Categories
ଆଜିର ଖବର ରାଜ୍ୟ ଖବର

ଲୁଟେରାଙ୍କୁ ଲାଗିବ ଲଗାମ!: ପିତାପଲ୍ଲୀ ଠାରୁ ବାଲୁଗାଁ ପର୍ଯ୍ୟନ୍ତ ରାଜପଥରେ ଆରମ୍ଭ ହେଲା ପାଟ୍ରୋଲିଂ ବ୍ୟବସ୍ଥା

ଖୋର୍ଦ୍ଧା: ଆଜି ମୁଖ୍ୟମନ୍ତ୍ରୀ ଭର୍ଚୁଆଲ କନଫରେନ୍ସ ମାଧ୍ୟମରେ ୧୬ ନମ୍ବର ଜାତୀୟ ରାଜପଥର ପୋଲିସ ପାଟ୍ରୋଲିଂ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ୧୬ ନମ୍ବର ଜାତୀୟ ରାଜପଥର ପିତାପଲ୍ଲୀ ଠାରୁ ବାଲୁଗାଁ ପର୍ଯ୍ୟନ୍ତ ଏହି ପାଟ୍ରୋଲିଂ ବ୍ୟବସ୍ଥା କାର୍ଯ୍ୟ କରିବ। ଏହା ଦ୍ଵାରା ଏହି ରାଜପଥରେ ଯାତାୟାତ କରୁଥବା ଯାତ୍ରୀ ବିଶେଷ ଉପକୃତ ହେବେ ବୋଲି ଆଶା କରାଯାଉଛି। ଏହା ଦ୍ଵାରା ଚୋରୀ ଡକାୟତି ରୋକିବା ସହ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇପାରିବ।

ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାଞ୍ଚଳ ପୋଲିସ ଡ଼ି.ଆଇ.ଜି. ଆଶିଷ ସିଂ, ଖୋର୍ଦ୍ଧା ଜିଲ୍ଲାପାଳ ସନତ ମହାନ୍ତି, ଚିଲିକା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ପ୍ରଶାନ୍ତ କୁମାର  ଜଗଦ୍ଦେବ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଏହି ବ୍ୟବସ୍ଥାକୁ ତିନୋଟି ଭାଗରେ ଭାଗ କରାଯାଇଛି। ପ୍ରଥମ ପାଟ୍ରୋଲିଙ୍ଗ ଗାଡି ପିତାପଲ୍ଲୀ ଠାରୁ ଗୋଡିପଡ଼ା ପର୍ଯ୍ୟନ୍ତ ତଦାରଖ କରିବ, ଦ୍ଵିତୀୟ ଗାଡ଼ି ଗୋଡିପଡ଼ା ଠାରୁ କୁହୁଡି ପର୍ଯ୍ୟନ୍ତ ଏବଂ ତୃତୀୟ ଗାଡ଼ି କୁହୁଡି ଠାରୁ ବାଲୁଗାଁ ନାଭାଲ ଛକ ପର୍ଯ୍ୟନ୍ତ ତଦାରଖ କରିବ ବୋଲି ଚିଲିକା ବିଧାୟକ ପ୍ରକାଶ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଏହି ଜାତୀୟ ରାଜପଥରେ ଦିନକୁ ଦିନ ଲୁଟପାତ ସଂଖ୍ୟା ବଢୁଥିବା ବେଳେ ଦୁର୍ଘଟଣା ସଂଖ୍ୟାରେ ମଧ୍ୟ ବୃଦ୍ଧି ପାଉଛି। ତେବେ ଏହା ଦ୍ଵାରା ଲୁଟେରା କବଳରୁ ଲଗାମ ଲାଗିବ ବୋଲି ଆଶା କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ସୋଲରି ଜାତୀୟ ରାଜପଥରେ ସିରିଜ ସଡ଼କ ଦୁର୍ଘଟଣା: ଦୁଇ ଗୁରୁତର

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ସୋଲରି ୧୬ ନମ୍ବର ଜାତୀୟ ରାଜପଥ ନିକଟସ୍ଥ ପ୍ରାଣଦେଇପୁର ଛକରେ ଏକ ସିରିଜ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଦୁଇ ଜଣ ଗୁରୁତର ଆହତ ହୋଇ ଚିକିତ୍ସତ ହେଉଛନ୍ତି।

ସଂଗୃହିତ ତଥ୍ୟ ମୁତାବକ ଦୁଇ ଦିନ ପୂର୍ବରୁ ରାଉରକେଲାରୁ ବାଣପୁର ଯାଉଥିବା ସରିଆ ବୋଝେଇ ଟ୍ରକଟି (ଓଡି-୧୪ବି ୧୩୮୩) ପ୍ରାଣଦେଇପୁର ଛକରେ ଖରାପ ହୋଇଯିବାରୁ ସେଠାରେ ଅଟକିଯାଇଥିଲା। ତେବେ ସଂଧ୍ୟାରେ ଟ୍ରକଟିକୁ ମରାମତି କରି ଟ୍ରକ ଚାଳକ ବାଣପୁର ଯିବା ଉଦ୍ଦେଶ୍ୟରେ ସୋଲରି ୧୬ ନମ୍ବର ଜାତୀୟ ରାଜପଥ ଜଗନ୍ନାଥ ରାଇସ ମିଲ ସମ୍ମୁଖରେ ଠିଆ କରିଥିଲେ। ଗତକାଲି ପାଖପାଖି ରାତ୍ରି ୮ ଘଟିକା ସମୟରେ ରାଉରକେଲାରୁ ଗୋପାଳପୁର ପୋର୍ଟ ଯାଉଥିବା ଏକ ଆଇରନ ବୋଝଇ ଟ୍ରକ (ଓଡି-୦୭ ଏଏ ୧୦୪୭) ପୂର୍ବରୁ ଠିଆ ହୋଇଥିବା ଟ୍ରକକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା। ଯାହାଫଳରେ ଟ୍ରକର ଆଗ ପାର୍ଶ୍ଵ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲାବେଳେ ଟ୍ରକ ହେଲ୍ପର ଚାପି ହୋଇ ରହିଯାଇଥିଲେ।

ତେବେ ଟ୍ରାଫିକ ଜାମ ହୋଇଯାଇଥିବାରୁ ସ୍ଥାନୀୟ ଜୀବନଦେଇପୁର ଗ୍ରାମର ଜଣେ ବାଇକ ଚାଳକ ( ଓଡି-୦୨ ଭି ୬୦୬୪) ବାଲୁଗାଁ ଆଡକୁ ଆସୁଥିବାବେଳେ ଭାରସାମ୍ୟ ହରାଇ ଅନ୍ୟ ଏକ ଡିଜେଲ ଲୋଡ଼ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲେ। ଫଳରେ ବାଇକଟି ଭାଙ୍ଗିଯିବା ସହ ବାଇକ ଚାଳକ ଗୁରୁତର ଆହତ ହୋଇଥିଲେ।

ଖବର ପାଇ ବାଲୁଗାଁ ପୋଲିସ ଘଟଣାସ୍ଥଳରେ ପହଁଚି ଉଭୟ ଗୁରୁତର ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି। ପୋଲିସ ସମସ୍ତ ଗାଡ଼ିଗୁଡ଼ିକୁ ଜବତ କରି ତଦନ୍ତ ଜାରି ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ଭଦ୍ରକ ଏସପି ଚରଣ ସିଂ ମୀନାଙ୍କ ଗାଡିକୁ ପିଟିଲା ଟ୍ରକ: ଡ୍ରାଇଭର ଅଟକ

ଭଦ୍ରକ: ଭଦ୍ରକ ଏସପି ଚରଣ ସିଂ ମୀନା ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏସପି ଗାଡିରେ ଯାଉଥିବା ବେଳେ ଏକ ଟ୍ରକ ତାଙ୍କ ଗାଡିକୁ ଧକ୍କା ଦେଇଥିଲା। ୧୬ ନମ୍ବର ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ମୁତାବକ, ଭଦ୍ରକ ଏସପି ଚରଣ ସିଂ ମିନା ୧୬ ନମ୍ବର ଜାତୀୟ ରାଜପଥର ଆଖୁଆପଦାଠାରେ କିଛି କାମ ସାରି ଗାଡିରେ ଫେରୁଥିଲେ। କିନ୍ତୁ ଏହି ସମୟରେ ଏକ ମାଲବାହୀ ଟ୍ରକ ଆସି ଏସ୍‌ପିଙ୍କ ଗାଡିକୁ ପାର୍ଶ୍ବରୁ ଧକ୍କା ଦେଇଥିଲା। ଯାହାଫଳରେ ଏସ୍‌ପିଙ୍କ ଗାଡି ଦୁର୍ଘଟଣାର ଶିକାର ହୋଇଥିଲା। ଏସପିଙ୍କର କାର ଭାଙ୍ଗିରୁଜି ଚୁରମାର ହୋଇଯାଇଥିବା ବେଳେ ସୌଭାଗ୍ୟ ବଶତଃ ସେ ସୁରକ୍ଷିତ ଅଛନ୍ତି।

ତେବେ ଖବର ପାଇ ଭଣ୍ଡାରିପୋଖରୀ ପୋଲିସ ଟ୍ରକର ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରଖିଛି।