ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,06/01: ଗତକାଲି ଦିଲ୍ଲୀର ଜେଏନୟୁରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଉପରେ ହେଇଥିବା ଅମାନୁଷିକ ଆକ୍ରମଣକୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଘୋର ନିନ୍ଦା କରାଯାଇଛି। ଶିକ୍ଷା ଓ ବୁଦ୍ଧିଜୀବୀଙ୍କ ଗନ୍ତାଘର କୁହାଯାଉଥିବା ଜେନୟୁରେ ଘଟିଥିବା ହିଂସାକାଣ୍ଡ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଦାବି କରାଯାଇଛି। ଜେଏନୟୁ ଦେଶର ଏକ ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟ ଭାବେ ପରିଚିତ। ଶୈକ୍ଷିକ ବାତାବରଣରେ ଯେଉଁଭଳି ହିଂସାକାଣ୍ଡ ହୋଇଛି ତାହା ଅତ୍ୟନ୍ତ ନିନ୍ଦନୀୟ ଓ ଗ୍ରହଣଯୋଗ୍ୟ ନୁହେଁ। ଛାତ୍ର ସମାଜ ଉପରେ ହୋଇଥିବା ଏପରି ଘୃଣ୍ୟ କାର୍ଯ୍ୟକୁ ସାରା ଦେଶରେ ଛାତ୍ର ସମାଜ ବିରୋଧ କରିଛି। ଶିକ୍ଷାର ମନ୍ଦିରରେ ହିଂସାର ସ୍ଥାନ ନାହିଁ ବୋଲି ବିଜୁ ଜନତା ଦଳର ଛାତ୍ର ଉପଦେଷ୍ଟା ଚିନ୍ମୟ ସାହୁ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି। ଏଭଳି ଘଟଣାକୁ ନିନ୍ଦାକରି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ମାନଙ୍କରେ ହିଂସାରେ ଆହତ ହୋଇଥିବା ଛାତ୍ରଛାତ୍ରୀଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଅନ୍ୟପକ୍ଷରେ ଏଭଳି ହିଂସାକାଣ୍ଡଙ୍କୁ ନିନ୍ଦା କରି ସମଗ୍ର ରାଜ୍ୟରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ କ୍ୟାଣ୍ଡେଲ ରାଲି କରିବା ସହ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ କରାଯାଇଛି।
