Categories
ଆଞ୍ଚଳିକ

ଲକ୍‌ଡାଉନ୍‌ରେ ସକ୍ରିୟ ଚୋରା କାଠ ମାଫିଆ : ପାରାଦ୍ବୀପ ବେଳାଭୂମିରୁ ଦିନ ଦ୍ବିପ୍ରହରରେ ଲୁଟ

ରଞ୍ଜିତ ପଣ୍ଡା
କୁଜଙ୍ଗ : ଚୋରା କାଠ ମାଫିଆଙ୍କ ପାଇଁ ବରଦାନ ସାଜିଛି କରୋନା ଲକ୍ ଡାଉନ। ପାରାଦ୍ବୀପ ବେଳାଭୂମିରୁ ଲୁଟ୍ ହେଉଛି ଲକ୍ଷାଧିକ ଟଙ୍କାର ଝାଉଁ କାଠ। କରୋନାକୁ ନେଇ ସମସ୍ତେ ଘରେ ଥିବାବେଳେ, ଏମାନେ ଦିନ ଦ୍ବିପ୍ରହରରେ ଲୁଟି ନେଉଛନ୍ତି ଝାଉଁ ଜଙ୍ଗଲ। ଉପକୂଳର ସୁରକ୍ଷା କବଚ କ୍ଷତିଗ୍ରସ୍ତ ହେଉ ହେଉଥିବା ବେଳେ ପ୍ରଶାସନ ପାଖରେ ନାହିଁ ଖବର।

ଚୋରା କାଠ ମାଫିଆଙ୍କୁ ସୁହାଇଛି କରୋନା ଲକ୍ ଡାଉନ। ଦିନ ଦ୍ବିପ୍ରହରରେ ଲୁଟି ନେଉଛନ୍ତି ଶହ ଶହ ଝାଉଁ ଗଛ। ଏହି ଦୃଶ୍ୟ ହେଉଛି ପାରାଦ୍ବୀପ ସମୁଦ୍ର କୂଳର। ପାଖରେ ଥିବା ଷଣ୍ଢକୁଦ ବସ୍ତିର କିଛି ମହିଳାଙ୍କୁ ଲଗାଇ କାଠ ମାଫିଆ ଲୁଟ୍ କରୁଛନ୍ତି ଝାଉଁ ଜଙ୍ଗଲ। ରାସ୍ତା ଶୁନ ଶାନ ଥିବା ବେଳେ ଏମାନେ କିନ୍ତୁ ଲୁଟିବାରେ ବ୍ୟସ୍ତ। ପାଖାପାଖି ୬ ଏକରରୁ ଉର୍ଦ୍ଧ୍ବ ଝାଉଁ ଜଙ୍ଗଲ ଏବେ ସଫା ହୋଇ ଯାଇଛି। ସ୍ବଳ୍ପ ମୂଲ୍ୟରେ ଏହି କାଠ ଗୁଡିକୁ ସମ୍ପୃକ୍ତ ମହିଳାଙ୍କ ଠାରୁ କିଣି ଏହାକୁ ପରବର୍ତ୍ତୀ ସମୟରେ ଅଧିକ ଦରରେ ବିକ୍ରି କରୁଛନ୍ତି କାଠ ବ୍ୟବସାୟୀ। ତେବେ ଷଣ୍ଢକୁଦ ଠାରେ ଥିବା ଏକ ଫରେଷ୍ଟ ବିଟ୍ ହାଉସରେ କୌଣସି କର୍ମଚାରୀ ରହୁନଥିବା ବେଳେ ସେମାନଙ୍କ ଫୋନ ମଧ୍ୟ ଅଫ୍ ରହିଛି। ଫଳରେ ବେଧଡକ ଭାବେ ଲୁଟ୍ ହେଉଛି ଝାଉଁ ଜଙ୍ଗଲ।

୧୯୯୯ ମହାବାତ୍ୟା ପରେ ପାରାଦ୍ବୀପ ସମୁଦ୍ର କୂଳରେ ବହୁ ସଂଖ୍ୟାରେ ଝାଉଁ ଗଛ ପୋତାଯାଇ କୂତ୍ରିମ ଜଙ୍ଗଲ ସୃଷ୍ଟି କରାଯାଇଥିଲା। ଏହି ଜଙ୍ଗଲ ବର୍ତ୍ତମାନ ସୁରକ୍ଷା କବଚ ର କାର୍ଯ୍ୟ କରୁଛି। ମହାବାତ୍ୟା ପରେ ଯେତେ ବି ପ୍ରାକୃତିକ ବିପର୍ଯ୍ୟୟ ଆସିଛି ଏହି ଝାଉଁ ଜଙ୍ଗଲ ପାରାଦ୍ବୀପ ବାସୀଙ୍କ ସୁରକ୍ଷା କବଚ ସାଜିଛି। ହେନ୍ତାଳ ବଣ ନଷ୍ଟ ହେବା ପରେ ଏହାହିଁ ବର୍ତ୍ତମାନ ସମସ୍ତଙ୍କ ପାଇଁ ସାହା ଭରସା। ଏଗୁଡିକ ବହୁଳ ପରିମାଣରେ କଟାଯିବା ଆଗାମୀ ଦିନରେ ପାରାଦ୍ବୀପ ପାଇଁ ବିପଦ ସୃଷ୍ଟି କରିବ ବୋଲି ପରିବେଶବିତ୍ ମାନେ ମତ ଦେଇଛନ୍ତି।