ନୂଆଦିଲ୍ଲୀ: ଶ୍ରୀଲଙ୍କାର ରାଷ୍ଟ୍ରପତି ନିର୍ବାଚନରେ ଏକ ବଡ଼ ପରିବର୍ତ୍ତନ ଦେଖାଦେଇଛି। ଏଠାରେ ମାର୍କ୍ସବାଦୀ ନେତା ଅନୁରା ଦିସାନାୟକେ ବିଜୟ ହାସଲ କରିଛନ୍ତି। ସେ X ରେ ପୋଷ୍ଟ କରିଛନ୍ତି ଯେ, ଏହା ସମସ୍ତଙ୍କ ପାଇଁ ଏକ ବିଜୟ। ଏହା ପ୍ରଥମ ଥର ହେବ ଯେ ଜଣେ ବାମପନ୍ଥୀ ନେତା ଶ୍ରୀଲଙ୍କାରେ ରାଷ୍ଟ୍ରପତି ପଦ ଗ୍ରହଣ କରିବେ। ତାଙ୍କ ବିଜୟ ପରେ ଦିସାନାୟକେ ଜାତୀୟ ଏକତା ଆହ୍ଵାନ କରି କହିଛନ୍ତି ଯେ, ସିଂହଳୀ, ତାମିଲ, ମୁସଲମାନ ଏବଂ ସମସ୍ତ ଶ୍ରୀଲଙ୍କାର ଏକତା ଏକ ନୂତନ ଆରମ୍ଭର ଆଧାର ଅଟେ।
ଦେଶର ଆକାଂକ୍ଷାକୁ ସାକାର କରିବା ପାଇଁ ଏକ ନୂତନ ଆରମ୍ଭ ପାଇଁ ସେ ଆଶା ପ୍ରକଟ କରିଛନ୍ତି। ଶ୍ରୀଲଙ୍କାର ନିର୍ବାଚନ ଆୟୋଗ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି ଯେ, ଶନିବାର ନିର୍ବାଚନରେ 55 ବର୍ଷୀୟ ଦିସାନାୟକେ 42.31 ପ୍ରତିଶତ ଭୋଟ୍ ପାଇଥିବାବେଳେ ବିରୋଧୀଦଳର ନେତା ସଜିଥ ପ୍ରେମାଦାସା ଦ୍ୱିତୀୟ ଏବଂ ବିକ୍ରମଶିଙ୍ଘେ ତୃତୀୟ ସ୍ଥାନରେ ଅଛନ୍ତି।
ଜନତା ଭିମୁକ୍ତି ପେରାମୁନା (ଜେଭିପି) ଦଳର ନେତା ଦିସାନାୟକେ ରାଜଧାନୀ କଲମ୍ବୋଠାରୁ ଏକ ଶ୍ରମିକ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ 80 ଦଶକରେ ଛାତ୍ର ରାଜନୀତିରେ ପ୍ରବେଶ କରିଥିଲେ। 1987 ରୁ 1989 ମଧ୍ୟରେ ସରକାରଙ୍କ ବିରୋଧରେ ଆନ୍ଦୋଳନ କରୁଥିବାବେଳେ ଦିସାନାୟକେ ଜେଭିପିରେ ଯୋଗ ଦେଇଥିଲେ ଏବଂ ତା’ପରେ ତାଙ୍କର ନୂତନ ପରିଚୟ ସୃଷ୍ଟି କରିବା ଆରମ୍ଭ କରିଥିଲେ।
ଦିସାନାୟକେଙ୍କ ପାର୍ଟି ଚାଇନିଜ୍ ସମର୍ଥକ:
ତାଙ୍କ ଦଳ ଉପରେ ମଧ୍ୟ ଶ୍ରୀଲଙ୍କାରେ ହିଂସା ଅଭିଯୋଗ ହୋଇଛି। 80 ଦଶକରେ ଯେତେବେଳେ ଦିସାନାୟକେ ଜେଭିପିରେ ଥିଲେ, ତାଙ୍କ ଦଳ ଶ୍ରୀଲଙ୍କାର ତତ୍କାଳୀନ ସରକାର ବିରୋଧରେ ସଶସ୍ତ୍ର ବିଦ୍ରୋହ ଏବଂ ହିଂସା କରିଥିଲେ। ସେହି ସମୟକୁ ଶ୍ରୀଲଙ୍କାର ରକ୍ତାକ୍ତ ସମୟ ଭାବରେ ମଧ୍ୟ ସ୍ମରଣ କରାଯାଏ। ରାଷ୍ଟ୍ରପତି ହେବା ପାଇଁ ଦିସାନାୟକେ ମଧ୍ୟ ଭାରତ ପାଇଁ ଚିନ୍ତାର କାରଣ ହୋଇପାରେ କାରଣ ତାଙ୍କ ଦଳ ଜେଭିପି ଚୀନ୍ ସମର୍ଥକ ଭାବରେ ବିବେଚନା କରାଯାଏ।