Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀ ୩୪୯ଟି ନୂଆ ଆମ୍ବୁଲାନସ କଲେ ଲୋକାର୍ପିତ, ୪୮.୪୫ କୋଟି ଟଙ୍କା ବିନିଯୋଗ

ଭୁବନେଶ୍ବର: ତ୍ଵରିତ ସ୍ୱାସ୍ଥ୍ୟ ସେବା ଦିଗରେ ଅନ୍ୟ ଏକ ଉଲ୍ଲେଖନୀୟ ପଦକ୍ଷେପ ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୩୪୯ଟି ନୂଆ ଆମ୍ବୁଲାନ୍ସ ଓଡିଶାବାସୀଙ୍କ ନିମନ୍ତେ ଲୋକାର୍ପଣ କରିଛନ୍ତି । ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଠାରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ଆମ୍ବୁଲାନ୍ସ ରାଜ୍ୟର ମେଡିକାଲ ଆମ୍ବୁଲାନ୍ସ ସେବାରେ ଯୋଗ କରାଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ଆହୁରି ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସହାୟକ ହେବ। ‘ପ୍ରତି ଜୀବନ ମୂଲ୍ୟବାନ’ ନୀତି ଅନୁଯାୟୀ ଆମର ଉଦ୍ୟମ ଜାରି ରହିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଆଜି ଲୋକାର୍ପିତ ଆମ୍ବୁଲାନ୍ସ ଗୁଡିକ ମଧ୍ୟରୁ ୨୭୯ଟିକୁ ୧୦୮-ଆମ୍ବୁଲାନ୍ସ ସେବାରେ ସାମିଲ କରାଯାଇଛି। ବାକି ୭୦ଟିକୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟମାନଙ୍କୁ ଯୋଗାଇ ଦିଆଯାଇଛି। ଏହି ୭୦ଟି ମଧ୍ୟରୁ ୪୦ଟି ହେଉଛି ଜୀବନ ରକ୍ଷାକାରୀ ମୌଳିକ ଆମ୍ବୁଲାନ୍ସ ଏବଂ ୩୦ଟି ଜୀବନ ରକ୍ଷାକାରୀ ଅତ୍ୟାଧୁନିକ ଆମ୍ବୁଲାନ୍ସ।

ସମୁଦାୟ ୩୪୯ଟି ଆମ୍ବୁଲାନ୍ସ ବାବଦରେ ୧୪୮.୪୫ କୋଟି ଟଙ୍କା ବିନିଯୋଗ କରାଯାଇଛି।

୧୦୮-ଆମ୍ବୁଲାନ୍ସ ସେବାରେ ଏହି ନୂଆ ଆମ୍ବୁଲାନ୍ସ ଗୁଡିକ ସାମିଲ ହେବା ପରେ ମୋଟ ଆମ୍ବୁଲାନ୍ସ ସଂଖ୍ୟା ୧୩୬୬ କୁ ବୃଦ୍ଧି ପାଇଛି । ବର୍ତ୍ତମାନ ପ୍ରତିଦିନ ହାରାହାରି ୪୦୦୦ରୁ ଅଧିକ ସଂଖ୍ୟକ ରୋଗୀ ଏହି ୧୦୮-ଆମ୍ବୁଲାନ୍ସ ସେବା ଦ୍ଵାରା ଡାକ୍ତରଖାନାକୁ ସ୍ଥାନାନ୍ତରିତ ହେଉଛନ୍ତି। ନୂଆ ଆମ୍ବୁଲାନ୍ସ ଗୁଡିକ ସାମିଲ ହେବା ପରେ ୧୦୮-ଆମ୍ବୁଲାନ୍ସ ସେବା ଆହୁରି ତ୍ଵରିତ ଏବଂ ସୁବିଧାଜନକ ହେବ।

ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୁଡିକୁ ଯୋଗଉଥିବା ୭୦ଟି ଆମ୍ବୁଲାନ୍ସ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଭୁକ୍ତ ରୋଗୀମାନଙ୍କୁ ଆବଶ୍ୟକ ସ୍ଥଳେ ସରକାରୀ ଡାକ୍ତରଖାନାରୁ ଘରୋଇ ହସ୍ପିଟାଲକୁ ଜରୁରୀକାଳିନ ସ୍ଥାନାନ୍ତରରେ ବ୍ୟବହାର ହେବା ସହ ଜିଲ୍ଲା ସ୍ତରରେ ଅନ୍ୟ ରୋଗୀମାନଙ୍କ ଜରୁରୀ ଆବଶ୍ୟକତା ପୁରଣରେ ସହାୟକ ହେବ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ 5T ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ, ବିଭାଗୀୟ ସଚିବ ଶ୍ରୀ ଶାଲିନି ପଣ୍ଡିତ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

୨୬ଟି ନୂତନ ଅତ୍ୟାଧୁନିକ ୧୦୮ ଆମ୍ବୁଲାନ୍ସ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କୁ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉଦ୍ଦେଶ୍ୟରେ ୨୬ଟି ନୂତନ ଅତ୍ୟାଧୁନିକ ୧୦୮ ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତି।

ଆଜି ସନ୍ଧ୍ୟାରେ ନବୀନ ନିବାସଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠି ବିନିଯୋଗରେ କ୍ରୟ ହୋଇଥିବା ଏହି ୨୬ଟି ନୂତନ ଆମ୍ବୁଲାନ୍ସକୁ ପତକା ଦେଖାଇ ରାଜ୍ୟବାସୀଙ୍କୁ ଜରୁରୀକାଳୀନ ସେବା ପ୍ରଦାନ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ରୋଗୀସେବା ଯୋଗାଇଦେବା ଉଦ୍ଦେଶ୍ୟରେ କ୍ରୟ ହୋଇଥିବା ଏହି ୨୬ଟି ଆମ୍ବୁଲାନ୍ସ ପାଇଁ ୧୦.୯୨ କୋଟି ଟଙ୍କା ବିନିଯୋଗ ହୋଇଛି।

ସୂଚନାଯୋଗ୍ୟ ଯେ, ଦୁର୍ଘଟଣା, ପ୍ରାକୃତିକ ବିପର୍ଯ୍ୟୟ, ଗର୍ଭବତୀ ଓ ଗୁରୁତର ରୋଗରେ ପୀଡିତ ବ୍ୟକ୍ତିଙ୍କୁ ବିନା ଖର୍ଚ୍ଚରେ ଡାକ୍ତରଖାନାକୁ ନେବା ପାଇଁ ରାଜ୍ୟରେ ଏହି ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ସଫଳତାର ସହ କାର୍ଯ୍ୟ କରୁଛି।

ଜୀବନ ରକ୍ଷାକାରୀ ସୁବିଧା ଥିବା ଏହି ୨୬ଟି ନୂତନ ଆମ୍ବୁଲାନ୍ସ ସାମିଲ ହେବାପରେ ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ର ଅଧିକ ସୁଦୃଢ ହେବ। ଟୋଲ୍ ଫ୍ରି ନମ୍ବର ୧୦୮କୁ ଫୋନ୍ କରି ରାଜ୍ୟରେ ଏହି ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ସୁବିଧା ଉପଲବ୍ଧ ହେଉଛି।

ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ, 5T ସଚିବ ଶ୍ରୀ ଭି.କେ ପାଣ୍ଡିଆନ, ସ୍ୱାସ୍ଥ୍ୟ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ମୃତ୍ୟୁର 12 ଘଣ୍ଟା ପରେ ବି ଆସିଲାନି ଆମ୍ବୁଲାନ୍ସ : ଟ୍ରଲିରେ ବୁହା ହେଲା କରୋନା ଆକ୍ରାନ୍ତଙ୍କ ଶବ

ଥେନି : ସାରା ଭାରତରେ କରୋନା ମାମଲା ବୃଦ୍ଧି ପାଇଥିବାବେଳେ କରୋନା ଆକ୍ରାନ୍ତଙ୍କୁ ନେଇ ପ୍ରଶାସନର ଅବେହଳା ମଧ୍ୟ ସାମ୍ନକୁ ଆସିଛି । ଠିକ୍‌ ଏହିପରି ଏକ ଘଟଣା ତାମିଲନାଡୁ ଥେନିରୁ ସାମ୍ନାକୁ ଆସିଛି । ଏଠାରେ ଜଣେ ବୃଦ୍ଧା ମହିଳା କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବାବେଳେ ଆମ୍ବୁଲାନ୍ସ ନ ମିଳିବାରୁ ଟ୍ରଲିରେ ତାଙ୍କ ଶବକୁ ଅନ୍ତିମ ସଂସ୍କାର ପାଇଁ ନିଆଯାଇଛି। କରୋନା ଆକ୍ରାନ୍ତଙ୍କ ଶବକୁ ଟ୍ରଲିରେ ନିଆଯାଉଥିବା ନେଇ ଏକ ଭିଡିଓ ଭାଇରାଲ୍‌ ହେବା ପରେ ଘଟଣାଟି ସାମ୍ନାକୁ ଆସିଥିଲା ।  75 ବର୍ଷୀୟା ମହିଳା ଜଣକ ଥେନିରେ ଏକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। କିଛିଦିନ ହେବ ଏହି ବୃଦ୍ଧାଙ୍କର ସ୍ବାସ୍ଥ୍ୟବସ୍ଥା ଠିକ୍‌ ରହୁନଥିଲା। ସେ ଡାଇରିଆରେ ପୀଡ଼ିତ ଥିଲେ। ଚିକିତ୍ସା ପରେ ସେ ଘରକୁ ଫେରିଥିଲେ। କିନ୍ତୁ ଘରକୁ ଆସିବାର ଦୁଇ ଦିନ ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ମିଳିଥିଲା।

ଏହା ପରେ ମହିଳାଙ୍କୁ କ୍ବାରେଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଥିଲା। କିନ୍ତୁ ଶୁକ୍ରବାର ଦିନ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଘଟଣା ଜାଣିବା ପରେ ପଡୋଶୀମାନେ ନଗର ନିଗମକୁ ଏହି ସମ୍ପର୍କରେ ସୂଚନା ଦେଇଥିଲା । କିନ୍ତୁ ବୃଦ୍ଧାଙ୍କର ମୃତ୍ୟୁର  12 ଘଣ୍ଟା ପରେ ପ୍ରଶାସନ ତରଫରୁ କୌଣସି ଆମ୍ବୁଲାନ୍ସ ବ୍ୟବସ୍ଥା ନହବୋରୁ  ଜଣେ ସ୍ଥାନୀୟ ସଫାଇ କର୍ମୀ ସାହାଯ୍ୟ କରିଥିଲେ । ଏକ ଟ୍ରଲିରେ ବୃଦ୍ଧାଙ୍କର ଶବକୁ ଅନ୍ତିମ ସଂସ୍କାର ପାଇଁ ବ୍ୟବସ୍ଥା କରାଗଲା । ତେବେ ବୃଦ୍ଧା ମହିଳାଙ୍କ ପୁତ୍ର ଏହାକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଆମ୍ବୁଲାନ୍ସରେ ପ୍ରାଣ ହରାଇଲେ ଗର୍ଭବତୀ : କେଜ୍ରିଓ୍ବାଲଙ୍କ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ : ନୋଇଡାରେ ଜଣେ ଗର୍ଭବତୀ ଆମ୍ବୁଲାନ୍ସରେ ପ୍ରାଣ ହରାଇଛନ୍ତି । ଏହି ଘଟଣା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । 8 ମାସର ଗର୍ଭବତୀ ମହିଳା ଜଣଙ୍କ ଦୀର୍ଘ 13 ଘଣ୍ଟା ଧରି ଆମ୍ବୁଲାନ୍ସରେ ଯାତ୍ରା କରିବା ପରେ ଶେଷରେ ପ୍ରାଣ ହରାଇଥିଲେ । ମହିଳାଙ୍କୁ କୌଣସି ହସ୍ପିଟାଲରେ ବେଡ୍‌ ନ ମିଳିବା କାରଣରୁ ସେ ଆମ୍ବୁଲାନ୍ସରେ ପ୍ରାଣ ହରାଇଥିବା ନେଇ ସ୍ବାମୀ ଅଭିଯୋଗ କରିଛନ୍ତି ।

ପ୍ରାରମ୍ଭିକ ଭାବରେ ଶିବାଲିକ ହସ୍ପିଟାଲକୁ ଯାଇଥିବା ନୀଲମ ଏବଂ ବିଜେନ୍ଦର ପ୍ରାୟ 8ଟି ହସ୍ପିଟାଲକୁ ଯାଇଥିବା ବେଳେ କୌଣସି ହସ୍ପିଟାଲରେ ସ୍ଥାନ ମିଳିନଥିଲା । ଶେଷରେ ଜିଆଇଏମ୍‌ସ ହସ୍ପିଟାଲରେ ମହିଳାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ବେଳେ ସେ ପ୍ରାଣ ହରାଇଥିଲେ । ଏହି ଘଟଣା ପରେ ନୋଇଡାର ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ପହଞ୍ଚି ପାରିଲାନି ଆମ୍ବୁଲାନ୍ସ : ଦମକଳ ଗାଡିରେ ପ୍ରସବ କଲେ ମହିଳା

ଗୁରୁପଦ ବେରା
କେନ୍ଦ୍ରାପଡା: ଆମ୍ବୁଲାନ୍ସ ନ ପହଞ୍ଚି ପାରିବାରୁ ଦମକଳ ଗାଡିରେ ହସ୍ପିଟାଲ ଯିବା ସମୟରେ ପ୍ରସବ କରିଛନ୍ତି ମହିଳା। କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକର ଜହଁରା ଗ୍ରାମର ଜାନକି ସେଠୀଙ୍କର ବୁଧବାର ପୂର୍ବାହ୍ନରେ ପ୍ରସବବେଦନା ଆରମ୍ଭ ହୋଇଥିଲା। ଏହି ସମୟରେ ଶାଶୁ ଘର ଲୋକେ ୧୦୮ ନମ୍ବରକୁ ଫୋନ କରିଥିଲେ ମଧ୍ୟ ନମ୍ବର ବ୍ୟସ୍ତ ରହିଥିଲା। ଅନ୍ୟ କୌଣସି ଉପାୟ ନପାଇ ଅଗ୍ନିଶମ ବିଭାଗକୁ ଫୋନ୍‌ କରିବାରୁ ଉକ୍ତ ମହିଳାଙ୍କୁ ଦମକଳ ଗାଡି ଜରିଆରେ ହସ୍ପିଟାଲ ନିଆଯାଇଥିଲା। ତେବେ ରାସ୍ତାରେ ଗଛ ପଡିଯାଇଥିବାରୁ ରାସ୍ତା ସଫା କରି ନେବା ସମୟରେ ମହିଳାଙ୍କ ପ୍ରସବ ହୋଇଥିଲା। ଏହାପରେ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ମହିଳାଙ୍କୁ ମହାକାଳପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇଥିଲେ। ଉଭୟ ମା ଓ ଶିଶୁ ସୁସ୍ଥ ରହିଥିବା ଜଣାପଡିଛି। ଏହି ଘଟଣାକୁ ନେଇ ଅଗ୍ନିଶମ ବିଭାଗର ଉଦ୍ୟମକୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର

ଲକ୍‌ ଡାଉନ୍‌ ମଧ୍ୟରେ ଆମ୍ବୁଲାନ୍ସ ନ ମିଳିବାରୁ ମା’ କୋଳରେ ଜୀବନ ହାରିଲା ପୁତ୍ର

ବିହାର : କରୋନା ଭାଇରସ୍‌ ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି । ଏହି ଲକ୍‌ ଡାଉନ୍‌ ଜନତାଙ୍କ ଜୀବନ ବଞ୍ଚାଇବାକୁ ଏହି ପଦକ୍ଷେପ ନିଆଯାଇଥିବାବେଳେ ଏଥିପାଇଁ ମଧ୍ୟ ଜୀବନ ଚାଲିଯାଉଛି । ଏହି ପରି ଏକ ହୃଦୟ ବିଦାରକ ଘଟଣା ବିହାର ଅଞ୍ଚଳରେ ଦେଖିବାକୁ ମିଳିଛି ।

ବିହାରର ଜହାନାବାଦଠାରେ କରୋନା ସଂକଟ ସମୟରେ ତିନି ବର୍ଷର ପୁଅ ପାଇଁ ଆମ୍ବୁଲାନ୍ସର ଅପେକ୍ଷା ଅପେକ୍ଷା କରି କରି ମା’ କୋଳରେ ଜୀବନ ହାରିଦେଲା ପୁଅଟି । ମିଳିଥିବା ସୂଚନା ଅନୁସାରେ ଏହି ପୁଅଟି କିଛି ଦିନ ହେବ ରୋଗରେ ପଡିଥିଲା । ପୁଅକୁ ନେଇ ମା’ଟି ବହୁ ଯାଗା ବୁଲି ବୁଲି ଜାହାନାବାଦ ସରକାରୀ ହସ୍ପିଟାଲରେ ପହଞ୍ଚିଥିଲେ । କିନ୍ତୁ ଡାକ୍ତର ପୁଅକୁ ପରୀକ୍ଷା କରିଥିଲେ । ମାତ୍ର ଶିଶୁଟିର ଅବସ୍ଥା ବେଶ୍‌ ଗୁରୁତର ଥିବାରୁ ତାଙ୍କୁ ପାଟନା ରେଫର୍‌ କରିଦେଇଥିଲେ । କିନ୍ତୁ ପାଟନା ହସ୍ପିଟାଲ ନେବାକୁ ଶିଶୁଟିର ମାତା ପିତା ଏକ ଆମ୍ବୁଲାନ୍ସର ଯୋଗାଡ କରିପାରିନଥିଲେ ।

ଜାହାନବାଦଠାରୁ ପାଟନ 50 କିଲୋମିଟର ଦୂର । ପୁଅଟିକୁ ପାଟନା ହସ୍ପିଟାଲ ନେବା ପାଇଁ ସମ୍ପର୍କୀୟ ମାନେ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଆମ୍ବୁଲାନ୍ସର ବ୍ୟବସ୍ଥା କରିପାରିନଥିଲେ । ଦୁଇ ଘଣ୍ଟା ପର୍ଯ୍ୟନ୍ତ ଆମ୍ବୁଲାନ୍ସ ପାଇଁ ଅପେକ୍ଷା କରି କରି ଶେଷରେ ମା’ କୋଳରେ ପୁଅଟି ଜୀବନ ହାରି ଦେଇଛି । ମା’ଟି କାନ୍ଦି କାନ୍ଦି ଛୁଆଟାକୁ ବଞ୍ଚାଇବାକୁ ଆକୁଳ ନିବେଦନ କରି ଚାଲିଥିବାବେଳେ ଆମ୍ବୁଲାନ୍ସର ବ୍ୟବସ୍ଥା ହୋଇପାରିନଥିଲା ।

ପିଲାଟିର ମୃତ୍ୟୁ ହେବା ପରେ ବି ପିଲାଟିର ମରଶରୀର ନେବା ପାଇଁ ହସ୍ପିଟାଲ ତରଫରୁ ତାଙ୍କୁ କୌଣସି ସୁବିଧା ମିଳିପାରିନଥିଲା । ସରକାର ଦେଶର ଜନତାଙ୍କୁ ବଞ୍ଚାଇବା ପାଇଁ ଲକ୍‌ ଡାଉନ୍‌ ପରି ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ଲକ୍‌ ଡାଉନ୍‌ ସମୟରେ ବିହାରର ଏହି ମା’ଟି ପରି ଅନେକ ମା’ ଏପରି ଦୁଃଖ ଦୁର୍ଦ୍ଦଶା ଭୋଗ କରୁଛନ୍ତି ।  ଲକ୍‌ଡାଉନ୍‌ ସମୟରେ ରୋଗୀମାନଙ୍କ ପାଇଁ ଅତ୍ୟାବଶ୍ୟକ ସୁବିଧା ରହିବା ନିତାନ୍ତ ଆବଶ୍ୟକ ।

Categories
ଆଜିର ଖବର ରାଜ୍ୟ ଖବର

ରାସ୍ତା ମଝିରେ ଓଲଟିଲା ଆମ୍ବୁଲାନ୍ସ

ବବୁଲୁ ସାହୁ
କଳାହାଣ୍ଡି : ନର୍ଲା ଗ୍ୟାସ ଅଫିସ ନିକଟସ୍ଥ ବଡ ପୁଲିଆ ନିକଟେର ଏକ ୧୦୮ ଆମ୍ବୁଲାନ୍ସ ରାସ୍ତା ତଳକୁ ଖସିପଡିଛି । ଓଡି 02 ବିଜେ 2663 ନମ୍ବର ବିଶିଷ୍ଟ ଏହି ଆମ୍ବୁଲାନ୍ସରେ କୌଣସି ରୋଗୀ ନ ଥିଲେ । ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଡ୍ରାଇଭରଙ୍କ ଅସାବଧାନତା କାରଣରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଦୁର୍ଘଟଣା ସମୟରେ ଆମ୍ବୁଲାନ୍ସରେ କୌଣସି ରୋଗୀ ନଥିଲେ । ଏହି ଦୁର୍ଘଟଣା ପରେ ସୁରକ୍ଷିତ ରୋଗୀ ପରିବହନକୁ ନେଇ ଆଶଙ୍କା ପ୍ରକାଶ ପାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଆମ୍ବୁଲାନ୍ସକୁ ପଛରୁ ଧକ୍କା ଦେଲା ଆମ୍ବୁଲାନ୍ସ : 4 ଆହତ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଭଦ୍ରକରେ ଦୁଇ ଆମ୍ବୁଲାନ୍ସ ମଧ୍ୟରେ ଦୁର୍ଘଟଣା ଘଟି 4 ଜଣ ଆହତ ହୋଇଛନ୍ତି । ଭଦ୍ରକ ଟାଉନ ଥାନା ଡାହାଣିଗଡ଼ିଆ ନିକଟରେ ଏକ ଆମ୍ବୁଲାନ୍ସ ଅନ୍ୟ ଏକ ଆମ୍ବୁଲାନ୍ସକୁ ପଛରୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା 4 ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାର କାରଣ ଅସ୍ପଷ୍ଟ ଥିବା ବେଳେ ଘନ କୁହୁଡି କାରଣରୁ ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି ।

Categories
ଆଜିର ଖବର ରାଜ୍ୟ ଖବର

ଭିଡ଼ ପାଇଁ ପ୍ରାଣ ଗଲା : ରାସ୍ତା ଜାମ୍‌ରେ ଆମ୍ବଲାନ୍ସ ଫଶି ଯିବାରୁ ଘଟିଲା ଅଘଟଣ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ରାସ୍ତା ଜାମ୍‌ ପାଇଁ ଶିଶୁ ପୁତ୍ରକୁ ଜୀବନ ହରାଇବାକୁ ପଡିଛି । ଆମ୍ବୁଲାନ୍ସ ଭିଡରେ ଫସିବାରୁ ପ୍ରାଣ ହରାଇଲା ଶିଶୁ ପୁତ୍ର । ପାଞ୍ଚ ବର୍ଷର ବାଳକର ପ୍ରବଳ ବାନ୍ତି ହେବାରୁ ମେଡ଼ିକାଲ ଆସିଥିଲା । କ୍ୟାପିଟାଲ୍‌ ହସ୍ପିଟାଲରୁ କଟକ ଏସ୍‌ସିବିକୁ ରେଫର କରିଥିଲେ ଡାକ୍ତର । ପରିବାର ଲୋକେ ଏସସିବି ନନେଇ ଘରୋଇ ହସ୍ପିଟାଲକୁ ଆଣୁଥିଲେ । ପଟିଆ ଅଞ୍ଚଳରେ ଥିବା ଘରୋଇ ହସ୍ପିଟାଲ ଆଣୁଥିଲେ ସମ୍ପର୍କୀୟ । ତେବେ ରାସ୍ତା ଜାମ୍‌ ଯୋଗୁଁ ସହଜରେ ଆସିପାରିନଥିଲା ଆମ୍ବୁଲାନ୍ସ । ରାସ୍ତାର ବିଭିନ୍ନ  ଜାଗାରେ ଜାମ୍‌ ଥିବାରୁ ଆମ୍ବୁଲାନ୍ସ ଫସି ଯାଇଥିଲା ।  ପଟିଆ ଘରୋଇ ହସ୍ପିଟାଲ୍‌ରେ ପହଞ୍ଚିବାକୁ ପ୍ରାୟ 1 ଘଣ୍ଟା ଲାଗିଥିଲା । ବିଳମ୍ବ ଯୋଗୁଁ ରାସ୍ତାରେ ଶିଶୁଟିର ମୃତ୍ୟୁ ଘଟିଥିବା କହିଛନ୍ତି ସମ୍ପର୍କୀୟ । ଆମ୍ବୁଲାନ୍ସ ପାଇଁ ଟ୍ରାଫିକ୍‌ ନିୟମରେ ଅନେକ ପରିବର୍ତ୍ତନ କରାଯାଇଥିଲେ ମଧ୍ୟ ଭିଡରେ ଆମ୍ବୁଲାନ୍ସ ଫଶି ଯିବାରୁ ଏପରି ଏକ ଅଘଟଣ ଘଟିଯାଇଛି ।