Categories
ଆଜିର ଖବର

ନୃତ୍ୟ ଅଭ୍ୟାସ ସମୟରେ ପ୍ରାଣ ହରାଇଲେ ଛାତ୍ରୀ

ବେଙ୍ଗାଲୁରୁ : କେଉଁଠି ବି ଆସିପାରେ ମୃତ୍ୟୁ । ଏମିତି ଏକ ଘଟଣା ଘଟିଛି କର୍ଣ୍ଣାଟକରେ । ଜଣେ ଛାତ୍ରୀ ନୃତ୍ୟ ଅଭ୍ୟାସ କରୁଥିବା ସମୟରେ ହୃଦ୍‌ଘାତର ଶିକାର ହୋଇ ପ୍ରାଣ ହରାଇଛନ୍ତି । କର୍ଣ୍ଣାଟକର କୋଲାର ଗୋଲ୍ଡ ଫିଲ୍ଡ (କେଜିଏଫ୍‌)ରେ ଏହି ଘଟଣା ଘଟିଛି । ଶନିବାର ପୋଲିସ୍‌ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ ନବମ ଶ୍ରେଣୀର ଛାତ୍ରୀ ପୂଜିତା ନୃତ୍ୟ ଅଭ୍ୟାସ କରୁଥିବା ସମୟରେ ପ୍ରାଣ ହରାଇଥିଲେ । କୋଲାରର ଗୋଲ୍ଲାହାଲି ବିଦ୍ୟାଳୟର ଛାତ୍ରୀ ପୂଜିତା ଗୁରୁବାର ନୃତ୍ୟ ଅଭ୍ୟାସ କରୁଥିବା ସମୟରେ ଅଚେତ ହୋଇ ପଡିଥିଲେ । ତାଙ୍କୁ ତୁରନ୍ତ ବଙ୍ଗାରପେଟର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୂଜିତାଙ୍କ ମୃତ୍ୟୁ ପରେ ସ୍କୁଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍କୁଲର ସାଂସ୍କୃତିକ କାର୍ଯ୍ୟକ୍ରମକୁ ବନ୍ଦ ରଖାଯାଇଛି । (ଏଜେନ୍ସି)

Categories
ଆଜିର ଖବର

ଏଆଇଡିଏମ୍‌କେର ବରିଷ୍ଠ ନେତା ଆର୍‌ କନଗରାଜ୍‌ଙ୍କର ହୃଦଘାତରେ ମୃତ୍ୟୁ

ତାମିଲନାଡୁ ବିଧାନସଭାର ସଦସ୍ୟ ତଥା ଏଆଇଡିଏମ୍‌କେର ବରିଷ୍ଠ ନେତା ଆର୍‌ .କନଗରାଜ୍‌ଙ୍କର ହୃଦଘାତରେ ଆଜି ସକାଳେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। କନଗରାଜ୍‌ ତାମିଲନାଡୁର ସୁଲ୍ଲୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ଦୀର୍ଘ ଦିନ ଧରି ଅସୁସ୍ଥ ରହିଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ବହୁ ଏଆଇଡିଏମ୍‌କେ ନେତା ଆର କନଗରାଜଙ୍କର ବାସଭବନରେ ପହଞ୍ଚିଛନ୍ତି। ଆର କନଗରାଜଙ୍କ ବିୟୋଗରେ ସୁଲ୍ଲର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମୃତ୍ୟୁରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ରାଜ୍ୟ ଜଣେ ଦକ୍ଷ ବିଧାୟକଙ୍କୁ ହରାଇଲା ବୋଲି କହିଛନ୍ତି।