Categories
ଆଜିର ଖବର ରାଜ୍ୟ ଖବର

ନିଶାଦ୍ରବ୍ୟ ବିରୋଧରେ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନର କାର୍ଯ୍ୟକ୍ରମକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଆଜି ବିଶ୍ୱ ତମ୍ବାଖୁ ବର୍ଜନ ଦିବସ ଅବସରରେ ଲୋକସେବା ଭବନ ଠାରେ ଅବକାରୀ ବିଭାଗ ପକ୍ଷରୁ ନିଶାଦ୍ରବ୍ୟ ତଥା ବିଷାକ୍ତ ମାଦକଦ୍ରବ୍ୟ ବିରୋଧରେ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନର କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ମୋହନ ଚ଼ରଣ ମାଝି ଉଦଘାଟନ କରିଛନ୍ତି। ଏହି ଅବସରରେ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଉପସ୍ଥିତ ରହି ସଚ଼େତନତା ବାର୍ତ୍ତା ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ।

ବିଭିନ୍ନ ମାଦକ ତଥା ନିଶାଦ୍ରବ୍ୟ ବ୍ୟବହାରର କୁପରିଣାମ ବିଷୟରେ ସମସ୍ତ ଜନସାଧାରଣଙ୍କୁ ଅବଗତ କରିବା ସହିତ ଅପମିଶ୍ରିତ,ବିଷାକ୍ତ ଏବଂ ଚୋରା ମଦ କାରବାର ସମ୍ପୂର୍ଣ୍ଣ ରୋକିବା ଲାଗି ରାଜ୍ୟବ୍ୟାପୀ ବ୍ୟାପକ ଜନସଚେତନତା ଅଭିଯାନ କାର୍ଯ୍ୟକ୍ରମ ବିଶ୍ବ ତମ୍ବାଖୁ ବର୍ଜନ ଦିବସ (ମଇ ୩୧) ଠାରୁ ଆରମ୍ଭ ହୋଇ ଆନ୍ତର୍ଜାତୀୟ ନିଶା ସେବନ ଓ ବେଆଇନ କାରବାର ନିରୋଧ ଦିବସ (ଜୁନ୍- ୨୬) ତାରିଖ ପର୍ଯ୍ୟନ୍ତ ଚାଲିବ।ଏହି ଅଭିଯାନର ଶୀର୍ଷକ ରହିଛି ଆମ ସଂକଳ୍ପ – ନିଶା ନୁହେଁ, ଜୀବନ।

ଏହି ସଚେତନତା ଅଭିଯାନ ରାଜ୍ୟ ରାଜଧାନୀ ସହିତ ବିଭିନ୍ନ ସହରାଞ୍ଚଳ, ସମସ୍ତ ଜିଲ୍ଲା ସଦରମହକୁମା, ଉପଖଣ୍ଡ, ବ୍ଳକ, ଗ୍ରାମପଞ୍ଚାୟତ ଓ ପଲ୍ଲୀ ସ୍ତରରେ ଏହି ଅଭିଯାନକୁ ବ୍ୟାପକ କରାଯିବ,ଅର୍ଥାତ୍ ଗାଁରୁ ସହର ପର୍ଯ୍ୟନ୍ତ ଲୋକଙ୍କ ଭିତରେ ଏହି ଗୁରୁତ୍ବପୂର୍ଣ୍ଣ ସାମାଜିକ ବାର୍ତ୍ତା ପ୍ରସାର କରାଯିବ।ତା’ ସହିତ ପାରମ୍ପରିକ ପାଲା, ଦାସକାଠିଆ ଏବଂ ଘୋଡ଼ାନାଚ ତଥା ପଥପ୍ରାନ୍ତ ନାଟକ ମାଧ୍ୟମରେ ଏହି ଅଭିଯାନର ବାର୍ତ୍ତା ଘରେ ଘରେ ପହଞ୍ଚାଇବା ପାଇଁ ନିଷ୍ପତ୍ତି ନିଆଯାଇଛି।

ଛାତ୍ରଛାତ୍ରୀ ଏବଂ ଯୁବପିଢିଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଡିବାକୁ ଲକ୍ଷ୍ୟ ରଖାଯାଇଛି।ଏଥିପାଇଁ ସ୍କୁଲ, କଲେଜ ସ୍ତରରେ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାର ଆୟୋଜନ ମଧ୍ୟ କରାଯିବ।ଏହା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଏହାର ସଂପୃକ୍ତି ବିଷୟରେ ସଚେତନ କରାଯିବା ସହ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ।

ମାଦକଦ୍ରବ୍ୟର ବହୁଳ ବ୍ୟବହାର ଓ ଗଞ୍ଜେଇ, ଅଫିମ, ଚରସ, ବ୍ରାଉନସୁଗାର ଏବଂ କୋକେନ ଭଳି ଘାତକ ଦ୍ରବ୍ୟ ଆଦିର ଅପବ୍ୟବହାର କବଳରୁ ଓଡ଼ିଶାକୁ ମୁକ୍ତ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ।ସେହିପରି ଅପମିଶ୍ରିତ, ବିଷାକ୍ତ ଏବଂ ବେଆଇନ ମଦ କାରବାର ରୋକିବାରେ ଏହି ଅଭିଯାନ ବଳିଷ୍ଠ ଭୂମିକା ଗ୍ରହଣ କରିବ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ଆଶାବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମ ଅବସରରେ ଏକାମ୍ର ବିଧାୟକ ବାବୁ ସିଂ, ଅବକାରୀ ବିଭାଗର କମିଶନର ତଥା ପ୍ରମୁଖ ସଚିବ ଗୁହା ପୁନମ୍ ତାପସ କୁମାରଙ୍କ ସମେତ ବିଭାଗୀୟ ଅଧିକାରୀ ଗଣ ପ୍ରମୁଖ ଉପସ୍ଥିତ ଥିଲେ।