Categories
ଆଜିର ଖବର ଜାତୀୟ ଖବର

ମୁମ୍ବାଇରୁ 23 ବାଂଲାଦେଶୀ ନାଗରିକ ଗିରଫ

ମୁମ୍ବାଇ : ମୁମ୍ବାଇରେ ଅବୈଧ ଭାବରେ ଅବସ୍ଥାନ କରୁଥିବା 23 ଜଣ ବାଂଲାଦେଶୀଙ୍କୁ ଗିରଫ କରାଯାଇଛି । ମହାରାଷ୍ଟ୍ରର ପାଲଗଡ ଜିଲ୍ଲାରେ ଏହି 23 ଜଣ ନାଗରିକ ଅବୈଧ ଭାବରେ ଅବସ୍ଥାନ କରୁଥିଲେ । ସିଏଏକୁ ନେଇ ସମଗ୍ର ଦେଶରେ ବିରୋଧାଭାସ ଦେଖାଦେଇଥିବା ବେଳେ ଆତଙ୍କବାଦ ନିରୋଧୀ ସ୍କ୍ବାଡ୍‌ ଏବଂ ମାନବଚାଲାଣକାରୀ ବିରୋଧୀ ସ୍କ୍ବାଡ୍‌ ପକ୍ଷରୁ ଚଢାଉ କରାଯାଇ ଏହି 23 ଜଣଙ୍କୁ ଗିରଫ କରାଯାଇଛି । ବୁଧବାର ଅର୍ଣ୍ଣାଲା ପୋଲିସ୍‌ ପକ୍ଷରୁ ଚଢାଉ କରାଯାଇ ଗିରଫ କରାଯାଇଛି । ଘଟଣା ସମ୍ପର୍କରେ ଅଧିକ ସୂଚନା ପାଇଁ ଅର୍ଣ୍ଣାଲା ପୋଲିସ୍‌ ତଦନ୍ତ ଜାରି ରଖିଛି । ଉଲ୍ଲେଖଯୋଗ୍ୟ ଯେ, ବିଏସ୍‌ଏଫ୍‌ ଏବଂ ତ୍ରିପୁରା ପୋଲିସ୍‌ ପକ୍ଷରୁ ଚଳିତ ସପ୍ତାହରେ 12 ଜଣ ଅନୁପ୍ରବେଶକାରୀଙ୍କୁ ଗିରଫ କରାଯାଇଥିଲା ।

Categories
ବିଶେଷ ଖବର

କେନ୍ଦ୍ରାପଡା ଜିଲ୍ଲାରେ ପ୍ରତି ଦୁଇ ଜଣରେ ଜଣେ ବ୍ୟକ୍ତି ବାଂଲାଦେଶ ଅନୁପ୍ରବେଶକାରୀ କି?

କେଦାର ମିଶ୍ର

୨୦୧୧ ଜନଗଣନା ତଥ୍ୟ ଅନୁସାରେ କେନ୍ଦ୍ରାପଡା ଜିଲ୍ଲାର ଜନସଂଖ୍ୟା ହେଉଛି ୧୪.୪ ଲକ୍ଷ ଓ ତହିଁରୁ ଅଧା ବେଆଇନ ଅନୁପ୍ରବେଶକାରୀ ବୋଲି ଆମେ କହିଲେ କେହି ହୁଏତ ବିଶ୍ଵାସ କରିବେ ନାହିଁ। ହେଲେ ଏକଥା ଏକ ସଂବେଦନଶୀଳ ସୂତ୍ର କହୁଛି ଓ ଏହାକୁ ନେଇ କେନ୍ଦ୍ରାପଡାର ପୂର୍ବତନ ଲୋକସଭା  ସଦସ୍ୟ ବୈଜୟନ୍ତ ପଣ୍ଡା ଅତ୍ୟନ୍ତ ଉଦବିଗ୍ନ ଥିବା ଜଣାପଡୁଛି। “ଓଡିଶାରେ ଅତି କମରେ ୭-୮ ଲକ୍ଷ ବେଆଇନ ଅନୁପ୍ରବେଶକାରୀ ରହିଛନ୍ତି ଓ ସେମାନଙ୍କ ଭିତରୁ ଅଧିକାଂଶ କେବଳ କେନ୍ଦ୍ରାପଡା ଜିଲାରେ ଅଛନ୍ତି-“ ଏମିତି ଏକ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ଓଡିଶା ହାଇକୋର୍ଟଙ୍କୁ ଅନୁପ୍ରବେଶକାରୀ ମାମଲାରେ ସହାୟତା କରୁଥିବା ଆମିକସ କ୍ୟୁରୀ ମୋହିତ ଅଗ୍ରୱାଲ। ସେ କେନ୍ଦ୍ରାପଡାରେ ନେସନାଲ ରେଜିଷ୍ଟ୍ରାର ଅଫ ସିଟିଜନସିପ ପ୍ରସ୍ତୁତି ଲାଗି ମଧ୍ୟ ପ୍ରସ୍ତାବ ଦେଇଛନ୍ତି। ଆମିକସ କ୍ୟୁରୀଙ୍କ ପ୍ରସ୍ତାବକୁ  ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ କେନ୍ଦ୍ର ସରକାରଙ୍କୁ ପଠାଇଦେଇଛନ୍ତି। ରାଜ୍ୟ ସରକାର ଅତ୍ୟନ୍ତ ଚତୁରତାର ସହିତ ନିଜେ କିଛି ମନ୍ତବ୍ୟ ନଦେଇ ଏହାକୁ କେନ୍ଦ୍ର ସରକାରଙ୍କୁ ପଠାଇଦେଇଛନ୍ତି।

ଏଠି ପ୍ରଶ୍ନ ଉଠୁଛି ଏତେ ସଂଖ୍ୟକ ଅନୁପ୍ରବେଶକାରୀ ସତରେ କେନ୍ଦ୍ରାପଡାରେ ଅଛନ୍ତି କି? ଭିତରକନିକାଚିଲିକାରେ ଯେତେସବୁ ବେଆଇନ ଚିଙ୍ଗୁଡି ଘେରି ରହିଛି ସବୁଗୁଡିକ ବାଂଲାଦେଶ ଅନୁପ୍ରବେଶକାରୀଙ୍କ ଦ୍ଵାରା ନିୟନ୍ତ୍ରିତ ହେଉଛି କି? ଆମିକସ କ୍ୟୁରୀ କେଉଁ ତଥ୍ୟ ଆଧାରରେ ୭-୮ ଲକ୍ଷ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିଛନ୍ତି? ୨୮,ମାର୍ଚ୍ଚ, ୨୦୧୭ରେ ଦି ଇକୋନମିକ ଟାଇମ୍ସ ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଲୋକସଭାରେ ତତ୍କାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀ କିରଣ ରିଜିଜୁ ଓଡିଶାରେ ମାତ୍ର ୩୭୦୦ ବେଆଇନ ଅନୁପ୍ରବେଶକାରୀ ଅଛନ୍ତି ଓ ସେମାନେ ଛୋଟ ମୋଟ ଚୋରୀ ବା ବେଆଇନ ମାଛଧରା କାମରେ ନିୟୋଜିତ ଅଛନ୍ତି ବୋଲି କହିଥିଲେ। ୩୭୦୦ ସଂଖ୍ୟାଟି ହଠାତ ୭-୮ ଲକ୍ଷ ହୋଇଗଲା କେମିତି? ହଠାତ ଓଡିଶାରେ ଓ ବିଶେଷକରି କେନ୍ଦ୍ରାପଡା ଜିଲାରେ ବର୍ଷକ ଭିତରେ ୨୦୦୦% ଅନୁପ୍ରବେଶକାରୀ ବଢିଗଲେ କେମିତି? ମାନ୍ୟବର ହାଇକୋର୍ଟଙ୍କ ଦ୍ଵାରା ନିଯୁକ୍ତ ଆମିକସ କ୍ୟୁରୀ ଯେହେତୁ ଏକଥା କହୁଛନ୍ତି, ତେଣୁ ଏହାର ବୈଧାନିକ ଆଧାର ନିଶ୍ଚୟ ରହିଥିବ।ତେବେ ଆମ ଜାଣିବାରେ ରାଜ୍ୟ ସରକାର ସବୁବେଳେ ଏହି ସଂଖ୍ୟାକୁ ୩-୪ ହଜାର ବୋଲି କହି ଆସିଛନ୍ତି।

କେନ୍ଦ୍ରାପଡା ଜିଲାରେ କିଛି ଅଞ୍ଚଳରେ ବାଂଲାଦେଶ ଅନୁପ୍ରବେଶକାରୀ ରହୁଥିବାର ଖବର ଅସତ୍ୟ ନୁହେଁ। ହେଲେ ଜିଲ୍ଲାର ଅଧାଲୋକ ଅନୁପ୍ରବେଶକାରୀ ବୋଲି କହିବା ପଛରେ କିଛି ଗୋଟେ ଭିନ୍ନ ରାଜନୈତିକ ଷଡଯନ୍ତ୍ରର ଗନ୍ଧ ବାରି ହୋଇପଡୁଛି। ଲୋକସଭା ନିର୍ବାଚନମଣ୍ଡଳୀ ୱାରି ଦେଖିଲେ କେନ୍ଦ୍ରାପଡା ଓ ଭଦ୍ରକ, ଏ ଦୁଇଟି ନିର୍ବାଚନମଣ୍ଡଳୀରେ ସଂଖ୍ୟାଲଘୁ ଭୋଟରଙ୍କ ସଂଖ୍ୟା ଆପାତତଃ ଅଧିକ।ଏନଆରସି ମାଧ୍ୟମରେ ଏହି ଦୁଇଟି କ୍ଷେତ୍ରର ସଂଖ୍ୟାଲଘୁ ଭୋଟରଙ୍କୁ ଭୟଭୀତ କରିବା ଲାଗି ଏହା ଏକ ଯୋଜନାବଦ୍ଧ ଉଦ୍ୟମ ନୁହେଁ ତ! କେନ୍ଦ୍ରାପଡାରେ ଏଥର ନିର୍ବାଚନ ହାରିବା ପରେ ବୈଜୟନ୍ତ ପଣ୍ଡା ହଠାତ ନାଗରିକ ପ୍ରସଙ୍ଗକୁ ଜୋରଦାର ଢଙ୍ଗରେ ଉଠାଇ ଚାଲିଛନ୍ତି। ଏହା ପଛରେ ତାଙ୍କର ଉଦ୍ଦେଶ୍ୟ ଅତି ସ୍ପଷ୍ଟ। ଯେହେତୁ କେନ୍ଦ୍ରାପଡାର ସଂଖ୍ୟାଲଘୁ ଭୋଟର ବିଜେପିକୁ ଭୋଟ ଦେଇନଥିବେ, ତେଣୁ ତାଙ୍କୁ ଚାପରେ ରଖିବାର ଉଦ୍ୟମ ଏବଠୁ କରାଯାଉଛି। ଯାହା ଫଳରେ ୨୦୧୪ ବେଳକୁ ଏମାନେ ଅଧିକ ଅସହାୟ ଓ ଭୟଭୀତ ରହିଥିବେ।

ନାଗରିକ ରେଜିଷ୍ଟ୍ରାର କୁ ଦେଶବ୍ୟାପୀ କରାଇବା ପଛରେ ବିଜେପିର ବଡ ଉଦ୍ଦେଶ୍ୟ ହେଉଛି ଭାରତର ସଂଖ୍ୟାଲଘୁ ଭୋଟରଙ୍କ ମୁଣ୍ଡରେ ନିରନ୍ତର ଖଣ୍ଡା ଝୁଲାଇ ରଖିବା। ଓଡିଶାରେ ଯେଉଁ ଅନୁପ୍ରବେଶକାରୀଙ୍କ ସଂଖ୍ୟା ଦିଆଯାଉଛି, ତାହାର ବିଶେଷ କିଛି ଆଧାର ନାହିଁ। ହେଲେ ଏହି ସଂଖ୍ୟାକୁ କ୍ରମେ କ୍ରମେ ଅଧିକ ବ୍ୟାପକ କରାଯିବ। ଲୋକଙ୍କ ଭିତରେ ଗୁଜବ ଓ ଅପତଥ୍ୟ ମାଧ୍ୟମରେ ଏହି ଧାରଣା ସୃଷ୍ଟି କରାଯିବ ଯେ, ସବୁ ସଂଖ୍ୟାଲଘୁ ସଂପ୍ରଦାୟର ଲୋକ ଅନୁପ୍ରବେଶକାରୀ ବା ବେଆଇନ ନାଗରିକ ହୋଇଥାଇ ପାରନ୍ତି। ଭିନ୍ନ ଭିନ୍ନ ଗୁଜବ ଓ କାହାଣୀ ମାଧ୍ୟମରେ ସେମାନଙ୍କୁ ନିନ୍ଦିତ ତଥା ଅପମାନିତ କରାଯିବ ଏବଂ ପରିଶେଷରେ ସେମାନଙ୍କୁ ନାଗରିକ ହେବାର ପ୍ରମାଣ ଦେଖାଅ ବୋଲି ବାଧ୍ୟ କରାଯିବ। ଭୋଟର ପରିଚୟ ପାତ୍ର ବା ରାସନ କାର୍ଡ କୁ ନେଇ ସନ୍ଦେହ ପ୍ରକଟ କରାଯିବ। ଅନେକ ସମୟରେ ଦେଖାଯାଉଛି, ଭୋଟର କାର୍ଡ, ଆଧାର କାର୍ଡ ବା ରାସନ କାର୍ଡକୁ ଜାଲ ବୋଲି କୁହାଯାଉଛି। ତାହେଲେ କେଉଁ ନାଗରିକ ପ୍ରମାଣପତ୍ର ଆଧାରରେ ନିଜକୁ ଜେନ ନାଗରିକ ବୋଲି ସାବ୍ୟସ୍ତ କରିବ? ଯେହେତୁ ଭାରତର ସଂଖ୍ୟାଧିକ ଲୋକଙ୍କର ଜମି ପଟ୍ଟା ନାହିଁ, ସେଥିରୁ ଅଧାରୁ ଅଧିକ ଲୋକ ନାଗରିକ ହେବାରୁ ବଞ୍ଚିତ ହୋଇଯିବେ।

ଏନଆରସି ଜରିଆରେ ଆସାମରେ ଯେଉଁ ଗଣ ବିଭୀଷିକା ଚାଲିଛି, ତାକୁ କେନ୍ଦ୍ରାପଡାକୁ ଆଣିବା ଲାଗି କିଏ ଯୋଜନା କରୁଛି, ତାହା ସ୍ପଷ୍ଟ ଭାବରେ ଜଣା ପଡୁଛି। ହେଲେ ଏ କ୍ଷେତ୍ରରେ ରାଜ୍ୟ ସରକାର ସ୍ପଷ୍ଟ ପକ୍ଷ ନ ରଖି, ବହୁ ଲୋକଙ୍କ ଜୀବନ ଓ ଜୀବିକା ସହିତ ଖେଳ ଖେଳୁଛନ୍ତି। ବିଭିନ୍ନ ସମୟରେ ହାଇକୋର୍ଟରେ ସରକାର ଯେଉଁ ତଥ୍ୟ ରଖିଛନ୍ତି, ତାକୁ ଆମିକସ କ୍ୟୁରୀଙ୍କୁ ଦେଇ ନାହାନ୍ତି କି? ଯଦି ବା ଆମିକସ କ୍ୟୁରୀ କିଛି ରିପୋର୍ଟ ଦେଲେ ତା ଉପରେ ସରକାର ନିଜର ଟିପ୍ପଣୀ ଦେଇନାହାନ୍ତି କାହିଁକି?

ଭବିଷ୍ୟତରେ ଭଦ୍ରଖ ଓ କେନ୍ଦ୍ରାପଡାରେ ବ୍ୟାପକ ସଂଖ୍ୟାଲଘୁ ଶୋଷଣ ଲାଗି ଏହା ଏକ ସୁଚିନ୍ତିତ ଯୋଜନା ଭଳି ମନେ ହେଉଛି।