ନୂଆଦିଲ୍ଲୀ: ହିନ୍ଦୁ ସେନାର ରାଷ୍ଟ୍ରୀୟ ସଭାପତି ବିଷ୍ଣୁ ଗୁପ୍ତା ଭାରତର ପ୍ରତ୍ନତତ୍ତ୍ୱ ବିଭାଗର ମହାନିର୍ଦ୍ଦେଶକଙ୍କୁ ଏକ ପତ୍ର ଲେଖି ଦିଲ୍ଲୀ ଜାମା ମସଜିଦର ସର୍ଭେ ଦାବି କରିଛନ୍ତି। ବିଷ୍ଣୁ ଗୁପ୍ତା କହିଛନ୍ତି ଯେ, “ଔରଙ୍ଗଜେବ ଯୋଧପୁର ଏବଂ ଉଦୟପୁରର କୃଷ୍ଣ ମନ୍ଦିରକୁ ଭାଙ୍ଗି ଦେଇଛନ୍ତି। ମୂର୍ତ୍ତିଗୁଡ଼ିକର ଅବଶିଷ୍ଟାଂଶ ଦିଲ୍ଲୀର ଜାମା ମସଜିଦ ସିଡ଼ିରେ ଉପସ୍ଥିତ। ଏହାର ପ୍ରମାଣ ସାକି ମୁସ୍ତାକ୍ ଖାନଙ୍କ ଔରଙ୍ଗଜେବ ଉପରେ ଲେଖାଯାଇଥିବା ‘ମସିର-ଇ-ଆଲମଗିରି’ ପୁସ୍ତକରେ ଅଛି। ରବିବାର (ମେ ୨୪-୨୫, ୧୬୮୯) ଦିନ ଖାନ ଜହାଁ ବାହାଦୂର ମନ୍ଦିର ଧ୍ୱଂସ କରିବା ପରେ ଯୋଧପୁରରୁ ଫେରିଥିଲେ।
ବିଷ୍ଣୁ ଗୁପ୍ତା କହିଛନ୍ତି ଯେ, ଔରଙ୍ଗଜେବଙ୍କ ଜୀବନୀରେ ଏହା ଲେଖାଯାଇଛି ଯେ, ଖାନ ଜହାଁ ବାହାଦୂର ମନ୍ଦିର ଓ ମୂର୍ତ୍ତିଗୁଡ଼ିକୁ ଭାଙ୍ଗି ଲୁଟ କରିଥିବାରୁ ସମ୍ରାଟ ବହୁତ ଖୁସି ଥିଲେ। ଏହା ପରେ ଭଙ୍ଗା ମୂର୍ତ୍ତିଗୁଡ଼ିକର ଅବଶିଷ୍ଟାଂଶ ବଳଦ ଗାଡି ଦ୍ୱାରା ଦିଲ୍ଲୀ ପଠାଯାଇଥିଲା। ହିନ୍ଦୁ ସେନା ଚାହୁଁଛି ଯେ, ଜାମା ମସଜିଦ ଉପରେ ଏକ ସର୍ଭେ କରାଯାଉ ଏବଂ ସେହି ମୂର୍ତ୍ତୀଗୁଡ଼ିକୁ ବାହାର କରି ମନ୍ଦିରରେ ପୁନଃ ସ୍ଥାପିତ କରାଯିବା ଉଚିତ ଏବଂ ଔରଙ୍ଗଜେବଙ୍କ ନିଷ୍ଠୁରତା ଏବଂ ମନ୍ଦିର ଭାଙ୍ଗିବାର ସତ୍ୟତା ମଧ୍ୟ ବିଶ୍ୱ ସାମ୍ନାରେ ଉଜାଗର ହେଉ।
ଅଜମେର ସରିଫ ଦରଗାହରେ ହିନ୍ଦୁ ମନ୍ଦିର ଅଛି ବୋଲି ଦାବି:
ଏହାପୂର୍ବରୁ ରାଜସ୍ଥାନର ଅଜମେର ସରିଫ ଦରଗାହ ଏକ ହିନ୍ଦୁ ମନ୍ଦିର ବୋଲି ଦାବି କରାଯାଇଛି। ହିନ୍ଦୁ ସେନାର ରାଷ୍ଟ୍ରୀୟ ସଭାପତି ବିଷ୍ଣୁ ଗୁପ୍ତା କହିଛନ୍ତି ଯେ, ଅଜମେର ଦରଗାହକୁ ଭଗବାନ ଶ୍ରୀ ସଙ୍କଟମୋଚାନ୍ ମହାଦେବ ବିରଜମାନ ମନ୍ଦିର ଭାବରେ ଘୋଷଣା କରାଯିବା ଉଚିତ୍। ଏଥିସହ, ଦରଗାହ କମିଟିର ଅନଧିକୃତ କବଜା ହଟାଯିବା ଉଚିତ ଏବଂ ଏହାର ASI ସର୍ଭେ କରାଯିବା ଉଚିତ୍।