Categories
ଆଜିର ଖବର ଜାତୀୟ ଖବର

କାର୍ଯ୍ୟକ୍ଷମ ହେଲା ଫ୍ଲାଇଙ୍ଗ ବୁଲେଟ୍‌ : ସୁଖୋଇ ଉଡାଇଲେ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ : ଭାରତ ଏବଂ ଚୀନ୍‌ ମଧ୍ୟରେ ଲାଗି ରହିଥିବା ସୀମା ବିବାଦକୁ ନେଇ ସୀମାରେ ଉତ୍ତେଜନା ଲାଗି ରହିଥିବା ବେଳେ ଭାରତୀୟ ବାୟୁସେନା ପକ୍ଷରୁ ଏହାର ନୂତନ ବାୟୁସେନା ୟୁନିଟ୍‌ କାର୍ଯ୍ୟକ୍ଷମ କରାଯାଇଛି । ସୁଲୁର ସ୍ଥିତ ଏୟାରବେସ୍‌ରେ ଭାରତୀୟ ବାୟୁସେନାର ନୂତନ ୟୁନିଟ୍‌ ଫ୍ଲାଇଙ୍ଗ ବୁଲେଟ୍‌କୁ କାର୍ଯ୍ୟକ୍ଷମ କରାଯାଇଛି । ଏହା ସହିତ ବୁଧବାର ଦିନ ଭାରତୀୟ ବାୟୁସେନା ମୁଖ୍ୟ ଆରକେଏସ୍‌ ଭଦୋରିଆ ଏକ ତେଜସ୍‌ ବିମାନ ଉଡାଇଛନ୍ତି । ସୁଲୁର ସ୍ଥିତ ଏୟାର ବେସ୍‌ରେ ବାୟୁସେନା ମୁଖ୍ୟ ଏହି ଲାଇଟ୍‌ଓ୍ବେଟ୍‌ ବିମାନଟିକୁ ଉଡାଇଥିଲେ । (ଏଜେନ୍ସି)

Categories
ଆଜିର ଖବର

38 ଜଣଙ୍କୁ ନେଇ ଯାଉଥିବା ଚିଲିର ମିଲିଟାରୀ ବିମାନ ନିଖୋଜ

ସାଣ୍ଟିଆଗୋ,10/12 : 38 ଜଣ ପ୍ରତିରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ଚିଲିର ଏକ ସାମରିକ ବିମାନ ନିଖୋଜ ହୋଇଯାଇଛି । ଚିଲିର ଦକ୍ଷିଣ ଭାଗରେ ରହିଥିବା ଆର୍ଣ୍ଟାକ୍ଟିକା ବେସ୍‌ରୁ ଛାଡିଥିବା ଏହି ବିମାନଟି ସୋମବାର ଦିନ ନିଖୋଜ ହୋଇଯାଇଛି । ଏ ସି 130 ହରକ୍ୟୁଲେସ୍‌ ବିମାନଟି ସୋମବାର ଅପରାହ୍ନ 4ଟାରେ ଆର୍ଣ୍ଟାକ୍ଟିକା ବେସ୍‌ରୁ ଛାଡିଥିଲା । ବିମାନଟି ପୁଣ୍ଟା ଆରେନାସ୍‌ରେ ପହଞ୍ଚିବାର ଥିବା ବେଳେ ପହଞ୍ଚିବା ପୂର୍ବରୁ ଅଧାରାସ୍ତାରେ ନିଖୋଜ ହୋଇଯାଇଥିଲା । ବିମାନଟିର ବ୍ଲାକ୍‌ବକ୍ସ ସହିତ ସମ୍ପର୍କ ସ୍ଥାପନ ହୋଇପାରୁନଥିବା ନେଇ ଚିଲି ବିମାନ ବାହିନୀ ପକ୍ଷରୁ କୁହାଯାଇଛି । (ଏଜେନ୍ସୀ)

Categories
ଆଜିର ଖବର

ବାୟୁସେନା ବିମାନ ଦୁର୍ଘଟଣା : ୧୩ ମୃତକଙ୍କ ମଧ୍ୟରେ ଓଡିଆ ପାଇଲଟ୍‌ ସୁନୀତ ମହାନ୍ତି

୧୩ ଜଣ ବାୟୁସେନା ଅଧିକାରୀଙ୍କୁ ନେଇ ନିଖୋଜ ହୋଇଥିବା ବାୟୁସେନା ବିମାନ ଏନ୍‌-୩୨ର ଭଗ୍ନାବଶେଷ ଗତକାଲି ମିଳିଥିଲା। ଆଜି ଏନେଇ ଏକ ସର୍ଚ୍ଚ ଅପରେସନ ପରେ ବିମାନରେ ମହଜୁଦ ଥିବା ସମସ୍ତ କର୍ମଚାରୀ ପ୍ରାଣ ହରାଇଛନ୍ତି ବୋଲି ବାୟୁସେନା ପକ୍ଷରୁ ପ୍ରକାଶ ପାଇଛି। ୧୩ ଜଣ ମୃତକଙ୍କ ମଧ୍ୟରେ ରହିଛନ୍ତି ଓଡିଆ ପାଇଲଟ୍‌ ସୁନୀତ ମହାନ୍ତି। ଏନ-୩୨ ବିମାନରେ ସେ ଲେଫ୍ଟନାଣ୍ଟ ଥିଲେ। ତାଙ୍କର ଘର କବିସୂର୍ଯ୍ୟ ନଗରର ବଳିଆପଲ୍ଲି ଗ୍ରାମରେ।

Categories
ବିଶେଷ ଖବର

ସନ୍ତ୍ରାସବାଦ ଉପରେ ଆକ୍ରମଣ ଏକ ଜାତୀୟ ସଫଳତା, ଏହାର ଶ୍ରେୟ ବ୍ୟକ୍ତିର ନୁହେଁ, ବରଂ ସାରା ଦେଶର

ସମୀକ୍ଷା ବ୍ୟୁରୋ

୨୫ ଫେବୃଆରୀ ଭୋର ୩.୩୦ ରେ ଭାରତୀୟ ବାୟୁସେନାର ଏକ ସାହସୀ ଆକ୍ରମଣରେ ପାକିସ୍ତାନର ଆଭ୍ୟନ୍ତରରେ ଥିବା ବାଲାକୋଟ ଜଙ୍ଗଲ ଭିତରେ ଚାଲିଥିବା  ଜୈଶ ଏ ଅହମଦ ର ଆତଙ୍କବାଦୀ ଶିବିର ଉପରେ ପ୍ରକାଣ୍ଡ ପ୍ରହାର କରାଯାଇଥିଲା। ଏହାକୁ ଏକ ବେସାମରିକ ଲକ୍ଷ୍ୟ ପୂରଣ ଓ ସନ୍ତ୍ରାସବାଦ ଉପରେ ବଡ ଆକ୍ରମଣ ବୋଲି ଆମେ କହିପାରିବା। ସେନାର ଏହି ସଫଳତା ଲାଗି ଆମେ ସମସ୍ତେ ଗର୍ବିତ। ପୁଲବାମା ରେ ଭାରତୀୟ ପାରା ମିଲିଟାରୀ ପୋଲିସ ଉପରେ ହୋଇଥିବା ଆକ୍ରମଣର ୧୨ ଦିନ ପରେ ଭାରତର ଏହି ଦୃଢ କାର୍ୟାନୁଷ୍ଠାନ ପ୍ରଶଂସାର ବିଷୟ। ଏହି ପୃଷ୍ଠଭୂମିରେ ଫେବୃଆରୀ ୧୪ ରୁ ଆଜି ପର୍ଯନ୍ତ ଭାରତର ରାଜନୀତିରେ ଗୋଟେ ନୂଆ କଥା ଘଟିଛି। ସାଧାରଣ ନିର୍ବାଚନ ଘୋଷଣାକୁ ମାତ୍ର ଅଳ୍ପ କିଛି ଦିନ ବାକିଥିବା ସତ୍ତ୍ୱେ ସବୁ ରାଜନୈତିକ ଦଳ ଏକ ସ୍ଵରରେ ଓ ହୃଦୟର ସହିତ ସେନାକୁ ସମ୍ମାନ ଦେଇଛନ୍ତି। ପୁଲବାମା ଘଟନା ପରେ ଓ ଆଜିର ସର୍ଜିକାଲ ଷ୍ଟ୍ରାଇକ ପରେ ଅନୁଷ୍ଠିତ ଦୁଇଟି ଯାକ ସର୍ବଦଳୀୟ ସଭାରେ ସବୁ ରାଜନୈତିକ ଏକ ସ୍ଵରରେ ଦେଶର ଏକତାକୁ ପ୍ରଦର୍ଶନ କରିଛନ୍ତି। ନିର୍ବାଚନୀ ବର୍ଷରେ ଏହା ଆମ ରାଜନୀତିର ଏକ ବଡ ସଫଳତା।

ତେବେ ଏ ପ୍ରକାର ସ୍ଥିତିରେ ଶାସକ ଦଳର ଯେଉଁ ପ୍ରକାର ସଂଯମ ଓ ଇଚ୍ଛାଶକ୍ତି ରହିବା କଥା ତାହା ଦେଖିବାକୁ ମିଳୁନାହିଁ। ଏହି ପ୍ରସଙ୍ଗରେ ଆୟୋଜିତ ଦୁଇଟି ଯାକ ସର୍ବଦଳୀୟ ସଭାରେ ପ୍ରଧାନମନ୍ତ୍ରୀଙ୍କର ଅନୁପସ୍ଥିତି ଆଦୌ ଶୋଭନୀୟ ନୁହେଁ। ଦେଶର ଏମିତି ସଙ୍କଟ ସମୟରେ ନିର୍ବାଚନୀ ରାଲି ଏତେ ଗୁରୁତ୍ୱପୂର୍ଣ୍ଣ ନୁହେଁ। ତେବେ ପ୍ରଧାନମନ୍ତ୍ରୀଙ୍କ ଲାଗି ସଭାରେ ଭାଷଣ ଦେବା ଏକ ଅଭ୍ୟାସଗତ ପ୍ରକ୍ରିୟା। ଗୋଟେ ପକ୍ଷରେ ଦେଶରେ ଚାଲିଥିବା ଯୁଦ୍ଧକାଳୀନ ସ୍ଥିତିକୁ ସଂଯମତା ର ସହ ସାମ୍ନା କରିବାକୁ ପ୍ରଧାନମନ୍ତ୍ରୀ ଆହ୍ଵାନ ଦେବା କଥା। ତାହର ଠିକ ବିପରୀତରେ ପ୍ରଧାନମନ୍ତ୍ରୀ ଗତ ସତୁରୀ ବର୍ଷରେ ଦେଶ କିଛି କରିନାହିଁ ବୋଲି କହିବା ଓ ଏବେ ଯାହା ହେଉଛି ତାହା କେବଳ ମୁଁ କରୁଛି ବୋଲି କହିବା ଆଦୌ ସମୀଚୀନ ନୁହେଁ।

ଭାରତୀୟ ସେନାବାହିନୀ କୌଣସି ଦଳର ଆଦର୍ଶରେ ଗଢା  ହୋଇନାହିଁ। ଆମର ସେନା ଆମ ସମସ୍ତଙ୍କର। ଏଠି କୌଣସି ଦଳର ବା ନେତାର ଶ୍ରେୟ ନେବାର କିଛି ନାହିଁ। ପଡୋଶୀ ପାକିସ୍ତାନଯେ ନିଜ ମାଟିରେ ଆତଙ୍କବାଦୀ ସଂଗଠନ ଗୁଡିକୁ ପ୍ରତିପାଳନ କରୁଛି, ତାହାର  ସଜା ତାକୁ ନିହାତି ମିଳିବା ଦରକାର। ତେବେ ଏଥିଲାଗି ଆମକୁ କୂଟନୈତିକ ସ୍ତରରେ ଓ ସୁଚିନ୍ତିତ ରଣନୀତି ଜରିଆରେ ପାକିସ୍ତାନକୁ ଅପଦସ୍ତ କରିବାକୁ ପଡିବ। ସେଥିଲାଗି ଦେଶରେ ରାଜନୈତିକ ଏକଟା ହେଉଛି ସବୁଠୁ ବଡ ଆବଶ୍ୟକତା। ଏହାକୁ ଆଖି ଆଗରେ ରଖି ଆଜିର ପ୍ରଥମ ଦାୟିତ୍ଵ ହେଉଛି ସେନାର ପରାକ୍ରମକୁ ରାଜନୈତିକ ଭାବରେ ବ୍ୟବହାର ନକରିବାର ସଂକଳ୍ପ। ଶାସକ ଭାରତୀୟ ଜନତା ପାର୍ଟି ଏହାକୁ ଯଦି ରାଜନୀତିରେ ଓ ନିର୍ବାଚନ ମଇଦାନରେ ନିଜର ସଫଳତା ଭାବେ ଉପସ୍ଥାପନ କରିବ, ତାହେଲେ ତାହା ସେନାର ମୂଳ ଆଦର୍ଶ ଉପରେ ଆକ୍ରମଣ ବୋଲି ଧରାଯିବ।

ଆଜି ସକାଳୁ ଏ ପ୍ରସଙ୍ଗରେ ସୋସିଆଲ ମିଡିଆରେ ଓ ଟେଲିଭିଜନରେ ମୋଦୀ ବନ୍ଦନା ଆରମ୍ଭ ହୋଇଗଲାଣି। ମୋଦୀ କେମିତି ଏହି ଅପରେସନକୁ ଅପଲକ ନୟନରେ ପରିଚାଳନା କରୁଥିଲେ, ସେସବୁ କାହାଣୀ କୁହାଯାଉଛି। ଏହା ଆଦୌ ଶୁଭଂକର ନୁହେଁ। ସେନା ବାହିନୀର ନିଜସ୍ଵ ପେଷାଦାର ଅପରେସନ ରଣନୀତି ରହିଛି। ସେହି ରଣନୀତିରେ ଦେଶର ପ୍ରଧାନମନ୍ତ୍ରୀଙ୍କର ନୈତିକ ସମର୍ଥନ ଯଥେଷ୍ଟ । ଦେଶର ନାଗରିକଙ୍କ ଦ୍ଵାରା ନିର୍ବାଚିତ  ପ୍ରଧାନମନ୍ତ୍ରୀଙ୍କୁ ସେନାବାହିନୀର ଅଧିନାୟକ ଭୂମିକା ଦିଆ ଯାଇନାହିଁ। ସାମ୍ବିଧାନିକ ଭାବରେ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳ ଦେଶର କାର୍ଯକାରୀ ମୁଖ୍ୟ। ସେନା ସହିତ ସେମାନଙ୍କର ସମ୍ପର୍କ ନୀତିଗତ ଭାବରେ ସହଯୋଗୀର। ସେନାର ସୁପ୍ରିମ କମାଣ୍ଡର ହେଉଛନ୍ତି ଭାରତ ର ରାଷ୍ଟ୍ରପତି। ତେଣୁ ପ୍ରଧାନମନ୍ତ୍ରୀ ନିଜକୁ ସେନାନାୟକ ଭାବରେ ଉପସ୍ଥାପିତ କରିବା ଆଦୌ ଉଚିତ ନୁହେଁ।

ଆଜି ଯାହା ଚାଲିଛି, ତାହା ସନ୍ତ୍ରାସବାଦ ର ବିନାଶ ପର୍ଯନ୍ତ ଠିକ ଅଛି। ଏହାକୁ କିନ୍ତୁ ଯୁଦ୍ଧ ଉନ୍ମାଦରେ ରୂପାନ୍ତରିତ କରିବାର ପ୍ରୟାସ ବନ୍ଦ ହେବା ଉଚିତ। ପାକିସ୍ତାନ ଏକ ମୌଳବାଦୀ ଓ ଧର୍ମତନ୍ତ୍ରରେ ବିଶ୍ଵାସ କରୁଥିବା ଦେଶ। ହେଲେ ଆମର ସବୁଠୁ ବଡ ଶକ୍ତି ହେଉଛି ଆମର ଗଣତନ୍ତ୍ର। ଗଣତନ୍ତ୍ରରେ ସେନାର ସଫଳତାକୁ ଅଣରାଜନୈତିକ ଭାବରେ ଦେଶର ପ୍ରତ୍ୟେକ ଜନତା ନିଜର ଗୌରବ ବୋଲି ଭାବିଥାଏ। ସେଠି ରାଜନୈତିକ ବିଭାଜନର କୌଣସି ଆବଶ୍ୟକତା ନାଇଁ। ସେନାର ଏଇ ସଫଳତା ଲାଗି ଶାସକ ଦଳ ଯେତିକି ଶ୍ରେୟ ପାଇବ,  ନିଜର ସଂଯମ ଓ ନୈତିକ ସମର୍ଥନ ଲାଗି ବିରୋଧୀ ଦଳ ଗୁଡିକ ମଧ୍ୟ ସେତିକି ଶ୍ରେୟ ପାଇବେ।

ମନେ ରଖନ୍ତୁ, ଆମର ସେନା ଆମ ଜାତିର ସମ୍ପତ୍ତି। ଏହା କୌଣସି ରାଜନୈତିକ ଦଳର ଭୋଟ ହାସଲକାରୀ ବ୍ୟବସ୍ଥା ନୁହେଁ।