Categories
ଆଜିର ଖବର ଜାତୀୟ ଖବର

ଲକ୍‌ଡାଉନ୍‌ରେ ଚୋରି କରି 15 ଦିନ ପରେ ଫେରାଇଲେ ବାଇକ୍‌

ଚେନ୍ନାଇ : ଲକ୍‌ଡାଉନ୍‌ କାରଣରୁ ସମସ୍ୟାରେ ପଡି ବାଇକ୍‌ ଚୋରି କରିଥିବା ଜଣେ ବ୍ୟକ୍ତି 15 ଦିନ ପରେ ବାଇକ୍‌ ଟିକୁ ଫେରସ୍ତ କରିଛନ୍ତି । କୋଏମ୍ବାଟୋରରେ ଲକ୍‌ଡାଉନ୍‌ରେ ଫସି ରହିଥିବା ବ୍ୟକ୍ତି ଜଣକ ନିଜ ପତ୍ନୀ ଏବଂ ପୁଅକୁ ନେବା ପାଇଁ ବାଇକ୍‌ଟିକୁ ଚୋରି କରିଥିଲେ । ତେବେ ଘରେ ପହଞ୍ଚିବା ପରେ ତୁରନ୍ତ ଏକ କୋରିୟର ସଂସ୍ଥା ସାହାଯ୍ୟରେ ଫେରାଇଛନ୍ତି ଏହି ବ୍ୟକ୍ତି ଜଣକ ।

ଉଲ୍ଲେଖଯୋଗ୍ୟ ଯେ, ଭି ସୁରେଶ କୁମାର କୋଏମ୍ବାଟୁରର ସୁଲୁରର ଜଣେ ଚମଡା ବ୍ୟବସାୟୀ । ତାଙ୍କର ହିରୋ ସ୍ପ୍ଲେଣ୍ଡର ଗାଡିଟି ମେ 18 ତାରିଖରେ ଚୋରି ହୋଇଯାଇଥିଲା । ଗାଡି ଫେରାଇବା ସହିତ ଉକ୍ତ ବ୍ୟକ୍ତି ଜଣକ ଏକ ଧନ୍ୟବାଦ ପତ୍ର ମଧ୍ୟ ଲେଖିଛନ୍ତି । ଲକ୍‌ଡାଉନ୍‌ରେ ଅନ୍ୟ କୌଣସି ରାସ୍ତା ନ ପାଇ ଗାଡିଟିକୁ ନେଇଥିବାରୁ କ୍ଷମା ଚାହୁଁଛି ବୋଲି ଚିଠିରେ ଲେଖାଯାଇଥିଲା । ଏହା ପରେ ସୁରେଶ କୁମାର ଥାନାରେ ଦାଖଲ କରିଥିବା ନିଜର ଅଭିଯୋଗକୁ ପ୍ରତ୍ୟାହାର କରିନେଇଛନ୍ତି ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଲକ୍ ଡାଉନ୍ ସମୟରେ ଚକ୍କର କାଟିଲେ ବାଇକ୍ ସହିତ ଜବତ ହେବ ମୋବାଇଲ୍‌

ହେମାଙ୍ଗ ପ୍ରସାଦ ରାଉଳ
ଛତ୍ରପୁର : କରୋନାକୁ ପ୍ରତିହତ କରିବାପାଇଁ ଲକଡାଉନ୍ ଜାରି କରାଯାଇଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହାର ଅବମାନନା କରାଯାଉଛି। ଏହି ସମୟରେ ବାଇକ୍‌ରେ ଚକ୍କର କାଟୁଥିବା ବ୍ୟକ୍ତିଙ୍କ ବାଇକ୍ ସହ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି। ସାମାଜିକ ଦୂରତା ରକ୍ଷା କରିବାରେ ମୋଟର ସାଇକେଲ ବ୍ୟାଘାତ ସୃଷ୍ଟି କରୁଥିବାରୁ ଏହାର ଚଳାଚଳକୁ ଶତପ୍ରତିଶତ ନିଷେଧ କରାଯାଇଛି। ଅଧିକ ମାତ୍ରାରେ ରୋଡ୍ ବ୍ୟାରିକେଡିଂ କରାଯିବ। ବିଡିଓ, ତହସିଲଦାର ଏବଂ ଥାନା ଭାରପ୍ରାପ୍ତ ଅଧିକାରୀ ସମ୍ପୂର୍ଣ୍ଣ ବ୍ଲକ୍ ଅଞ୍ଚଳକୁ ଆବଣ୍ଟିତ କରି ତଦାରଖ କରିବେ। ଜିଲ୍ଲାରେ ବାହାର ରାଜ୍ୟରୁ ଆସିଥିବା ୧୫ ହଜାର ୩୭୭ ଜଣ ଏବଂ ବିଦେଶରୁ ଆସିଥିବା ୩୭୨ ଜଣଙ୍କର ପ୍ରତ୍ୟହ ସ୍ବାସ୍ଥ୍ୟାବସ୍ଥା ତଦାରଖ କରାଯିବ। ଟାଟା ସହିତ ବୁଝାମଣା ପୂର୍ବକ ଶୀତଳାପଲ୍ଲି ସ୍ଥିତ ଟାଟା ମେମୋରିଆଲ୍ ହସ୍ପିଟାଲକୁ କରୋନା ଆଇସୋଲେଟେଡ୍ ଡାକ୍ତରଖାନା ରୂପେ ବ୍ୟବହାର କରାଯିବ । ଅନ୍ୟୁନ ୧୦୦ ରୋଗୀଙ୍କ ପାଇଁ ତୁରନ୍ତ ବେଡର ସୁବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ବେଡ୍ ଗୁଡିକର ସୁବ୍ୟବସ୍ଥା ସ୍ବଳ୍ପ ସମୟ ମଧ୍ୟରେ କରାଯିବ। ଜିଲ୍ଲାପାଳ ବ୍ୟକ୍ତିଗତ ଭାବରେ ଏହାକୁ ତଦାରଖ କରୁଛନ୍ତି। ବୟସ୍କ ବ୍ୟକ୍ତି ବାହାରକୁ ନ ବାହାରିବାପାଇଁ ଅନୁରୋଧ କରାଯାଇଛି। ପ୍ରତ୍ୟେକ ଗ୍ରାମ ସ୍ତରରେ ୫ ଜଣ ସ୍ବେଚ୍ଛାସେବୀ ଏବଂ ପଞ୍ଚାୟତ ସ୍ତରରେ ୨୦ ଜଣ ସ୍ବେଚ୍ଛାସେବୀ ଚିହ୍ନଟ କରି ସଜାଗ ରଖିବାକୁ ଜିଲ୍ଲାପାଳ କହିଛନ୍ତି। ଯେଉଁ ମାନଙ୍କର କ୍ବାରେଣ୍ଟାଇନ୍ ଅବଧି ସରୁଛି ସେମାନଙ୍କୁ ବାହାରେ ବୁଲିବା ନିଷେଧ କରାଯାଇଛି। କେହି ଯେପରି ଭୋକିଲା ନ ରହେ ତାକୁ ସଂପୃକ୍ତ ବିଡିଓ ତଦାରଖ କରିବେ। ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରୁଥିବା ଚାରିଚକିଆ ଏବଂ ତିନି ଚକିଆ ଯାନକୁ ସଂପୃକ୍ତ ଉପ ଜିଲ୍ଲାପାଳ ସ୍ତରରେ ଅନୁମତି ପତ୍ର ଦିଆଯିବ । କୌଣସି ବ୍ୟକ୍ତି ଯଦି ଅନୁମତି ପତ୍ରର ଅସଦ୍ ବ୍ୟବହାର କରନ୍ତି ତେବେ ତାଙ୍କ ବିରୁଦ୍ଧରେ ଫୌଜଦାରୀ ଆଇନ୍ ଲାଗୁ କରାଯିବ। ସାହି ବସ୍ତିରେ ସ୍ବୟଂ ସହାୟିକା ଗୋଷ୍ଠୀ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ସହ ପରିବା ବିକ୍ରୟ କରିବେ । ଯେଉଁଠାରେ ପୂର୍ବରୁ ପରିବା ବିକ୍ରୟ କରାଯାଉଥିଲା ସେଠାର ବିକ୍ରେତା ମାନଙ୍କୁ ଭାଗଭାଗ କରି ସହରର ବିଭିନ୍ନ ଅଞ୍ଚଳରେ ଉପଯୁକ୍ତ ଦୂରତ୍ବ ବଜାୟ ରଖି ପରିବା ବିକ୍ରୟ କରିବାକୁ କୁହାଯାଇଛି । ସ୍ଥାନୀୟ ପ୍ରଶାସନ ଏହାକୁ ସୁନିଶ୍ଚିତ କରିବେ। କରୋନାର ବୀଭିଷିକାକୁ ହୃଦୟଙ୍ଗମ କରି ପ୍ରତ୍ୟେକ ବ୍ୟକ୍ତି ଶୃଙ୍ଖଳିତ ସୈନିକ ଭାବରେ ଏହି ଲଢାଇରେ ସାମିଲ ହେବାପାଇଁ ଜିଲ୍ଲାପାଳ ନିବେଦନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସାମ୍ବାଦିକଙ୍କ ଚୋରି ବାଇକ ଉଦ୍ଧାର, ଅଭିଯୁକ୍ତ ଗିରଫ

କନ୍ଦର୍ପ ବେହେରା
ରେଢାଖୋଲ : ରେଢାଖୋଲର ଜନୈକ ସାମ୍ବାଦିକଙ୍କ ଚୋରି ବାଇକ୍‌ ଉଦ୍ଧାର କରାଯିବା ସହିତ ଜଣଙ୍କୁ ଗିରଫ କରାଯାଇଛି । ସାମ୍ବାଦିକ ପ୍ରସନ୍ନ କୁମାର ପ୍ରଧାନଙ୍କ ଚୋରି ବାଇକ ବୌଦ୍ଧରୁ ଉଦ୍ଧାର କରାଯିବା ସହିତ ଚୋରକୁ ଗିରଫ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ନଭେମ୍ବର 2 ତାରିଖରେ ରେଢାଖୋଲ ଡାକ୍ତରଖାନା ପରିସରରୁ ସାମ୍ବାଦିକଙ୍କ ବାଇକ ଚୋରି ହୋଇଯାଇଥିଲା । ଏ ନେଇ ରେଢାଖୋଲ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ଅଭିଯୋଗ ପରେ କେସ୍‌ ନମ୍ବର 257/219 ଅନୁସାରେ ମାମଲା ରୁଜୁ କରାଯିବା ସହିତ ଦୀର୍ଘ ଅଢେଇ ମାସ ପରେ ବାଇକ୍‌ ଉଦ୍ଧାର କରାଯାଇଛି । ବୌଦ୍ଧ ଜିଲ୍ଲା କିଆକଟା ଥାନା ଶଙ୍ଖାମାଳ ଗ୍ରାମର ଭୁବନ ବେହେରାଙ୍କୁ ପୋଲିସ୍ ଗିରଫ କରିଛି । ରେଢାଖୋଲ ପୋଲିସ୍ ଖବର ପାଇ ସଦଳବଳ ଅଭିଯୁକ୍ତକୁ ତାର ଗାଁରୁ ଗିରଫ କରିଥିଲା । ଏହି ଚଢଉରେ ଏସ୍‌ଡିପିଓ ହାଡିବନ୍ଧୁ ସ୍ୱାଇଁ, ରେଢାଖୋଲ ଥାନାଧିକାରୀ ପ୍ରଶାନ୍ତ କୁମାର ସାମଲ, ଏସ୍‌ଆଇ ତ୍ରିବେଣୀ ପ୍ରଧାନ ସାମିଲ୍ ହୋଇଥିଲେ ।

Categories
ଆଞ୍ଚଳିକ

ବାଇକ୍‌କୁ ଧକ୍କା ଦେଇ ଓଲଟିଲା ପିକନିକ୍ ବସ୍ 1 ମୃତ, 7 ଗୁରୁତର

ଗଜପତି, 16/12 : ତପ୍ତପାଣି ଘାଟିରେ ଏକ ପର୍ଯ୍ୟଟକ ବସ୍ ଏବଂବାଇକ ମଧ୍ୟରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ 7 ଜଣ ଗୁରୁତର ଆହତ ହୋଇଛନ୍ତି । ବାଇକକୁ ଧକ୍କାଦେବା ପରେ ବସଟି ଭାରସାମ୍ୟ ହରାଇ ଘାଟିରୁ ତଳକୁ ଓଲଟି ପଡିଥିଲା । ଘଟଣା ସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ପିକ୍‌ନିକ ପାଇଁ ଆସିଥିବା 30 ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ 8 ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି । ମୃତକ ଜଣକ ଘଷିଆମ୍ବ ଗ୍ରାମର ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ପିକନିକ୍ ନିମନ୍ତେ ଖସଡା ଆସିଥିବା ବେଳେ ଫେରୁଥିବା ସମୟରେ ତପ୍ତ ପାଣି ଘାଟିରେ ବାଇକକୁ ଧକ୍କା ଦେଇ ଓଲଟି ପଡିଥିଲା ମିନିବସ୍ ।