କେଦାର ମିଶ୍ର
ଆଜି ଯେତେବେଳେ ଭାରତୀୟ ଜନତା ପାର୍ଟି ଓଡିଶାରେ ଆଉ ଏକ ଲଜ୍ଜାଜନକ ପରାଜୟର ପୀଡା ଭୋଗୁଛି ସେତେବେଳେ ତାର ପ୍ରତିକ୍ରିୟାରେ ସେମାନେ ଅଧିକ ଉଗ୍ର ହେବା ସମସ୍ତଙ୍କୁ ଚକିତ କରିଛି। ଟଙ୍କା ଓ ଶାସନର ଉଲଗ୍ନ ନାଚ (ନଙ୍ଗା ନାଚ) ଯୋଗୁଁ ବିଜେପୁରରେ ବିଜେଡ଼ିର ବିପୁଳ ବିଜୟ ଘଟିଲା ବୋଲି ଓଡିଶା ସଂଗଠନ ଦାୟିତ୍ବରେ ଥିବା ବିଜେପି ପ୍ରଭାରି ଅରୁଣ ସିଂ କହିଛନ୍ତି। ତେବେ ପରାଜୟ ପରେ ଏହା ହେଉଛି ଏକ ପ୍ରକାର ଫର୍ମୁଲା ପ୍ରତିକ୍ରିୟା। ଗୋଟେ ନିର୍ବାଚନ ମଣ୍ଡଳୀର ୭୩% ଭୋଟଦାତା ଯଦି ଜଣେ ପ୍ରାର୍ଥୀଙ୍କୁ ଭୋଟ ଦେଉଛନ୍ତି, ସେଥିରେ ବିଜେତା ଦଳର ଅର୍ଥବଳ ଓ ବାହୁବଳ ଅପେକ୍ଷା ବିରୋଧୀ ପକ୍ଷର ଦୁର୍ବଳତା କିଛି କମ ଦାୟୀ ନୁହେଁ। ଦୁର୍ଭାଗ୍ୟକ୍ରମେ ଓଡିଶା ବିଜେପି ନିଜର ରାଜନୈତିକ ବିଫଳତାକୁ ଲୁଚାଇବାକୁ ଯାଇ ସେଇ ପୁରୁଣା ଢାଲ ବ୍ୟବହାର କରୁଛି। ୨୦୧୯ ସାଧାରଣ ନିର୍ବାଚନରେ ଓଡିଶା ପାଇଁ ସେମାନେ ଯେଉଁ ମିଶନ-୧୨୦+ ର ଲକ୍ଷ୍ୟ ରଖିଥିଲେ, ତାହା ଭୟଙ୍କର ଭାବେ ବିଫଳ ହେବା ପରେ, ବିଜେପି କହିଲା ଆମେ ମୁଖ୍ୟ ବିରୋଧୀ ଦଳର ଭୂମିକାକୁ ଆସିଛୁ, ଏହା କଣ ସଫଳତା ନୁହେଁ।ଓଡିଶାରେ ବିଜେପିର ଏକମାତ୍ର ସଫଳତା ହେଉଛି,ଏହା କଂଗ୍ରେସକୁ ଧୂଳିସାତ କରି ବିଜୁ ଜନତା ଦଳକୁ ନିର୍ବିକଳ୍ପ ରାଜନୈତିକ ଶକ୍ତି ହେବାର ସୁଯୋଗ ଦେଇଛି।
ବିଜେପିର କ୍ରମାଗତ ପରାଜୟ ଓ ବିଫଳତାରୁ ଗୋଟେ ବଡ ସଫଳତାର ଚାବିକାଠି ମିଳିଛି ଓ ସେ ଚାବିକାଠିର ମାଲିକ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡିଶା ବିଜେପି ଯେତେ ବିଫଳ ହେଉଛି, ଧର୍ମେନ୍ଦ୍ର ସେତେ ଉପରକୁ ଉଠୁଛନ୍ତି। ବିଜେପିର ମୂଳ କ୍ଷମତାକେନ୍ଦ୍ର ଭାବେ ପରିଗଣିତ ଏକ ଛୋଟ ଗୋଷ୍ଠୀରେ ଧର୍ମେନ୍ଦ୍ର ଅତ୍ୟନ୍ତ ପ୍ରଭାବଶାଳୀ ସଦସ୍ୟ। ଭାରତର ପ୍ରଶାସନିକ ଇତିହାସରେ ଏତେ ଦୀର୍ଘ ସମୟ କୌଣସି ମନ୍ତ୍ରୀ ପେଟ୍ରୋଲିୟମ ବିଭାଗର ଦାୟିତ୍ଵ ନେବାକୁ ସକ୍ଷମ ହୋଇ ନାହାନ୍ତି। ଗୋଟେ ସମୟରେ ପେଟ୍ରୋଲିୟମ ମୁମ୍ବାଇ ଲବିର କବଜାରେ ରହିଥିଲା। ରାମ ନାଏକ, ମୁରଲୀ ଦେଓରାଙ୍କ ଭଳି ଲୋକ ମଧ୍ୟ ଏ ବିଭାଗରେ ବେଶୀ ଦିନ ତିଷ୍ଠି ପାରିନଥିଲେ। ଏକଦା ୟୁପିଏ ସରକାରରେ ଜୟପାଲ ରେଡ୍ଡୀ ପେଟ୍ରୋଲିୟମ ବିଭାଗ ଦାୟିତ୍ବରେ ଥିବା ବେଳେ ଅମ୍ବାନୀ ଓ ରିଲାଏନ୍ସ ଗୃପ ବିରୋଧରେ କିଛିଟା ଅପ୍ରିୟ କାର୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ, ତାଙ୍କର ରାଜନୈତିକ ଭବିଷ୍ୟତ ନଷ୍ଟ ହୋଇଯାଇଥିଲା। ସେମିତି ଏକ ବିଭାଗକୁ ଏକାଦିକ୍ରମେ ଧର୍ମେନ୍ଦ୍ର ସାଢେ ପାଞ୍ଚ ବର୍ଷ ଚଳାଇଲେଣି। ଏଥିରୁ ତାଙ୍କର ଦକ୍ଷତା ଓ କର୍ପୋରେଟ ସଂଯୋଗର ପ୍ରମାଣ ଅବଶ୍ୟ ମିଳୁଛି। ହେଲେ ଏହା ସହିତ ଓଡିଶା ବିଜେପିର ସମ୍ପର୍କ କଣ?
ଧର୍ମେନ୍ଦ୍ରଙ୍କ ସବୁ ସଫଳତା ଭିତରେ ଓଡିଶା ମୁଖ୍ୟମନ୍ତ୍ରୀ ହେବାର ଏକ ଅଭିଳାଷ ରହିଛି। ରହିବା ଉଚିତ ମଧ୍ୟ। ତେବେ ରାଜନୀତିରେ ଲୋକପ୍ରିୟତା ଓ ନିର୍ବାଚନ ଜିତିବାର ଦକ୍ଷତା ନଥିଲେ ମୁଖ୍ୟମନ୍ତ୍ରୀ ହେବା ସହଜ କଥା ନୁହେଁ। ଧର୍ମେନ୍ଦ୍ର ଲୋକପ୍ରିୟତା ଓ ନିର୍ବାଚନ ଜିତିବାର ମାନକରେ ପୂରା ଶୂନ। ସେ ଗତ ୧୦ ବର୍ଷ ହେଲା ଓଡିଶାରେ ନିର୍ବାଚନ ଲଢି ନାହାନ୍ତି। ରାଜ୍ୟସଭା ସଦସ୍ୟ ଭାବରେ ସେ ବିହାର ଓ ମଧ୍ୟ ପ୍ରଦେଶରୁ ନିର୍ବାଚିତ ହୋଇ ଯାଇଛନ୍ତି। ତେଣୁ ଓଡିଶାର ପ୍ରତ୍ୟକ୍ଷ ନିର୍ବାଚନୀ ରାଜନୀତିରେ ତାଙ୍କର ସମ୍ପୃକ୍ତି ନାହିଁ। ତେବେ ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ସେ ଥିଲେ ଓଡିଶା ବିଜେପିର ମୁଖ୍ୟ ନେତା। ଏହି ଦୁଇଟି ଯାକ ନିର୍ବାଚନରେ ବିଜେପି ଜିତିବା ତ ଦୂରର କଥା ୨୫ ଆସନ ମଧ୍ୟ ଟପି ପାରିନାହିଁ। ୨୦୧୮ ବିଜେପୁର ଉପ ନିର୍ବାଚନରେ ଧର୍ମେନ୍ଦ୍ର ବ୍ୟକ୍ତିଗତ ଭାବରେ ବିଜେପି ନିର୍ବାଚନର ମଙ୍ଗ ସମ୍ଭାଳିଥିଲେ। ତା ସତ୍ତ୍ୱେ ମଧ୍ୟ ସେହି ଉପ ନିର୍ବାଚନରେ ବିଜେପି ପ୍ରାୟ ଚାଳିଶ ହଜାର ଭୋଟରେ ହାରିଥିଲା। ଗତ ବିଧାନସଭା ନିର୍ବାଚନରେ ଧର୍ମେନ୍ଦ୍ର ଥିଲେ ବିଜେପିର ଅଘୋଷିତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। ତାର ପରିଣତିରେ ବିଜେପି କଣ ପାଇଲା, ସେକଥା କହିବାର ଆବଶ୍ୟକତା ନାହିଁ। ମଇ ନିର୍ବାଚନ ପରେ ପାଟକୁରା ଓ ବିଜେପୁର ଉପ ନିର୍ବାଚନ ହୋଇଛି ଓ ଏହି ଦୁଇଟି ଯାକ ନିର୍ବାଚନମଣ୍ଡଳୀରେ ଧର୍ମେନ୍ଦ୍ର ପ୍ରଚାର କରିଛନ୍ତି। ଫଳ ଘର କିନ୍ତୁ ବିଜେପି ପାଇଁ କେବଳ ଶୂନ। କେବଳ ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପିକୁ ଯତସାମାନ୍ୟ ସଫଳତା ମିଳିଥିଲା, ତାହାର ଏକମାତ୍ର କାରଣ ଥିଲା ବିଜେଡିର ନିଷ୍କ୍ରିୟତା। ୨୦୧୪ ନିର୍ବାଚନ ପରେ କିଛି ବର୍ଷ ବିଜେଡି ସଂଗଠନ ଢିଲା ପଡିଥିଲା ଓ ତାହାରି ସୁଯୋଗରେ ବିଜେପି କିଛିଟା ସଫଳତା ପାଇଥିଲା। ବିଜେଡି ନିଜ ତ୍ରୁଟି ସଜାଡିଦେଲା ପରେ ବିଜେପି ପୁଣି ନିଜର ପୂର୍ବାବସ୍ଥାକୁ ଫେରି ଯାଇଛି।
ଏଠି ମୂଳ ପ୍ରଶ୍ନ ହେଉଛି, ରାଜ୍ୟ ବିଜେପି ଯେତେ ଅଧିକ ବିଫଳ ହେଉଛି, ଧର୍ମେନ୍ଦ୍ର ପ୍ରଧାନଙ୍କ ବ୍ୟକ୍ତିଗତ ସଫଳତାର ହାର ସେତେ ବଢୁଛି, ଏହାର କାରଣ କଣ ହୋଇପାରେ? ରାଜ୍ୟ ବିଜେପି ବିଫଳ ହେଲେ ଧର୍ମେନ୍ଦ୍ରଙ୍କୁ ପୁରସ୍କାର ମିଳିବାର ଅର୍ଥ କଣ- ବିଜେପି ଚାହୁଁଛି ଓଡିଶାରେ ନବୀନ ବାବୁଙ୍କ ସରକାର ଚିରସ୍ଥାୟୀ ହୋଇ ରହୁ??