ରଞ୍ଜିତ୍ ପଣ୍ଡା
କୁଜଙ୍ଗ: ବ୍ରହ୍ମପୁରଠାରେ ୧୧କେଭି ବିଦ୍ୟୁତ ତାର ଟ୍ରାଜେଡି ପରେ ସାରା ରାଜ୍ୟରେ ବିପଦ ଶଙ୍କୁଳ ଅବସ୍ଥାରେ ଥିବା ସମସ୍ତ ୧୧କେଭି ତାର ତଥା ବିଦ୍ୟୁତ ଖୁଣ୍ଟ ନିର୍ମାଣକୁ ବେଶ୍ ଜୋର ଦିଆଯାଇଛି। ଏହି କ୍ରମରେ କୁଜଙ୍ଗ ବ୍ଲକ ଅନ୍ତର୍ଗତ ରାହମାଠାରୁ ପଙ୍ଗପାଳ ରାସ୍ତାରେ ୧୧ କେଭି ବିଦ୍ୟୁତ୍ ତାର ନିମନ୍ତେ ବିଦ୍ୟୁତ ଖୁଣ୍ଟର ମରାମତି କାମ ଚାଲିଛି। ତେବେ ଏହି କାର୍ଯ୍ୟକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି।
ମିଳିଥିବା ସୂଚନା ଅନୁସାରେ ଓପିଟିସିଏଲ୍ ତରଫରୁ ୧୧କେଭି ବିଦ୍ୟୁତ୍ ତାର ଓ ଖୁଣ୍ଟ ମରାମତି କାର୍ଯ୍ୟକୁ ଏଠାରେ ଗୁପ୍ତା ପାଓ୍ବାର ଇନ୍ଫ୍ରାଟକ୍ଚର ଏଠାରେ କରୁଥିବାବେଳେ ଏହି ବିଦ୍ୟୁତ ଖୁଣ୍ଟର ସ୍ଥାୟୀତ୍ବକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଦ୍ୟୁତ ଖୁଣ୍ଟଗୁଡିକୁ କେନାଲ୍ ଭିତରେ ପୋତା ଯାଉଥିବାବେଳେ ବିଦ୍ୟୁତ୍ ଖୁଣ୍ଟରେ ବ୍ୟବହୃତ ହେଉଥିବା କଂକ୍ରିଟ୍ ଅତ୍ୟନ୍ତ ନିମ୍ନମାନର।
ସରକାର କେ ମାଲ୍ ଦରିଆ ପେ ଡାଲ୍ ପରି ବିଦ୍ୟୁତ ଖୁଣ୍ଟ କୁ ନେଇ ଚାଲିଥିବା ଅନିୟମିତତା ଏବେ ସାଧାରଣରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଦ୍ୟୁତ ଖୁଣ୍ଟକୁ ନେଇ ଏଠାରେ କରାଯାଉଥିବା ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟକୁ ସାଧାରଣରେ ବିରୋଧ କରାଯାଉଛି। ବିଦ୍ୟୁତ ଖୁଣ୍ଟଗୁଡିକୁ ଉତ୍ତମ ରୂପେ ପୋତା ଯିବା ତଥା ଏଥିରେ ଉପଯୁକ୍ତ ପରିମାଣରେ କଂକ୍ରିଟ ବ୍ୟବହାର କରାଯିବା ନେଇ ଦାବି କରାଯାଇଛି। ନିମ୍ନମାନର ତଥା ଅସ୍ଥାୟୀ କାର୍ଯ୍ୟ କରି ସରକାରଙ୍କ ପଇସାକୁ ପାଣିରେ ପକାଇବାକୁ ଚାହୁଁଥିବା ଏପରି ଅସାଧୁ ଗୋଷ୍ଠୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ଏନେଇ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ସାଧାରଣରେ ଦାବି କରାଯାଉଛି।