Categories
ଆଜିର ଖବର ରାଜ୍ୟ ଖବର

ଆଜି 9 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ରାଜ୍ୟରେ ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା 691କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଆଉ 9 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବରଗଡ ଜିଲ୍ଲାରୁ ସର୍ବାଧିକ 2 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଭଦ୍ରକ, କଟକ, ବଲାଙ୍ଗିର, ଗଜପତି, ପୁରୀ, ରାୟଗଡା ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତୁ ସଂଖ୍ୟା 691କୁ ବୃଦ୍ଧି ହୋଇଛି ।

ବଲାଙ୍ଗି ଜିଲ୍ଲାରୁ ସର୍ବାଧିକ 2  ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହି ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 63 ବର୍ଷୀୟ ପୁରୁଷ ଥିବାବେଳେ ଅନ୍ୟ ଜଣେ 55 ବର୍ଷୀୟା ମହିଳା । ସେହିପରି ଭଦ୍ରକରୁ ଜଣେ 52 ବର୍ଷୀୟ ବ୍ୟକ୍ତି ଥିବାବେଳେ ବଲାଙ୍ଗିରରୁ 55 ବର୍ଷୀୟ ପୁରୁଷ, ଗଜପତିରୁ 37 ବର୍ଷୀୟା ପୁରୁଷ ଓ କଟକରୁ 78 ବର୍ଷୀୟା ମହିଳା ରହିଛନ୍ତି । ସେହିପରି ପୁରୀରୁ 73 ବର୍ଷୀୟ ପୁରୁଷଙ୍କ ସମେତ ରାୟଗଡରୁ 52 ବର୍ଷୀୟ ବ୍ୟକ୍ତି ଓ ସମ୍ବଲପୁରରୁ 60 ବର୍ଷୀୟା ମହିଳାଙ୍କର କରୋନାରେ ମୃତ୍ୟୁ ହୋଇଥିବାର ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ଚାରି ଦିନ ପାଇଁ ସଟ୍‌ଡାଉନ୍‌ ହେବ ଓଡ଼ିଶାର ଏହି ଜିଲ୍ଲା

ବଲାଙ୍ଗିର : ଓଡ଼ିଶାର ଏହି ଜିଲ୍ଲା 4 ଦିନ ପାଇଁ  ସଟ୍‌ଡାଉନ୍‌ ରହିବ ।  ‌ବଲାଙ୍ଗିର ଜିଲ୍ଲାକୁ ଆସନ୍ତା 4 ଦିନ ପାଇଁ ସଟ୍‌ଡାଉନ୍‌ କରାଯିବ ।  ଚାରି ଦିନ ସଟ୍‌ଡାଉନ୍‌ ହେବା ନେଇ ବଲାଙ୍ଗିର ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଆସନ୍ତା 8 ତାରିଖରୁ 11 ତାରିଖ ଯାଏଁ ବଲାଙ୍ଗିର ଜିଲ୍‌ଲା ସଟ୍‌ଡାଉନ୍‌ ରହିବ ।

କରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ସଟ୍‌ଡାଉନ୍‌ କରିବା ନେଇ ନିଷ୍‌ପତ୍ତି ନେଇଛି ।  ସଟ୍‌ଡାଉନ୍‌ ବେଳେ ଜିଲ୍ଲା ଭିତରେ ସମସ୍ତ ପରିବହନ କାର୍ଯ୍ୟ ବନ୍ଦ ରହିବ । ଏହି ସମୟରେ  ଦୋକାନ ବଜାର, ସରକାରୀ ଓ ଘରୋଇ ପ୍ରତିଷ୍ଠା ବନ୍ଦ ରହିବ। ମେଡିକାଲ, ଜଳ ଯୋଗାଣ, ପରିମଳ ପରି ଅତ୍ୟାବଶ୍ୟକ ସେବା ଚାଲୁ ରହିବ । ସେହିପରି ମାଲବାହୀ ଗାଡି, ନିର୍ମାଣ କାର୍ଯ୍ୟ ଓ ଶିଳ୍ପ ପ୍ରତିଷ୍ଠାନକୁ ଅନୁମତି ରହିଛି ।

Categories
ଜାତୀୟ ଖବର ବିଶେଷ ଖବର

କରୋନା ମୁକାବିଲା : ଗଞ୍ଜାମ ଜିଲ୍ଲାକୁ ପଠାଗଲା ସ୍ବତନ୍ତ୍ର ସ୍ବାସ୍ଥ୍ୟ ତଦାରଖ ଦଳ, ବଲାଙ୍ଗିର ଗଲେ ରାପିଡ୍‌ ରେସ୍‌ପନ୍ସ ଟିମ୍‌

ଭୁବନେଶ୍ବର, କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍‌ଚୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂ, ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଏବଂ ଏସ୍‌ସିବି ମେଡିକାଲ୍‌ କଲେଜ୍‌, କଟକର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେଗୁଡିକ ହେଲା

1-ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫‘ଟି’) ଶ୍ରୀ ଭି.କେ. ପାଣ୍ଡିଆନ୍‌ ଆଜି ନୟାଗଡ଼ ଜିଲ୍ଲା ଗସ୍ତ କରି କୋଭିଡ୍‌ ହସ୍‌ପିଟାଲ୍‌ ପରିଦର୍ଶନ କରିବା ସହ ଏହାର ପରିଚାଳନାର ସମୀକ୍ଷା କରିଛନ୍ତି ।

2-ଗଞ୍ଜାମ ଜିଲ୍ଲାରେ କୋଭିଡ୍‌-୧୯ ରୋଗୀ ଚିହ୍ନଟ ହେଉଥିବା ଦୃଷ୍ଟିରେ ରଖି ନିର୍ଦ୍ଦେଶକ, ପରିବାର କଲ୍ୟାଣ ଏବଂ ଆର୍‌ଏମ୍‌ଆର୍‌ସିର ବୈଜ୍ଞାନିକଙ୍କୁ ନେଇ ଗଠିତ ଏକ ଟିମ୍‌କୁ ଗଞ୍ଜାମ ଜିଲ୍ଲାକୁ ରୋଗ ନିରୀକ୍ଷଣ, ସଂକ୍ରମଣ ପ୍ରତିରୋଧ ପଦକ୍ଷେପ ସଂପର୍କରେ ତଦାରଖ କରିବା ନିମନ୍ତେ ପଠାଯାଇଛି। ଏହା ସହିତ ଜିଲ୍ଲାରେ ନିରୀକ୍ଷଣ, କଣ୍ଟାକଫ ଟ୍ରେସିଂ ଏବଂ ଚିକିତ୍ସା ପ୍ରସ୍ତୁତିକୁ ସଶକ୍ତ କରିବା ନିମନ୍ତେ ଗୋଟିଏ ଆଶୁ କାର୍ଯ୍ୟାନୁଷ୍ଠାନ ଦଳ(ରାପିଡ୍‌ ରେସ୍‌ପନ୍ସ ଟିମ୍‌) ଗଠନ କରାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ସଂପର୍କିତ ନିର୍ଦ୍ଦେଶନାମା ଜାରି କରାଯାଇଛି।

3-ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅନୁରୋଧ କ୍ରମେ ଏମସ୍‌, ଭୁବନେଶ୍ୱରରୁ ଏକ ଆଶୁ କାର୍ଯ୍ୟାନୁଷ୍ଠାନ ଦଳ(ରାପିଡ୍‌ ରେସ୍‌ପନ୍ସ ଟିମ୍‌) ରୋଗ ନିରୀକ୍ଷଣ ଏବଂ ଚିକିତ୍ସା ସେବା ଅନୁଧ୍ୟାନ କରିବା ନିମନ୍ତେ ବଲାଙ୍ଗୀର ଗସ୍ତ କରିଛନ୍ତି।

4-ଗତ ୩ ମଇରୁ ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ଓଡ଼ିଆ ଭାଉଭଉଣୀମାନେ ଦୈନିକ ଓଡ଼ିଶା ଫେରୁଛନ୍ତି । ଆଜି ୭୪୫୧ ଜଣ ଓଡ଼ିଆ ଭାଉଭଉଣୀ ଓଡ଼ିଶାରେ ପହଞ୍ଚିଛନ୍ତି । ଏ ପର୍ଯ୍ୟନ୍ତ ବାହାର ରାଜ୍ୟଗୁଡ଼ିକରୁ ଓଡ଼ିଶାକୁ ୩୫,୫୪୦ ଜଣ ଫେରିଛନ୍ତି । ସେମାନେ ବସ୍‌, ଟ୍ରେନ୍‌ ଓ ଅନ୍ୟ ଯାନବାହନରେ ଆସୁଛନ୍ତି।

5-ଓଡ଼ିଶାକୁ ଫେରୁଥିବା ଲୋକମାନଙ୍କ ପାଇଁ ୧୪ ଦିନିଆ କ୍ୱାରାଣ୍ଟାଇନ୍‌ ବାଧ୍ୟତାମୂଳକ । ସହରାଞ୍ଚଳକୁ ଫେରୁଥିବା ଲୋକମାନଙ୍କ ପାଇଁ ହୋମ୍‌ କ୍ୱାରାଣ୍ଟାଇନ୍‌କୁ ପ୍ରାଥମିକତା ଦିଆଯାଇଛି। ଯେଉଁମାନଙ୍କର ହୋମ୍‌ କ୍ୱାରାଣ୍ଟାଇନ୍‌ର ସୁବିଧା ନାହିଁ ସେମାନଙ୍କ ପାଇଁ ପୌର କର୍ତ୍ତୃପକ୍ଷ ଆନୁଷ୍ଠାନିକ କ୍ୱାରାଣ୍ଟାଇନ୍‌ର ବ୍ୟବସ୍ଥା କରିବେ। ଆବଶ୍ୟକ ହେଲେ ସେମାନେ ନିଜ ଖର୍ଚ୍ଚରେ ନିର୍ଦ୍ଧାରିତ ହୋଟେଲ୍‌/ଲଜ୍‌ମାନଙ୍କରେ କ୍ୱାରାଣ୍ଟାଇନ୍‌ରେ ରହିପାରିବେ।

6-ଗ୍ରାମାଞ୍ଚଳକୁ ଫେରୁଥିବା ଲୋକମାନଙ୍କ ପାଇଁ ଆନୁଷ୍ଠାନିକ କ୍ୱାରାଣ୍ଟାଇନ୍‌ ବାଧ୍ୟତାମୂଳକ। କିନ୍ତୁ ଗର୍ଭବତୀ ଓ ପ୍ରସୂତୀ ମହିଳା/ଶିଶୁ/ଛାତ୍ରଛାତ୍ରୀ/ବୃତ୍ତିଜୀବୀ/ତୃତୀୟ ଲିଙ୍ଗ ଓ ଶାରିରୀକ ଓ ମାନସିକ ଭିନ୍ନକ୍ଷମମାନଙ୍କ ପାଇଁ ଆବଶ୍ୟକ ସ୍ଥଳେ ହୋମ୍‌ କ୍ୱାରାଣ୍ଟାଇନ୍‌ ପାଇଁ କର୍ତ୍ତୃପକ୍ଷ ଅନୁମତି ଦେଇପାରିବେ କିମ୍ବା ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିପାରିବେ। ଏଥି ନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି।

7-କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୬୭୯୮ ଗ୍ରାମ ପଞ୍ଚାୟତରେ ପ୍ରାୟ ୧୨,୦୦୦ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପିତ ହୋଇଛି । ଏଥିରେ ପାଖାପାଖି ୫ ଲକ୍ଷ ଶଯ୍ୟାର ବ୍ୟବସ୍ଥା କରାଯାଇଛି।

8-ଗ୍ରାମାଞ୍ଚଳରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ସମସ୍ତ ମୌଳିକ ସୁବିଧାସୁଯୋଗ ଉପଲବ୍ଧ ହେବା ସହ ସଫେଇ ଓ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯାଉଛି। ଏହି କେନ୍ଦ୍ରଗୁଡ଼ିକରେ ମେନୁ ଚାର୍ଟ ଅନୁସାରେ ଉନ୍ନତ ମାନର ଖାଦ୍ୟ ଯୋଗାଇ ଦିଆଯାଉଛି । କେନ୍ଦ୍ରଗୁଡ଼ିକରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀ ଏବଂ ଅନ୍ୟାନ୍ୟ ସେବା ପ୍ରଦାନକାରୀ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) ବ୍ୟବହାର କରୁଛନ୍ତି।

9-ଆଜି ରାଜ୍ୟର ୫୦୪୩ ଗ୍ରାମ ପଞ୍ଚାୟତରେ ୩,୧୩,୦୮୪ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ସେହିପରି ୧୧୪ ଟି ପୌରାଞ୍ଚଳରେ ୩୫,୭୩୨ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି।

10-ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ମଇ ୫ରୁ ମଇ ୬ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୨୧ଟି ମାମଲା ଦାୟର କରାଯାଇଛି । ସେଥିରୁ ୧୮ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୨ଟି ହୋମ୍‌ କ୍ୱାରାଣ୍ଟାଇନ୍‌ ଉଲ୍ଲଂଘନ ପାଇଁ ଏବଂ ୧ଟି ଅନ୍ୟାନ୍ୟ କୋଭିଡ୍‌-୧୯ ସଂପର୍କିତ ଘଟଣା ପାଇଁ ଅଟେ । ବିଭିନ୍ନ ଅଭିଯୋଗରେ ୨୩ ଜଣଙ୍କୁ ଗିରଫ କରାଯାଇଛି ।