Categories
ଆଞ୍ଚଳିକ

ୱାର୍ଡ଼ ନଂ ୨୮ରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ସମାଜସେବୀ ପ୍ରଭାତୀ ସାହୁ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମର ୱାର୍ଡ଼ ନଂ୨୮ରୁ କର୍ପୋରେଟର ପଦବୀ ପାଇଁ ସ୍ୱାଧୀନ ପ୍ରାର୍ଥୀଭାବେ ସମାଜସେବୀ ପ୍ରଭାତୀ ସାହୁ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଦୀର୍ଘବର୍ଷ ଧରି ନିଜକୁ ସମାଜସେବାରେ ନିୟୋଜିତ କରିଥିବା ଏବଂ ୱାର୍ଡ଼ ନଂ-୨୮ରେ ଥିବା ମୌଳିକ ସମସ୍ୟାଗୁଡ଼ିକର ସମାଧାନ କରି ଲୋକଙ୍କୁ ସେବା ଯୋଗାଇ ଆସୁଥିବା ପ୍ରଭାତୀ ତାଙ୍କର ନାମାଙ୍କନ ପତ୍ର ଦାଖଲ ପରେ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ ଯେ, ଜଣେ ସମାଜସେବୀ ହିସାବରେ ଲୋକଙ୍କୁ ସେବା ଯୋଗାଇବା ମୋର ପ୍ରଥମ କର୍ତ୍ତବ୍ୟ। ବାତ୍ୟା, ବନ୍ୟା, ମହାମାରୀ କରୋନା ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମୁଁ ଲୋକଙ୍କୁ ସେବା ଯୋଗାଇ ଆସୁଛି। ରାଜଧାନୀ ଭୁବନେଶ୍ୱରକୁ ଏକ ନମ୍ବର ସହରରେ ପରିଣତ କରିବା ମୋର ପ୍ରଥମ ଲକ୍ଷ୍ୟ।

ଏଥିସହିତ ରାଜଧାନୀରେ ବସବାସ କରୁଥିବା ବସ୍ତିବାସିନ୍ଦାମାନଙ୍କ ସମସ୍ୟାକୁ ଦୂର କରି ସେମାନଙ୍କ ପାଇଁ ଆଦର୍ଶ କଲୋନୀ ପ୍ରତିଷ୍ଠା କରିବା, ଡ୍ରେନେଜ ସମସ୍ୟାକୁ ଦୂର କରିବା ସହିତ ରାଜଧାନୀରେ ବଢି ଚାଲିଥିବା ଚୋରି, ଡ଼କାୟତି, ଚୋରା ମଦ, ଗଞ୍ଜେଇ ଓ ଧଳା ଜହର କାରବାରକୁ ବନ୍ଦ କରିବା ଏବଂ ରାଜଧାନୀର ଗରିବ, ଅସହାୟ ଓ ନିଷ୍ପେସିତ ଲୋକମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ମୁଁ ଆଜି ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛି। ମୋର ସମାଜସେବା ଓ ତ୍ୟାଗ ପାଇଁ ୱାର୍ଡ଼ ନଂ-୨୮ ସାଧାରଣ ଜନତା ମୋତେ ବିଜୟୀ କରିବେ ବୋଲି ମୋର ଆଶା ଓ ବିଶ୍ୱାସ।

ପ୍ରଭାତୀଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ସମାଜସେବୀ ବିବେକାନନ୍ଦ ବାରିକ, ଅମ୍ଲେଶ ଦାସ, ରଞ୍ଜନ ମହାନ୍ତି, ଅନୁଜା ଦାସ, ଅମୂଲ୍ୟ ପଣ୍ଡା, ପ୍ରଶାନ୍ତ ମହାନ୍ତି, ଶିବିର କୁମାର ପରିଡ଼ା, ଧରଣୀଧର ସାହୁ, ସରୋଜ ସାହୁ, ଆଶୁତୋଷ ଦତ୍ତ, ଶାନ୍ତିଲତା ପ୍ରଧାନ, ମଣ୍ଟୁଙ୍କ ସମେତ ଶତାଧିକ ସମର୍ଥକ ଉପସ୍ଥିତ ଥିଲେ।