ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱତନ୍ତ୍ର ଗୁଣବତ୍ତା ସମ୍ପନ୍ନ ୩୫ଟି ବିଭିନ୍ନ ପ୍ରଜାତିର ଶସ୍ୟକୁ ଆଜି ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ସମାରୋହରେ ଶ୍ରୀ ମୋଦୀ ନବନିର୍ମିତ ରାୟପୁର ସ୍ଥିତ ଜାତୀୟ ବାୟୋଟିକ ଷ୍ଟ୍ରେସ ମ୍ୟାନେଜମେଂଟ ପ୍ରତିଷ୍ଠାନକୁ ମଧ୍ୟ ଦେଶ ଉଦ୍ଦେଶ୍ୟରେ ସମର୍ପଣ କରିଥିଲେ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କୃଷି ବିଶ୍ୱବିଦ୍ୟାଳୟ ଗୁଡିକୁ ଗ୍ରୀନ୍ କ୍ୟାମ୍ପସ ସମ୍ମାନ ମଧ୍ୟ ପ୍ରଦାନ କରିଥିଲେ । ନୂଆ ନୂଆ ପଦ୍ଧତି ଅନୁସରଣ କରୁଥିବା ଚାଷୀମାନଙ୍କ ସହ ମତ ବିନିମୟ କରିବା ଲାଗି ସେ ସମବେତ ଜନତାଙ୍କୁ ମଧ୍ୟ ଉଦ୍ବୋଧନ ଦେଇଥିଲେ ।
ଜମ୍ମୁ ଓ କଶ୍ମୀର ରାଜ୍ୟର ଗନ୍ଦରବାଲସ୍ଥିତ ଶ୍ରୀମତୀ ଜୟତୁନ ବେଗମଙ୍କ ସହ କଥାବାର୍ତ୍ତା କାଳରେ ପ୍ରଧାନମନ୍ତ୍ରୀ ଶ୍ରୀମତୀ ବେଗମ୍ କିପରି ଅତ୍ୟାଧୁନିକ କୃଷି ପଦ୍ଦତି ପ୍ରୟୋଗ କରି ଅନ୍ୟାନ୍ୟ ଚାଷୀମାନଙ୍କୁ ତାଲିମ ଦେବା ସହ ଉପତ୍ୟକାରେ ବାଳିକା ଶିକ୍ଷାକୁ ଆଗେଇ ନେବା ବିଷୟ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ କ୍ରୀଡାରେ ମଧ୍ୟ ଜମ୍ମୁ ଓ କଶ୍ମୀରର ଝିଅମାନେ ଉନ୍ନତ ପ୍ରଦର୍ଶନ କରୁଛନ୍ତି । ସେ କହିଥିଲେ ଯେ ଅଳ୍ପ ଜମି ଥିବା ଚାଷୀମାନଙ୍କ ପ୍ରତି ସରକାର ଅଗ୍ରାଧିକାର ଦେଉଛନ୍ତି ଓ ସେମାନେ ଏହାର ସୁବିଧା ସିଧାସଳଖ ପାଉଛନ୍ତି । ଉତ୍ତରପ୍ରଦେଶ ବୁଲନ୍ଦ ସହରର ଜନୈକ ଚାଷୀ କୁଲୱନ୍ତ ସିଂଙ୍କୁ ପ୍ରଧାନମନ୍ତ୍ରୀ ସେ ଦିଗରେ କିପରି ବିଭିନ୍ନ କିସମର ବିହନ ଉତ୍ପାଦନ କରୁଛନ୍ତି ବୋଲି ପଚାରିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କୁ କୃଷି ପ୍ରତିଷ୍ଠାନ ପୁଷାର ବୈଜ୍ଞାନିକମାନଙ୍କ ସହ ଆଲୋଚନା ଯୋଗୁଁ କି ପ୍ରକାର ସଫଳତା ହାସଲ ହୋଇଛି ପଚାରିଥିଲେ । ଚାଷୀଙ୍କ ଦ୍ୱାରା ନିଜ ଶସ୍ୟର ପ୍ରକ୍ରିୟାକରଣ ପାଇଁ ଏହାର ପ୍ରଶଂସା କରିଥିଲେ। ବଜାର ସୁବିଧା, ଉନ୍ନତ ମାନର ବିହନ, ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ଇତ୍ୟାଦି ଦ୍ୱାରା ସରକାର ଚାଷୀମାନଙ୍କ ଉତ୍ତମ ମୂଲ୍ୟ ଦେବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଗୋଆ, ବାର୍ଡେଜର ଶ୍ରୀମତୀ ଦର୍ଶନା ପେଦେଙ୍କରଙ୍କୁ ସେ କିପରି ବିବିଧ ଫସଲ ଉତ୍ପାଦନ କରିବା ସହ ପଶୁପାଳନ କରୁଥିବା ପଚାରିଥିଲେ । ସେ ନଡିଆ ଚାଷୀଙ୍କ ଲାଭ ଉପରେ ମଧ୍ୟ ପଚାରିଥିଲେ । ମହିଳା ଚାଷୀ ଉଦ୍ୟୋଗପତି ଭାବେ ଉଭା ହେଉଥିବାରୁ ଶ୍ରୀ ମୋଦୀ ଏଥିରେ ସନ୍ତୋଷବ୍ୟକ୍ତ କରିଥିଲେ ।
ମଣିପୁରର ଶ୍ରୀ ଥୋଇବା ସିଂଙ୍କ ସହ କଥାବାର୍ତ୍ତାବେଳେ ପ୍ରଧାନମନ୍ତ୍ରୀ ସଶସ୍ତ୍ର ସେନାରୁ ଅବସର ଗ୍ରହଣ ପରେ ଚାଷରେ ମନୋନିବଶେ କରିଥିବାରୁ ତାଙ୍କୁ ଧନ୍ୟବାଦ ଦେଇଥିଲେ । ସେ କୃଷି ସହ ମତ୍ସ୍ୟପାଳନ ଓ ଅନ୍ୟାନ୍ୟ କୃଷି କାର୍ୟ୍ୟ କରୁଥିବାରୁ ପ୍ରଧାନମନ୍ତ୍ରୀ ତା’ର ପ୍ରଶଂସା କରି ଜୟଜବାନ, ଜୟକିଶାନ, ଜୟ ବିଜ୍ଞାନର ଉଦାହରଣ ଦେଇଥିଲେ ।
ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡ ଉଦାମସିଂହ ନଗରର ଶ୍ରୀ ସୁରେଶ ରାଣାଙ୍କୁ କିପରି ସେ ଫସଲ ଆରମ୍ଭ କଲେ ପଚାରିଥିଲେ ।
ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡର ଚାଷୀମାନେ କୃଷି ଉତ୍ପାଦକ ସଂଘ(ଏଫପିଓ) ପରାମର୍ଶ ମାନି କାର୍ୟ୍ୟ କରୁଥିବାରୁ ଅଭିନନ୍ଦନ ଜଣାଇବା ସହ କୃଷକମାନେ ମିଳିମିଶି କାମ କଲେ ଲାଭାନ୍ୱିତ ହେବେ ବୋଲି କହିଥିଲେ। ସରକାର କୃଷକଙ୍କୁ ସମସ୍ତ ଅର୍ଥ ଓ ଭିତ୍ତିଭୂମି ଯୋଗାଇବାକୁ ଚେଷ୍ଟା କରୁଛନ୍ତି ବୋଲି କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ଛଅ-ସାତବର୍ଷ ମଧ୍ୟରେ କୃଷିରେ ଥିବା ଆହ୍ୱାନଗୁଡିକର ମୁକାବିଲା ନିମନ୍ତେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବହୁଳ ଉପଯୋଗ କରାଯାଉଛି । ଆମେ ନୂତନ ପରିସ୍ଥିତିକୁ ସୁହାଇଲା ଭଳି ଅଧିକ ପୌଷ୍ଟିକ ବିହନ, ବିଶେଷକରି ଜଳବାୟୁ ଭିତ୍ତିକ ପରିବର୍ତ୍ତନରେ ଦେବା ପାଇଁ ପ୍ରାଧାନ୍ୟ ଦେଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
କରୋନା ବୈଶ୍ୱିକ ମହାମାରୀ କାଳରେ କିପରି ଗତବର୍ଷ ଅନେକ ରାଜ୍ୟରେ ପଙ୍ଗପାଳ ଆକ୍ରମଣ ହୋଇଥିଲା ତାହାର ସ୍ମୃତିଚାରଣ କରିଥିଲେ । ଚାଷୀମାନେ ଘୋର କ୍ଷତିର ସମ୍ମୁଖୀନ ହେବା ପୂର୍ବରୁ ଭାରତ ପ୍ରଗାଢ ଉଦ୍ୟମ କରି ଏହି ପରିସ୍ଥିତିରୁ ଚାଷୀମାନଙ୍କୁ ରକ୍ଷା କରିପାରିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ଚାଷ ଏବଂ ଚାଷୀ ସୁରକ୍ଷା ଜାଲ ଭିତରେ ରହନ୍ତି ସେତେବେଳେ ସେମାନଙ୍କ ଅଭିବୃଦ୍ଧି ମଧ୍ୟ ଦୃତ ହୋଇଥାଏ । ଜମିର ସୁରକ୍ଷା ପାଇଁ ୧୧କୋଟି ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡଜାରୀ କରାଯାଇଛି । ଚାଷୀଙ୍କୁ ସୁହାଇଲା ଭଳି ଶହେଟି ବାକି ପଡିଥିବା ଜଳସେଚନ ପ୍ରକଳ୍ପ କାର୍ୟ୍ୟ ଶେଷ କରି ଚାଷୀମାନଙ୍କୁ ପାଣି ଯୋଗାଇବା ସହ, ଶସ୍ୟ ସୁରକ୍ଷା କରି ଅଧିକ ଅମଳ ପାଇବା ପାଇଁ ଉନ୍ନତ କିସମର ବିହନ ଯୋଗାଇ ଦିଆଯାଉଛି ।
ନ୍ୟୁନତମ ସହାୟକ ମୂଲ୍ୟ ବୃଦ୍ଧି ସହ ଶସ୍ୟ ସଂଗ୍ରହ ପ୍ରକ୍ରିୟାକୁ ମଧ୍ୟ ଅଧିକ ଉନ୍ନତ କରାଯାଇଛି । ଏହା ଚାଷୀଙ୍କୁ ବେଶ୍ ସୁହାଉଛି । ରବି ଋତୁରେ ୪୩୦ ଲକ୍ଷ ଟନ୍ ଗହମ ସଂଗ୍ରହ କରାଯାଇ ଚାଷୀମାନଙ୍କୁ ୮୫ହଜାର କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି । ବୈଶ୍ୱିକ ମହାମାରୀ କାଳରେ ଗହମ ସଂଗ୍ରହ କେନ୍ଦ୍ର ତିନିଗୁଣ ବୃଦ୍ଧି କରାଯାଇଥିବା ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚାଷୀମାନଙ୍କୁ ପ୍ରଯୁକ୍ତିଜ୍ଞାନ ଓ ସହ ଯୋଡିବା ଯୋଗୁଁ ସେମାନେ ବ୍ୟାଙ୍କରୁ ଋଣ ପାଇପାରୁଛନ୍ତି । ଆଜିକାଲି ଚାଷୀମାନେ ପାଣିପାଗ ଖବର ମଧ୍ୟ ସହଜରେ ପାଇପାରୁଛନ୍ତି । ନିକଟରେ ଦୁଇକୋଟିରୁ ଅଧିକ ଚାଷୀ ପରିବାଙ୍କୁ କିଶାନ କ୍ରେଡିଟ୍ କାର୍ଡ ଯୋଗାଇ ଦିଆଯାଇଛି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜଳବାୟୁ ପରିବର୍ତ୍ତନ ଯୋଗୁ ନୂଆ ନୂଆ ରୋଗ, କୀଟପତଙ୍କ ଓ ମହାମାରୀଦେଖାଦେଉଛି । ଯାହାକି ମାନବ ସମାଜ ସହିତ ଗୃହପାଳିତ ପଶୁ ଓ ଫସଲ ପାଇଁ ଚିନ୍ତାର କାରଣ ପାଲଟିଛି । ଏଥିନେଇ ସୁଦୀର୍ଘ ଗବେଷଣାର ଆବଶ୍ୟକତା ରହିଛି । ଯେତେବେଳେ ବିଜ୍ଞାନ ଓ ସମାଜ ଏକାଠି କାର୍ୟ୍ୟ କରିବେ ଫଳାଫଳ ମଧ୍ୟ ଭଲ ହେବ । କୃଷକ ଓ ବିଜ୍ଞାନୀଙ୍କ ଯୋଗସୂତ୍ର ସ୍ଥାପନ ହେଲେ ତାହା ନୂତନ ଆହ୍ୱାନର ସମ୍ମୁଖୀନ ହେବା ସହ ଦେଶକୁ ଶକ୍ତି ମଧ୍ୟ ପ୍ରଦାନ କରିବ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚାଷୀମାନଙ୍କୁ କେବଳ ଫସଲ ଛାଡି ଅନ୍ୟ ଅଧିକ ଲାଭ ପ୍ରଦାନକାରୀ କାର୍ୟ୍ୟ ପାଇଁ ପ୍ରୋତ୍ସାହନ ଦିଆଯାଉଛି । ବିଜ୍ଞାନ ଓ ଗବେଷଣା ଦ୍ୱାରା ବାଜରା ଜାତୀୟ ଶସ୍ୟ ଅଧିକ ଉତ୍ପାଦନର ଆବଶ୍ୟକତା ରହିଛି । ଏହାର ଉଦ୍ଦେଶ୍ୟ ହେଲା ସ୍ଥାନୀୟ ଆବଶ୍ୟକତା ଅନୁସାରେ ଉତ୍ପାଦନ ଦେଶର ଅନ୍ୟାନ୍ୟ ସ୍ଥାନରେ କରାଯାଇପାରିବ । ଆସନ୍ତାବର୍ଷକୁ ଜାତିସଂଘ ଆନ୍ତର୍ଜାତୀୟ ବାଜରା ବର୍ଷ ଘୋଷଣା କରିଥିବାରୁ ଚାଷୀମାନେ ଏହାର ସୁଯୋଗ ନେବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମର ପ୍ରାଚୀନ ଚାଷ ପରମ୍ପରା ସହ ଭବିଷ୍ୟତରେ ଆଗକୁ ବଢିବା ମଧ୍ୟଖୁବ୍ ଗୁରୁତ୍ୱପୂର୍ଣ୍ଣ । ଭବିଷ୍ୟତ ଚାଷ ପାଇଁ ଆଧୁନିକ ପ୍ରଯୁକ୍ତିବିଜ୍ଞାନ ଓ ନୂଆ ଚାଷ ଉପକରଣ ମୁଖ୍ୟ ଆୟୁଧ ହେବ । “ଆଧୁନିକ କୃଷି ଯନ୍ତ୍ରପାତି ଓ ଅନ୍ୟାନ୍ୟ ଉପକରଣର ବ୍ୟବହାର ଆଦି ତାର ସଫଳତା ଦର୍ଶାଉଛି” ବୋଲି ଶ୍ରୀ ମୋଦି କହିଛନ୍ତି ।