Categories
ବିଶେଷ ଖବର ମତାମତ

ସବୁଠୁ କମ ଭୋଟ ଦେଉଥିବା ସ୍ମାର୍ଟ ସିଟି ଭୁବନେଶ୍ବରକୁ ସଲାମ

ରଙ୍ଗାଚରଣ ପ୍ରଧାନ 

କମ୍ ମତଦାନ ହୋଇଥିବାରୁ ଭୁବନେଶ୍ବରବାସୀଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଉଛି ।

ସେମାନେ ପୁଣି ଥରେ ପ୍ରମାଣ କରିଦେଲେ ଯେ ଅଧିକ ଉନ୍ନତି ପାଇଁ ଭୋଟ ପ୍ରତିଶତ ବଢିବା ଜରୁରୀ ନୁହେଁ । ଲଗାତର ଭୋଟ ପ୍ରତିଶତ ବଢାଇ କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡିକୁ ମିଳିଛି କ’ଣ ? ଦେଶକୁ ଲୁଟୁଥିବା ଶକ୍ତି ଓ ଟଙ୍କା ନେଇ ଟୁଇଟ୍ କରୁଥିବା ସେଲିବ୍ରିଟିମାନେ ଏକ ଅଯୁକ୍ତିକର ପ୍ରଚାର ଚଳାଇଛନ୍ତି ଯେ ଅଧିକ ଭୋଟିଂ ହେବା ଗଣତନ୍ତ୍ର ପାଇଁ ଭଲ । ତା’ମାନେ ଆମେ ମଲେଇ ଖାଉଥିବୁ ଆଉ ତମେ ପାଞ୍ଚ ବର୍ଷରେ ଥରେ ଆଙ୍ଗୁଠିରେ କାଳି ଲଗେଇ ଖୁସି ହୁଅ ଯେ ଆମେ ପୄଥିବୀର ସର୍ବବୄହତ ଗଣତନ୍ତ୍ର ।

ମୁଁ ଜାଣୁଛି ବହୁତ ବନ୍ଧୁ ମୋ ସହିତ ଅସହମତ ହେବେ । ସେମାନେ ମୋତେ ବୁଝେଇ ଦେଲେ ମୁଁ ଖୁସିରେ ମାନିଯିବି । ଯେଉଁମାନେ ରାଜନିତୀରେ ଆମ୍ବ କ’ଣ ଆମ୍ବଡା କ’ଣ ଜାଣି ନାହାନ୍ତି ସେମାନଙ୍କୁ ଭୋଟ ଦେବା ପାଇଁ ବାଧ୍ୟ କଲେ ସେମାନେ କି ପ୍ରକାର ନିଷ୍ପତ୍ତି ନେଇ ଭୋଟ ଦେବେ ? ଜାମ୍ମୁ କାଶ୍ମୀର କଥା ଅଲଗା । ସେଠାରେ ଭୋଟ ପ୍ରତିଶତ ବଢିଲେ ଆମେ ବୁଝିବା ଯେ ସେଠିକାର ଲୋକଙ୍କ ମନରେ ବିଛିନ୍ନତାବାଦ ମନୋଭାବ କମୁଛି । କିନ୍ତୁ ଆମ ଭୁବନେଶ୍ବରରେ ତ ଲୋକଙ୍କ ମନରେ ବିଛିନ୍ନତାବାଦ ନାହିଁ ? ସେମାନଙ୍କୁ କାହିଁକି ବାଧ୍ୟ କରିବା ଭୋଟ ଦେବାକୁ ?

ସେମାନେ ଜାଣିଛନ୍ତି ଦେଶ ଚାଲୁଛି । ଆମେ ଭୋଟ ଦେବାକୁ ନଗଲେ ବି ଦେଶ ଏମିତି ଚାଲିବ । ଯେତେ ପରିବର୍ତନ କଲେ ବି ସେମିତି ଚାଲିବ । ପଡି ଉଠି କରି ହିସାବ ଏପଟ ସେପଟ କରି ୬ରୁ ୮% ବିକାଶ ବୄଦ୍ଧି ଦର ହାରରେ ଦେଶ ଚାଲିଛି । ଏତିକି ବିକାଶ ଦର ହାରରେ କିଛି ହବନି । ଦେଶର ପ୍ରକୄତ ବିକାଶ କରିବାକୁ ହେଲେ ଅତି କମରେ ଆମକୁ ବୄଦ୍ଧି ଦର ଲଗାତର ୧୦% ରେ ପହଞ୍ଚାଇବାକୁ ପଡିବ ଯାହା ଗତ ୨୦ ବର୍ଷରେ କେବଳ ଗୋଟିଏ ବର୍ଷ ହୋଇଛି । ଭୁଟାନ୍ ଆମଠାରୁ ଅଧିକ ଆର୍ଥିକ ଉନ୍ନତି କରିଛି । ବଙ୍ଗଳାଦେଶ, ଯାହାକୁ ଆମେ ୧୯୭୧ ମସିହାରେ ଜନ୍ମ ଦେଇଥିଲୁ, ସିଏ ବି ଅଧିକାଂଶ ଆର୍ଥିକ ମାପଦଣ୍ଡରେ ଆଜି ଆମଠାରୁ ଆଗରେ । ଆମକୁ କିନ୍ତୁ ଅମିତାଭ ବଚନମାନେ କହୁଛନ୍ତି ତମେ ଖାଲି ଭୋଟ ଦିଅ ।

ଦେଶରେ ସ୍ବାକ୍ଷର ସଂଖ୍ୟା ବଢିଛି । ମାତ୍ର ସେମାନଙ୍କ ମଧ୍ୟରୁ ଶିକ୍ଷିତଙ୍କ ସଂଖ୍ୟା କେତେ ? ଏହି ସ୍ବାକ୍ଷରମାନେ ହ୍ବାଟସପ୍ ପାଇଁ ଫିଟ୍ । ସେଥିପାଇଁ ଆଜି ନେହେରୁଙ୍କ ବାପା ମୋଇନୁଦ୍ଦିନ୍ ହେଇଗଲେ । ହ୍ବାଟସପ୍ ସ୍ବାକ୍ଷରଙ୍କ ମଧ୍ୟରେ ବାଦ ବିବାଦ ଚାଲିଲା ଯେ ଏଇଟା ସତ ନା ଫେକ୍ ନ୍ୟୁଜ୍ । କିନ୍ତୁ କେହି ବି ଜଣେ ଶିକ୍ଷିତ ବାହାରିକରି ପଚାରୁନି ଯେ ନେହେରୁଙ୍କ ବାପା ଯଦି ସତରେ ମୋଇନୁଦ୍ଦିନ୍ ହୋଇଥାନ୍ତି ସେଥିରେ ପ୍ରୋବ୍ଲେମ୍ କେଉଁଠି ? ଦେଶରେ ବହି ପଢୁଥିବା ଲୋକଙ୍କ ସଂଖ୍ୟା କମୁଛି । ପ୍ରେମଚନ୍ଦଙ୍କ ଅମର କୄତିକୁ କେତେ ଜଣ ପଢୁଛନ୍ତି ? ଆଉ କାହା କଥା କ’ଣ କହିବା, ଆମ ସାମ୍ବାଦିକମାନେ ଯେଉଁମାନଙ୍କୁ ବୄତ୍ତିର ଆବଶ୍ୟକତା ଯୋଗୁଁ ବହି ପଢିବା ନିହାତି ଦରକାର, ସେମାନେ ବି ପଢୁ ନାହାନ୍ତି । ସବୁ ନହେଲେ ବି ଅଧିକାଂଶ । ସେମାନଙ୍କ ପାଇଁ ଆଜିକାଲି ବହି ଅପେକ୍ଷା ବୁମ୍ ଅଧିକ ଜରୁରୀ । ସେମାନଙ୍କ ଉପରେ ପୁଣି ଦାୟିତ୍ବ ଦିଆଯାଇଛି ଆମକୁ ଅଫିସରୁ ଫେରିବା ପରେ ଜଣେଇବେ ଦେଶରେ କ’ଣ ସବୁ ଘଟୁଛି । ସେଇମାନଙ୍କୁ ଲଗେଇ ଗୋଟିଏ ମାସ ଭିତରେ ଏମିତି ଘୋ କରାଯାଉଛି ଯେ ସତେ ଯେପରି ଦେଶରେ ଆଉ କିଛି ସମସ୍ୟା ନାହିଁ କେବଳ ସେହି ଘୋ ଭିତର ସମସ୍ୟାଟି ହିଁ ସମସ୍ୟା ।

ଆଜି ସମ୍ବାଦ ଟୁଇଟ୍ କରିଛି –

” ଓଡିଶାରେ ତୄତୀୟ ପର୍ଯ୍ୟାୟ ମତଦାନ ଶେଷ : ୪୧୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ କଏଦ ।'”

ଠିକ୍ ତ ଲେଖିଛି । ନିର୍ବାଚନରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣୟ ହୁଏ । ଆମର ନୁହେଁ ? ଆମେ କାହିଁକି ଛୁଟି ଦିନଟାରେ ଭୋଟ ଦେବାକୁ ଯିବୁ ? ଆମେ ଭୋଟ ଦେଇଦେଲେ କ’ଣ ୧୨% ନହେଲେ ବି ୧୦% ବିକାଶ ବୄଦ୍ଧି ଦର ଆସିଯିବ ? ଆଉ ଦଳେ ପରିବର୍ତନର ଡାକରା ଦେଉଛନ୍ତି । କି ସୁନ୍ଦର ମାର୍କେଟିଂ ଆହା ! ଆହେ କି ପରିବର୍ତନ ହୋ ?
ପରିବର୍ତନ ହେଲେ ବିକାଶ ହେବ ଏବଂ ତାହାର ସମବଣ୍ଟନ ହେଇଯିବ ? କ’ଣ ରୋଡ୍ ତିଆରି ହେବାକୁ ବିକାଶ କୁହନ୍ତି ? ଏହି ପରିବର୍ତନ ଦ୍ବାରା ସ୍ବାକ୍ଷରମାନେ ଶିକ୍ଷିତ ହୋଇଯିବେ ? ଭୁତଳ ଜଳସ୍ତର କମିବା ବନ୍ଦ ହୋଇଯିବ ? ଓଡିଆ ଭାଷା ବଞ୍ଚିବା ପାଇଁ ଓଡିଆ ମାଧ୍ୟମ ସ୍କୁଲ ଚମକିବ ? କୄଷି ଏମିତି ଲାଭଜନକ ହେବ ଯେ ଚାକିରୀ ବଜାର ଉପରେ ପ୍ରେସର୍ କମିବ ? ଆମ କୄଷି ଉତ୍ପାଦନ ରପ୍ତାନୀଯୋଗ୍ୟ ହୋଇଯିବ ? ଏଠି ପରା ଭୋଟ ଆସିବାରୁ ଗୋଟେ ସରକାର କାଳିଆ ଯୋଜନା ଆରମ୍ଭ କଲା ତ ଆଉ ଗୋଟିଏ ସରକାର ପିଏମ୍-କିଷାନ୍ ଆରମ୍ଭ କଲାଣି । ଆପଣ କି ପରିବର୍ତନ କଥା କହୁଛନ୍ତି ଯେ ଭୁବନେଶ୍ବର ଲୋକେ ଛୁଟିଟା ବରବାଦ କରି ବୁଥ୍ ଆଗରେ ଲାଇନ୍ ଦେବେ ?

ସପ୍ତାହ ସାରା ଭୁବନେଶ୍ବରରେ କାମ କରୁଥିବା ପ୍ରାଇଭେଟ୍ ସଂସ୍ଥା କର୍ମଚାରି କେତେ ପ୍ରେସରରେ ରୁହନ୍ତି ତମକୁ ଜଣା ଅଛି ? ସବୁ ନିୟମ ଭୁବନେଶ୍ବର ବିଧାନସଭାରେ ତିଆରି ହୁଏ କିନ୍ତୁ ଭୁବନେଶ୍ବରରେ ଲାଗୁ ହୁଏନି । ଦିନସାରା ଏକସେଲ୍ ଓ ଓ୍ବାର୍ଡ ଫାଇଲ୍ ତିଆରି କରି କରି ସେମାନେ ସଂଧ୍ୟା ୭ଟା ପରେ ଯାଇ ଅଫିସରୁ ଫେରନ୍ତି । ଚାକିରୀ ନିରାପତ୍ତା ବୋଲି କିଛି ନାହିଁ । କୋଉଦିନ ଯେ ବସ୍ କହିଦବ ‘ରିଜାଇନ୍ କର’, ତାହାର କୌଣସି ଠିକଣା ନାହିଁ । ସପ୍ତାହସାରା ପ୍ରେସରରେ ରହି କାମ କରିବା ପରେ ଛୁଟି ଗୋଟେ କ’ଣ ଦେଇଦେଲ ଯେ କହୁଛ ଖରାରେ ଆସି ଭୋଟ ଦିଅ ? ଭଲ ଆଉ ! ଏମିତି ବି ଆମେ ଭାରତୀୟମାନେ ସବୁବେଳେ ମନଦୁଃଖରେ ରହୁଛୁ । ଗତବର୍ଷ ଜାତିସଂଘ କହିଛି ଯେ ୧୫୬ଟି ଦେଶ ଭିତରେ ଖୁସି ରହିବା କ୍ରମାଙ୍କରେ ଆମେ ପୁର୍ବ ବର୍ଷ ଅପେକ୍ଷା ୭ ପଏଣ୍ଟ ତଳକୁ ଖସି ପାକିସ୍ଥାନ ଓ ବଙ୍ଗଳାଦେଶ ତଳେ ୧୪୦ ନମ୍ବରରେ ଅଛୁ ।

ଭୁବନେଶ୍ବରରେ ଥାଇ ଭୋଟ ଦେବାକୁ ଆସି ନଥିବା ଲୋକମାନଙ୍କୁ କେତେକ ବନ୍ଧୁ ଆଜି ଦିନ ସାରା ସମାଲୋଚନା କରୁଛନ୍ତି । ତମେ ସବୁଥର ଭୋଟ ଦେଇ ଦେଶର କ’ଣ କରିଛ ସେକଥା ସେମାନେ କେବେ ତମକୁ ପଚାରିଛନ୍ତି ? ନାହିଁ ନା ? ତାହାଲେ ସେମାନେ ଭୋଟ ଦେଲେ କି ନ ଦେଲେ ସେଥିରେ ତମର କାହିଁକି ମୁଣ୍ଡ ବଥଉଛି ?

ସେମାନେ ଭୋଟ ଦେଉନାହାନ୍ତି ବୋଲି କ’ଣ ସେମାନେ ଇଣ୍ଡିଆନ୍ ନୁହନ୍ତି ନା ଇଣ୍ଡିଆକୁ ଭଲ ପାଉ ନାହାନ୍ତି ? ସରକାରମାନେ ଯେତେ ଟିକସ ମାଗୁଛନ୍ତି ସେମାନେ ଦଉଛନ୍ତି ନା ନାହିଁ ? ଆଉ ତାହେଲେ ?

କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ବୁଲି ଆସି ଥରେ ଦେଖନ୍ତୁ । ଆପଣ ଜାଣିବେ ଯେ ଭୋଟିଂ ପ୍ରତିଶତ ସହିତ ବିକାଶ ଓ ଗଣତନ୍ତ୍ରର କନେକସନ୍ କଟିଯାଇଛି ।

ନହେଲେ ଆପଣ କହୁନାହାନ୍ତି ? ପାଞ୍ଚବର୍ଷ ପୁର୍ବେ ଭୁବନେଶ୍ବର ସ୍ମାର୍ଟସିଟି ପ୍ରତିଯୋଗିତାରେ ଭାଗନେଇ ନମ୍ବର ଓନ୍ ହେଇଥିଲା ଯେ କେତେ ବାଣ ଫୁଟିଲା ତାର ସୀମା ନାହିଁ । ସାରା ଭାରତରେ ସମତେ ଓଠରେ ଆଙ୍ଗୁଠି ଦେଇ ଆମକୁ ଦେଖିଲେ । ସତ କହିଲେ ଗଲା ପାଞ୍ଚ ବର୍ଷରେ ଭୁବନେଶ୍ବରର କ’ଣ ପରିବର୍ତନ ହୋଇଛି । କହିଲେ ଏଇନେ ଇଏ ତାକୁ ଦୋଷ ଦବ ଓ ସିଏ ଆକୁ ଦୋଷ ଦେବ ।

କିନ୍ତୁ ଯାହା କୁହନ୍ତୁ ଭୁବନେଶ୍ବରବାସୀ ପ୍ରକୄତରେ ସ୍ମାର୍ଟ । ଭୋଟ ଗୁଡାଏ ଦେଇ ଦେଲେ ଅଧିକ ସ୍ମାର୍ଟ ହେଇଯିବେନି । ଭୋଟ ଗୁଡାଏ ଦେଇଦେଲେ ସେମାନେ ଅଧିକ ଦେଶପ୍ରେମୀ ହୋଇଯିବେନି । ଆର ମାସରେ ବିଶ୍ବ କପ୍ । ସମସ୍ତେ ଦେଖିବେ ।