କିଏଭ, ୟୁକ୍ରେନରେ ଜଣେ ବନ୍ଧୁକଧାରୀ ବ୍ୟକ୍ତି ଏକ ଯାତ୍ରୀବାହୀ ବସକୁ ଅପହରଣ କରିନେଇ ସେଥିରେ ଥିବା ୨୦ ଜଣ ଯାତ୍ରୀଙ୍କୁ ମୁଣ୍ଡଜାମିନ ରଖିଛି । ୟୁକ୍ରେନର ରାଜଧାନୀ କିଏଭଠାରୁ ୪୦୦ କିଲୋମିଟର ଦୂରରେ ଥିବା ସହର ଲସ୍କରେ ଘଟିଛି ଏହି ଘଚଣା ।
ଆଜି ସକାଳେ ଜଣେ ବନ୍ଧୁକଧାରୀ ବ୍ୟକ୍ତି ଏକ ଥିଏଟର ନିକଟରେ ଥିବା ଏକ ବସରେ ହଠାତ ପଶି ଯାତ୍ରୀମାନଙ୍କୁ ମୁଣ୍ଡଜାମିନ ରଖିଥିଲା । ଖବର ପାଇ ପୁଲିସ ବସକୁ ଘେରିଯିବା ସହ ସଂପୃକ୍ତ ଅଞ୍ଚଳକୁ ସିଲ କରିଦେଇଛି । ଉକ୍ତ ଅଞ୍ଚଳକୁ ସଂଯୋଗ କରିଥିବା ରାସ୍ତାଗୁଡ଼ିକୁ ବନ୍ଦ କରିଦିଆଯାଇଛି । ତେବେ ଏପର୍ଯ୍ୟନ୍ତ ଉକ୍ତ ବ୍ୟକ୍ତିର ଦାବି ସଂପର୍କରେ କିଛି ଜଣାପଡ଼ି ନାହିଁ ।
ସ୍ଥାନୀୟ ଗଣମାଧ୍ୟମ ସୁତ୍ରରୁ ଜଣାପଡ଼ିଛି ଯେ ପୁଲିସ ଓ ଉକ୍ତ ବ୍ୟକ୍ତି ମଧ୍ୟରେ ଗୁଳିବିନିମୟ ଶୁଣାଯାଇଛି । ତେବେ କେହି ମୃତାହତ ହୋଇଥିବା ଜଣାପଡ଼ିନାହିଁ । ଉକ୍ତ ବ୍ୟକ୍ତି ନିଜେ ପୁଲିସକୁ କହିଛି ଯେ ସେ ବସରେ ବିସ୍ଫୋରକ ଲଗାଇଦେଇଛି । ୟୁକ୍ରେନ ପୁଲିସ ବିଭାଗର ମୁଖ୍ୟ ଭୋଲିନ ରିଜନ କହିଛନ୍ତି ଯେ ଉକ୍ତ ବ୍ୟକ୍ତିର ଦାବି ଜାଣିବାକୁ ଉଦ୍ୟମ କରାଯାଉଛି । ସେ ପୂର୍ବରୁ ଥରେ ଦୁଇଥର ଫୋନ ଉଠାଇଥିଲେ ମଧ୍ୟ ଏବେ ଆଉ ଫୋନ ଉଠାଉନାହିଁ ।