ଅନ୍ନକୂଟ: ହିନ୍ଦୁ ଧର୍ମରେ ରହିଛି ବିଭିନ୍ନ ପ୍ରକାର ପର୍ବ ପର୍ବାଣୀ। ଯାହା ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାରରେ ପାଳନ କରାଯାଇଥାଏ। ସେହିପରି ଏକ ପର୍ବ ହେଲା ଅନ୍ନକୂଟ। ଏହା ବୈଷ୍ଣବଙ୍କ ଦ୍ୱାରା କାର୍ତ୍ତିକ ଶୁକ୍ଳପକ୍ଷ ପ୍ରତିପଦରେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହା ଅକ୍ଟୋବର ୨ ତାରିଖ ଶନିବାର ଦିନ ପାଳନ କରାଯାଇଥିଲା। ତେବେ ଏହି ଉତ୍ସବର ଏକ ବଡ ବିଶେଷତ୍ବ ରହିଛି। ତାହା ହେଲା ଏହିଦିନ ଠାକୁରଙ୍କୁ ଶହଶହ ପ୍ରକାରର ଭୋଗ ଲାଗି କରାଯାଇଥାଏ।
ଯେଉଁସବୁ ସ୍ଥାନରେ ଏହି ଅନ୍ନକୂଟ ପାଳନ କରାଯାଇଥାଏ ସେଠାରେ ଠାକୁରଙ୍କୁ କିଏ ୨୨୧ ପ୍ରକାରର କିଏ ୭୦୧ ପ୍ରକାରର ଭୋଗ ପ୍ରଦାନ କରିଥାନ୍ତି। ହେଲେ ଏହି ରେକର୍ଡ ଭାଙ୍ଗିଛନ୍ତି ଗୁଜରାଟର ଆର୍ଟ ଅଫ ଲିଭିଂ ଆଶ୍ରମ ବାସିନ୍ଦା। କାରଣ ସେମାନେ ଅନ୍ନକୂଟ ପାଳନ ପାଇଁ ପ୍ରସ୍ତୁତ କରିଥିଲେ ୨୦୮୧ ପ୍ରକାରର ଭୋଗ। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।
ଏହି ଭୋଗ ପ୍ରସ୍ତୁତ କରିବା ପାଇଁ ଆଶ୍ରମ ବାସିନ୍ଦାଙ୍କୁ ପ୍ରାୟ ମାସାଧିକ ସମୟ ଲାଗି ଯାଇଥିଲା। ଭୋଗ ପ୍ରସ୍ତୁତି ପରେ ସେଗୁଡିକୁ ସୁନ୍ଦର ପ୍ୟାକେଟ କରି ଠାକୁରଙ୍କୁ ଅର୍ପଣ କରାଯାଇଥିଲା। ଏହାକୁ ଦେଖିବା ପାଇଁ ସେଠାରେ ବହୁ ଭକ୍ତଙ୍କର ସମାଗମ ହୋଇଥିଲା।