Categories
ଆଞ୍ଚଳିକ

ମାର୍‌ୱାଡ଼ି ମହିଳା ସମିତି ପକ୍ଷରୁ ରକ୍ତଦାନ ଶିବିର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର : ମାର୍‌ୱାଡ଼ି ମହିଳା ସମିତି ତରଫରୁ ଗୁରୁବାର ଧର୍ମନଗର ସ୍ଥିତ ରୋଟାରୀ ହଲ୍ ନିକଟର ଭ୍ରାମ୍ୟମାଣ ରକ୍ତଦାନ ସଂଗ୍ରହ ଗାଡ଼ିରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମ୍ମିଳନୀ ବ୍ରହ୍ମପୁର ଶାଖା ତରଫରୁ ଆୟୋଜିତ ରକ୍ତଦାନ ଶିବିରରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଖ୍ୟାତନାମା ଅଭିନେତ୍ରୀ ତମନ୍ନା ବ୍ୟାସ ନିଜେ ରକ୍ତଦାନ କରି ଅନ୍ୟମାନଙ୍କୁ ଉତ୍ସାହିତ କରିଥିଲେ । କରୋନା ଏବଂ ଖରାଦିନ ଯୋଗୁଁ ରକ୍ତର ଅଭାବ ରହିଛି । ତେଣୁ ପ୍ରତ୍ୟେକ ବ୍ୟକ୍ତି ରକ୍ତଦାନ କରି ଅନ୍ୟର ଜୀବନ ବଂଚାଇବାକୁ ଅଭିନେତ୍ରୀ ତମନ୍ନା କହିଥିଲେ ।

ଏହି ରକ୍ତଦାନ ଶିବିରରେ ସମୁଦାୟ ୩୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ତମନ୍ନାଙ୍କ ପିତା ବାସୁଦେବ ବ୍ୟାସ ଓ ମାତା ସୋନୁ ବ୍ୟାସ ମଧ୍ୟ ରକ୍ତଦାନ କରିଥିଲେ । ମାର୍‌ୱାଡ଼ି ମହିଳା ସମିତି ତରଫରୁ ରୁବି ଖେମାନା, ସଂପାଦିକା ସୀମା ଚୌଧୁରୀ, ପୂର୍ବତନ ସଭାନେତ୍ରୀ ମମତା ଚୌଧୁରୀ, ଉପସଭାନେତ୍ରୀ ଶର୍ମିଳା ସରାଫ୍‌, ବୀଣା ବାଗେରିଆ, ସୁମନ ସରଫଙ୍କ ସମେତ ରୋଟାରୀ କ୍ଲବ୍‌ର ବହୁ କର୍ମକର୍ତ୍ତା, ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ ଓ ଜୟ ଜଗନ୍ନାଥ ଗ୍ରୁପ୍‌ର ସଦସ୍ୟା ରଂଜନା ମିଶ୍ର ସହଯୋଗ କରିଥିଲେ ।

Categories
ଆଞ୍ଚଳିକ

ରୁପ୍ରା ଠାରେ କଳାହାଣ୍ଡି ଜିଲ୍ଲା ପୋଲିସ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଆନୁକୂଲ୍ୟରେ ଆଜି ରୁପ୍ରା ପଞ୍ଚାୟତ ଅଫିସ୍ ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ‘ମୋ ସରକାର’ ଯୋଜନା ମାଧ୍ୟମରେ ହେଉଥିବା ଏହି ରକ୍ତ ଦାନ ଶିବିରରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ମହାନ୍ତ, କେସିଙ୍ଗା ଥାନା ଅଧିକାରୀ ଅଶୋକ କୁମାର ମହାପାତ୍ର, ପଲମ ଫାଣ୍ଡି ଅଧିକାରୀ ଅସିତ୍ କୁମାର ପଣ୍ଡା, ରୁପ୍ରା ପଞ୍ଚାୟତ ସରପଞ୍ଚ, ସ୍ଥାନୀୟ ନେହେରୁ ଯୁବକେନ୍ଦ୍ରର ସ୍ଵେଚ୍ଛାସେବୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଶିବିରରେ ସାମାଜିକ ଦୂରତା ବଜାୟ ରଖାଯାଇ ରକ୍ତଦାନ କରାଯାଇଥିଲା ।

ଏହି ରକ୍ତଦାନ ଶିବିରରେ 43 ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି ଶିବିରରେ ନେହେରୁ ଯୁବ କେନ୍ଦ୍ର ସ୍ଵେଚ୍ଛାସେବୀ ମିଲନ ଭୋଇ, ହେମସାଗର ସାହୁ, ରୁପ୍ରା ପଞ୍ଚାୟତ ସରପଞ୍ଚ ବିଶାଖା ମାଝୀ, ସମାଜସେବୀ କିଶୋର ସାହୁଙ୍କ ସମେତ ଭବାନୀପାଟଣା ରକ୍ତ ଭଣ୍ଡାର କର୍ମଚାରୀ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ ।

Categories
ଆଞ୍ଚଳିକ

ବ୍ରହ୍ମପୁର ଟାଉନ୍ ଥାନାରେ ରକ୍ତଦାନ ଶିବିର : 32 ୟୁନିଟ୍‌ ରକ୍ତ ସଂଗ୍ରହ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର : କରୋନା ସଂକଟକାଳ ଏବଂ ଗ୍ରୀଷ୍ମଋତୁ ପ୍ରଭାବରୁ ରକ୍ତର ଅଭାବ ଦୂର କରିବା ପାଇଁ ଆଜି ବ୍ରହ୍ମପୁର ଟାଉନ୍ ଥାନା ପକ୍ଷରୁ ଏକ ଅଭିନବ ପ୍ରୟାସ କରାଯାଇଛି । ଥାନା ପକ୍ଷରୁ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି । ଥାନାର ପ୍ରାୟ ୧୫ ଜଣ କର୍ମଚାରୀ ରକ୍ତଦାନ କରିଥିଲେ । ପ୍ରଥମେ ଆଇଆଇସି ସୁରେଶ କୁମାର ତ୍ରିପାଠୀ ରକ୍ତଦାନ କରିବା ପରେ ଅନ୍ୟ ୧୪ ଜଣ କର୍ମଚାରୀ ରକ୍ତଦାନ କରିଥିଲେ । ଏନେଇ ଏକ ରକ୍ତ ସଂଗୃହୀତ ଭ୍ୟାନର ଆୟୋଜନ କରି ରକ୍ତ ସଂଗ୍ରହ କରାଯାଇଥିଲା । ଏହା ସହ ଅଂଚଳର କିଛି ଉତ୍ସାହୀ ଯୁବକ ମଧ୍ୟ ରକ୍ତଦାନ କରି ମହତ୍ କାର୍ଯ୍ୟ କରିଥିଲେ । ସମୁଦାୟ ୩୨ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଥାନା ପକ୍ଷରୁ ଆୟୋଜିତ ଏଭଳି ମହତ୍ କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଇଛି ।

Categories
ଆଞ୍ଚଳିକ

ରକ୍ତ ଦାନ କରି ମହିଳାଙ୍କ ଜୀବନ ବଞ୍ଚାଇଲେ ରଘୁନାଥପୁର ବ୍ଲକ୍ ଅଧ୍ୟକ୍ଷା

ରଞ୍ଜିତ ପଣ୍ଡା
କୁଜଙ୍ଗ : ମାନବ ସେବା ହିଁ ମାଧବ ସେବା ନୀତିକୁ ଆପଣାଇ ଜଣେ ମହିଳାଙ୍କ ଜୀବନ ବଞ୍ଚାଇଛନ୍ତି ବ୍ଲକ୍‌ ଅଧ୍ୟକ୍ଷା । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ରଘୁନାଥପୁର ବ୍ଲକ ପଞ୍ଚାୟତ ସମିତି ଅଧକ୍ଷା ସ୍ଵପ୍ନସରିତା ବଳ ରକ୍ତଦାନ କରିବା ସହିତ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି । କୁଜଙ୍ଗ ବ୍ଲକ ଅନ୍ତର୍ଗତ ଦୁଆଡିଆ ଗ୍ରାମର ଦୁଃଖୀ ପଲ୍ଲାଇ ବି ପଜିଟିଭ୍‌ ଗ୍ରୁପ୍‌ର ରକ୍ତ ପାଇଁ କଟକରେ ଏକ ଘରୋଇ ହସ୍ପିଟାଲରେ ଛଟପଟ ହେଉଥିବା ବେଳେ ସହାୟତା ପାଇଁ ଆଗେଇ ଆସିଥିଲେ ରଘୁନାଥପୁର ବ୍ଲକ୍‌ ଅଧ୍ୟକ୍ଷା । ଏନେଇ ଡାକ୍ତରଖାନା କର୍ତ୍ତୃପକ୍ଷ ଜଗତସିଂହପୁର ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକଙ୍କ ସହିତ ଯୋଗାଯୋଗ କରିଥିଲେ । 3 ମାସ ତଳେ ଶ୍ରୀମତି ବଳ ରକ୍ତଦାନ କରିଥିବାରୁ ଜିଲ୍ଲା ଜୀବନବିନ୍ଦୁ ସଂଯୋଜକ ମଧୁସୁଦନ ସାହୁ ତାଙ୍କ ସହିତ ସମ୍ପର୍କ କରିଥିଲେ ।

ସଂଯୋଜକ ଫୋନ୍ ମାଧ୍ୟମରେ ଜଣାଇବା ପରେ କାଳ ବିଳମ୍ବ ନକରି ଡାକ୍ତରଖାନାରେ ପହଞ୍ଚି ଯାଇଥିଲେ ଶ୍ରୀମତୀ ବଳ । ସେଠାରେ ପହଞ୍ଚି ସେ ନିଜେ ରକ୍ତ ଦେଇ ଚିକିତ୍ସିତ ହେଉଥିବା ମହିଳାଙ୍କର ଜୀବନ ବଞ୍ଚାଇଥିଲେ । ଏହି ମହାମାରୀ କରୋନା ସମୟରେ ରକ୍ତଦେଇ ଉଦାହରଣ ସାଜିଛନ୍ତି ରଘନାଥପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ସପ୍ନ ସରିତା ବଳ । ତାଙ୍କର ଏହି ଜନସେବା ମନୋବୃତିକୁ ସ୍ଥାନୀୟ ଅଞ୍ଚଳରେ ବେଶ୍‌ ପ୍ରଶଂସା କରାଯାଇଛି ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

‘ରକ୍ତବୀର’ ସମ୍ମାନରେ ସମ୍ମାନିତ ହେଲା ଗଞ୍ଜାମର ବ୍ଲଡ୍ ଆର୍ମି

କୃଷ୍ଣଚନ୍ଦ୍ର ସୁଆଁସିଆ
ଗଞ୍ଜାମ : ଜାତୀୟ ରକ୍ତଦାତା ମହା ସମାବେଶରେ ଗଞ୍ଜାମର ବ୍ଲଡ୍ ଆର୍ମି ‘ରକ୍ତବୀର’ ସମ୍ମାନରେ ସମ୍ମାନିତ ହୋଇଛି । ସମାଜରେ ରକ୍ତହୀନତା ଓ ଅସଚେତନତା ଅଭାବରୁ ନୀରିହ ଜୀବନ ହାନି ହେବା ପରିଲକ୍ଷିତ ହେଉଛି। ତେଣୁ ଏଭଳି ପରିସ୍ଥିତିକୁ ରୋକିବା ସକାଶେ ସମାଜରେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ କାର୍ଯ୍ୟ କରୁଛନ୍ତି। ଏପରି ମହତ କାର୍ଯ୍ୟରେ ଲିପ୍ତ ସଙ୍ଗଠନକୁ ସମ୍ମାନିତ କରିବା ପାଇଁ ପୁରୀରେ ସମର୍ପଣ ପକ୍ଷରୁ ଗୋପବନ୍ଧୁ ଆୟୁର୍ବେଦ କଲେଜରେ ଜାତୀୟ ରକ୍ତଦାତା ମହା ସମାବେଶ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ ଉପସ୍ଥିତିରେ ଦେଶର ବିଭିନ୍ନ ରାଜ୍ୟର ପ୍ରମୁଖ ୨୯ଟି ରକ୍ତଦାତା ସଂଗଠନ ଅଂଶଗ୍ରହଣ କରିଥିଲେ। ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବ୍ଲଡ୍ ଆର୍ମିକୁ ରକ୍ତବୀର ସମ୍ମାନରେ ସମ୍ମାନିତ କରାଯାଇଛି। ଏଭଳି ସଫଳତା ପରେ ସାଧାରଣରେ ସଂଗଠନର ସଦସ୍ୟଙ୍କୁ ପ୍ରଂଶସା କରାଯାଇଛି ।