Categories
ଆଜିର ଖବର ଖେଳ ଜାତୀୟ ଖବର

ପୁଣିଥରେ ଚାମ୍ପିଅନ୍ ହେଲା ଇଣ୍ଡିଆ ଲିଜେଣ୍ଡ୍ସ , ଶ୍ରୀଲଙ୍କାକୁ ୩୩ ରନରେ ହରାଇଲା ସଚିନ ବାହିନୀ

ନୂଆଦିଲ୍ଲୀ: ଇଣ୍ଡିଆ ଲିଜେଣ୍ଡ୍ସ ପୁଣି ଥରେ ୱାର୍ଲ୍ଡ ସେଫ୍ଟି ସିରିଜ୍ ଟାଇଟଲ୍ ଜିତିଛି। ଗତକାଲି ରାତିରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଇଣ୍ଡିଆ ଲିଜେଣ୍ଡ୍ସ ଶ୍ରୀଲଙ୍କା ଲିଜେଣ୍ଡ୍ସକୁ ୩୩ ରନରେ ପରାସ୍ତ କରିଛି। ଏଠାରେ ନମନ ଓଝା ଇଣ୍ଡିଆ ଲିଜେଣ୍ଡ୍ସର ପାଇଁ ଏକ ଶତକ ହାସଲ କରିଥିଲେ। ସେ ‘ପ୍ଲେୟାର ଅଫ୍ ଦି ମ୍ୟାଚ୍’ ମଧ୍ୟ ବିବେଚିତ ହୋଇଥିଲେ।

ୱାର୍ଲ୍ଡ ସେଫ୍ଟି ସିରିଜ୍ ସିରିଜର ପ୍ରଥମ ସିଜିନର ଟାଇଟଲ୍ ମଧ୍ୟ ଇଣ୍ଡିଆ ଲିଜେଣ୍ଡ୍ସକୁ ମିଳିଥିଲା। ଏଥର ଦ୍ୱିତୀୟ ସିଜନରେ ମଧ୍ୟ ଏହି ଦଳ ନିଜର ଟାଇଟଲ୍ ସୁରକ୍ଷିତ ରଖିଛି। ପ୍ରଥମେ ବ୍ୟାଟିଂ କରି ଇଣ୍ଡିଆ ଲିଜେଣ୍ଡ୍ସ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୯୫ ରନ୍ ସଂଗ୍ରହ କରିଥିଲା।

ନମନ ଓଝା ୭୧ ବଲରୁ ୧୦୮ ରନ୍ ସଂଗ୍ରହ କରିଥିଲେ। ସେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଗୋଟିଏ ପାର୍ଶ୍ଵରେ ବ୍ୟାଟିଂ ଜାରି ରଖିଥିଲେ। ସଚିନ ତେନ୍ଦୁଲକର (୦), ସୁରେଶ ରାଇନା (୪), ୟୁସୁଫ ପଠାନ (୦) ଶସ୍ତା ପ୍ୟାଭିଲିୟନକୁ ଫେରିଥିଲେ। ବିନୟ କୁମାର (୩୬), ଯୁବରାଜ ସିଂ (୧୯) ଏବଂ ଇରଫାନ ପଠାନ (୧୧) ନମନ ଓଝାଙ୍କୁ ସମର୍ଥନ କରିଥିଲେ। ଶ୍ରୀଲଙ୍କା ପାଇଁ ନୁୱାନ କୁଲସେକରା ତିନୋଟି, ଉଦାନା ଦୁଇଟି ଏବଂ ଇଶାନ ଜୟରତ୍ନେ ଗୋଟିଏ ୱିକେଟ୍ ନେଇଥିଲେ।

୧୯୬ ରନ୍‌ର ଟାର୍ଗେଟକୁ ପିଛା କରି ଶ୍ରୀଲଙ୍କା ଲିଜେଣ୍ଡ୍ସର ୱିକେଟ୍ ଆରମ୍ଭରୁ ଖସି ଆସିଥିଲା। ଦିଲଶାନ ମୁନାବୀରା (୮), ସନଥ ଜୟସୁରିୟା (୫), ତିଲକରତ୍ନେ ଦିଲଶାନ୍ (୧୧) ଶସ୍ତା ପ୍ୟାଭିଲିୟନକୁ ଫେରିଥିଲେ। ଶ୍ରୀଲଙ୍କା ଲିଜେଣ୍ଡ୍ସର ମଧ୍ୟମ ଅର୍ଡର ବ୍ୟାଟ୍ସମ୍ୟାନମାନେ ମଧ୍ୟ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଚାଲିଥିଲେ। ଉପଲ ଥରଙ୍ଗା (୧୦), ଅସିଲା ଗୁଣାରତ୍ନେ (୧୯), ଜୀଭନ ମେଣ୍ଡିସ (୨୦) ରନ ସ୍କୋର କରିଥିଲେ। ଏକାକୀ ଇଶାନ ଜୟରତ୍ନେ ୨୨ ଟି ବଲରୁ ୫୧ ରନ ସ୍କୋର କରି ବିରାଟ ପରାଜୟରୁ ରକ୍ଷା କରିଥିଲେ। ୧୮.୫ ଓଭରରେ ସମଗ୍ର ଲଙ୍କା ଦଳ ୧୬୨ ରନରେ ଅଲଆଉଟ ହୋଇଥିଲେ। ବିନୟ କୁମାର ତିନି, ଅଭିମନ୍ୟୁ ମିଥୁନ ଦୁଇଟି ୱିକେଟ୍ ପାଇଥିଲେ।

ଶ୍ରୀଲଙ୍କାର ପୂର୍ବତନ କ୍ରିକେଟରତିଳକରତ୍ନେ ଦିଲଶାନ୍ ତାଙ୍କ ଦଳକୁ ଚାମ୍ପିଅନ୍ କରିପାରି ନଥିଲେ କିନ୍ତୁ ଏଥର ସେ ‘ପ୍ଲେୟାର୍ ଅଫ୍ ସିରିଜ୍’ ହୋଇଥିଲେ। ରୋଡ ସେଫ୍ଟି ୱାର୍ଲ୍ଡ ସିରିଜର ଏହି ସଂସ୍କରଣରେ ସେ ୧୯୨ ରନ୍ ସଂଗ୍ରହ କରିଥିଲେ ଏବଂ ୫ ଟି ୱିକେଟ୍ ମଧ୍ୟ ନେଇଥିଲେ।