Categories
ବିଶେଷ ଖବର ସ୍ବାସ୍ଥ୍ୟ

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବାଗ୍‌ଚୀ ଶ୍ରୀ ଶଂକର କ୍ୟାନସର ହସ୍ପିଟାଲ ଓ ଗବେଷଣା ପ୍ରତିଷ୍ଠାନ ଉଦ୍‌ଘାଟିତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରଠାରେ ବାଗ୍‌ଚୀ ଶ୍ରୀ ଶଂକର କ୍ୟାନସର ହସ୍ପିଟାଲ ଓ ଗବେଷଣା ପ୍ରତିଷ୍ଠାନକୁ ଉଦ୍‌ଘାଟନ କରିଛନ୍ତି।

ସୂଚନାଯୋଗ୍ୟ ଯେ ଦେଶର ଅନ୍ୟତମ ଅଗ୍ରଣୀ କ୍ୟାନସର ଚିକିତ୍ସା ପ୍ରତିଷ୍ଠାନ ବାଙ୍ଗାଲୋରର ଶ୍ରୀ ଶଂକର କ୍ୟାନସର ହସ୍ପିଟାଲ ଓ ଗବେଷଣା କେନ୍ଦ୍ରର ସହଯୋଗରେ ଏହା ପ୍ରତିଷ୍ଠା କରାଯାଇଛି। ୭୫୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ଦୈନିକ ୩୦୦ ରୋଗୀଙ୍କୁ ଅତ୍ୟାଧୁନିକ ରେଡିଓଥେରାପି ସହିତ ୧୫୦ରୁ ଉର୍ଦ୍ଧ୍ୱ ରୋଗୀଙ୍କ ପାଇଁ କେମୋଥେରାପି ନେବାର ସୁବିଧା କରାଯାଇଛି। ଏହି ହସ୍ପିଟାଲ ହେଉଛି ସୁବ୍ରତ ବାଗ୍‌ଚୀ ଓ ସୁସ୍ମିତା ବାଗ୍‌ଚୀଙ୍କର ଓଡିଶା ପାଇଁ ମହତ୍ୱପୂର୍ଣ୍ଣ ଅବଦାନ।

ଉଦ୍‌ଘାଟନ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଏହି ହସ୍ପିଟାଲ ଓଡିଶା ତଥା ପୂର୍ବ ଭାରତରେ କ୍ୟାନସର ରୋଗୀଙ୍କୁ ଗୁଣାତ୍ମକ ମାନର ଓ ସୁଲଭ ଖର୍ଚ୍ଚରେ ଚିକିତ୍ସା ପ୍ରଦାନ କରି କ୍ୟାନସର ଚିକିତ୍ସା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବ ଏବଂ ଏହି ହସ୍ପିଟାଲ ମାଧ୍ୟମରେ ରାଜ୍ୟର ଏକ ତୃତୀୟାଂଶ କ୍ୟାନସର ରୋଗୀ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ।

ବାଗ୍‌ଚୀ ପରିବାର ଓ ଶ୍ରୀ ଶଂକର କ୍ୟାନସର ସେଣ୍ଟରର ଏହି ମହତ୍ୱପୂର୍ଣ୍ଣ ପଦକ୍ଷେପ ପାଇଁ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ରାଜ୍ୟବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ମୋ ସରକାର ନିରନ୍ତର ଉଦ୍ୟମ କରି ଆସୁଛି। ବିଗତ ଦୁଇ ଦଶନ୍ଧି ମଧ୍ୟରେ ଓଡିଶା ପୂର୍ବ ଭାରତରେ ଏକ ଅଗ୍ରଣୀ ସ୍ୱାସ୍ଥ୍ୟସେବା କ୍ଷେତ୍ର ଭାବେ ପରିଗଣିତ ହୋଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ନୂଆ ମେଡିକାଲ କଲେଜ ଖୋଲା ଯାଇଛି।

ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠାରୁ ଆରମ୍ଭ କରି ସମସ୍ତ ସ୍ୱାସ୍ଥ୍ୟ ସେବା କ୍ଷେତ୍ରଗୁଡିକୁ ସୁଦୃଢ କରାଯାଇଛି। ନିୟମିତ ଭାବେ ଡାକ୍ତର ଓ ପାରାମେଡିକାଲ ଷ୍ଟାଫଙ୍କୁ ନିଯୁକ୍ତି ଦିଆଯାଉଛି। ଚଳିତ ବର୍ଷ କେବଳ ପ୍ରାୟ ୪୦୦୦ ଡାକ୍ତର ରାଜ୍ୟରେ ନିଯୁକ୍ତି ପାଇଛନ୍ତି।

ରାଜ୍ୟର ସ୍ୱାସ୍ଥ୍ୟ ସେବା କ୍ଷେତ୍ର ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସମଗ୍ର ଦେଶରେ ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ଏକ ବେଞ୍ଚମାର୍କ ସ୍ଥାପନ କରିଛି। ଏବେ ୫-ଟି ଉପକ୍ରମରେ ରାଜ୍ୟର ସବୁ ହସ୍ପିଟାଲଗୁଡିକର ଭିତ୍ତିଭୂମି ରୂପାନ୍ତର କାର୍ଯ୍ୟ ଜାରି ରହିଛି। ‘ଆମ ହସ୍ପିଟାଲ’ ଯୋଜନାରେ ଉନ୍ନତ ଭିତ୍ତିଭୂମି ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସହିତ ରୋଗୀଙ୍କ ସହାୟକମାନଙ୍କ ସୁବିଧାକୁ ମଧ୍ୟ ଦୃଷ୍ଟି ଦିଆଯାଉଛି।

ରାଜ୍ୟରେ କ୍ୟାନସର ସେବା ବିଷୟରେ ସୂଚନା ପ୍ରଦାନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଭିନ୍ନ ଜିଲ୍ଲାରେ କ୍ୟାନସର ଚିକିତ୍ସା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି। ଆମେ ସମସ୍ତେ କ୍ୟାନସର ପରି ରୋଗ ବିଷୟରେ ସଚେତନ ହେବା ଆବଶ୍ୟକ। ଆମ ଜୀବନଶୈଳୀକୁ ପରିବର୍ତ୍ତନ କରିବା ଜରୁରୀ। ଆମେ ସମସ୍ତେ ଯଦି ସୁସ୍ଥ ଜୀବନଶୈଳୀ ଅବଲମ୍ବନ କରିବା କ୍ୟାନସରଠାରୁ ଆମେ ଦୂରରେ ରହି ପାରିବା ବୋଲି କହି ସମସ୍ତେ ସୁସ୍ଥ ରହିଲେ ଆମର ‘ସୁସ୍ଥ ଓଡିଶା, ସୁଖୀ ଓଡିଶା’ର ସ୍ୱପ୍ନ ପୂରଣ ହୋଇପାରିବ ବୋଲି ସେ କହିଥିଲେ।

ଅନ୍ୟତମ ଅତିଥି ଭାବେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କହିଥିଲେ ଯେ ପୂର୍ବରୁ ମାତ୍ର ୩ଟି ମେଡିକାଲ କଲେଜ ରାଜ୍ୟରେ ରହିଥିଲା। ୧୦ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅନେକ ନୂଆ ନୂଆ ମେଡିକାଲ କଲେଜ ଆରମ୍ଭ କରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି। ବାଗ୍‌ଚୀ ଶ୍ରୀ ଶଂକର କ୍ୟାନସର ହସ୍ପିଟାଲ ରାଜ୍ୟବାସୀଙ୍କୁ କ୍ୟାନସର ସେବା କ୍ଷେତ୍ରରେ ଅତ୍ୟାଧୁନିକ ସେବା ଯୋଗାଇଦେବ ବୋଲି ସେ କହିଥିଲେ।
ଉଦ୍‌ଘାଟନ ଅବସରରେ ଶ୍ରୀ ସୁବ୍ରତ ବାଗ୍‌ଚୀ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନ ଓ ଆନ୍ତରିକତା ଯୋଗୁ ଆମେ ଏହି ହସ୍ପିଟାଲ ପ୍ରତିଷ୍ଠା କରିବା ପାଇଁ ସକ୍ଷମ ହୋଇଛୁ। ଆମ ରାଜ୍ୟର କ୍ୟାନସର ରୋଗୀମାନଙ୍କୁ ବିଶ୍ୱମାନର ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ରାଜ୍ୟ ସରକାର ୨୨ ଏକର ଜମି ଯୋଗାଇ ଦେଇଛନ୍ତି। ଓଡିଶାର କ୍ୟାନସର ରୋଗୀ ଆଉ ରାଜ୍ୟ ବାହରକୁ ଯିବେ ନାହିଁ। ଏଠାରେ ରହି କ୍ୟାନସର ଚିକିତ୍ସା କ୍ଷେତ୍ରରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ପାଇବେ। ଏହି ହସ୍ପିଟାଲ ହେବ ମାନବସେବାର ଏକ ଅଦ୍ୱିତୀୟ କେନ୍ଦ୍ର ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି. କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ ୪୧୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ହସ୍ପିଟାଲରେ ଉନ୍ନତ ଭିତ୍ତିଭୂମି ସହିତ ଅତ୍ୟାଧୁନିକ ମେଡିକାଲ ଟେକ୍‌ନଲୋଜି ଓ ଟ୍ରିଟମେଣ୍ଟର ସୁବିଧା ରହିଛି। କ୍ୟାନସର ସେବା କ୍ଷେତ୍ରରେ ଦେଶରେ ପ୍ରସଦ୍ଧି ଅର୍ଜନ କରିଥିବା ଡାକ୍ତର ଓ ନର୍ସିଂ ଷ୍ଟାଫଙ୍କ ଜରିଆରେ ରୋଗୀମାନେ ଏଠାରେ ଅତ୍ୟାଧୁନିକ ଓ ଫଳପ୍ରଦ ଚିକିତ୍ସା ସେବା ପାଇପାରିବେ। ଏହି ହସ୍ପିଟାଲ ମଧ୍ୟ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନୁବନ୍ଧିତ ହୋଇଛି।

କାର୍ଯ୍ୟକ୍ରମରେ ଡ. ବି. ଏସ୍‌. ଶ୍ରୀନାଥ ସ୍ୱାଗତ ଭାଷଣ ଦେଇଥିଲେ ଓ ଡ. ବି. ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଶ୍ରୀ ଖୋଦଲଧାମ ଟ୍ରଷ୍ଟ – କ୍ୟାନସର ହସ୍ପିଟାଲର ଶିଳାନ୍ୟାସ ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ଶ୍ରୀ ଖୋଦଲଧାମ ଟ୍ରଷ୍ଟ – କର୍କଟ ହସ୍ପିଟାଲର ଶିଳାନ୍ୟାସ ସମାରୋହକୁ ସମ୍ବୋଧିତ କରିଛନ୍ତି ।

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଖୋଦଲଧାମର ପବିତ୍ର ଭୂମି ଏବଂ ଖୋଦଲ ମା’ଙ୍କ ଭକ୍ତଙ୍କ ସହ ଯୋଗାଯୋଗ କରିବା ନେଇ ଅତ୍ୟନ୍ତ ସୌଭାଗ୍ୟ ପ୍ରକାଶ କରିଥିଲେ । ଶ୍ରୀ ମୋଦୀ କହିଥିଲେ ଯେ ଶ୍ରୀ ଖୋଦଲଧାମ ଟ୍ରଷ୍ଟ ଅମରେଲି ଠାରେ କର୍କଟ ଚିକିତ୍ସାଳୟ ଏବଂ ଗବେଷଣା କେନ୍ଦ୍ରର ଶିଳାନ୍ୟାସ ସହିତ ଜନକଲ୍ୟାଣ ଏବଂ ସେବା କ୍ଷେତ୍ରରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ଶ୍ରୀ ଖୋଦଲଧାମ ଟ୍ରଷ୍ଟ – କାଗୱାଡ ପ୍ରତିଷ୍ଠାର ୧୪ ବର୍ଷ ପୂରଣ କରିବ ଏବଂ  ସେ ଉଲ୍ଲେଖ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଲେଉଭା ପଟିଦାର ସମ୍ପ୍ରଦାୟ ୧୪ ବର୍ଷ ପୂର୍ବେ ସେବା, ମୂଲ୍ୟବୋଧ ଏବଂ ସମର୍ପଣର ସଂକଳ୍ପ ନେଇ ଶ୍ରୀ ଖୋଦଲଧାମ ଟ୍ରଷ୍ଟ ପ୍ରତିଷ୍ଠା କରିଥିଲେ । ସେବେଠାରୁ ଟ୍ରଷ୍ଟ ନିଜର ସେବା ମାଧ୍ୟମରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ କାମ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଶିକ୍ଷା କ୍ଷେତ୍ର ହେଉ, କୃଷି ହେଉ କି ସ୍ୱାସ୍ଥ୍ୟ କ୍ଷେତ୍ର ହେଉ, ଏହି ଟ୍ରଷ୍ଟ ପ୍ରତ୍ୟେକ ଦିଗରେ ଉତ୍କୃଷ୍ଟ କାର୍ଯ୍ୟ କରିଛି”, ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ ବିଶ୍ୱାସ ବ୍ୟକ୍ତ କରି କହିଥିଲେ ଯେ ଅମରେଲିରେ ନିର୍ମାଣ କରାଯାଉଥିବା କର୍କଟ ଚିକିତ୍ସାଳୟ ସେବା ଭାବନାର ଆଉ ଏକ ଉଦାହରଣ ହେବ ଏବଂ ଅମରେଲି ସମେତ ସୌରାଷ୍ଟ୍ରର ଏକ ବିଶାଳ ଅଞ୍ଚଳକୁ ବହୁତ ଉପକୃତ କରିବ ।

କର୍କଟ ଭଳି ଗମ୍ଭୀର ରୋଗର ଚିକିତ୍ସା ଯେ କୌଣସି ବ୍ୟକ୍ତି ଓ ପରିବାର ପାଇଁ ଏକ ବଡ଼ ଆହ୍ୱାନ ପାଲଟିଥାଏ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ କର୍କଟ ଚିକିତ୍ସାରେ ଯେପରି କୌଣସି ରୋଗୀ ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ସରକାର ପ୍ରୟାସ କରୁଛନ୍ତି । ଏହି ଦୃଷ୍ଟିକୋଣ ଅନୁଯାୟୀ,  ଗତ ୯ ବର୍ଷ ମଧ୍ୟରେ ଦେଶରେ ପ୍ରାୟ ୩୦ଟି ନୂତନ କର୍କଟ ହସ୍ପିଟାଲ ବିକଶିତ ହୋଇଛି ଏବଂ ୧୦ଟି ନୂତନ କର୍କଟ ହସ୍ପିଟାଲର କାର୍ଯ୍ୟ ଚାଲିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

କର୍କଟ ରୋଗର ଚିକିତ୍ସା ପାଇଁ ସଠିକ୍ ପର୍ଯ୍ୟାୟରେ ଚିହ୍ନଟ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସେ ଦର୍ଶାଇଛନ୍ତି ଯେ ଗ୍ରାମର ଲୋକମାନଙ୍କ କ୍ଷେତ୍ରରେ ରୋଗ ଚିହ୍ନଟ ହେବା ବେଳକୁ କର୍କଟ ବ୍ୟାପିବା ଆରମ୍ଭ ହୋଇଯାଏ । ଏଭଳି ପରିସ୍ଥିତିକୁ ଏଡ଼ାଇବା ପାଇଁ କେନ୍ଦ୍ର ସରକାର ଗ୍ରାମ ସ୍ତରରେ ୧.୫ ଲକ୍ଷରୁ ଅଧିକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ନିର୍ମାଣ କରିଛନ୍ତି ଯେଉଁଠାରେ କର୍କଟ ସମେତ ଅନେକ ଗମ୍ଭୀର ରୋଗର ଆଗୁଆ ଚିହ୍ନଟ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । “ଯେତେବେଳେ କର୍କଟ ରୋଗ ଶୀଘ୍ର ଚିହ୍ନଟ ହୁଏ, ଡାକ୍ତରମାନେ ମଧ୍ୟ ଏହାର ଚିକିତ୍ସାରେ ବହୁତ ସାହାଯ୍ୟ କରିଥାନ୍ତି”, ବୋଲି ସେ ଆହୁରି ମଧ୍ୟ କହିଥିଲେ । ଗର୍ଭାଶୟ କର୍କଟ ବା ସ୍ତନ କର୍କଟ ଭଳି ରୋଗର ପ୍ରାରମ୍ଭିକ ଚିହ୍ନଟରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ସେ ଉଲ୍ଲେଖ କରିବା ସହିତ କେନ୍ଦ୍ର ସରକାରଙ୍କ ପ୍ରୟାସରୁ ମହିଳାମାନେ ମଧ୍ୟ ବହୁତ ଉପକୃତ ହୋଇଛନ୍ତି ବୋଲି ଶ୍ରୀ ମୋଦୀ କହିଥିଲେ ।

ଗତ ୨୦ ବର୍ଷ ମଧ୍ୟରେ ଗୁଜରାଟ ରାଜ୍ୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଭୂତପୂର୍ବ ଅଗ୍ରଗତି କରିଛି ଏବଂ ଏହା ଭାରତର ଏକ ବିଶାଳ ଚିକିତ୍ସା କେନ୍ଦ୍ରରେ ପରିଣତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ । ୨୦୦୨ ସୁଦ୍ଧା ଗୁଜରାଟରେ ମାତ୍ର ୧୧ଟି ମେଡିକାଲ କଲେଜ ଥିବା ବେଳେ ଆଜି ଏହି ସଂଖ୍ୟା ୪୦ କୁ ବୃଦ୍ଧି ପାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦ ବର୍ଷ ମଧ୍ୟରେ ଏଠାରେ ଏମବିବିଏସ୍ ସିଟ୍ ସଂଖ୍ୟା ପାଖାପାଖି ୫ ଗୁଣ ବୃଦ୍ଧି ପାଇଛି ଏବଂ ପିଜି ସିଟ୍ ସଂଖ୍ୟା ମଧ୍ୟ ପ୍ରାୟ ୩ ଗୁଣ ବୃଦ୍ଧି ପାଇଛି । “ବର୍ତ୍ତମାନ ରାଜକୋଟରେ ଆମର ଏମ୍ସ ମଧ୍ୟ ଅଛି”, ବୋଲି ସେ ଉଲ୍ଲେଖ କରିଥିଲେ । ୨୦୦୨ ମସିହା ସୁଦ୍ଧା ଗୁଜରାଟରେ ମାତ୍ର ୧୩ଟି ଫାର୍ମାସି କଲେଜ ଥିବା ବେଳେ ଆଜି ସେଗୁଡିକର ସଂଖ୍ୟା ୧୦୦କୁ ବୃଦ୍ଧି ପାଇଛି ଏବଂ ଡିପ୍ଲୋମା ଫାର୍ମାସି କଲେଜ ସଂଖ୍ୟା ମଧ୍ୟ ଗତ ୨୦ ବର୍ଷ ମଧ୍ୟରେ ୬ ରୁ ୩୦କୁ ବୃଦ୍ଧି ପାଇଛି । ପ୍ରତ୍ୟେକ ଗ୍ରାମରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବା ସହିତ ଗୁଜରାଟ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବଡ଼ ସଂସ୍କାରର ମଡେଲ ଉପସ୍ଥାପନ କରିଛି, ଯାହା ଦ୍ୱାରା ଆଦିବାସୀ ଏବଂ ଗରିବ ଅଂଚଳରେ ସ୍ୱାସ୍ଥ୍ୟ ସୁବିଧା ଉପଲବ୍ଧ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ଗୁଜରାଟରେ ୧୦୮ ଆମ୍ବୁଲାନ୍ସ ସୁବିଧା ଉପରେ ଲୋକଙ୍କ ବିଶ୍ୱାସ କ୍ରମାଗତ ଭାବେ ଦୃଢ଼ ହୋଇଛି ।

ଯେ କୌଣସି ଦେଶର ବିକାଶ ପାଇଁ ଏକ ସୁସ୍ଥ ଓ ଦୃଢ଼ ସମୁଦାୟର ଆବଶ୍ୟକତା ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । “ଖୋଦଲ ମାତାଙ୍କ ଆଶୀର୍ବାଦରେ, ଆମ ସରକାର ଆଜି ଏହି ଚିନ୍ତାଧାରାକୁ ଅନୁସରଣ କରୁଛନ୍ତି”, ଆୟୁଷ୍ମାନ ଭାରତ ଯୋଜନା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯାହା ଆଜି ବହୁ ସଂଖ୍ୟକ କର୍କଟ ରୋଗୀଙ୍କ ସମେତ ୬ କୋଟିରୁ ଅଧିକ ଲୋକଙ୍କ ଚିକିତ୍ସାରେ ସାହାଯ୍ୟ କରିଛି ଏବଂ ସେମାନଙ୍କୁ ଏକ ଲକ୍ଷ କୋଟି ଟଙ୍କା ସଞ୍ଚୟ କରିବାରେ ସାହାଯ୍ୟ କରିଛି । ୧୦,୦୦୦ ଜନ ଔଷଧି କେନ୍ଦ୍ର ଖୋଲିବା ବିଷୟରେ ମଧ୍ୟ ସେ କହିଥିଲେ , ଯେଉଁଠାରେ ୮୦ ପ୍ରତିଶତ ରିହାତିରେ ଔଷଧ ଉପଲବ୍ଧ କରାଯାଏ । ପିଏମ୍  ଜନ ଔଷଧି କେନ୍ଦ୍ର ସଂଖ୍ୟା ୨୫,୦୦୦ କୁ ବୃଦ୍ଧି କରିବା ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ୩୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାରୁ ରୋଗୀଙ୍କୁ ରକ୍ଷା କରାଯାଇଛି ବୋଲି ସେ ମଧ୍ୟ କହିଛନ୍ତି । କ୍ୟାନସର ଔଷଧର ମୂଲ୍ୟକୁ ମଧ୍ୟ ସରକାର ନିୟନ୍ତ୍ରଣ କରିଛନ୍ତି , ଯାହା ଅନେକ କର୍କଟ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଛି ବୋଲି ସେ ଉଲ୍ଲେଖ କରିଛନ୍ତି ।

ଟ୍ରଷ୍ଟ ସହ ତାଙ୍କର ଦୀର୍ଘକାଳୀନ ସମ୍ପର୍କ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ ୯ଟି ଅନୁରୋଧ କରିଥିଲେ । ପ୍ରଥମତଃ, ପ୍ରତି ବୁନ୍ଦା ଜଳକୁ ସଂରକ୍ଷଣ କରିବା ଏବଂ ଜଳ ସଂରକ୍ଷଣ ପାଇଁ ସଚେତନତା ସୃଷ୍ଟି କରିବା । ଦ୍ୱିତୀୟ – ଗ୍ରାମ ସ୍ତରରେ ଡିଜିଟାଲ କାରବାର ସମ୍ପର୍କରେ ସଚେତନତା ସୃଷ୍ଟି କରିବା । ତୃତୀୟ – ନିଜ ଗ୍ରାମ, ଅଞ୍ଚଳ ଓ ସହରକୁ ସ୍ୱଚ୍ଛତା କ୍ଷେତ୍ରରେ ଏକ ନମ୍ବର କରିବା ପାଇଁ କାମ କରିବା । ଚତୁର୍ଥ – ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହନ ଦେବା ଏବଂ ମେଡ୍ ଇନ୍ ଇଣ୍ଡିଆ ଉତ୍ପାଦକୁ ଯଥାସମ୍ଭବ ବ୍ୟବହାର କରିବା । ପଞ୍ଚମ – ଦେଶ ଭିତରେ ଭ୍ରମଣ କରିବା ଏବଂ ଘରୋଇ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା । ଷଷ୍ଠ – ପ୍ରାକୃତିକ ଚାଷ ସମ୍ପର୍କରେ ଚାଷୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା । ସପ୍ତମ – ଦୈନନ୍ଦିନ ଖାଦ୍ୟରେ ଶ୍ରୀ ଅନ୍ନକୁ ସାମିଲ କରିବା । ଅଷ୍ଟମ – ଫିଟନେସ୍‌, ଯୋଗ କିମ୍ବା କ୍ରୀଡ଼ାରେ ଲିପ୍ତ ରହି ଏହାକୁ ଜୀବନର ଅବିଚ୍ଛେଦ୍ୟ ଅଙ୍ଗରେ ପରିଣତ କରିବା ଏବଂ ଶେଷରେ – କୌଣସି ପ୍ରକାର ଡ୍ରଗ୍ସ ଏବଂ ନିଶା ଠାରୁ ଦୂରେଇ ରହିବା ।

ଏହି ଟ୍ରଷ୍ଟ ପୂର୍ଣ୍ଣ ନିଷ୍ଠା ଓ ସାମର୍ଥ୍ୟ ସହିତ ନିଜର ଦାୟିତ୍ୱ ନିର୍ବାହ ଜାରି ରଖିବ ଏବଂ ଅମରେଲିରେ ନିର୍ମାଣ କରାଯାଉଥିବା କର୍କଟ ଚିକିତ୍ସାଳୟ ସମଗ୍ର ସମାଜର କଲ୍ୟାଣ ପାଇଁ ଉଦାହରଣ ପାଲଟିବ ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ । ସେ ଲେଉଭା ପଟିଦାର ସମାଜ ଏବଂ ଶ୍ରୀ ଖୋଦଲଧାମ ଟ୍ରଷ୍ଟକୁ ଶୁଭେଚ୍ଛା ଜଣାଇଛନ୍ତି । “ମା’ ଖୋଦଲଙ୍କ କୃପାରୁ ଆପଣମାନେ ସମାଜସେବାରେ ନିୟୋଜିତ ହେବା ଉଚିତ” ବୋଲି ସେ ଆହୁରି ମଧ୍ୟ କହିଥିଲେ ।

ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ ଦେଶରେ ବିବାହ ସମାରୋହ କରିବା ଏବଂ ବିଦେଶୀ ଡେଷ୍ଟିନେସନ୍ ୱେଡିଂରୁ ଦୂରେଇ ରହିବାକୁ ଶୁଭେଚ୍ଛୁ ବର୍ଗଙ୍କୁ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀ ଶେଷରେ “ମେଡ୍ ଇନ୍ ଇଣ୍ଡିଆ ଭଳି ଏବେ ୱେଡ୍ ଇନ୍ ଇଣ୍ଡିଆ” (ଭାରତରେ ତିଆରି ଭଳି ଭାରତରେ ବିବାହ) ପ୍ରସଙ୍ଗ ଉପରେ ମତ ଦେଇଥିଲେ ।