Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଭୁବନେଶ୍ବରରେ ଆରମ୍ଭ ହେଲା ଆଦିବାସୀ ମେଳା-୨୦୨୪,  ମୁଖ୍ୟ ଆକର୍ଷଣ ଆଦିବାସୀ ଗାଁ ଓ ହାଟ

ଭୁବନେଶ୍ବର: ଓଡିଶାର ଜନଜାତିଙ୍କ ଜୀବନଜୀବିକା, କଳା, ସଂସ୍କୃତି ଓ ପରମ୍ପରାକୁ ନେଇ ଆୟୋଜିତ ହୋଇଛି ଆଦିବାସୀ ମେଳା-୨୦୨୪। ଚଳିତ ବର୍ଷ ୟୁନିଟ-୧ ସ୍ଥିତ ଆଦିବାସୀ ପଡିଆରେ ଏହି ମେଳାର ଆୟୋଜନ କରାଯାଇଛି। ଜାନୁଆରୀ ୨୬ ରୁ ଆରମ୍ଭ ହୋଇ ଏହି ମେଳା ଫେବୃଆରୀ ୫ ଯାଏଁ ଚାଲିବ। ପ୍ରତ୍ୟହ ଅପରାହ୍ନ ୨ଟା ୩୦ ରୁ ରାତି ୯ ଟା ଯାଏଁ ଏହି ମେଳା ସର୍ବସାଧାରଣଙ୍କ ନିମନ୍ତେ ଖୋଲାରହିବ।

ଏହି ମେଳାର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ତଥା ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାମ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ଯୋଗଦେଇଥିବା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଯୋଗ ଦେଇ ଆଦିବାସୀ ମେଳାର ଶୁଭେଚ୍ଛା ବାର୍ତ୍ତା ଜଣାଇଥିଲେ। ସମାରୋହରେ ସମ୍ମାନନୀୟ ଅତିଥି ଭାବେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ରୂପାରୋଶନ ସାହୁ ଯୋଗ ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇ କହିଛନ୍ତି, ଜନଜାତିମାନେ ଆମର ଗର୍ବ ଓ ଗୌରବ। ଜନଜାତିମାନଙ୍କ ଉନ୍ନତି ଓ କଲ୍ୟାଣ ତଥା ସେମାନଙ୍କ ସଂସ୍କୃତିର ସୁରକ୍ଷା ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଗଠନ କରାଯାଇଛି। ଜନଜାତି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଆଦିବାସୀ ସଂସ୍କୃତି ସହ ପରିଚିତ କରିବା ପାଇଁ ଭାଷା ଲ୍ୟାବ ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯାଇଛି। ଜାତୀୟସ୍ତରରେ ଜନଜାତିଙ୍କ କଳାକୁ ସ୍ବତନ୍ତ୍ର ପରିଚୟ ମିଳିପାରିଛି।

ଆମ ରାଜ୍ୟରେ ଆଦିବାସୀ ମେଳା ଖୁବ୍ ଲୋକପ୍ରିୟ କାର‌୍ୟ୍ୟକ୍ରମ। ଏହାଦ୍ବାରା ଜନଜାତିଙ୍କ ସାମଗ୍ରୀ ପାଇଁ ବଜାର ସୃଷ୍ଟିର ପ୍ରୟାସ କରାଯିବା ସହ ସେମାନଙ୍କ ସଂସ୍କୃତି ସହ ରାଜ୍ୟବାସୀ ପରିଚିତ ହୋଇ ପାରିଥାନ୍ତି।

ଅନ୍ୟପକ୍ଷେ ବିଭାଗୀୟ ମନ୍ତ୍ରୀ ଶ୍ରୀ ସାରକା କହିଛନ୍ତି, ଜନଜାତିଙ୍କ ଜୀବନଶୈଳୀ, ପରମ୍ପରାକୁ ଲୋକଲୋଚନକୁ ଆଣିବା ପାଇଁ  ପ୍ରତିବର୍ଷ ଆଦିବାସୀ ମେଳାର ଆୟୋଜନ କରୁଛି ବିଭାଗ। ସେମାନଙ୍କୁ ସାମାଜିକ, ଅର୍ଥନୈତିକ ଭାବଧାରାରେ ସାମିଲ କରିବା ଲକ୍ଷ୍ୟ ନେଇ ଆଦିବାସୀ ମେଳାର ଆୟୋଜନ କରାଯାଉଛି।

ଏହାଦ୍ବାରା ଜନଜାତିଙ୍କ ହସ୍ତକଳା ସାମଗ୍ରୀ ଏବଂ ଆଦିବାସୀ ଅଞ୍ଚଳର ଉତ୍ପାଦନର ବିକ୍ରୟ କରିବାର ଅବସର ସୃଷ୍ଟି ହୋଇଛି। ରାଜ୍ୟ ସରକାରଙ୍କ ଉଦ୍ୟମରେ ବିକଶିତ ହୋଇଥିବା ଜନଜାତିଙ୍କ ଜୀବନଶୈଳୀ ଏହିମେଳାରେ ପ୍ରଦର୍ଶିତ ହେବ।

ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଭାଗୀୟ ଶାସନ ସଚିବ କହିଛନ୍ତି, ୧୯୫୧ ମସିହାରୁ କଟକରେ ପ୍ରଥମେ ଆରମ୍ଭ ହୋଇଥିବା ଏହି ମେଳା ୧୯୫୪ ମସିହା ଠାରୁ ଭୁବନେଶ୍ବରରେ ଅନୁଷ୍ଠିତ ହୋଇ ଆସୁଛି। ପ୍ରତିବର୍ଷ ବିଭାଗ ଏଥିରେ ନୂଆ ନୂଆ ଉପାଦାନକୁ ଯୋଡିବାରେ ପ୍ରୟାସ ଜାରି ରଖିଛି। ଏହି ମେଳାରେ ଆଦିବାସୀ ହାଟକୁ ଲୋକେ ଦେଖିବାକୁ ପାଇବେ।

ଏହାସହ ଭାଷାକୁ ଗୁରୁତ୍ବ ଦେଇ ମେଳାରେ ପ୍ରତିସନ୍ଧ୍ୟାରେ ବହୁଭାଷୀ ଥିଏଟର୍ ଫେଷ୍ଟିଭାଲ୍ ପରିବେଷଣ କରାଯିବ। ଜନଜାତି ସମ୍ପ୍ରଦାୟଙ୍କ ଦାବିକୁ ଦୃଷ୍ଟିରେ ରଖି ଆଗକୁ ସାମଗ୍ରୀ ବିକ୍ରୟ ପାଇଁ ସେମାନଙ୍କୁ ସ୍ଥାୟୀ ଦୋକାନ ଯୋଗାଇଦିଆଯିବା ନେଇ ବିଭାଗୀୟ ଶାସନ ସଚିବ ମତ ପ୍ରକାଶ କରିଛନ୍ତି।

ଚଳିତ ବର୍ଷ ୧୦୯ ଟି ଷ୍ଟଲକୁ ନେଇ ଆଦିବାସୀ ମେଳାର ଆୟୋଜନ କରାଯାଇଥିବା ବେଳେ ଉଦଘାଟନୀ ସନ୍ଧ୍ୟାରେ ସ୍ବତନ୍ତ୍ର ଜର୍ଣ୍ଣାଲ୍ “ଆଦିବାସୀ”ର ୬୩ତମ ସଂସ୍କରଣ ଉନ୍ମୋଚନ କରାଯାଇଛି। ଏହାସହ ୧୦ ଜଣ ବିଭିନ୍ନ ସମ୍ପ୍ରଦାୟର ଜନଜାତିଙ୍କୁ ଆଦିବାସୀ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଛି।

ସମାରୋହରେ ଏସସିଏସଟିଆରଟିଆଇର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣୀ ତ୍ରିପାଠୀ ସ୍ବାଗତ ଅଭିଭାଷଣ ରଖିଥିବା ବେଳେ ସ୍ବତନ୍ତ୍ର ଅଧିକାରୀ ଶ୍ରୀ ସମରେନ୍ଦ୍ର ଭୂତିଆ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟାନ୍ୟ ଅତିଥି ମଧ୍ୟରେ ଉପନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ରଥ ଓ ଅନ୍ୟାନ୍ୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଜମୁଛି ଭୁବନେଶ୍ବରର ଆଦିବାସୀ ମେଳା, ଲୋକଙ୍କର ନାହିଁ ନ ଥିବା ଭିଡ ପରିଲକ୍ଷିତ

ଭୁବନେଶ୍ବର: ଭୁବନେଶ୍ବରର ୟୁନିଟ୍‌-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆଠାରେ ଫେବୃଆରୀ ୨୦ ତାରିଖଠାରୁ ଆୟୋଜିତ ଆଦିବାସୀ ମେଳା-୨୦୨୩ରେ ଚାଲିଛି ଆଦିବାସୀ ମେଳା। ସାମଗ୍ରିକ ଭାବରେ ଆଦିବାସୀମାନଙ୍କର ସାମାଜିକ, ଅର୍ଥନୈତିକ ଓ ବାଣିଜ୍ୟିକ କ୍ଷେତ୍ରରେ ଘଟିଥିବା ପ୍ରଗତି ଓ ପରିବର୍ତ୍ତନର ନିଖୁଣ ଚିତ୍ର ମେଳା ପରିସରରେ ଖୋଲା ଯାଇଥିବା ପ୍ରାଚୀନ ଜନଜାତିଙ୍କ ଦୁନିଆରେ ଦେଖିବାକୁ ମିଳୁଛି।

ବିଭିନ୍ନ ଜନଜାତି ବର୍ଗଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀଗୁଡ଼ିକର ବଜାର ଚାହିଦା ଏବେ ଆଶାତୀତ ଭାବରେ ବୃଦ୍ଧି ପାଇଛି। ସହରାଞ୍ଚଳରେ ଏହିସବୁ ସାମଗ୍ରୀ ଉପଲବ୍ଧ ହେବା କଷ୍ଟକର ହୋଇଥିବାରୁ ବର୍ଷକରେ ଥରେ ଅନୁଷ୍ଠିତ ହେଉଥିବା ମେଳାରୁ ତାହା କିଣିବାକୁ ଗୃହିଣୀମାନଙ୍କର ବିଶେଷ ଆଗ୍ରହ ପରିଲକ୍ଷିିତ ହେଉଛି। ଏହାଛଡ଼ା ଆଦିବାସୀ ସମାଜ ଦ୍ୱାରା ପ୍ରସ୍ତୁତ ସାମଗ୍ରୀଗୁଡ଼ିକର ଜୈବିକ ଗୁଣ ଏଯାବତ୍‌ ଅକ୍ଷୁଣ୍ଣ ରହିଛି ବୋଲି ଲୋକଙ୍କ ମନରେ ଯେଉଁ ଦୃଢ଼ ଧାରଣା ରହିଛି, ଗୃହିଣୀଙ୍କ ଆଗ୍ରହରୁ ତାହା ବେଶ୍‌ ଅନୁମାନ କରିହେଉଛି।

ଗତାକାଲି ଶନିବାର ଛୁଟିଥିବାରୁ ଅପରାହ୍ନରେ ମେଳା ପରିସରକୁ ବହୁ ଲୋକଙ୍କ ଭିଡ ପରିଲକ୍ଷିତ ହୋଇଥିଲା। ନିଜ ପରିବାର ସାଙ୍ଗରେ ଆସି ଆଗ୍ରହ ଓ ଉତ୍ସାହର ସହ ଆଦିବାସୀମାନଙ୍କ ଦ୍ୱାରା ଉତ୍ପାଦିତ ଖାଦ୍ୟଶସ୍ୟ ଯଥା- ବାସମତି ଚାଉଳ, ମୁଗ, ବିରି, ମାଣ୍ଡିଆ, ପାଳୁଅ, ରାଶି ଆଦି କିଣିବାକୁ ଭିଡ଼ ଦେଖିବାକୁ ମିଳିଥିଲା। ସେହିପରି ମହୁ, ଲାଖ, ଝୁଣା, ହରିଡ଼ା, ବାହାଡ଼ା ଓ ଅଁଳା ଭଳି ଲଘୁ ବନଜାତ ଦ୍ରବ୍ୟ ବିକି୍ର ହେଉଥିବା ଷ୍ଟଲଗୁଡ଼ିକ ବୁଲିବାକୁ ଅନେକ ପରିବାର ଆଗ୍ରହ ଦେଖାଇଥିଲେ। ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ୱାରା ପ୍ରସ୍ତୁତ ବଡ଼ି, ପାମ୍ପଡ଼, ହଳଦୀଗୁଣ୍ଡ, ଆଚାର ଆଦି କିଣିବାକୁ ସହରୀ ଗରାଖଙ୍କ ବ୍ୟଗ୍ରତା କିଛି କମ୍‌ ନଥିଲା।

ଆଦିବାସୀ ମେଳାର ସ୍ୱତନ୍ତ୍ର ଆକର୍ଷଣ ହେଉଛି ଜନଜାତିଙ୍କ ସଂସ୍କୃତିର ସଂପଦର ସଂରକ୍ଷଣ ଓ ବିକାଶ ପାଇଁ ପ୍ରତିଷ୍ଠିତ ଓଡ଼ିଶାର ୯ ଗୋଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ପ୍ରତିଷ୍ଠିତ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଦ୍ୱାରା ପ୍ରଦର୍ଶିତ ୯ ଗୋଟି ଷ୍ଟଲର ସ୍ୱାତନ୍ତ୍ର୍ୟ। ପ୍ରତ୍ୟେକ ଜିଲ୍ଲାର କାରିଗରମାନେ ସେମାନଙ୍କ ସ୍ୱତନ୍ତ୍ର ତଥା ମୂଲ୍ୟଯୁକ୍ତ କଳା ସାମଗ୍ରୀର ପ୍ରଦର୍ଶନ ସହ ଦର୍ଶକମାନଙ୍କୁ ଆକର୍ଷିତ କରୁଛନ୍ତି।

ମୟୂରଭଞ୍ଜର ସବାଇ ଘାସର କଳା ସାମଗ୍ରୀ, ଗଜପତିର ଫୁଲଝାଡ଼ୁ, ନବରଙ୍ଗପୁରର ଗଣ୍ଡ ଚିତ୍ରକଳା, କନ୍ଧମାଳର କାଷ୍ଠଶିଳ୍ପ, କେନ୍ଦୁଝରର କାଗଜରୁ ପ୍ରସ୍ତୁତ ବିଭିନ୍ନ କଳାବସ୍ତୁ ଇତ୍ୟାଦି ଏକ ଅନନ୍ୟ ଆକର୍ଷଣ ଗ୍ରାହକମାନଙ୍କୁ ଆକୃଷ୍ଟ କରୁଛି।

ଗତକାଲି ସନ୍ଧ୍ୟାରେ ବିଶିଷ୍ଟ ଅତିଥିଙ୍କ ମଧ୍ୟରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଏବଂ ‘ମୋ ସ୍କୁଲ’ ଅଭିଯାନର ଅଧ୍ୟକ୍ଷା ଶ୍ରୀମତୀ ସୁସ୍ମିତା ବାଗ୍‌ଚୀ ମେଳା ପରିଦର୍ଶନ କରିଥିଲେ। ସାଂସ୍କୃତିକ ସନ୍ଧ୍ୟାରେ କନ୍ଧ, କୁଟିଆ କନ୍ଧ, ସଉରା, ପାଉଡ଼ି ଭୂୟାଁ, ହୋ ଆଦି ଜନଜାତିଙ୍କ ବିଭିନ୍ନ ପାରମ୍ପରିକ ନୃତ୍ୟ ଖୁବ୍‌ ମନୋରଞ୍ଜକ ହୋଇଥିଲା ଏବଂ ପାରମ୍ପରିକ ନୃତ୍ୟଶୈଳୀରେ ଦର୍ଶକ ବିଭୋର ହୋଇଥିଲେ।

ଆଦିବାସୀ ମେଳା ପ୍ରତ୍ୟହ ୨.୩୦ଠାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହୁଛି। ଏହି ମେଳା ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଚାଲିବ।