ଉତ୍ତରପ୍ରଦେଶରେ ଅଙ୍ଗନଓ୍ବାଡି କର୍ମୀଙ୍କୁ ସରକାରୀ ଚାକିରିଆର ମାନ୍ୟତା ଦେବା ନେଇ ଘୋଷଣା କରିଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ସମଗ୍ର ରାଜ୍ୟରେ ସରକାରଙ୍କ ବିରୋଧରେ ଅଙ୍ଗନଓ୍ବାଡି କର୍ମୀଙ୍କ ମଧ୍ୟରେ ବିରାେଧାଭାସ ରହିଥିବା ବେଳେ ଏହି କର୍ମୀଙ୍କୁ ମାନ୍ୟତା ଦେବାର ଏହା ପ୍ରକୃଷ୍ଟ ସମୟ ବୋଲି ପ୍ରିୟଙ୍କା କହିଛନ୍ତି। ଅଙ୍ଗନଓ୍ବାଡ଼ି ସମାଜର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ହୋଇଥିଲେ ମଧ୍ୟ ସର୍ବଦା ଅବହେଳିତ ଅବସ୍ଥାରେ ରହିଛନ୍ତି ବୋଲି କହିଛନ୍ତି ପ୍ରିୟଙ୍କା। ନିର୍ବାଚନକୁ ମାତ୍ର ଅଳ୍ପ କିଛି ଦିନ ବାକିଥିବାରୁ ପ୍ରିୟଙ୍କାଙ୍କ ଏହି ଘୋଷଣା ସମଗ୍ର ଦେଶରେ କଂଗ୍ରେସର ମହିଳା ଭୋଟ ବ୍ୟାଙ୍କକୁ ଆକର୍ଷିତ କରିବାରେ ସକ୍ଷମ ହେବ ବୋଲି ଅନୁମାନ ଲଗାଯାଇଛି। ଏଆଇସିସିର ସାଧାରଣ ସମ୍ପାଦକ ଭାବରେ ଉତ୍ତର ପ୍ରଦେଶ ଦାୟିତ୍ବରେ ରହିଥିବା ପ୍ରିୟଙ୍କା ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ସରକାରୀ ଚାକିରିଆର ମାନ୍ୟତାକୁ ସମର୍ଥନ ଜଣାଇବା ସହିତ ରବିବାର ହାେଇଥିବା ଲାଠିଚାର୍ଜକୁ କଡା ସମାଲୋଚନା କରିଛନ୍ତି। ଅଙ୍ଗନଓ୍ବାଡ଼ିକୁ ସରକାରୀ ଚାକିରିଆର ମାନ୍ୟତା ବଦଳରେ ଆନ୍ଦୋଳନ କରିବାରୁ ଲାଠିଚାର୍ଜ କରାଯାଉଛି, ମୋ ଭଉଣୀ ମାନଙ୍କ ଲଢେଇ ମୋର ମଧ୍ୟ ଲଢେଇ ଅଟେ ବୋଲି ନିଜ ସୋସିଆଲ ମିଡିଆ ସାଇଟ୍ରେ କହିଛନ୍ତି ପ୍ରିୟଙ୍କା। ସେହିପରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅନ୍ୟ ଏକ ଟ୍ବିଟ୍ ଜରିଆରେ ସମାଲୋଚନା କରିଛନ୍ତି ପ୍ରିୟଙ୍କା। ଗର୍ଭାବସ୍ଥାରେ ମହିଳାଙ୍କ ଯତ୍ନ ନେଉଥିବା ଏହି କର୍ମୀଙ୍କ ବେତନ ମାତ୍ର ୬୦୦ ଟଙ୍କା ରହିଥିବା ବେଳେ ଏହା ବୃଦ୍ଧି କରିବାରେ କୌଣସିବି ପଦକ୍ଷେପ ନେଇନାହାନ୍ତି। ରାଜ୍ୟର ଆଶା କର୍ମୀମାନେ ଆଦିତ୍ୟନାଥଙ୍କ ନିକଟରୁ ଉତ୍ତର ଆଶା କରୁଛନ୍ତି ବୋଲି ପ୍ରିୟଙ୍କା କହିଛନ୍ତି।
