Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବାହାରିଲା ବିଜ୍ଞପ୍ତି, ମୁଖ୍ୟ ନିର୍ବାଚନ ଅଧିକାରୀ କହିଲେ ଏପରି କଥା

ଭୁବନେଶ୍ୱର: ରାଜ୍ୟରେ ବିଧିବଦ୍ଧ ଭାବରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ (ସାମଗ୍ରିକ ଭାବରେ ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ) ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ଅବସରରେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ପ୍ରେସ୍‌ବାର୍ତ୍ତା ଦେଇଥିଲେ।

ଏହି ଅବସରେ ସେ ଗଣମାଧ୍ୟମ ସମ୍ମୁଖରେ ନର୍ବାଚନର ସାମଗ୍ରିକ ପ୍ରସ୍ତୁତି, ନାମାଙ୍କନ ପ୍ରକ୍ରିୟା ଓ ତାରିଖ, ନିର୍ବାଚନ ତାରିଖ ଓ ସମୟ, ସୁରକ୍ଷା ବ୍ୟବସ୍ଥା, ଜବତ ହୋଇଥିବା ସାମଗ୍ରୀର ଆର୍ଥିକ ମୂଲ୍ୟ, ଭୋଟର ତାଲିକା, ମହିଳା ଭୋଟର, ଭିନ୍ନକ୍ଷମ ଭୋଟରମାନଙ୍କ ପାଇଁ ପ୍ରତିଟି ବୁଥ୍‌ରେ କରାଯାଉଥିବା ଆନୁଷଙ୍ଗିକ ବ୍ୟବସ୍ଥା ଓ ତା’ର କ୍ରିୟାନ୍ୱୟନ ବିଷୟରେ ସବିଶେଷ ତଥ୍ୟ ରଖିଥିଲେ।

ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ଦ୍ୱାରା ଉତ୍‌ଥାପିତ ବିଭିନ୍ନ ପ୍ରଶ୍ନର ଉତ୍ତର ରଖି ଶ୍ରୀ ଧଳ ପ୍ରଚଣ୍ଡ ରୌଦ୍ରତାପରେ ହତାହତଶୂନ୍ୟ ଓ ତ୍ରୁଟିଶୂନ୍ୟ ନିର୍ବାଚନ ହିଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ମୂଳଲକ୍ଷ୍ୟ ବୋଲି ମତପ୍ରକାଶ କରିଥିଲେ।

ଓଡିଶାର ପ୍ରଥମ ନିର୍ବାଚନ ମେ ୧୩ ତାରିଖରେ କରାଯିବ। ଏଥିରେ ବ୍ରହ୍ମପୁର, କଳାହାଣ୍ଡି, ନବରଂଗପୁର ଏବଂ ଆସ୍କା ଲୋକସଭା ଏବଂ ଏହା ଅଧିନରେ ଥିବା ବିଧାନସଭାରେ ନିର୍ବାଚନ ହେବ।

ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ- ୧୮ ଏପ୍ରିଲ
ପ୍ରାର୍ଥୀପତ୍ର ଶେଷ ତାରିଖ- ୨୫ ଏପ୍ରିଲ
ପ୍ରାର୍ଥୀ ପତ୍ର ଯାଞ୍ଚ- ୨୬ ଏପ୍ରିଲ
ପ୍ରାର୍ଥୀ ପତ୍ର ପ୍ରତ୍ୟାହାର- ୨୯ ଏପ୍ରିଲ
ଭୋଟ ଗ୍ରହଣ- ୧୩ ମେ
ଭୋଟ ଗଣିତ- ୪ ଜୁନ

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଆସିଲା ନିର୍ବାଚନ, ରିଟର୍ଣ୍ଣିଙ୍ଗ ଅଫିସରଙ୍କ ଶେଷ ହେଲା ପାଞ୍ଚଦିନିଆ ତାଲିମ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପରିଚାଳନା ନିମନ୍ତେ ରିଟର୍ଣ୍ଣିଙ୍ଗ୍‌ ଅଧିକାରୀ ଏବଂ ସହକାରୀ ରିଟର୍ଣ୍ଣିଙ୍ଗ୍‌ ଅଧିକାରୀମାନଙ୍କ ଏକ ପାଞ୍ଚଦିନିଆ ତାଲିମ କାର୍ଯ୍ୟକ୍ରମ ଗୋଠପାଟଣାସ୍ଥିତ ରାଜସ୍ୱ ଅଧିକାରୀଙ୍କ ତାଲିମ ପ୍ରତିଷ୍ଠାନଠାରେ ଅନୁଷ୍ଠିତ ହୋଇଯାଇଛି।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଆୟୋଜିତ ହୋଇଥିବା ଏହି ତାଲିମ କାର୍ଯ୍ୟକ୍ରମରେ ଅନ୍ୟ ସ୍ଥାନରୁ ବଦଳୀ ହୋଇ ଆସିଥିବା ଓ ପୂର୍ବ ତାଲିମ କାର୍ଯ୍ୟକ୍ରମରେ ବିଭିନ୍ନ କାରଣରୁ ଅନୁପସ୍ଥିତ ଥିବା ଅବଶିଷ୍ଟ ରିଟର୍ଣ୍ଣିଙ୍ଗ୍‌ / ସହକାରୀ ରିଟର୍ଣ୍ଣିଙ୍ଗ୍‌ ଅଧିକାରୀମାନଙ୍କର ତାଲିମ କାର୍ଯ୍ୟକ୍ରମକୁ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ଏନ୍‌. ଥିରୁମାଳା ନାୟକ ଓ ଶତ୍ରୁଘ୍ନ କର ଆନୁଷ୍ଠାନିକ ଭାବେ ଆରମ୍ଭ କରିଥିଲେ।

ଫେବୃଆରୀ ୨୬ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୧ ତାରିଖରେ ଶେଷ ହୋଇଥିବା ଏହି ତାଲିମ କାର୍ଯ୍ୟକ୍ରମରେ ମୋଟ ୫୬ ଜଣ ରିଟର୍ଣ୍ଣିଙ୍ଗ୍‌ ଏବଂ ସହକାରୀ ରିଟର୍ଣ୍ଣିଙ୍ଗ୍‌ ଅଧିକାରୀଙ୍କୁ ନିର୍ବାଚନ ପରିଚାଳନା ସଂପର୍କରେ ତାଲିମ ପ୍ରଦାନ କରାଯାଇଛି।

ଜାତୀୟ ସ୍ତରୀୟ ମାଷ୍ଟର ଟ୍ରେନର ଶ୍ରୀ ସବ୍ୟସାଚୀ ହୋତା, ଶ୍ରୀ ସୁଶାନ୍ତ କୁମାର ମିଶ୍ର ଓ ଶ୍ରୀ ପ୍ରମୋଦ କୁମାର ସାହୁ ଉପସ୍ଥିତ ରହି ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର ଦାଖଲ, ପ୍ରାର୍ଥୀପତ୍ର ଯାଞ୍ଚ ଓ ପ୍ରତ୍ୟାହାର, ପ୍ରାର୍ଥୀଙ୍କୁ ନିର୍ବାଚନୀ ଚିହ୍ନ ବଣ୍ଟନ, ଇଭିଏମ୍‌/ ଭିଭିପ୍ୟାଟ୍‌ ମାଧ୍ୟମରେ ଭୋଟ ଗ୍ରହଣର ପ୍ରକ୍ରିୟା, ନିର୍ବାଚନୀ ଖର୍ଚ୍ଚ ତଦାରଖ, ପୁଲିଙ୍ଗ୍‌ ପାର୍ଟି ଗଠନ, ଭୋଟ ଦିନର ପ୍ରସ୍ତୁତି, ଭୋଟ ଗ୍ରହଣ କେନ୍ଦ୍ରର ପରିଚାଳନା, ଭୋଟ ଗଣନା ଓ ନିର୍ବାଚନ ଫଳାଫଳ ଘୋଷଣା ସଂପର୍କରେ ନିୟୋଜିତ ହୋଇଥିବା ଅଧିକାରୀମାନଙ୍କୁ ବିସ୍ତୃତ ଭାବେ ତାଲିମ ପ୍ରଦାନ କରାଯାଇଛି।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ନିର୍ବାଚନ ପ୍ରସ୍ତୁତି: ଜିଲ୍ଲା ନୋଡାଲ ଅଧିକାରୀଙ୍କୁ ଦିଆଗଲା ପ୍ରଯୁକ୍ତି ବିଦ୍ୟା ପ୍ରଶିକ୍ଷଣ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରଯୁକ୍ତି ବିଦ୍ୟା ଜିଲ୍ଲା ନୋଡାଲ ଅଧିକାରୀମାନଙ୍କର ଏକ ଦିନିକିଆ କର୍ମଶାଳା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ସମସ୍ତ ଜିଲ୍ଲାରୁ ଆସିଥିବା ୩୦ ଜଣ ପ୍ରଯୁକ୍ତିବିଦ୍ୟା ଜିଲ୍ଲା ନୋଡାଲ ଅଧିକାରୀମାନଙ୍କୁ ନେଇ ଏହା ଅନୁଷ୍ଠିତ ହୋଇଛି।

କର୍ମଶାଳାରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଯୋଗଦେଇ ନିର୍ବାଚନ ପ୍ରକ୍ରିୟାରେ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହାର ପ୍ରୟୋଗ ଫଳରେ ସହଜରେ ଓ ସଠିକ୍‌ ଭାବରେ କାର୍ଯ୍ୟ ପରିଚାଳିତ ହୋଇଥାଏ ବୋଲି ମତପ୍ରକାଶ କରିଥିଲେ।

ଏହାର ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ପ୍ରଯୁକ୍ତିବିଦ୍ୟା ଜିଲ୍ଲା ନୋଡାଲ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଓକାକ୍‌ରୁ ଆସିଥିବା ଦକ୍ଷ ସାଇବର ସୁରକ୍ଷା ବିଶେଷଜ୍ଞ ଶ୍ରୀ ମନମୋହନ ମହାପାତ୍ର, ଶ୍ରୀ ପ୍ରଭୁଦତ୍ତ ମହାପାତ୍ର ଓ ଶ୍ରୀ ହିମାଂଶୁ ଶେଖର ସାହୁ ପ୍ରମୁଖ ଏହି କର୍ମଶାଳାରେ ଉପସ୍ଥିତ ଥିବା ଜିଲ୍ଲା ପ୍ରଯୁକ୍ତି ବିଦ୍ୟା ଅଧିକାରୀମାନଙ୍କୁ ବିସ୍ତୃତ ଭାବେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ଏନ୍‌. ଥିରୁମାଳା ନାୟକ, ଉପମୁଖ୍ୟ ନିର୍ବାଚନ ଅଧିକାରୀ ପଦ୍ମଜା ଦାଶଙ୍କ ସହ ପ୍ରଯୁକ୍ତି ବିଦ୍ୟା ନୋଡ଼ାଲ ଅଧିକାରୀ ଦେବରାଜ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଧାମନଗର ଭୋଟ ଗ୍ରହଣ ବେଳେ ୫୦ ଭାଗ ବୁଥ୍‌ରେ ହେବ ୱେବକାଷ୍ଟିଂ, ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନ ପ୍ରକ୍ରିୟା ସୁରୁଖୁରୁରେ ଚାଲୁ ରହିଛି ଓ ସ୍ୱଚ୍ଛ, ମୁକ୍ତ ଓ ଅବାଧ ଉପନିର୍ବାଚନ କରାଇବା ନିମନ୍ତେ ଜିଲ୍ଲା ପ୍ରଶାସନ ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ଆଗାମୀ ଉପନିର୍ବାଚନକୁ ପରିଚାଳନା କରିବା ପାଇଁ ସମୁଦାୟ ୧୧୦୮ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ଓ ଏହା ମଧ୍ୟରେ ସେମାନଙ୍କର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମ ସମାପ୍ତ ହୋଇଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି ।
ଉପନିର୍ବାଚନକୁ ନିରପେକ୍ଷ ଭାବେ ପରିଚାଳନା କରିବା ନିମନ୍ତେ ପ୍ରଶାସନ ତରଫରୁ ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ବାସିନ୍ଦା, ନିର୍ବାଚନ ମଣ୍ଡଳୀର ଭୋଟର ହୋଇଥିବା କର୍ମଚାରୀମାନଙ୍କୁ ଉପନିର୍ବାଚନ କାର୍ଯ୍ୟରେ ନିୟୋଜିତ କରାଯାଇ ନାହିଁ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ଉକ୍ତ ଉପନିର୍ବାଚନ କାର୍ଯ୍ୟ ପରିଚାଳନା ନିମନ୍ତେ ଧାମନଗର ନିର୍ବାଚନ ମଣ୍ଡଳୀ ବାହାରର କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି ବୋଲି ସେ କହିଛନ୍ତି । ଏପରିକି ଯେଉଁମାନେ ସ୍ଥାୟୀ କର୍ମଚାରୀ ନୁହନ୍ତି, ସେମାନଙ୍କୁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କରାଯାଇନାହିଁ । ଉପନିର୍ବାଚନରେ ସମୁଦାୟ ବୁଥ୍‌ର ଶତକଡ଼ା ୫୦ ଭାଗ ବୁଥ୍‌ରେ ୱେବ୍‌କାଷ୍ଟିଙ୍ଗ କରାଯିବ ଓ ଚିହ୍ନଟ ହୋଇଥିବା ସମ୍ବେଦନଶୀଳ ବୁଥ୍‌ରେ ୨୬ ଜଣ ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି ।

ଧାମନଗର ଉପନିର୍ବାଚନ କାର୍ଯ୍ୟ ପର୍ଯ୍ୟବେକ୍ଷଣ ଲାଗି ନିର୍ବାଚନ ଆୟୋଗଙ୍କ ଦ୍ୱାରା ଦୁଇଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି । ସାଧାରଣ ପର୍ଯବେକ୍ଷକ ଭାବେ ପଶ୍ଚିମବଙ୍ଗ କ୍ୟାଡରର ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ନିରଞ୍ଜନ କୁମାର (ମୋବାଇଲ୍‌ ନଂ-୭୮୫୪୮୨୬୫୦୯)ଙ୍କୁ ନିଯୁକ୍ତ କରାଯାଇଥିବାବେଳେ ବ୍ୟୟ ପର୍ଯ୍ୟବେକ୍ଷକ ଭାବେ ଭାରତୀୟ ରାଜସ୍ୱ ସେବାର ବରିଷ୍ଠ ଅଧିକାରୀ ପ୍ରଣେଶ୍‌ ଗୁପ୍ତାଙ୍କୁ (ମୋବାଇଲ୍‌ ନଂ-୮୨୬୦୭୪୫୬୨୬)ଙ୍କୁ ନିଯୁକ୍ତ କରାଯାଇଛି ବୋଲି ମୁଖ୍ୟ ନିିର୍ବାଚନ ଅଧିକାରୀ ଜଣାଇଛନ୍ତି ।

ଉପନିର୍ବାଚନ ପାଇଁ ଆବଶ୍ୟକ ହେଉଥିବା ପର୍ଯ୍ୟାପ୍ତ ପରିମାଣର ଇଭିଏମ୍‌ ଓ ଭିଭିପ୍ୟାଟ୍‌ ରିଟର୍ଣ୍ଣିଂ ଅଧିକାରୀଙ୍କ ସ୍ତରରେ ଗଚ୍ଛିତ ଅଛି । ଆସନ୍ତା ନଭେମ୍ବର ୧ ତାରିଖ ଦିନ ପୁଲିଙ୍ଗ୍‌ ପାର୍ଟିମାନେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ନିର୍ବାଚନ ସାମଗ୍ରୀ ଧରି ଭୋଟଗ୍ରହଣ ନିମନ୍ତେ ନିଜ ନିଜ ବୁଥ୍‌ଗୁଡ଼ିକୁ ଯିବେ । ସମୁଦାୟ ୨୫୨ ବୁଥ୍‌ ମଧ୍ୟରୁ ୧୦୬ ଗୋଟି ବୁଥ୍‌କୁ ସମ୍ବେଦନଶୀଳ ବୁଥ୍‌ ଭାବେ ଚିହ୍ନଟ କରାଯାଇଛି ଓ ସେସବୁ ବୁଥ୍‌ରେ ଶାନ୍ତିଶୃଙ୍ଖଳା ସହ ଭୋଟ ଗ୍ରହଣ ନିମନ୍ତେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଉପନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା ନିମନ୍ତେ ନିର୍ବାଚନ ମଣ୍ଡଳୀ ମଧ୍ୟରେ ଆଇନଶୃଙ୍ଖଳା ରକ୍ଷା ସହ ବିଭିନ୍ନ ସ୍ଥାନରେ କଡ଼ାକଡ଼ି ଭାବେ ଯାଞ୍ଚ କରାଯାଉଛି ଓ ବର୍ତ୍ତମାନ ସୁଦ୍ଧା ୬୪୧ ଗୋଟି ଅସ୍ତ୍ରଶସ୍ତ୍ର ଜବତ ସହ ୧୯୦୯ ଜଣ ବ୍ୟକ୍ତିଙ୍କୁ ସିଆର୍‌ପିସି ଧାରା ୧୦୭/୧୧୬ ଅନୁସାରେ ଅଟକ କରାଯାଇଛି । ୧୭୨ ଜଣ ବ୍ୟକ୍ତିଙ୍କ ବିରୁଦ୍ଧରେ ଜାମିନବିହୀନ ପରୱାନା ଜାରି କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି ।

ଅବକାରୀ ବିଭାଗ ଦ୍ୱାରା ୧୫ ଲକ୍ଷରୁ ଅଧିକ ଟଙ୍କାର ମଦ ଜବତ କରାଯାଇଛି । ଆଦର୍ଶ ଆଚରଣ ବିଧି ବଳବତ୍ତର ଥିବାବେଳେ ବିଭିନ୍ନ ରାଜନୈତିକ ଦଳମାନଙ୍କ ଦ୍ୱାରା ଏହାର ଉଲଂଘନ କରାଯାଇ ଜନସାଧାରଣଙ୍କ ସଂପତ୍ତି, କୋଠାବାଡ଼ି, ବିଦ୍ୟାଳୟ, ମହାବିଦ୍ୟାଳୟ ଇତ୍ୟାଦିକୁ ବିକୃତ କରି ପୋଷ୍ଟର, ବ୍ୟାନର ଆଦି ମାରିବା ଅଭିଯୋଗରେ ୧୨୮୭ ଗୋଟି କେସ୍‌ କରାଯାଇଛି ଓ ବ୍ୟକ୍ତିଗତ ସଂପତ୍ତିଗୁଡ଼ିକରେ ପୋଷ୍ଟରବ୍ୟାନର ଇତ୍ୟାଦି ମାରିବା ସହ ଆଦର୍ଶ ଆଚରଣବିଧି ଉଲଂଘନ ଅଭିଯୋଗରେ ୨୭ଗୋଟି କେସ୍‌ କରାଯାଇଛି ।

ସେହିପରି ଆଦର୍ଶ ଆଚରଣବିଧି ଉଲଂଘନ କରି ଏକ ନିର୍ଦ୍ଦିଷ୍ଟ ଭିଡ଼ିଓ ଫୁଟେଜ (ଦୁଇଜଣ ମହିଳାଙ୍କ କଥୋପକଥନ) ଲୋକଲୋଚନକୁ ଆସିବା ସଙ୍ଗେ ସଙ୍ଗେ ୪୮ ଘଣ୍ଟା ମଧ୍ୟରେ ଏହାର ତଦନ୍ତ କରାଯାଇ ଧାମନଗର ଥାନା କେସ୍‌ ନଂ ୩୯୧, ତା.୨୪/୧୦/୨୦୨୨ରିଖରେ ଭାରତୀୟ ପିଙ୍ଗଳ କୋର୍ଡ ଧାରା ୧୭୧(ଇ) ଉପଧାରା ୧୨୩(୧)/୧୩୪ ଲୋକପ୍ରତିନିଧି ଆଇନ ଅନୁସାରେ କେସ୍‌ ରୁଜୁ କରାଯାଇଛି ।

ସେହିପରି ଅନ୍ୟ ଏକ ଭିଡ଼ିଓ ଫୁଟେଜ୍‌ ଆଦର୍ଶ ଆଚରଣବିଧି ଉଲଂଘନ କରି ଲୋକଲୋଚନକୁ ଆସିବା ପରେ ତତ୍‌କ୍ଷଣାତ୍‌ ଏହାର ତଦନ୍ତ କରାଯାଇ ୨୪ ଘଣ୍ଟା ମଧ୍ୟରେ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ୧୯୫୧ ଲୋକପ୍ରତିନିଧି ଆଇନର ଧାରା ୧୨୩(୧)/୧୨୩(୨) କ(ଆଇ)/୧୨୩ (୩କ)ରେ ଧାମନଗର ଜେଏମ୍‌ଏଫ୍‌ସି କୋର୍ଟରେ କେସ ରୁଜୁ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି ।