫ ଡିଗ୍ରୀ ସେଲ୍‌ସିୟସକୁ ଖସି ଆସିଥିବା ତାପମାତ୍ରାରେ ଏଲ୍‌ବ୍ରସ୍ ଶିଖରରେ ପହଂଚିବା ପାଇଁ ବେସ କ୍ୟାମ୍ପରୁ ସେମାନଙ୍କୁ ୯ ଘଂଟା ସମୟ ଲାଗିଥିଲା।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଭାରତର ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସମୂହର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଆମେରିକା ଓ ୟୁରୋପର କେତେକ ଆନ୍ତର୍ଜାତିକ ବ୍ୟାଙ୍କରେ ସୃଷ୍ଟି ହୋଇଥିବା ସଙ୍କଟ ପରିପ୍ରେକ୍ଷୀରେ ଭାରତର ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସମୂହର ପ୍ରସ୍ତୁତି, ବିଭିନ୍ନ ପଦକ୍ଷେପ, ସେମାନଙ୍କର କାରବାର ଓ ବ୍ୟାବସାୟିକ ସ୍ଥିତି, ପ୍ରଶାସନିକ ଓ ନିୟାମକ ବ୍ୟବସ୍ଥାର ଅନୁପାଳନ ଆଦି ସମ୍ପର୍କରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଏକ ଉଚ୍ଚସ୍ତରୀୟ ବୈଠକର ସମୀକ୍ଷା କରିଛନ୍ତି।

ସମୀକ୍ଷା ଅବସରରେ ଅର୍ଥମନ୍ତ୍ରୀ ସମ୍ପୃକ୍ତ ବ୍ୟାଙ୍କ ସମୂହର ପରିଚାଳନା ନିର୍ଦ୍ଦେଶକ, ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦିଙ୍କ ସହିତ ବିଦେଶରେ କେତେକ ପ୍ରମୁଖ ବ୍ୟାଙ୍କର ଖରାପ ଆର୍ଥିକ ସ୍ଥିତି ଓ ଭାରତୀୟ ବ୍ୟାଙ୍କ ବ୍ୟବସ୍ଥା ଉପରେ ଏହାର ସମ୍ଭାବ୍ୟ ପ୍ରଭାବ ସମ୍ପର୍କରେ ପଚାରି ବୁଝିଥିଲେ। ବିଶେଷକରି ଆମେରିକାର ସିଲିକନ୍ ର୍ୟାଲି ବ୍ୟାଙ୍କ ଓ ସିଗ୍ନେଚର ବ୍ୟାଙ୍କ ଭଳି ପ୍ରତିଷ୍ଠିତ ବ୍ୟାଙ୍କରେ ଯେଉ ଗୁରୁତର ଆର୍ଥିକ ସଙ୍କଟ ଏବଂ ଦେବାଳିଆ ପରିସ୍ଥିତି ସୃଷ୍ଟି ହୋଇଛି ଭାରତୀୟ ବ୍ୟାଙ୍କ ବ୍ୟବସ୍ଥାକୁ ତାହା ପ୍ରଭାବିତ କରିବ କି ନାହିଁ ତାହା ସେ ଜାଣିବାକୁ ଚାହିଁଥିଲେ। ଆହୁରି ମଧ୍ୟ ବାହ୍ୟ ବ୍ୟାଙ୍କ ବ୍ୟବସ୍ଥାରେ ଯେଉଁ ସଙ୍କଟ ଦେଖାଦେଇଛି ତାହାର ସମ୍ଭାବ୍ୟ ପ୍ରଭାବରୁ ଭାରତୀୟ ବ୍ୟାଙ୍କ ବ୍ୟବସ୍ଥାକୁ ସୁରକ୍ଷିତ ରଖିବାକୁ କି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ତାହା ସେ ବୁଝିଥିଲେ।

ଏହାଛଡା କ୍ରେଡିଟ୍ ସୁଇସ ସମ୍ପର୍କରେ ପ୍ରଭାବ ଭାରତୀୟ ବିତ୍ତୀୟ ଓ ନିବେଶ ବଜାରକୁ କେତେ ପରିମାଣରେ ପ୍ରଭାବିତ କରିବ ତାହା ମଧ୍ୟ ସେ ପଚାରି ବୁଝିଥିଲେ।

ସୂଚନାଯୋଗ୍ୟ ଯେ, ଆମେରିକା ଓ ୟୁରୋପର ପ୍ରମୁଖ ଆନ୍ତର୍ଜାତିକ ବ୍ୟାଙ୍କରେ ସଙ୍କଟ ସୃଷ୍ଟି ହେବା ପରେ କ୍ରେଡିଟ୍ ସୁଇସ୍ ଉପରେ ଏହାର ପ୍ରଭାବ ପଡିଛି। କ୍ରେଡିଟ୍ ସୁଇସ୍ ବା ସୁଇସ୍ କ୍ରେଡିଟ ଏକ ବୈଶ୍ୱିକ ନିବେଶ ଓ ଆର୍ଥିକ ସେବା ପ୍ରଦାନକାରୀ ଫାର୍ମ ଯାହା ସୁଇଜରଲାଣ୍ଡରେ ପ୍ରତିଷ୍ଠିତ ଓ ସେଠାରେ କାର୍ଯ୍ୟରତ। ଏହା ଘରୋଇ ବ୍ୟାଙ୍କିଂ, ନିବେଶ ବ୍ୟାଙ୍କିଂ, ଆସେଟ୍ ମ୍ୟାନେଜମେଣ୍ଟ ଆଦି କ୍ଷେତ୍ରରେ ବିଶ୍ୱବ୍ୟାପୀ ପ୍ରମୁଖ କେନ୍ଦ୍ରୀୟ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ବ୍ୟାଙ୍କ ତଥା ବିତ୍ତୀୟ ଅନୁଷ୍ଠାନକୁ ବିଶେଷଜ୍ଞ ସେବା ଯୋଗାଇଥାଏ। ଏଭଳି ସଙ୍କଟର ଉଭୟ ସ୍ୱଳ୍ପ ଓ ଦୀର୍ଘମିଆଦି ମୁକାବିଲା ସମ୍ପର୍କରେ ଭାରତୀୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନେ ଗ୍ରହଣ କରିଥିବା ଆଗୁଆ ପଦକ୍ଷେପ ସମ୍ପର୍କରେ ଅର୍ଥମନ୍ତ୍ରୀ ଅବଗତ ହୋଇଛନ୍ତି।

ଏହି ସମୀକ୍ଷା ବୈଠକ ଅବସରରେ ଅର୍ଥମନ୍ତ୍ରୀ ସୀତାରାମନ ସବୁ ପ୍ରକାର ଆଗୁଆ ସୁରକ୍ଷା ପଦକ୍ଷେପ ଉପରେ ଗୁରୁତ୍ୱ ଦେବା ସହିତ ଆମ ବ୍ୟାଙ୍କ ସମୂହର ନିୟନ୍ତ୍ରଣ ଓ ନିୟାମକ ବ୍ୟବସ୍ଥାର ଉପଯୁକ୍ତ ଅନୁପାଳନ ଉପରେ ଅଗ୍ରାଧିକାର ଦେଇଥିଲେ। ସେ କହିଥିଲେ ଯେ ଏଭଳି ସଙ୍କଟ ସମୟରେ ରିସ୍କ ମ୍ୟାନେଜମେଣ୍ଟ, ଜମାର ପରିବର୍ତ୍ତନ ଡାଇଭର୍ସଫିକେସନ ଓ ଆସେଟ୍ ବେସ୍ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପଡିବ।

ସେ ଆହୁରି କହିଥିଲେ ଯେ, ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସମୂହ ବ୍ୟାବସାୟିକ ନୀତି ଓ ଆଦର୍ଶକୁ ନିର୍ଭୁଲଭାବେ ପାଳନ କରିବା ସହିତ ଯେଉଁଠି କ୍ଷତି ବା ଆର୍ଥିକ ଚାପର ଆଶଙ୍କା ରହିଛି ତାକୁ ଚିହ୍ନଟ କରି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ଉଚିତ। ସେହିଭଳି ପ୍ରତିକୂଳ ପ୍ରଦର୍ଶନ ଓ ଗୋଟିଏ ସ୍ଥାନରେ ପୁଞ୍ଜିକୁ ଗଚ୍ଛିତ କରି ନ ରଖିବାକୁ ସେ ପରାମର୍ଶ ଦେଇଥିଲେ।

ସଂପ୍ରତି ବିଶ୍ୱରେ ଯେଉଁ ସଙ୍କଟ ଦେଖାଦେଇଛି ତାହାକୁ ଏକ ସୁଯୋଗ ଭାବେ ବ୍ୟବହାର କରି ଭାରତର ବ୍ୟାଙ୍କ ବ୍ୟବସ୍ଥାର ସଙ୍କଟ ପରିଚାଳନା ଓ ଯୋଗାଯୋଗ ରଣନୀତି ପ୍ରସ୍ତୁତ କରିବାକୁ ସେ ଆହ୍ୱାନ ଜଣାଇଛନ୍ତି।

ଏହି ବୈଠକରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାଗବତ କିଷନ କରଡ, ବିତ୍ତୀୟ ଓ ସେବା ବିଭାଗ ସଚିବ ଡକ୍ଟର ବିବେକ ଜୋଶୀ, ବିଭିନ୍ନ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ ପରିଚାଳକମାନେ ଯୋଗଦେଇଥିଲେ।

ସମ୍ପୃକ୍ତ ବ୍ୟାଙ୍କ ସମୂହର ଏମ୍ଡି ଓ ସିଇଓମାନେ ଅର୍ଥମନ୍ତ୍ରୀଙ୍କୁ ସେମାନେ ସାମ୍ପ୍ରତିକ ପରିସ୍ଥିତିରେ ଗ୍ରହଣ କରିଥିବା ପଦକ୍ଷେପଗୁଡିକ ସମ୍ପର୍କରେ ବୁଝାଇ କହିଥିଲେ। ଏବେ ଶ୍ରେଷ୍ଠ କର୍ପୋରେଟ ପ୍ରଶାସନ ନୀତିକୁ କାର୍ଯ୍ୟକାରୀ କରାଯାଉଛି ଓ ବ୍ୟବସ୍ଥା ତଥା ନିୟନ୍ତ୍ରଣକାରୀ ନୀତିନିୟମ ସବୁ ପାଳନ ହେଉଛି । ନଗଦ ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠ ନୀତି ଅବଲମ୍ବନ କରାଯାଉଛି।

ଏହାଛଡା ଏକ ଦୃଢ ଆସେଟ-ଲାଏବିଲିଟି ଓ ରିସ୍କ ମ୍ୟାନେଜମେଣ୍ଟ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଉଥିବାରୁ ଭାରତୀୟ ବ୍ୟାଙ୍କ ବ୍ୟବସ୍ଥା ପ୍ରତି ବିଶେଷ ବିପଦ ନାହିଁ ବୋଲି ସେମାନେ ଅର୍ଥମନ୍ତ୍ରୀଙ୍କୁ ବୁଝାଇ ଦେଇଥିଲେ। ସେମାନେ ଆହୁରି କହିଥିଲେ ଯେ ସାଂପ୍ରତିକ ବିଶ୍ୱ ବ୍ୟବସ୍ଥା ଉପରେ ତୀକ୍ଷ୍ଣ ନଜର ରହିଛି ଏବଂ ଯେ କୌଣସି ସମ୍ଭାବ୍ୟ ଆର୍ଥିକ ଧକ୍ମାର ମୁକାବିଲା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଦେଶର ବ୍ୟାଙ୍କ ବ୍ୟବସ୍ଥାର ସମସ୍ତ ବୃହତ ଆର୍ଥିକ ମାପକ ସ୍ଥିର ଅଛି ଏବଂ ବ୍ୟାଙ୍କର ଆର୍ଥିକ ଅବସ୍ଥା ସୁସ୍ଥ ରହିଛି।

ବ୍ୟାପକ ବିଚାର ଆଲୋଚନା ପରେ ଅର୍ଥମନ୍ତ୍ରୀ ରାଷ୍ଟ୍ରାୟ ବ୍ୟାଙ୍କଗୁଡିକୁ ସୁଧହାର ବିପଦ ନେଇ ସତର୍କ ରହିବାକୁ ପରାମର୍ଶ ଦେବା ସହିତ ନିୟମିତ ଷ୍ଟ୍ରେସ -ଟେଷ୍ଟ ବା ଚାପ ପରୀକ୍ଷା କରିବାକୁ କହିଥିଲେ। ଆହୁରି ମଧ୍ୟ ଗୁଜରାଟର ଗିଫ୍ଟସିଟିରେ ଥିବା ଆନ୍ତର୍ଜାତିକ ବିତ୍ତୀୟ ସେବା କେନ୍ଦ୍ର ଗୁଡିକରେ ଯେଉଁ ସବୁ ନୂଆ ଶାଖା ଖୋଲିଛି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସମୂହ ଏହାର ପୂର୍ଣ୍ଣ ସୁଯୋଗ ନେବାକୁ ସେ ପରାମର୍ଶ ଦେଇଥିଲେ। ଏହା ଫଳରେ ଆନ୍ତର୍ଜାତିକ ସୁବିଧା ସୁଯୋଗଗୁଡିକୁ ଚିହ୍ନଟ କରାଯାଇ ପାରିବ ଏବଂ ବିଦେଶରେ ଥିବା ଭାରତୀୟ ବଂଶୋଦ୍ଭବଙ୍କ ଠାରୁ ସମ୍ଭାବ୍ୟ ସହାୟତା ନେଇ ହେବ ବୋଲି ସେ କହିଥିଲେ।

ଏହି ଆଲୋଚନା କାଳରେ ରାଷ୍ଟ୍ରାୟ ବ୍ୟାଙ୍କର ମୁଖ୍ୟମାନଙ୍କୁ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତରମଣ ଆଉ କେତେକ ପରାମର୍ଶ ଦେଇଥିଲେ। ସେଥିମଧ୍ୟରେ ସରକାରଙ୍କ ନୂଆ ଟିକସ କୋହଳ ନୀତିର ଉପଯୋଗ କରି ବ୍ୟାଙ୍କର ଜମା ବୃଦ୍ଧି କରିବାକୁ ଉଦ୍ୟମ କରିବା, ଦେଶର ଯେଉଁ ଅଭିବୃଦ୍ଧିଶୀଳ କ୍ଷେତ୍ରରେ ପୁଞ୍ଜିର ଆବଶ୍ୟକତା ରହିଛି ସେଠି ଆବଶ୍ୟକ ପରିମାଣର ଋଣ ଯୋଗାଣ, ଯେଉଁ ରାଜ୍ୟରେ ଜାତୀୟ ହାରଠାରୁ କମ୍ ଋଣ ପ୍ରଦାନ କରାଯାଉଛି ସେଠାରେ ଋଣ ପରିମାଣକୁ ଆନୁପାତିକ ଭାବେ ବଢାଇବା, ଏକ ଜିଲ୍ଲା ଏକ ଉତ୍ପାଦ, ଇ-ନାମ ଓ ଡ୍ରୋନ ଆଦି ନୂଆ କ୍ଷେତ୍ରକୁ ଋଣଯୋଗାଣ ବୃଦ୍ଧି, ଉପକୂଳ ଓ ସୀମାନ୍ତ ଇଲାକାରେ ଅଧିକ ବ୍ୟାଙ୍କ ଶାଖା ଖୋଲିବା ଏବଂ ୨୦୨୩-୨୪ ବଜେଟ୍ରେ ଘୋଷଣା କରାଯାଇଥିବା ମହିଳା ସମ୍ମାନ ବଚତ୍ ପତ୍ରକୁ ପ୍ରୋତ୍ସାହିତ କରିବାକୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବା ଆଦି ଅନ୍ୟତମ।

Categories
ଆଜିର ଖବର ସ୍ବାସ୍ଥ୍ୟ

ଦୁନିଆରେ ପୁଣି ଚିନ୍ତା ବଢାଇଲା କରୋନା: ଦୁଇ ବର୍ଷ ପରେ ସାଂଘାଇ ସହରରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: କରୋନା ଭାଇରସ୍ ପୁଣି ଥରେ ବିଶ୍ୱକୁ ଭୟଭୀତ କରୁଛି। ୟୁରୋପରୁ ଜାପାନ ପର୍ଯ୍ୟନ୍ତ, କରୋନାର ଓମିକ୍ରନ୍ ଭାରିଆଣ୍ଟ ଲୋକମାନଙ୍କୁ ଅତି ଶୀଘ୍ର ସଂକ୍ରମଣ କରୁଛି, ବିଶେଷକରି ଚାଇନାରେ ଯେଉଁଠାରୁ କରୋନା ମହାମାରୀ ଆରମ୍ଭ ହୋଇଥିଲା। ମଙ୍ଗଳବାର ଦିନ ସାଂଘାଇରେ ରେକର୍ଡ ସଂଖ୍ୟକ ମାମଲା ଦେଖାଦେଇଛି। ସେହି ସହରରେ ମୋଟ ୪ ହଜାର ୪୭୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସାଂଘାଇ ଏହାର ବିଳାସପୂର୍ଣ୍ଣ କୋଠା, ଚମତ୍କାର ରାସ୍ତା ପାଇଁ ଜଣାଶୁଣା। ସାଂଘାଇକୁ ଏକ ବିଶ୍ୱ ଆର୍ଥିକ ହବ୍ ମଧ୍ୟ କୁହାଯାଏ, କିନ୍ତୁ ଆଜିକାଲି ସାଂଘାଇ ବଡ ଅସୁବିଧାରେ ଅଛି। ସାଂଘାଇର ରାସ୍ତାଗୁଡ଼ିକ ନିଛାଟିଆ ଏବଂ ପ୍ରାୟ ୨୦୬ ନିୟୁତ ଲୋକ ସେମାନଙ୍କ ଘରେ ବନ୍ଦ ହୋଇ ରହିଛନ୍ତି। କରୋନା ର ନୂଆ ତରଙ୍ଗ ହେତୁ ଏହା ଘଟିଛି। ଚାଇନାରେ ଦ୍ରୁତ ଗତିରେ ବ୍ୟାପିଥିବା ଓମିକ୍ରନ୍ ଯୋଗୁଁ, ସାଂଘାଇରେ କଡା ଲକ୍ଡାଉନ୍ ଲାଗୁ କରାଯାଇଛି, ଲୋକଙ୍କୁ କେବଳ କରୋନା ପରୀକ୍ଷା ପାଇଁ ଘରୁ ବାହାରକୁ ଯିବାକୁ ଅନୁମତି ଦିଆଯାଇଛି।