Categories
ଆଞ୍ଚଳିକ

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବିଏସକେୱାଇ ନବୀନ କାର୍ଡର ଶୁଭାରମ୍ଭ: ଚିଲିକାରେ ପାଇଲେ ୫ ହଜାରରୁ ଊର୍ଦ୍ଧ୍ଵ ହିତାଧିକାରୀ

ବାଣପୁର (ସୀତାରାମ ଅଗ୍ରୱାଲ): ବୁଧବାର ପୂର୍ବାହ୍ନରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ନବୀନ କାର୍ଡର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିୟମିତ ସରକାରୀ କର୍ମଚାରୀ ଓ ଆୟକର ଦେଉଥିବା ଲୋକଙ୍କୁ ଛାଡି ଗାଁର ସବୁ ଲୋକ ଏହି ସୁବିଧା ଉପଲବ୍ଧ ପାଇଁ ମୁଖ୍ୟମନ୍ତ୍ରୀ ୫-ଟି ଉପକ୍ରମରେ ମା’ମାନଙ୍କ ପାଇଁ ୧୦ ଲକ୍ଷ, ପରିବାରର ଅନ୍ୟ ସଦସ୍ୟଙ୍କ ପାଇଁ ୫ ଲକ୍ଷ ଟଙ୍କା ବିଏସକେୱାଇ କାର୍ଡ ମାଧ୍ୟମରେ ଯୋଗାଇ ଦେଇଛନ୍ତି। ୮୧୬ ଟି ପଞ୍ଜିକୃତ ବେସରକାରୀ ହସ୍‌ପିଟାଲରେ ମାସକୁ ୧.୩ ଲକ୍ଷ ହିତାଧିକାରୀ ପାଉଥିବା ବେଳେ
ରାଜ୍ୟ ସରକାର ନିଜ ପାଣ୍ଠିରୁ ମାସକୁ ଖର୍ଚ୍ଚ କରୁଛନ୍ତି ୨୭୦ କୋଟି ଟଙ୍କା।

ରାଜ୍ୟର ପ୍ରତ୍ୟେକ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ସୁରକ୍ଷା ଯୋଗାଇଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ସହରାଞ୍ଚଳର ପ୍ରାୟ ସମସ୍ତଙ୍କୁ ବିଏସକେଓୟୀ କାର୍ଡ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ଗତକାଲି ପୂର୍ବାହ୍ନରେ ଅନଲାଇନ ମାଧ୍ୟମରେ ଆବେଦନ କରିଥିବା ଚିଲିକା ନିର୍ବାଚନ ମଣ୍ଡଳୀର ହିତାଧିକାରୀମାନଙ୍କୁ ବାଣପୁର ଓ ଚିଲିକା ବ୍ଲକ ପ୍ରଶାସନ ପକ୍ଷରୁ ଉକ୍ତ କାର୍ଡ ବଣ୍ଟନ କରାଯାଇଥିଲା।

ତେବେ ଚିଲିକା ବ୍ଲକ ଅନ୍ତର୍ଗତ ୧୭ ଟି ପଞ୍ଚୟତ ରେ ୨୪୯୫ ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରୁ ୨୧୧୮ ହିତାଧିକାରୀଙ୍କୁ ବିଏସକେଓୟୀ କାର୍ଡ ବଣ୍ଟନ କରାଯାଇଥିବା ଯୋଗାଣ ଅଧିକାରୀ ଅରୁଣ ଲେଙ୍କା ସୂଚନା ଦେଇଛନ୍ତି। ବୁଧଠାରୁ ଏହି କାର୍ଡ ବଣ୍ଟନ ଆରମ୍ଭ ହୋଇଥିବା ବେଳେ ମେ ପହିଲା ଠାରୁ ହିତାଧିକାରୀମାନେ ଏହାର ସୁବିଧା ପାଇପାରିବେ।

ସେହିପରି ବାଣପୁର ବ୍ଲକରେ ସମୁଦାୟ ବିଏସକେୱାଇ ଯୋଜନାରେ ୫୦୦୦ ହିତାଧିକାରୀ ଆବେଦନ କରିଥିବା ବେଳେ ୩୦୦୦ ଜଣ ହିତାଧିକାରୀ ମାନଙ୍କର କାର୍ଡ ବଣ୍ଟନ ନିମନ୍ତେ ସରକାର ପ୍ରେରଣ କରିଥିବା ଯୋଗାଣ ଅଧିକାରୀ ଶ୍ରୀଯୁକ୍ତ ବିଶ୍ୱାଳ କହିଛନ୍ତି। ତେବେ ଅବଶିଷ୍ଟ ହିତାଧିକାରୀ ମାନଙ୍କର କାର୍ଡ ଖୁବ ଶୀଘ୍ର ବଣ୍ଟନ କରାଯିବ ବୋଲି ବିଡ଼ିଓ ମତ ଦେଇଛନ୍ତି।

ସୂଚନାଯୋଗ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର ୧ କୋଟିରୁ ଅଧିକ ପରିବାର ଯାହାକି ରାଜ୍ୟ ଜନସଂଖ୍ୟାର ୮୦ ପ୍ରତିଶତ ଚିକିତ୍ସା ସୁବିଧା ପାଉଛନ୍ତି। ଏହି ଯୋଜନାରେ ମାସକୁ ୧ ଲକ୍ଷ ୩୦ ହଜାର ହିତାଧିକାରୀ ୮୧୬ଟି ପଞ୍ଜିକୃତ ବେସରକାରୀ ହସ୍‌ପିଟାଲରେ ଚିକିତ୍ସା ସୁବିଧା ପାଉଛନ୍ତି।ଏଥିପାଇଁ ରାଜ୍ୟ ସରକାର ନିଜ ପାଣ୍ଠିରୁ ୨୭୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି।ଉକ୍ତ ଯୋଜନା ଦ୍ୱାରା ଅଧିକରୁ ଅଧିକ ପରିବାର ଉପକୃତ ହୋଇପାରିବେ।ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ଜୋଶନା ବେହେରା,ବିଡ଼ିଓ ଜଗଦୀଶ ଷଡଙ୍ଗୀ,ଖାଦ୍ୟ ସୁରକ୍ଷା ଅଧିକାରୀ ଅରୁଣ ଲେଙ୍କାଙ୍କ ସମେତ ସମସ୍ତ ସରପଞ୍ଚ, ସମିତି ସଭ୍ୟ,ନାୟବ ସରପଞ୍ଚ,ଯୋଗାଣ ସହାୟକ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ନବୀନ କାର୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ BSKY ନବୀନ କାର୍ଡର ଶୁଭାରମ୍ଭ କରିଛନ୍ତି। ନିୟମିତ ସରକାରୀ କର୍ମଚାରୀ ଓ ଆୟକର ଦେଉଥିବା ଲୋକଙ୍କୁ ଛାଡି ଗାଁର ସବୁ ଲୋକ ଏହି ସୁବିଧା ପାଇବେ । ଆଜିଠାରୁ ଏହି କାର୍ଡ ବଣ୍ଟନ ଆରମ୍ଭ ହୋଇଥିବା ବେଳେ ମେ ପହିଲା ଠାରୁ ହିତାଧିକାରୀମାନେ ଏହାର ସୁବିଧା ପାଇବେ। ରାଜ୍ୟ ସରକାରଙ୍କ 5T ଉପକ୍ରମରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସାଢେ ୪ କୋଟି ଓଡିଶାବାସୀ ହେଉଛନ୍ତି ମୋ ପରିବାର । ଆପଣମାନଙ୍କ ସୁଖ ଦୁଃଖରେ ମୁଁ ସବୁବେଳେ ରହିଛି ଓ ରହିଥିବି। ଆପଣମାନଙ୍କ ଖୁସି ମୋ ଖୁସି ।

ସୁସ୍ଥ ସମାଜ ଏକ ସମୃଦ୍ଧ ରାଷ୍ଟ୍ରର ଆଧାର ଏବଂ ସ୍ୱାସ୍ଥ୍ୟ ସହିତ ଏହାର ଗଭୀର ସଂପର୍କ ରହିଛି ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୋ ପରିବାରର ଲୋକମାନେ କିପରି ଭଲରେ ରହିବେ ସେଥିପାଇଁ ମୁଁ ସବୁବେଳେ କାମ କରି ଚାଲିଛି ଓ କରି ଚାଲିବି।

ସୂଚନାଯୋଗ୍ୟ ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର ୧ କୋଟିରୁ ଅଧିକ ପରିବାର ଯାହାକି ରାଜ୍ୟ ଜନସଂଖ୍ୟାର ୮୦ ଭାଗ ହେବେ, cashless ଚିକିତ୍ସା ସୁବିଧା ପାଉଛନ୍ତି। ମହିଳାମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଥିବାବେଳେ ପରିବାରର ଅନ୍ୟ ସଦସ୍ୟ ମାନଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା କରାଯାଇଛି। ଏହି ଯୋଜନାରେ ମାସକୁ ୧ ଲକ୍ଷ ୩୦ ହଜାର ହିତାଧିକାରୀ ୮୧୬ଟି ପଞ୍ଜିକୃତ ବେସରକାରୀ ହସ୍‌ପିଟାଲରେ ଚିକିତ୍ସା ସୁବିଧା ପାଉଛନ୍ତି। ଏଥିପାଇଁ ରାଜ୍ୟ ସରକାର ନିଜ ପାଣ୍ଠିରୁ ୨୭୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ଦ୍ୱାରା ଆହୁରି ଅଧିକ ପରିବାର ଏହି ଯୋଜନାରେ ସାମିଲ ହୋଇପାରିବେ।

କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲୀ ବ୍ଲକରେ ରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୁଜାରୀ ଯୋଗ ଦେଇ କହିଲେ ଯେ 5T ରେ କାର୍ଯ୍ୟକାରୀ ହେଉଥିବା BSKY ହେଉଛି ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତି। ଆଜି ଗ୍ରାମାଞ୍ଚଳର ସବୁ ବଞ୍ଚିତ ହିତାଧିକାରୀ ଏଥିରେ ସାମିଲ ହେଲେ। 5T ହେଉଛି ମୁଖ୍ୟମନ୍ତ୍ରୀଙ୍କ ଓଡିଶାର ଉନ୍ନତି କଳ୍ପନା। ଲୋକଙ୍କୁ ସେବା ଦେବାର କଳ୍ପନା। ଆଜି 5T ମନ୍ତ୍ର ଉପରେ ରାଜ୍ୟାବାସୀଙ୍କ ଆସ୍ଥା ବଢିଛି। ରାଜ୍ୟବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ସବୁଠାରୁ ଅଧିକ ଗୁରୁତ୍ୱ ଦିଅନ୍ତି ବୋଲି ସେ କହିଥିଲେ।

5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ କହିଲେ ଯେ ରାଜ୍ୟର ପ୍ରତ୍ୟେକ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ସୁରକ୍ଷା ଯୋଗାଇଦେବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ, ଏହି ପରିପ୍ରେକ୍ଷୀରେ ପରବର୍ତ୍ତୀ ପର୍ଯ୍ୟାୟରେ ସହରାଞ୍ଚଳର ପ୍ରାୟ ସମସ୍ତଙ୍କୁ BSKY Nabin card ରେ ସାମିଲ କରାଯିବ ବୋଲି ସେ କହିଥିଲେ। ଏହି ଯୋଜନାକୁ ରେକର୍ଡ ସମୟ ମଧ୍ୟରେ କାର୍ଯ୍ୟକାରୀ କରିଥିବାରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ସୂଚନା ପ୍ରଯୁକ୍ତି ବିଭାଗକୁ ସେ ଧନ୍ୟବାଦ ଜଣାଇଥିଲେ।

ସୂଚନାଯୋଗ୍ୟ ଯେ 5T ଅଧ୍ୟକ୍ଷଙ୍କ ଜିଲ୍ଲାଗସ୍ତ ସମୟରେ ଗ୍ରାମାଞ୍ଚଳର BSKY Card ପାଇବାରୁ ବହୁ ବଞ୍ଚିତ ଲୋକ ସେମାନଙ୍କୁ ଏହି ଯୋଜନାରେ ସାମିଲ କରିବା ପାଇଁ ଅନୁରୋଧ କରିଥିଲେ। ପ୍ରତିଟି ଜୀବନ ମୂଲ୍ୟବାନ ଆଦର୍ଶରେ ଅନୁପ୍ରାଣିତ ମୁଖ୍ୟମନ୍ତ୍ରୀ ଏ ବିଷୟରେ ଅବଗତ ହେବା ପରେ ଏହି ନବୀନ କାର୍ଡ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ବ୍ଲକରେ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସମ୍ବଲପୁର ବାମଡା ବ୍ଲକରେ ଜିଲ୍ଲା ପରିଷଦ ସଭାପତି କୁମୁଦିନୀ ନାୟକ, କୁଚିଣ୍ଡାରେ ବିଧାୟକ ଶ୍ରୀ କିଶୋର ଚନ୍ଦ୍ର ନାୟକ, ରେଢାଖୋଲରେ ବିଧାୟକ ଶ୍ରୀ ରୋହିତ ପୁଜାରୀ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକରେ ‘ଆମ ଓଡିଶା, ନବୀନ ଓଡିଶା’ ସଂଯୋଜିକା ଶ୍ରୀମୟୀ ଶ୍ୱେତସ୍ନିଗ୍ଧା ମିଶ୍ର, ବୋଲଗଡରେ ବିଧାୟକ ଶ୍ରୀ ରାଜେନ୍ଦ୍ର କୁମାର ସାହୁ, ଖୋର୍ଦ୍ଧାରେ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ରୁପଶ୍ରୀରାଣୀ ଗୁମାନ ସିଂ ଯୋଗ ଦେଇ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଆଜି ସବୁ କ୍ଷେତ୍ରରେ ଆମ ରାଜ୍ୟ ଆଗକୁ ବଢିଛି। ସମାଜର ସବୁଠାରୁ ତଳ ଧାଡିରେ ରହୁଥିବା ବ୍ୟକ୍ତିର କଲ୍ୟାଣ ବିଷୟରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଧ୍ୟାନ ଦେଇଥାନ୍ତି। BSKY ଆଜି ରାଜ୍ୟବାସୀଙ୍କ ପାଇଁ ସଞ୍ଜିବନୀ ସଦୃଶ୍ୟ ହୋଇଛି। ସ୍ୱାସ୍ଥ୍ୟସେବା ଓ ରାଜ୍ୟର ବିକାଶ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ଓଡିଶାବାସୀ ସବୁବେଳେ ମନେ ରଖିବେ ବୋଲି ସେମାନେ କହିଥିଲେ।

କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ ସ୍ୱାଗତ ଭାଷଣ ଦେଇଥିଲେ ଏବଂ BSKY Societyର CEO ଧନ୍ୟବାଦ ଅର୍ପଣ କରିଥିଲେ।

Categories
ବିଶେଷ ଖବର

ନବୀନ କାର୍ଡର ଶୁଭାରମ୍ଭ: ରାଜ୍ୟରେ ଉପକୃତ ହେବେ ୯୦% ଲୋକ

ଭୁବନେଶ୍ବର: ସ୍ବାସ୍ଥ୍ୟ ସହ ବିକାଶର ଗଭୀର ସମ୍ପର୍କ ରହିଛି। ଏକ ସୁସ୍ଥ ସମାଜ ହିଁ ସମୃଦ୍ଧ  ଭବିଷ୍ୟତର ଭିତ୍ତି। ସ୍ବାସ୍ଥ୍ୟ କ୍ଷେତ୍ରରେ ସରକାରଙ୍କ ସବୁ କାର୍ଯ୍ୟକ୍ରମ ପଛରେ ରହିଛି ଆମର ‘ସୁସ୍ଥ ଓଡିଶା, ସୁଖୀ ଓଡିଶା’ର ମହତ୍ବାକାଂକ୍ଷୀ ଲକ୍ଷ୍ୟ। ମୋର ସ୍ବପ୍ନ ହେଉଛି ଓଡିଶାର ସବୁ ଲୋକଙ୍କୁ ସାର୍ବଜନୀନ ସ୍ବାସ୍ଥ୍ୟ ସେବା ଯୋଗାଇଦେବା। ମୁଁ ଏମିତି ଏକ ଓଡିଶା ଚାହେଁ, ଯେଉଁଠାରେ ସ୍ବାସ୍ଥ୍ୟସେବା ଲୋକଙ୍କ ପାଇଁ ଏକ ଅଧିକାର ଏବଂ ଏହା ସବୁ ଲୋକଙ୍କ ପାଇଁ ସୁଲଭ ମୂଲ୍ୟରେ ଉପଲବ୍‌ଧ ହେଉଥିବ। ପଇସା ପାଇଁ ମୋ ରାଜ୍ୟର କେହି କେବେ ଉତ୍ତମ ଚିକିତ୍ସା ସୁବିଧାରୁ ବଞ୍ଚିତ ନ ହେଉ। ଏହି ଲକ୍ଷ୍ୟକୁ କାର୍ଯ୍ୟକାରୀ କରିବାକୁ ଯାଇ ଆମେ ୫ ବର୍ଷ ତଳେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଥିଲୁ। ଏବଂ ଏହା ଓଡିଶାର ଜନସାଧାରଣଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲା। ଆମ ରାଜ୍ୟର ସବୁ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ପର୍ଯ୍ୟାୟକ୍ରମେ ସଂପ୍ରସାରିତ କରାଯାଉଛି।

ପ୍ରଥମ ପର୍ଯ୍ୟାୟରେ ସବୁ ଲୋକଙ୍କୁ, ସେମାନଙ୍କର ରୋଜଗାର ଓ ବାସସ୍ଥାନ ନିର୍ବିଶେଷରେ, ସବୁ ସରକାରୀ ଚିକିତ୍ସାଳୟରେ ସମସ୍ତ ଉପଲବ୍‌ଧ ଚିକିତ୍ସା ସୁବିଧା ସଂପୂର୍ଣ୍ଣ ମାଗଣାରେ ମିଳୁଛି।

ଦ୍ବିତୀୟ ପର୍ଯ୍ୟାୟରେ, ସବୁ ଖାଦ୍ୟ ସୁରକ୍ଷା ହିତାଧିକାରୀମାନଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାମ ଯୋଜନାରେ ଘରୋଇ ଚିକିତ୍ସାଳୟ ଗୁଡିକରେ ମାଗଣାରେ ଚିକିତ୍ସା ସୁବିଧା ମିଳୁଛି।

BSKY ଯୋଜନାରେ ପ୍ରତି ମାସରେ ୪୫ ଲକ୍ଷରୁ ଅଧିକ ଲୋକ ବିଭିନ୍ନ ସରକାରୀ ସ୍ବାସ୍ଥ୍ୟ ଅନୁଷ୍ଠାନ ଗୁଡିକରେ ମାଗଣାରେ ଚିକିତ୍ସା ସୁବିଧା ପାଉଛନ୍ତି। ଏହାସହିତ ୧ ଲକ୍ଷ ୩୦ ହଜାର ଲୋକ ଘରୋଇ ହସ୍‌ପିଟାଲ ଗୁଡିକରେ କ୍ୟାସଲେସ୍‌ ଚିକିତ୍ସା ସୁବିଧା ମଧ୍ୟ ପାଉଛନ୍ତି। ଏଥିପାଇଁ ପଞ୍ଜିକୃତ ହୋଇଥିବା ଘରୋଇ ହସ୍‌ପିଟାଲ ଗୁଡିକରେ ରାଜ୍ୟ ସରକାର ମାସକୁ ୨୬୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।

ଗତ ୫ ବର୍ଷରେ BSKY ଯୋଜନାରେ ରାଜ୍ୟ ସରକାର ୪୫୦୦ କୋଟି ଟଙ୍କା ଖର୍ଚ୍ଚ କରି ୨୧ ଲକ୍ଷ ରୋଗୀଙ୍କୁ ବିଭିନ୍ନ ଘରୋଇ ହସ୍‌ପିଟାଲରେ କ୍ୟାସଲେସ ଚିକିତ୍ସା ସୁବିଧା ଯୋଗାଇ ଦେଇଛନ୍ତି।

ସାର୍ବଜନୀନ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସାରା ଦେଶରେ ଏହା ଏକ ଅନନ୍ୟ ଉଦାହରଣ। ଏକ ଉତ୍ତମ ମଡେଲ। ଓଡିଶାର ଲୋକଙ୍କ ପାଇଁ ଏହା ଏକ ସୁନିଶ୍ଚିତ ସ୍ବାସ୍ଥ୍ୟସେବା ବ୍ୟବସ୍ଥା, ଯେଉଁଥିରେ କି ସରକାରୀ ଓ ଘରୋଇ ଉଭୟ କ୍ଷେତ୍ରର ଉତ୍ତମ ସୁବିଧା ପ୍ରଦାନ କରାଯାଉଛି।

ଏବେ ଆମେ BSKY ଯୋଜନାର ତୃତୀୟ ପର୍ଯ୍ୟାୟ ଆରମ୍ଭ କରୁଛୁ। ଏହି ପର୍ଯ୍ୟାୟରେ BSKYରୁ ବଞ୍ଚିତ ହୋଇଥିବା ଗ୍ରାମାଞ୍ଚଳର ଲୋକଙ୍କୁ ଜଟିଳ ରୋଗ ପାଇଁ ଘରୋଇ ହସ୍‌ପିଟାଲ ଗୁଡିକରେ କ୍ୟାସଲେସ୍‌ ସୁବିଧା ଯୋଗାଇ ଦିଆଯିବ। ଏହି ପର୍ଯ୍ୟାୟରେ କେବଳ ସରକାରୀ କର୍ମଚାରୀ ଏବଂ ଆୟକରଦାତା ମାନଙ୍କୁ ବାଦ୍‌ ଦେଇ ଗ୍ରାମାଞ୍ଚଳର ସବୁ ପରିବାର, ଯେଉଁମାନେ ବର୍ତ୍ତମାନ BSKY ଯୋଜନା ଅଧୀନରେ ନାହାନ୍ତି, ସେମାନେ ଆମର ଏହି ନୂଆ ଯୋଜନାରେ ସାମିଲ ହେବେ। ସେମାନେ ସମସ୍ତେ ଆମର ନୂଆ BSKY-ନବୀନ କାର୍ଡ ପାଇବେ। ସେମାନେ ମଧ୍ୟ ଉଭୟ ରାଜ୍ୟ ଭିତରେ ଓ ବାହାରେ ସବୁ ପଞ୍ଜିକୃତ  ଘରୋଇ ହସ୍‌ପିଟାଲ ଗୁଡିକରେ ନିର୍ଦ୍ଧାରିତ ଜଟିଳ ରୋଗ ଗୁଡିକର ଚିକିତ୍ସା ସୁବିଧା ପାଇବେ।

ଏହି ତୃତୀୟ ପର୍ଯ୍ୟାୟ ସଂପ୍ରସାରଣରେ ରାଜ୍ୟର ୧ କୋଟି ୧୦ ଲକ୍ଷରୁ ଅଧିକ ପରିବାର, ଯାହାକି ଆମ ଲୋକସଂଖ୍ୟାର ପ୍ରାୟ ୯୦ ପ୍ରତିଶତ ଅଟେ। ସେମାନେ ସମସ୍ତେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ – ନବୀନ କାର୍ଡ ଜରିଆରେ ଉତ୍ତମ ଚିକିତ୍ସା ସୁବିଧା ପାଇବେ।

ମୋର ବିଶ୍ବାସ, BSKY-Naveen card ଦ୍ବାରା ଓଡିଶାର କୌଣସି ପରିବାର ଆର୍ଥିକ ଦୁରାବସ୍ଥା କାରଣରୁ ଜଟିଳ ରୋଗ ଗୁଡିକର ଚିକିତ୍ସା କ୍ଷେତ୍ରରେ କୋଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ଏଥିପାଇଁ ଚିକିତ୍ସାର ସମସ୍ତ ଖର୍ଚ୍ଚ ଓଡିଶା ସରକାର ନିଜ  ପାଣ୍ଠିରୁ ବହନ କରିବେ।