Categories
ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁର ପୋଲିସ ଜିଲ୍ଲାର ସମୀକ୍ଷା ଓ ନିର୍ବାଚନ ତାଲିମ ବୈଠକ ଅନୁଷ୍ଠିତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଏସ୍ ପି ଡଃ ସର୍ବଣା ବିବେକ ଏମ୍ ଙ୍କ ପୌରହିତ୍ୟରେ ସମୀକ୍ଷା ଓ ନିର୍ବାଚନ ତାଲିମ ବୈଠକ ଅନୁଷ୍ଠିତ ହୋଇଛି। ଉକ୍ତ ବୈଠକରେ ଜିଲାର ସମସ୍ତ ଥାନା ଅଧିକାରୀ ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।

ଚଳିତ ସାଧାରଣ ନିର୍ବାଚନ ଯେଉଁଭଳି ଶାନ୍ତି ଓ ଶୃଙ୍ଖଳା ର ସହ ସମାପନ ହେବା ସେହି ବିଷୟରେ ଏସ୍ ପି ଉପସ୍ଥିତ ସମସ୍ତ କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ। ଏତଦବ୍ୟତୀତ ବ୍ରହ୍ମପୁର ପୋଲିସ ଜିଲ୍ଲା ସଂଲଗ୍ନ ଆନ୍ଧ୍ର ଓଡ଼ିଶା ସୀମାରେ ଥିବା ୬ ଟି ରାସ୍ତାରେ ଚେକ୍ ପୋଷ୍ଟ କାର୍ଯ୍ୟକାରୀ ୨୪ ଘଣ୍ଟିଆ ପହରା କାର୍ଯ୍ୟକ୍ରମ ଚାଲୁ ରହିବ ଓ ଏକ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଗଠନ କରାଯାଇ ଅପରାଧ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଚାଲୁ କରିବା ପାଇଁ ଉପସ୍ଥିତ ସମସ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିର୍ବାଚନ ପୁର୍ବରୁ ପେଶାଦାର ଅପରାଧୀ ମାନଙ୍କ ଉପରେ କଡା ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବ୍ରହ୍ମପୁର ଲୋକସଭା: ଚନ୍ଦ୍ରଶେଖରଙ୍କ ଉପରୁ ଆସ୍ଥା ହରାଇଲାଣି କି ବିଜଦ?, ଭାଜପା ଦ୍ୱନ୍ଦ୍ୱରେ, କଂଗ୍ରେସ ଘର ଖାଲି

ଭୁବନେଶ୍ୱର: ବର୍ତ୍ତମାନର ବ୍ରହ୍ମପୁର ଆସନର ବିଜଦ ସାଂସଦ ଉପରେ ଦଳ ତଥା କର୍ମୀମାନେ ଆସ୍ଥା ହରାଇବାର ସଂକେତ ମିଳିଲାଣି। ତେଣୁ ତାଙ୍କୁ ପରିବର୍ତ୍ତନ କରି ପୂର୍ବତନ ସାଂସଦଙ୍କୁ ପ୍ରାର୍ଥୀ କରିବା ପାଇଁ କର୍ମୀଙ୍କ ସ୍ୱର ଉଠିଲାଣି । ଭାଜପା ଏଠାରୁ ଜିତିବା ପାଇଁ ପ୍ରୟାସ କରୁଥିଲେ ହେଁ ଉପଯୁକ୍ତ ପ୍ରାର୍ଥୀ ପାଇପାରୁନାହିଁ। କଂଗ୍ରେସର ଏଠାରୁ କର୍ପୁର ଉଡ଼ି ଯାଇଛି, କେବଳ କପଡ଼ା ପଡ଼ି ରହିଛି।

୧୯୫୭ରୁ ୨୦୦୯ ପର୍ଯ୍ୟନ୍ତ ବ୍ରହ୍ମପୁର ଲୋକସଭା ଆସନ କଂଗ୍ରେସ ଦଳର ଗଡ଼ ଥିଲା। ଏହି କାରଣରୁ ବିଜଦ-ଭାଜପା ମେଣ୍ଟବେଳେ ଏହି ଆସନକୁ ଭାଜପା ଛାଡ଼ି ଦିଆଯାଇଥିଲା। ଯାହାଫଳରେ ୧୯୯୯ରେ ଭାଜପା ପ୍ରାର୍ଥୀ ଅନାଦି ସାହୁ ବିଜୟୀ ହୋଇଥିଲେ। ଏହାପରେ ରାଜ୍ୟରେ ୨୦୦୯ ପର୍ଯ୍ୟନ୍ତ ମେଣ୍ଟ ଥିଲେ ହେଁ ୨୦୦୪ରେ ପୁଣି କଂଗ୍ରେସ ପ୍ରାର୍ଥୀ ଚନ୍ଦ୍ର ଶେଖର ସାହୁ ବିଜୟୀ ହୋଇ କେନ୍ଦ୍ରରେ ଅଳ୍ପଦିନ ପାଇଁ ମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିଥିଲେ। ୨୦୦୯ ପରଠାରୁ ଅଦ୍ୟାବଧି ଏହି ଆସନରୁ ବିଜଦ ପ୍ରାର୍ଥୀ ଅଭିନେତା ସିଦ୍ଧାନ୍ତ ମହାପାତ୍ର ୨ଥର ଓ ୨୦୧୯ରେ କଂଗ୍ରେସରୁ ବିଜଦକୁ ଆସିଥିବା ଚନ୍ଦ୍ର ଶେଖର ସାହୁ ସାଂସଦ ହୋଇ ନିର୍ବାଚିତ ହୋଇଛନ୍ତି।

୨୦୦୯ ପରଠାରୁ ଗଞ୍ଜାମ ଜିଲ୍ଲାର ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି ଓ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଏବଂ ମୋହନା ବିଧାନସଭା ଆସନକୁ ନେଇ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଗଠିତ। ଶ୍ରୀ ସାହୁ ଗତ ନିର୍ବାଚନରେ ବିଜଦ ପ୍ରାର୍ଥୀଭାବେ ନିର୍ବାଚିତ ହୋଇଥିଲେ ହେଁ ଆଗାମୀ ନିର୍ବାଚନରେ ତାଙ୍କୁ ଦଳ ପ୍ରାର୍ଥୀ କରିବ କି ନାହିଁ ଏହାକୁ ନେଇ ବିଚାର ବିମର୍ଷ ଚାଲିଛି। ଦଳୀୟ ସଂଗଠନରେ ଶ୍ରୀ ସାହୁଙ୍କୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇବାରେ ଲାଗିଛି। ଅପରପକ୍ଷରେ ବ୍ରହ୍ମପୁରର ପୂର୍ବତନ ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏବେ ନିର୍ବାଚନ ମଣ୍ଡଳୀରେ ସକ୍ରିୟ ହେବା ସହିତ ସଂଗଠନକୁ ସଜାଡ଼ିବାରେ ଲାଗିଛନ୍ତି। ଏଇଥିପାଇଁ ଯେ ସିଦ୍ଧାନ୍ତ ମହାପାତ୍ର ବ୍ରହ୍ମପୁର ସହିତ ଗୋପାଳପୁର, ଛତ୍ରପୁର, ଚିକିଟି ଭଳି ନିର୍ବାଚନମଣ୍ଡଳୀ ଗସ୍ତ କରି କର୍ମୀଙ୍କୁ ଭେଟିଥିଲେ। ଏଣୁ ସେ ପୁଣିଥରେ ବ୍ରହ୍ମପୁର ରାଜନୀତିକୁ ଫେରିବେ ବୋଲି ଗୋଟିଏ ବାର୍ତ୍ତା ଯାଇଛି। ଚନ୍ଦ୍ର ଶେଖର ସାହୁ କଂଗ୍ରେସରୁ ଆସିଥିବାରୁ ତାଙ୍କୁ ଅନେକ କର୍ମୀ ପସନ୍ଦ କରୁନାହାନ୍ତି। ତେଣୁ ସେମାନେ ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ସପକ୍ଷରେ ଯୁକ୍ତି ଲବି କରୁଥିବା ଜଣାପଡ଼ିଛି। ଶେଷ ନିଷ୍ପତ୍ତି ଦଳର ହାଇକମାଣ୍ଡ ନେବେ।

୨୦୦୪ ପରଠାରୁ ଅଦ୍ୟାବଧି ବିଜୟ ପାଇବା ପାଇଁ ଭାଜପା ଏଠାରେ ସଂଗ୍ରାମ କରୁଛି। ୨୦୦୯ରେ ଭାଜପା ପ୍ରାର୍ଥୀ ଭରତ ପାଇକ ୭୮,୯୨୯ ଖଣ୍ଡ ଭୋଟ ପାଇଥିଲାବେଳେ ୨୦୧୪ରେ ଭାଜପା ପ୍ରାର୍ଥୀ ରାମଚନ୍ଦ୍ର ପଣ୍ଡା ୧,୫୮,୮୧୧ ଖଣ୍ଡ ଭୋଟ ପାଇଥିଲେ। ୨୦୧୯ରେ ଭାଜପା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ୩,୪୮,୯୯୯ ଭୋଟ ସହିତ ସମ୍ମାନଜନକ ୨ୟ ସ୍ଥାନକୁ ଆସିଥିଲେ। ଏହି ନିର୍ବାଚନ ପରଠାରୁ ଭାଜପା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କର ଏଠାରେ ଦେଖାଦର୍ଶନ ମିଳୁନାହିଁ। ମୁଣ୍ଡ ଉପରେ ନିର୍ବାଚନ ଥିଲେ ହେଁ ଶ୍ରୀ ବକ୍ସିପାତ୍ର କୌଣସି ସାଂଗଠନିକ କାମ କରୁନାହାଁନ୍ତି। ତେଣୁ ଦଳର ସାଂଗଠନିକ ସ୍ଥିତି ଭଲ ନ ଥିବା ସତ୍ତ୍ୱେ ସଂଗଠନ ଭାଗ ଭାଗ ହୋଇଛି। ଫଳରେ ଆଗାମୀ ନିର୍ବାଚନରେ ଦଳ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କୁ ପ୍ରାର୍ଥୀ କରିନପାରେ ବୋଲି କର୍ମୀ ମହଲରେ ଗୁଞ୍ଜରଣ ସୃଷ୍ଟି ହେଉଛି। ବିଜଦରୁ ବହିଷ୍କୃତ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଭାଜପାରେ ଯୋଗଦେଇ ସାଂସଦ ପ୍ରାର୍ଥୀ ହେବେ ବୋଲି କର୍ମୀ ମହଲରେ ଆଲୋଚନା ହେଉଥିଲେ ହେଁ ଦଳ ପକ୍ଷରୁ ଏ ପର୍ଯ୍ୟନ୍ତ କିଛି ସ୍ପଷ୍ଟ କରାଯାଇନାହିଁ।

ଏକଦା ବ୍ରହ୍ମପୁର ଲୋକସଭା ଆସନ କଂଗ୍ରେସ ପାଇଁ ଏତେ ସୁରକ୍ଷିତ ଥିଲା ଯେ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓ ୧୯୯୬ରେ ଏଠାରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ୧୮ଥର ଲୋକସଭା ନିର୍ବାଚନ ମଧ୍ୟରୁ କଂଗ୍ରେସ ପ୍ରାର୍ଥୀମାନେ ଏଠାରୁ ୧୨ଥର ବିଜୟ ବାନା ଛଡ଼ାଇଛନ୍ତି । ଏଭଳି ସ୍ଥିତି ସତ୍ତ୍ୱେ ୨୦୦୯ରେ (୨,୬୨,୫୨୨ଭୋଟ) ଓ ୨୦୧୪ରେ (୨,୭୦,୩୮୭ ଭୋଟ) କଂଗ୍ରେସ ପ୍ରାର୍ଥୀ ଚନ୍ଦ୍ର ଶେଖର ସାହୁ ପାଇଥିଲାବେଳେ ୨୦୧୯ରେ କଂଗ୍ରେସ ପ୍ରାର୍ଥୀ ଭି. ଚନ୍ଦ୍ରଶେଖର ନାଇଡ଼ୁ ୧,୪୨,୬୩୨ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନକୁ ଖସି ଆସିଛନ୍ତି। ନିର୍ବାଚନ ପରଠାରୁ କଂଗ୍ରେସ ପ୍ରାର୍ଥୀ ନାଇଡ଼ୁଙ୍କର ମତଦାତା ଓ ଦଳର ସଂଗଠନ ସହିତ ସମ୍ପର୍କ ନ ଥିବା ଦଳୀୟ ମହଲରେ ଆଲୋଚନା ହେଉଛି। ତେଣୁ କଂଗ୍ରେସ ଏଠାରେ ଜଣେ ନୂଆ ନେତାଙ୍କୁ ପ୍ରାର୍ଥୀ କରିବା ପାଇଁ ପ୍ରାର୍ଥୀ ଖୋଜା ଆରମ୍ଭ କରିଛି। କିନ୍ତୁ କଂଗ୍ରେସ ଦଳରୁ ଲୋକସଭା ପ୍ରାର୍ଥୀ ହେବା ପାଇଁ ନେତା ମିଳୁ ନାହାନ୍ତି। କଂଗ୍ରେସର ଏଠାରୁ କର୍ପୁର ଉଡ଼ି ଯାଇଛି, କେବଳ କପଡ଼ା ପଡ଼ି ରହିଛି ବୋଲି ଲୋକମାନେ କହୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ ହସ୍ପିଟାଲ୍ ଶିତଳାପଲ୍ଲୀ କ୍ୟାମ୍ପସ ଲୋକାର୍ପିତ

ଭୁବନେଶ୍ଵର: ଦକ୍ଷିଣ ଓଡିଶାର ଜନସାଧାରଣଙ୍କୁ ଉତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ସ୍ଥାପିତ ହୋଇଥିବା ସମ୍ ହସ୍ପିଟାଲର ଶିତଳାପଲ୍ଲୀ କ୍ୟାମ୍ପସ୍‌କୁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି।

ଦୀର୍ଘ ୧୯ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଜନସାଧାରଣଙ୍କୁ ଅବିରତ ତଥା ଉତ୍ସର୍ଗୀକୃତ ଭାବେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରି ଆସୁଥିବା ଶିକ୍ଷା ଓ ଅନୁସନ୍ଧାନ ପକ୍ଷରୁ ଦକ୍ଷିଣ ଓଡ଼ିଶାରେ ଉତ୍ତମ ତଥା ଅତ୍ୟାଧୁନିକ ସେବା ପ୍ରଦାନ କରିବା ଲକ୍ଷ୍ୟ ନେଇ ଗଂଜାମ ଜିଲ୍ଲା ବ୍ରହ୍ମପୁର ନିକଟ ଶିତଳାପଲ୍ଲୀ ଠାରେ ସ୍ଥାପିତ ଏହି ମଲ୍ଟି ସୁପର ସ୍ପେଶିଆଲିଟି ହସ୍ପିଟାଲ୍‌କୁ ଆରମ୍ଭ କରାଯାଇଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ହସ୍ପିଟାଲ କ୍ୟାମ୍ପସ୍‌ରେ ପହଂଚିବା ପରେ ଫଳକ ଉନ୍ମୋଚନ ସହ କ୍ୟାମ୍ପସ୍ ପରିସରରେ ବୃକ୍ଷ ରୋପଣ କରିଥିଲେ ଓ ଆନୁଷ୍ଠାନିକ ଭାବେ ହସ୍ପିଟାଲ୍‌ଟିକୁ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (Dr) ମନୋଜରଞ୍ଜନ ନାୟକ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିବାବେଳେ ଏହି ଅବସରରେ ୫ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀ କାର୍ତିକ ପାଣ୍ଡିଆନ୍ ମଂଚରେ ଉପସ୍ଥିତ ଥିଲେ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟସଭା ସାସଂଦ ମାନସ ମଙ୍ଗରାଜ ଏବଂ ସୋଆର ଉପସଭାପତି ଶାଶ୍ୱତୀ ଦାସ ଉପସ୍ଥିତ ଥିଲେ।

ସମ୍ ହସ୍ପିଟାଲ୍ ଶିତଳାପଲ୍ଲୀ କ୍ୟାମ୍ପସ୍ ଠାରେ ୨୦୦ ଶଯ୍ୟାର ସୁବିଧା ରହିଥିବା ବେଳେ ଆଗାମୀ ଦିନରେ ଏହାର ସଂଖ୍ୟା ବୃଦ୍ଧି ପାଇ ୫୦୦ ହେବ। ଏହି ଡାକ୍ତରଖାନାରେ ସୁଲଭ ମୂଲ୍ୟରେ ସମସ୍ତ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ସୁବିଧା ଉପଲବ୍ଧ ହେବା ସହ ୨୪ ଘଂଟା ରୋଗୀ ସେବା ପ୍ରଦାନ କରାଯିବ।

ସମ୍ ହସ୍ପିଟାଲର ଏହି ନୂତନ ମଲ୍ଟି ସୁପର ସ୍ପେଶିଆଲିଟି ହସ୍ପିଟାଲ୍‌ରେ ସମସ୍ତ ସ୍ପେଶିଆଲିଟି ଓ ସୁପର ସ୍ପେଶିଆଲିଟି ବିଭାଗ ରହିଛି। ଦେଶ ତଥା ବିଦେଶରେ ତାଲିମ ପ୍ରାପ୍ତ ବିଶିଷ୍ଟ ସ୍ୱାସ୍ଥ୍ୟସେବା ବିଶେଷଜ୍ଞମାନେ ଏଠାରେ ରୋଗୀମାନଙ୍କୁ ଚିକିତ୍ସା ପ୍ରଦାନ କରିବେ।

୨୦୨୩ ମସିହାରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପରିଚାଳିତ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମୱାର୍କ (ଏନ୍‌ଆଇଆରଏଫ୍‌)ର ର‌୍ୟାଙ୍କିଙ୍ଗ୍‌ରେ ଦେଶର ୧୬ ତମ ଶ୍ରେଷ୍ଠ ମେଡିକାଲ୍ କଲେଜ ଭାବେ ସ୍ଥାନୀତ ହୋଇଥିବା ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ, ଭୁବନେଶ୍ୱର ଦୀର୍ଘ ୧୯ ବର୍ଷ ହେବ ଓଡ଼ିଶା ସମେତ ପୂର୍ବାଂଚଳ ରାଜ୍ୟଗୁଡ଼ିକ ନିମନ୍ତେ ଏକ ନିର୍ଭରଯୋଗ୍ୟ ଓ ଲୋକପ୍ରିୟ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଭାବେ ଉଭା ହୋଇଛି। ଏହି ହସ୍ପିଟାଲ ୨୦୦୫ ମସିହାରେ ରାଜ୍ୟବାସୀଙ୍କୁ ଉତମ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାର ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିଲା। ଡାକ୍ତରୀ ଶିକ୍ଷା ପ୍ରଦାନ କ୍ଷେତ୍ରରେ ନିଜ ର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ଏକ ମାଇଲ ଖୁଂଟ ସୃଷ୍ଟି କରିଛି।

ଗତ ଜାନୁଆରୀ ମାସ ୨୧ ତାରିଖରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଦ୍ୱିତୀୟ କ୍ୟାମ୍ପସ୍ ଫୁଲନଖରା ଠାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା।

ଭୁବନେଶ୍ୱର ଓ କଟକ ମଧ୍ୟବର୍ତ୍ତୀ ଜାତୀୟ ରାଜପଥ – ୧୬ ନିକଟରେ ଆରମ୍ଭ ହୋଇଥିବା ଏହି ନୂତନ ହସ୍ପିଟାଲ୍‌ରେ ରୋଗୀମାନଙ୍କୁ ଉତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ସମସ୍ତ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଓ ଅଗ୍ରଣୀ ବୈଷୟିକ ଜ୍ଞାନ କୌଶଳ ସମ୍ପନ୍ନ ବ୍ୟବସ୍ଥା ରହିଛି।

ସୋଆ ପକ୍ଷରୁ ଭୁବନେଶ୍ୱରରେ ୨୦୨୦ ମସିହାରେ ସମ୍ ଅଲ୍ଟିମେଟ ମେଡିକେୟାର ଏକ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ମଲ୍ଟି ସୁପର ସ୍ପେଶିଆଲିଟି କ୍ୱାଟରନେରି କେୟାର ହସ୍ପିଟାଲ୍ ମଧ୍ୟ ଆରମ୍ଭ କରାଯାଇଛି। ସୋଆର ଏହି ୪ ଟି ହସ୍ପିଟାଲ୍ ଲୋକମାନଙ୍କୁ ଉତମ ମାନର ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ନିମନ୍ତେ ପରସ୍ପରର ସହଯୋଗ କରିବେ। ଏହି ୪ ଟି ହସ୍ପିଟାଲ୍‌ରେ ରାଜ୍ୟ ସରକାରଙ୍କ ଦ୍ୱରା ପ୍ରଚଳିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ସୁବିଧା ଉପଲବ୍ଧ।

୨୦୨୦ ମସିହାରେ କୋଭିଡ୍‌-୧୯ ମହାମାରୀର କରାଳ ଛାୟା ସାରା ବିଶ୍ୱର ଜନ ଜୀବନକୁ କବଳିତ କରିଥିବା ବେଳେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଅବିରତ ଓ ଉତମ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଥିଲା। ସମ୍ କୋଭିଡ ହସ୍ପିଟାଲ୍ ଗୁଡ଼ିକ ଯୋଗୁଁ ହିଁ ଓଡି଼ଶାରେ କରୋନା ମୃତ୍ୟୁ ହାର କମ୍ ରହିଥିଲା।

୨୦୨୩ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗରେ ବିଶ୍ୱବିଦ୍ୟାଳୟ କ୍ୟାଟେଗୋରିରେ ସୋଆ ଦେଶରେ ଶ୍ରେଷ୍ଠ ୧୫ ତମ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଛି।

ଆଜି ଏହି ନୂତନ ହସ୍ପିଟାଲର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଶିତଳାପଲ୍ଲୀ କ୍ୟାମ୍ପସ୍ ର ମେଡିକାଲ୍ ସୁପରିଟେଣ୍ଡେଂଟ ଡାକ୍ତର ଆନନ୍ଦ ଶଙ୍କର ଶାସ୍ତ୍ରୀ , ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଭୁବନେଶ୍ୱର ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର , ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌, ଫୁଲନଖରାର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ରାଜେଶ କୁମାର ଲେଙ୍କା, ଆଇଟିଇଆର୍ ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ୍‌, ଏସ୍‌ଏଚ୍‌ଏମ୍ ର ଡିନ୍ ପ୍ରଫେସର ସୁଶାନ୍ତ ରଂଜନ ଚଇନି, ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ, ସୁମା ରିଅଲ୍ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ର ସିଇଓ  ସୁନୀଲ ଦାସ, ଜଏଂଟ୍ ରେଜିଷ୍ଟ୍ରାର ଡକ୍ଟର ଶଶାଙ୍କ ମିଶ୍ର, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ର ଅଫିସର୍ ଅନ୍ ସ୍ପେଶିଆଲ୍ ଡ୍ୟୁଟି ପ୍ରହଲ୍ଲାଦ ମହାନ୍ତି, ଚିଫ୍ ଭିଜିଲାନ୍ସ ଅଫିସର୍ ଯୁଗଳ ଦାସ, ଲିଗାଲ୍ ଆଫେୟାସ୍ ର ନିର୍ଦ୍ଦେଶକ ଶ୍ରୀ ସଂଜୟ କୁମାର ସାହୁ, କର୍ପୋରେଟ୍ କମ୍ୟୁନିକେସନ୍ ବିଭାଗ ର ନିର୍ଦ୍ଦେଶକ ଦେବ ପ୍ରସାଦ ଦାଶ, ଚାଟାର୍ଡ ଆକାଉଂଟାଟ ସରୋଜ କାନ୍ତ ସାମଲ, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ର ବରିଷ୍ଠ ଡାକ୍ତର ପ୍ରଫେସର ସମୀର ସାହୁ, ପ୍ରଫେସର ପ୍ରଦୀପ୍ତ ଶେଖର ପାତ୍ରୋ, ପ୍ରଫେସର ସୁରେନ୍ ଦାଶ, ପ୍ରଫେସର ଈଶ୍ୱର ଚନ୍ଦ୍ର ବେହେରା, ପ୍ରଫେସର ସତ୍ୟସୁନ୍ଦର ଗଜେନ୍ଦ୍ର ମହାପାତ୍ର, ପ୍ରଫେସର ଜେ.ଏନ୍ ସେନାପତି, ନର୍ସିଂ ସୁପରିଟେଣ୍ଡେଂଟ ମୀନତି ମିଶ୍ର, ଫାର୍ମାସୀ ବିଭାଗର ମୁଖ୍ୟ ଡାକ୍ତର ଜସ୍ମିନୀ ପଣ୍ଡା, ବାୟୋ ମେଡିକାଲ୍ ଇଂଜିନିୟରିଂ ବିଭାଗ ମୁଖ୍ୟ ଇଂ ମନୋରମା ପରିଡା, କ୍ୱାଲିଟି ବିଭାଗର ମୁଖ୍ୟ ଡକ୍ଟର ଅରୋଲିପି ଦାସ ଓ ଡେପୁଟି ଡାଇରେକ୍ଟର ପ୍ରିୟବ୍ରତ ଦାସଙ୍କ ସମତେ ଅନ୍ୟାନ୍ୟ ବରିଷ୍ଠ ଡାକ୍ତର, ନର୍ସ, ପାରାମେଡିକ୍ସ ଓ ଅନ୍ୟାନ୍ୟ କର୍ମକର୍ତା ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁର ନୂତନ ପୋଲିସ ଆଇଜି ଙ୍କ ଦାୟିତ୍ଵ ଗ୍ରହଣ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ଦକ୍ଷିଣାଞ୍ଚଳ ପୋଲିସ ଆଇଜି ଭାବେ ଜୟନାରାୟଣ ପଙ୍କଜ ଯୋଗ ଦେଇଛନ୍ତି। ପୁର୍ବତନ ଆଇ ଜି ସତ୍ୟବ୍ରତ ଭୋଇ ଙ୍କର ଅନ୍ୟତ୍ର ବଦଳି ପରେ ବରିଷ୍ଠ ଆଇପିଏସ୍ ଅଧିକାରୀ ଜୟନାରାୟଣ ଏଠି ନୂତନ ଭାବେ ଯୋଗ ଦେଇଛନ୍ତି। ଯୋଗଦାନ ସମୟରେ ପୁର୍ବତନ ଆଇ ଜି ସତ୍ୟବ୍ରତ ଭୋଇ, ଗଞ୍ଜାମ ଏସ୍ ପି ଜଗମୋହନ ମୀନା, ବ୍ରହ୍ମପୁର ଏସ୍ ପି ଡଃ ଶ୍ରବଣ ବିବେକ ଏମ୍ ବିଭାଗୀୟ ଅଧିକାରୀ ଓ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦେଇଥିଲେ।

ଇତ୍ୟବସରରେ ନୂତନ ଆଇ ଜି ଜୟନାରାୟଣ ଆଗାମୀ ଦିନରେ ପୋଲିସ ବିଭାଗ ଲୋକମାନଙ୍କର ନିକଟତର ହୋଇ କାର୍ଯ୍ୟ କରିବ ବୋଲି ଗଣମାଧ୍ୟମକୁ ସୁଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁରର ନୂତନ ଉପଜିଲ୍ଲାପାଳ ଭାବେ ଦାୟିତ୍ଵ ନେଲେ ଧୀନା ଦସ୍ତିଗାର୍

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁରର ପୁର୍ବତନ ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କର ବଦଳି ହୋଇଯାଇଛି। ତାଙ୍କପରେ ମହିଳା ପ୍ରସାଶନିକ ଅଧିକାରୀ ଧୀନା ଦସ୍ତିଗାର୍ ଙ୍କୁ ବ୍ରହ୍ମପୁରର ଉପଜିଲ୍ଲାପାଳ ଭାବେ ଦାୟିତ୍ଵ ମିଳିଛି। ତେବେ ଧୀନା ଦସ୍ତିଗାର୍ ଆଜି ଦାୟିତ୍ଵ ନେଇଛନ୍ତି।

ଦାୟିତ୍ଵ ଗ୍ରହଣ କରିବା ସମୟରେ ବହୁ ବରିଷ୍ଠ ଅଧିକାରୀ, ବିଭିନ୍ନ ସଙ୍ଗଠନ କର୍ମକର୍ତ୍ତା ଓ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦେଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚୋରି ଅଭିଯୋଗରେ ୪ ଯୁବକ ଗିରଫ, ଲକ୍ଷାଧିକ ନଗଦ ଟଙ୍କା ଓ ବହୁ ସ୍ବର୍ଣ୍ଣ ଅଳଙ୍କାର ଜବତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ କିଛି ଦିନ ପୁର୍ବରୁ ଗୋପାଳପୁର ଥାନା ଅନ୍ତର୍ଗତ ମାଣ୍ଡିଆପଲି ମାଳତୀ ନଗରରେ ବଡ ଧରଣର ଚୋରୀ ହୋଇଥିବା ଅଭିଯୋଗ ହୋଇଥିଲା। ମାଳତୀ ନଗରର ବାସିନ୍ଦା ସୁଶାନ୍ତ କୁମାର ପଟ୍ଟନାୟକଙ୍କ ଘରେ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇ ବ୍ରହ୍ମପୁର ଏସ୍ ପି ଡ଼ଃ ଶ୍ରବଣ ବିବେକ ଏମ୍ ଙ୍କ ନିର୍ଦ୍ଦେଶନାରେ ସଦର ଏସ୍ ଡି ପି ଓ ଶିବଶଙ୍କର ମହାପାତ୍ର ଏକ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ।

ଏହି ତଦନ୍ତ ଜରିଆରେ ପୋଲିସ ୪ ଜଣ ଯୁବକ ଯଥା ଶିବ ପରିଡା, ପ୍ରମୋଦ ପ୍ରଧାନ, ଅଭିମନ୍ୟୁ ଓ ଅଳଙ୍କାର କ୍ରୟ କରିଥିବା ସୁନାରି କେ ରାମୁ ଆଚାରୀ ଉଠାଇ ନେଇ ଜେରା କରିବା ପରେ ସେମାନେ ଚୋରି ଘଟଣାରେ ଅନ୍ତର୍ଭୁକ୍ତ ବୋଲି ରାଜି ହୋଇଥିଲେ। ପୋଲିସ ସେମାନଙ୍କ ଠାରୁ ଏକ ଲକ୍ଷ ୫୮ ହଜାର ଟଙ୍କା ନଗଦ ସହ ୧୯୦ ଗ୍ରାମ ସ୍ବର୍ଣ୍ଣ ଅଳଙ୍କାର ଜବତ କରିଛନ୍ତି। ପରେ ପ୍ରକୃତ ହିତାଧିକାରୀଙ୍କୁ ଉକ୍ତ ଅଳଙ୍କାର ଫେରସ୍ତ କରିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଙ୍କ ଠାରୁ ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

୧୦ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ: ରାଜନୈତିକ ଚାପରେ ମାମଲାକୁ ରଫାଦଫା ଉଦ୍ୟମ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଶେରଗଡ଼ ବ୍ଲକ୍ ନରେନ୍ଦ୍ରପୁର ଗ୍ରାମରେ ଜଣେ ୧୦ ବର୍ଷୀୟ ନାବାଳିକା ଝିଅକୁ ଦୁଷ୍କର୍ମ ଘଟିଛି। ଏହି ସମ୍ବେଦନଶୀଳ ଘଟଣା ଗ୍ରାମରେ ପ୍ରଚାର ହେଲାପରେ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ଅଭିଯୁକ୍ତକୁ ଗୋଟିଏ କଠୋରୀରେ ବନ୍ଦ କରି ହିଂଜିଳି ଥାନାକୁ ଖବର ଦେଇଥିଲେ। ଥାନାଧିକାରୀ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରାଯିବ କହି ଅଭିଯୁକ୍ତଙ୍କୁ ଥାନାକୁ ନେଇଥିଲେ। କିନ୍ତୁ ଅଭିଯୁକ୍ତ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଶାସକଦଳର ଜଣେ ଟାଣୁଆ ଯୁବନେତା ହୋଇଥିବାରୁ କିଛି ସମୟରେ ଉପର ମହଲରୁ ପ୍ରବଳ ଚାପ ହୋଇ ରଫାଦଫା କରିବା ପାଇଁ ସମସ୍ତ ଉଦ୍ୟମ ଆରମ୍ଭ ହୋଇଯାଇଛି।

କରୋନା ମହାମାରୀ ସମୟରେ ଏପରି ଘଟଣା ପ୍ରଘଟ ହେଲେ ରାଜନୈତିକ ହଟଚମଟ ସୃଷ୍ଟି ହେବା ସହ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନରେ ଆଞ୍ଚ ଆସିବ, ସେଥିପାଇଁ ଗାଁରେ ବର୍ତ୍ତମାନ ହୁଇପ୍ ଜାରି ହୋଇଛି। ଅଭିଯୁକ୍ତଙ୍କଠାରୁ ମୋଟା ଅଙ୍କରେ ଫାଇନ୍ ଆଦାୟ ହେବ କିନ୍ତୁ କେସ ହେବ ନାହିଁ। ଏହିଭଳି ସମ୍ବେଦନଶୀଳ ଘଟଣାରେ ପୋଲିସ୍ ଓ ଆମ ବ୍ୟବସ୍ଥା ଜଣେ ୧୦ ବର୍ଷର ପୀଡ଼ିତାଙ୍କୁ ଯଦି ନ୍ୟାୟ ପ୍ରଦାନ କରିପାରିବ ନାହିଁ ତେବେ ସାଧାରଣ ଲୋକଙ୍କ ଗଣତାନ୍ତ୍ରିକ ବ୍ୟବସ୍ଥା ଉପରୁ ଆସ୍ଥା ତୁଟିଯିବ। ପୀଡ଼ିତାଙ୍କ ପରିବାର ପ୍ରତି ଅନ୍ୟାୟ ହେବ। ଏଭଳି ସ୍ପର୍ଶକାତର ଘଟଣାକୁ ହାଲୁକା ଭାବେ ନନେଇ ତୁରନ୍ତ ଅଭିଯୁକ୍ତ ଏବଂ ରାଜନୈତିକ ଚାପ ସୃଷ୍ଟି କରୁଥିବା ବ୍ୟକ୍ତିମାନଙ୍କୁ ଗିରଫ କରିବା, ପୀଡ଼ିତାଙ୍କ ପରିବାରକୁ ସୁରକ୍ଷା ପ୍ରଦାନ କରିବା ପାଇଁ ସିପିଆଇ(ଏମ୍‌ଏଲ୍‌) ରେଡ଼ଷ୍ଟାର ଗଂଜାମ ଜିଲ୍ଲା ସଂପାଦକ ଶଙ୍କର ସାହୁ ମାନ୍ୟବର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଡ଼ିଜିପି ପୋଲିସ୍‌, ଜିଲ୍ଲାପାଳ ଏବଂ ଜିଲ୍ଲା ପୋଲିସ୍ ଆରକ୍ଷୀ ଅଧିକ୍ଷକଙ୍କୁ ଟୁଇଟ୍ ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରିଛନ୍ତି।