Categories
ବିଶେଷ ଖବର ରାଜ୍ୟ ଖବର

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବିଶ୍ବଭୂଷଣ ହରିଚନ୍ଦନ, ଭେଟଘାଟକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା

ଭୁବନେଶ୍ବର: ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ତଥା ଓଡିଶା ବିଜେପିର ତୁଙ୍ଗ ନେତା ବିଶ୍ବଭୂଷଣ ହରିଚନ୍ଦନ ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନୂଆଦିଲ୍ଲୀସ୍ଥିତି ବାସଭବନରେ ଏହି ଭେଟଘାଟ ହୋଇଛି। ଏହି ସାକ୍ଷାତ ଏକ ସୌଜନମୂଳକ ଥିଲା। ସାକ୍ଷାତ ବେଳେ ବିଶ୍ବଭୂଷଣ ପ୍ରଧାନମନ୍ତ୍ରୀଙ୍କୁ  ତିରୂପତି ବାଲାଜୀଙ୍କ ଫଟୋ ସହ ନୀଳ ଉତ୍ତରୀୟ ଉପହାର ଦେଇଥିଲେ। ତାହାକୁ ପ୍ରଧାନମନ୍ତ୍ରୀ ସାଦରେ ଗ୍ରହଣ କରି  ନୀଳ ଉତ୍ତରୀୟ ପିନ୍ଧି ବିଶ୍ବଭୂଷଣଙ୍କ ସହିତ କଥା ହୋଇଥିଲେ।

ଗୋଟିଏ ରାଜ୍ୟର ରାଜ୍ୟପାଳ ଭାବେ ବିଶ୍ବଭୂଷଣ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାରେ କୌଣସି ଅସୁବିଧା ନାହିଁ। ରାଜ୍ୟପାଳ କାହିଁକି ବିଶ୍ବଭୂଷଣ ଜଣେ ପୂର୍ବତନ ମନ୍ତ୍ରୀ ଭାବେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିପାରିବେ। ହେଲେ ଏହି ସାକ୍ଷାତକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବିଶେଷ କରି ରାଜ୍ୟ ରାଜନୀତିରେ ଏହି ଭିଟଘାଟକୁ ନେଇ ବେଶ୍ କିଛି ଆଲୋଚନା ଚାଲିଛି।

ପ୍ରଧାନମନ୍ତ୍ରୀଙ୍କୁ ବିଶ୍ବଭୂଷଣ ଫୁଲତୋଡା ସହିତ ପ୍ରଭୃ ବାଲାଜୀଙ୍କ ଫଟୋ ଓ ଉତ୍ତରୀୟ ପ୍ରଦାନ ପରେ ଉଭୟ ବସି କିଛି ସମୟ କଥା ହୋଇଥିଲେ। ଏହାହିଁ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ଉଭୟ କଣ ଏବଂ କେଉଁ ବିଷୟରେ କଥା ହେଲେ ସେ ନେଇ ବିଭିନ୍ନ ମହଲରେ ସନ୍ଦେହ ପ୍ରକାଶ ପାଇଛି। ଏଥିରେ ଦୁଇ ପ୍ରକାରର ଚର୍ଚ୍ଚା ସାମାନାକୁ ଆସିଛି। ଯାହାକୁ ବିଜେପି ନେତାମାନେ ଖଣ୍ଡନ କରୁଥିଲେ ମଧ୍ୟ ସାଧାରଣରେ ତାହାକୁ କେହି ଅସମ୍ଭବ ବୋଲି କହିପାରୁ ନାହାଁନ୍ତି।

ପ୍ରଥମ ଚର୍ଚ୍ଚା ହେଲା ଯେ, ରାଷ୍ଟ୍ରପତି ନିର୍ବାଚନ ଆଗରେ ଥିବାରୁ ଏହି ଭେଟଘାଟ ଚର୍ଚ୍ଚାକୁ ବେଶ ଖୋରାକ ଯୋଗାଉଛି। ପ୍ରତିଷ୍ଠିତ ମହଲରେ ଆଲୋଚନା ହେଉଛି ଯେ, ହୁଏତ ବିଶ୍ବଭୂଷଣଙ୍କୁ ମୋଦୀ ରାଷ୍ଟ୍ରପତି ପ୍ରାର୍ଥୀ କରିପାରନ୍ତି। ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜ୍ୟପାଳରୁ ରାଷ୍ଟ୍ରପତି ହୋଇଛନ୍ତି। ସେ ଯେପରି ରାଜଭବନରୁ ରାଷ୍ଟ୍ରପତି ଭବନ ଗଲେ ବିଶ୍ବଭୂଷଣ ମଧ୍ୟ ଯାଇପାରନ୍ତି ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ଦେଖିବାକୁ ଗଲେ ମୋଦୀ ଓଡିଶାର ପ୍ରମୁଖ ବ୍ୟକ୍ତିତ୍ବଙ୍କୁ ବହୁ ଉଚ୍ଚ ସ୍ଥାନରେ ଅବସ୍ଥାପିତ କରାଇଛନ୍ତି। ପୂର୍ବରୁ ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ, ଜମ୍ମୁକାଶ୍ମୀରର ପୂର୍ବତନ ଉପରାଜ୍ୟପାଳ ତଥା ବର୍ତ୍ତମାନର ସିଏଜି ଗିରିଶ ମୁର୍ମୁ, ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ପ୍ରଧାନମନ୍ତ୍ରୀଙ୍କ ପ୍ରିନସପାଲ ସଚିବ ପିକେ ମିଶ୍ରଙ୍କ ପରି ଅନେକ ବ୍ୟକ୍ତିତ୍ବ ଅଛନ୍ତି। ଏମାନେ ଦେଶର ବହୁ ଉଚ୍ଚପଦବୀରେ ଅବସ୍ଥାପିତ ହୋଇଛନ୍ତି। ତେଣୁ ସେଥିରେ ବିଶ୍ବଭୂଷଣ ହରିଚନ୍ଦନଙ୍କ ନାମ ବିଚାରକୁ ନିଆଯାଇପାରେ ବୋଲି କୁହାଯାଇଛି।

ଚର୍ଚ୍ଚା ନମ୍ବର ଦୁଇରେ ହେଲା ଯେ, ବିଶ୍ବଭୂଷଣ ପୁଣି ଥରେ ଓଡିଶାର ପ୍ରତ୍ୟେକ୍ଷ ରାଜନୀତିକୁ ଆସିପାରନ୍ତି। କାରଣ ଓଡିଶାରେ ଧର୍ମେନ୍ଦ୍ରଙ୍କ ନେତୃତ୍ବରେ ବିଜେପି ବାରମ୍ବାର ହାରିବାରେ ଲାଗିଛି। ଯେପରି ସଫଳତା ହାସଲ କରିବା କଥା ତାହା ହୋଇପାରୁ ନାହିଁ। ମୋଦୀଶାହା ଧର୍ମେନ୍ଦ୍ରଙ୍କୁ ବେଶ ପାୱାରଫୁଲ କଲେ ମଧ୍ୟ ଓଡିଶା ଲୋକେ ତାଙ୍କୁ ଗ୍ରହଣ କରିପାରୁ ନାହାଁନ୍ତି। ତାଙ୍କର ବିକଳ୍ପ ଭାବେ ଅପରାଜିତା ଷଡଙ୍ଗୀଙ୍କୁ ଉପସ୍ଥାପିତ କରାଯାଇଥିଲେ ମଧ୍ୟ ସେ ମଧ୍ୟ ଲୋକପ୍ରିୟତା ହାସଲ କରିପାରୁ ନାହାଁନ୍ତି।

ଏହା ବାଦ ବର୍ତ୍ତମାନ ଓଡିଶା ବିଜେପିରେ ରାଜ୍ୟ ସ୍ତରୀୟ ଚେହେରା ହେବା ପରି କେନ୍ଦ୍ରୀୟ ନେତୃତ୍ୟ ପାଖରେ କେହି ଦେଖା ଯାଉ ନାହାଁନ୍ତି। ଫଳରେ ମୋଦୀ ୨୦୨୪ ରେ ବିଶ୍ବଭୂଷଣଙ୍କୁ ଓଡିଶାର ବିଜେପି ଚେହେରା କରି ପ୍ରତ୍ୟେକ୍ଷ ରାଜନୀତିକୁ ଆଣିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି। ତେବେ ଏହାକୁ ନେଇ କେହି କିଛି ମନ୍ତବ୍ୟ ଦେଇ ନାହାଁନ୍ତି। ହେଲେ ରାଜନୀତିରେ ଏ ସବୁ କିଛି ଅସମ୍ଭବ ନୁହେଁ ବୋଲି ଅଣ ରାଜନୈତିକ ବ୍ୟକ୍ତିତ୍ବ ମତ ପ୍ରକାଶ କରିଛନ୍ତି।

Categories
ବିଶେଷ ଖବର ବ୍ୟକ୍ତିତ୍ୱ

ହାପି ବାର୍ଥ ଡେ ଟୁ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, ଜନ୍ମଦିନରେ ଆନ୍ଧ୍ର ପ୍ରଦେଶ ଦେଲା ଅନେକ ଶୁଭେଚ୍ଛା

ସମୀକ୍ଷା ବ୍ୟୁରୋ

ଆଜି ହେଉଛି ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ ୮୫ ତମ ଜନ୍ମଦିନ। ଠିକ୍ ୧୯୩୪ ମସିହା ଆଜିର ଦିନରେ ବିଶ୍ବଭୂଷଣ ହରିଚନ୍ଦନ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ଜନ୍ମଦିନରେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଡିଜି ପର୍ଯ୍ୟନ୍ତ ସମସ୍ତେ ଶୁଭେଚ୍ଛାର ବାର୍ତ୍ତା ଦେଇଛନ୍ତି। ଆନ୍ଧ୍ରପ୍ରଦେଶ ସରକାରର ଅନେକ ମନ୍ତ୍ରୀ ରାଜଭବନ ଯାଇ ବିଶ୍ବଭୂଷଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Andhra Pradesh Director General of Police Gowtham Sawang presenting a flower boque to Andhra Pradesh Governor Biswa Bhushan Harichandan on the occassion of his 85th birthday at Raj bhavan, in Vijayawada on Saturday .

ଗତମାସରେ ବିଶ୍ବଭୂଷଣ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଶପଥ ନେଇଛନ୍ତି। ଶପଥ ନେବାର କିଛିଦିନ ପରେ ସେ ପ୍ରଶାସନିକ କ୍ଷେତ୍ରରେ ଆଣିଛନ୍ତି ଅନେକ ସଂସ୍କାର। ଖୋଦ୍ ରାଜ୍ୟପାଳଙ୍କ ନାମ ପୂର୍ବରୁ ମହାମହିମ ବା His Excellency ନ ଲଗାଇବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି କୌଣସି ଚିଠିରେ ନାମ ପୂର୍ବରୁ ଏହି ଶଦ୍ଦ ନ ଲଗାଇବା ପାଇଁ ସେ ଜଣାଇ ଦେଇଥିଲେ। ଫଳରେ ବର୍ତ୍ତମାନ ଆନ୍ଧ୍ର ପ୍ରଦେଶ ହେଉଛି ଏକମାତ୍ର ରାଜ୍ୟ ଯେଉଁଠି ରାଜ୍ୟପାଳଙ୍କୁ  His Excellency ବୋଲି ଉଚ୍ଚାରଣ କରାଯାଉ ନାହିଁ।

ଓଡିଶା ରାଜନୈତିକ ଇତିହାସରେ ବିଶ୍ବଭୂଷଣଙ୍କ ନାମ ନିଶ୍ଚିତ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିବ। ବେଶ୍ ଘାତପ୍ରତିଘାତ ମଧ୍ୟରେ କଟିଛି ତାଙ୍କର ରାଜନୈତିକ ଜୀବନ। ୧୯୭୧ ମସିହାରେ ସେ ଭାରତୀୟ ଜନସଂଘରେ ସାମିଲ ହୋଇ ଆରମ୍ଭ କରିଥିଲେ ତାଙ୍କର ରାଜନୈତିକ ଜୀବନ। ୧୯୭୭ ମସିହାରେ  ଜନତା ପାର୍ଟି ଗଠନ ହେବା ପର୍ଯ୍ୟନ୍ତ ସେ ଜନସଂଘର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ। ୧୯୭୫ ମସିହାରେ ସେ ଜରୁରୀ କାଳୀନ ପରିସ୍ଥିତିକୁ ବିରୋଧ କରି  ମିସା ଆଇନରେ ଗିରଫ ହୋଇ ଜେଲ ମଧ୍ୟ ଯାଇଥିଲେ। ସେ ୧୯୮୦ରୁ ୧୯୮୮ ମସିହା ପର୍ଯ୍ୟନ୍ତ ୮ ବର୍ଷ ଧରି  ବିଜେପିର ରାଜ୍ୟ ସଭାପତି ରହିଥିଲେ। ପରେ ସେ ବିଜେପି ଛାଡ଼ି ଜନତା ପାର୍ଟିରେ ସାମିଲ ହୋଇଥିଲେ ମଧ୍ୟ ପୁଣିଥରେ ୧୯୯୬ ଏପ୍ରିଲ ମାସରେ ବିଜେପିକୁ ଫେରିଥିଲେ।  ବିଜୁ ପଟ୍ଟନାୟକଙ୍କ ସରକାରରେ ଶ୍ରୀ ହରିଚନ୍ଦନ  ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ରହିଥିଲେ।

VIJAYAWADA, AUG 3 (UNI) Andhra Pradesh Minister for Information and Public Relation Perni Venkataramaiah, Civil Supply Minister, K Venketeswara Rao and Endoment Minister Velampalli Srinivas and others presenting a memonto to Andhra Pradesh Governor Biswa Bhushan Harichandan on the occassion of his 85th birthday at Raj bhavan in Vijayawada on Saturday. UNI PHOTO-40u

ସେ ଚିଲିକା ଏବଂ ଭୁବନେଶ୍ୱରରୁ ପାଞ୍ଚ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ସେ ଦୁଇଥର ଜନତା ଦଳରୁ ଏବଂ ତିନି ଥର ବିଜେପିରୁ ନିର୍ବାଚିତ ହୋଇଛନ୍ତି। ଏହି ବରିଷ୍ଠ ବିଜେପି ନେତା ୨୦୦୪ ମସିହାରେ ବିଜେପି-ବିଜେଡି ମେଣ୍ଟ ସରକାରରେ ନବୀନ ପଟ୍ଟନାୟକ ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ଥିଲେ। ସେ ରାଜସ୍ୱ, ଆଇନ, ଶିଳ୍ପ ଏବଂ ଗ୍ରାମ୍ୟ ଉନ୍ନୟନ ଆଦି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି।

ରାଜନୀତି ବ୍ୟତୀତ ସାହିତ୍ୟରେ ବେଶ୍‌ ରୁଚି ରଖିଛନ୍ତି ଶ୍ରୀ ହରିଚନ୍ଦନ। ତାଙ୍କ ରଚିତ ପୁସ୍ତକଗୁଡ଼ିକ ମଧ୍ୟରେ ରହିଛି ‘ମାତୃଭାଷା’, ‘ଶେଷ ଝଲକ୍‌’, ‘ରାଣା ପ୍ରତାପ’, ‘ଅସ୍ତଶିଖା’ ଓ ‘ମାନସୀ’ ପ୍ରମୁଖ। ଲେଖାଲେଖିରେ ରୁଚି ରଖିଥିବା ବିଶ୍ୱଭୂଷଣ ପାଇକ ଆନ୍ଦୋଳନର ୨୦୦ ବର୍ଷ ପୂର୍ତ୍ତି ପାଳନ ପାଇଁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଗତ କିଛି ଦିନ ତଳେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ତାଙ୍କ ଆତ୍ମଜୀବନୀ ‘ସଂଗ୍ରାମ ସରି ନାହିଁ’ ଅର୍ପଣ କରିଥିଲେ। ଜଣେ ଦକ୍ଷ ଓଡ଼ିଆ ରାଜନେତା ହିସାବରେ ବିଶ୍ବଭୂଷଣ ଓଡ଼ିଆ ରାଜନୀତି ନୁହେଁ ବରଂ ଓଡ଼ିଶାର ସମାଜ ଜୀବନରେ  ବେଶ୍‌ ପରିଚିତ। ରାଜନେତାରୁ କ୍ୟାରିଅର ଆରମ୍ଭ କରିଥିବା ବିଶ୍ବଭୂଷଣ ବର୍ତ୍ତମାନ ସମ୍ମାନଜନକ ସାମ୍ବିଧାନିକ ପଦବୀରେ ଅବସ୍ଥାପିତ। ଜଣେ ରାଜନେତାରୁ ରାଜ୍ୟପାଳ ହୋଇଥିବା ବିଶ୍ବଭୂଷଣଙ୍କ ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା।