Categories
ଆଜିର ଖବର

ବିଜେପି ବ୍ୟତିତ ଅନ୍ୟ ଯେ କୌଣସି ଦଳକୁ ସମର୍ଥନ ଦେବ ଆପ୍‌ : କେଜ୍ରିଓ୍ବାଲ

ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ର ଜାତୀୟ ପ୍ରବକ୍ତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ୨୦୧୯ ଲୋକସଭା ନିର୍ବାଚନ ପରବର୍ତ୍ତୀ ସମୀକରଣ ଉପରେ ମତ ରଖିଛନ୍ତି। ବିଜେପି ବ୍ୟତିତ ଅନ୍ୟ ଯେ କୌଣସି ଦଳକୁ ସରକାର ଗଠନରେ ସମର୍ଥନ ଦିଆଯିବ ବୋଲି ଘୋଷଣା କରିଛନ୍ତି କେଜ୍ରିଓ୍ବାଲ୍। ଦଳର ଇସ୍ତାହାର ଘୋଷଣା ସମୟରେ ଏହି ମତ ଦେଇଛନ୍ତି କେଜ୍ରିଓ୍ବାଲ। ବିଜେପି ବ୍ୟତିତ ଅନ୍ୟ ଯେ କୌଣସି ସରକାର ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ପ୍ରଦାନ ପାଇଁ ରାଜି ହେବେ ଉକ୍ତ ସରକାରକୁ ଆପ୍‌ ସମର୍ଥନ କରିବ ବୋଲି କେଜ୍ରିଓ୍ବାଲ କହିଛନ୍ତି। ଏହା ସହିତ କେଜ୍ରିଓ୍ବାଲ କହିଥିଲେ ଦିଲ୍ଲୀ ଦରବାରରୁ ମୋଦି-ଶାହ ଯୋଡିଙ୍କୁ ହଟାଇବା ପାଇଁ ଆପ୍‌ ଚେଷ୍ଟା କରିବ। ମାତ୍ର ଯଦି ବିଜେପି ସରକାର ଗଠନ କରେ ତେବେ ଏଥିପାଇଁ କେବଳ ରାହୁଲ ଗାନ୍ଧୀ ଦାୟୀ ରହିବେ। ପାକିସ୍ତାନ ସର୍ବଦା ସାମ୍ପ୍ରଦାୟିକ ଲଢେଇ ଚାହିଁଥାଏ ଏବଂ ବିଜେପି ବର୍ତ୍ତମାନ ପାକିସ୍ତାନ ରାସ୍ତାରେ ପରିଚାଳିତ ହେଉଛି ବୋଲି କେଜ୍ରିଓ୍ବାଲ ଅଭିଯୋଗ କରିଥିଲେ। ଦଳର ଇସ୍ତାହାର ପ୍ରକାଶ କାର୍ଯ୍ୟକ୍ରମରେ କେଜ୍ରିଓ୍ବାଲ୍‌ଙ୍କ ବ୍ୟତୀତ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ବରିଷ୍ଠ ନେତା ଗୋପାଳ ରାଏ ଏବଂ ଦିଲ୍ଲୀର ୭ ଲୋକସଭା ପ୍ରାର୍ଥୀ ଉପସ୍ଥିତ ଥିଲେ।

Categories
ଆଜିର ଖବର

ମୋଦି ଲହର ପ୍ରଭାବହୀନ, ସରକାର ଗଠନ କରିବ ଅଣ ବିଜେପି ଏବଂ ଅଣକଂଗ୍ରେସ ମେଣ୍ଟ : ଓଓ୍ବେସୀ

ଦେଶରେ ବର୍ତ୍ତମାନ ମୋଦି ଲହର ପ୍ରଭାବହୀନ ହୋଇଯାଇଛି ଏବଂ ଦେଶରେ ପ୍ରଥମ ଥର ପାଇଁ ଅଣକଂଗ୍ରେସ ଏବଂ ଅଣବିଜେପି ମେଣ୍ଟ ସରକାର ଗଠନ କରିବାର ସମ୍ଭାବନା ରହିଛି ବାେଲି ଅଲ୍‌ ଇଣ୍ଡିଆ ମଜଲିସ୍‌ ଏ ଇତେହାଦ୍‌ ଉଲ୍‌ ମୁସଲମାନ୍‌ (ଏଆଇଏମ୍‌ଆଇଏମ୍‌) ର ସଭାପତି ଅସଦୁଦ୍ଦିନ୍‌ ଓଓ୍ବେସୀ କହିଛନ୍ତି। ୨୦୧୪ ଲୋକସଭା ନିର୍ବାଚନ ପରି ବର୍ତ୍ତମାନ ଦେଶରେ ମୋଦି ଲହର ନାହିଁ। ବର୍ତ୍ତମାନ ଦେଶର ୫୪୩ ନିର୍ବାଚନୀ କ୍ଷେତ୍ରରେ ନିର୍ବାଚନୀ ରଣକ୍ଷେତ୍ର ସମସ୍ତଙ୍କ ପାଇଁ ଉନ୍ମୁକ୍ତ ରହିଛି। ହାଇଦ୍ରାବାଦ ଲୋକସଭା ଆସନରୁ ତିନିଥର ସାଂସଦ ରହିଥିବା ଓଓ୍ବେସୀ ଚଳିତ ଥର ହାଇଦ୍ରାବାଦରୁ ଲଢୁଥିବା ବେଳେ ତେଲେଙ୍ଗାନା ରାଷ୍‌ଟ୍ର ସମିତି ନେତୃତ୍ବରେ ଅଣ ବିଜେପି ଏବଂ ଅଣକଂଗ୍ରେସ ମେଣ୍ଟକୁ ସମର୍ଥନ ଜଣାଇେବ ବୋଲି କହିଛନ୍ତି। ବିଜେପି ନିଜର ବିଫଳତାକୁ ଲୁଚାଇବା ପାଇଁ ସଦାସର୍ବଦା ରାଷ୍ଟ୍ରୀୟ ସୁରକ୍ଷାକୁ ସାମ୍‌ନାକୁ ଆଣିଛି। ପ୍ରଥମେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌, ପରେ ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ଏବଂ ଗତକାଲି ଏ ସ୍ୟାଟ୍‌ ମିସାଇଲ୍‌ ପରୀକ୍ଷଣ ଏହାର ଉଦାହରଣ। ସରକାର କ୍ଷମତା ଲୋଭରେ ରାଷ୍ଟ୍ରୀୟ ସୁରକ୍ଷାକୁ ନିର୍ବାଚନ ପାର ହେବା ପାଇଁ ବ୍ୟବହାର କରୁଛନ୍ତି ଯାହାକି ସାଧାରଣ ଲାେକଙ୍କୁ ଆଉ ପ୍ରଭାବିତ କରି ପାରିବ ନାହିଁ।