Categories
ଆଜିର ଖବର ଜାତୀୟ ଖବର

ଛତିଶଗଡରେ ୨୯ ନକ୍ସଲଙ୍କ ମୃତ୍ୟୁ ପରେ ଅମିତ ଶାହାଙ୍କ ପ୍ରତିକ୍ରିୟା: ସୁରକ୍ଷା ବାହିନୀକୁ ଏହିପରି କଲେ ପ୍ରଶଂସା

ନୂଆଦିଲ୍ଲୀ: ଛତିଶଗଡର କାଙ୍କେର ଜିଲ୍ଲାର ମାଡ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ହୋଇଥିବା ମୁକାବିଲାରେ ସୁରକ୍ଷା ବାହିନୀ ଦ୍ୱାରା ମିଳିଥିବା ବଡ ସଫଳତା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଖୁସି ବ୍ୟକ୍ତ କରିଛନ୍ତି। ସେ ସୁରକ୍ଷା ବାହିନୀର କାର୍ଯ୍ୟକଳାପକୁ ପ୍ରଶଂସା କରି କହିଛନ୍ତି ଯେ, ଖୁବ ଶୀଘ୍ର ଦେଶ ନକ୍ସଲବାଦରୁ ମୁକ୍ତ ହେବ।

ମଙ୍ଗଳବାର ଅପରାହ୍ନ ୨ ଟାରୁ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଏହି ଅପରେସନରେ ସୁରକ୍ଷା ବାହିନୀ ୨୯ ଜଣ ନକ୍ସଲଙ୍କୁ ସଫା କରିଛନ୍ତି। ସମସ୍ତ ମୃତଦେହ ଉଦ୍ଧାର କରାଯାଇଛି। ନକ୍ସଲ ନେତା ଶଙ୍କର ରାଓ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। ଏହି ଏନକାଉଣ୍ଟରରେ ବିଏସଏଫ ଇନ୍ସପେକ୍ଟର ରମେଶ ଚୌଧୁରୀଙ୍କ ସମେତ ତିନିଜଣ ସୈନିକ ଆହତ ହୋଇଛନ୍ତି।

ଗୃହମନ୍ତ୍ରୀ ଅମିତ ଶାହା କ’ଣ କହିଛନ୍ତି?:

ସୁରକ୍ଷା ବାହିନୀର କାର୍ଯ୍ୟକୁ ପ୍ରଶଂସା କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମାଇକ୍ରୋବ୍ଲଗିଂ ସାଇଟରେ ଲେଖିଛନ୍ତି ଯେ, ମୁଁ ଆହତ ସାହସୀ ପୋଲିସଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି ଏବଂ ଏହି ଅପରେସନ ପାଇଁ ସମସ୍ତ ଯବାନଙ୍କୁ ଅଭିନନ୍ଦନ ଜଣାଉଛି।

ଅମିତ ଶାହା ଆହୁରି ଲେଖିଛନ୍ତି ଯେ, “ନକ୍ସଲବାଦ ହେଉଛି ବିକାଶ, ଶାନ୍ତି ଏବଂ ଯୁବମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତର ସବୁଠାରୁ ବଡ ଶତ୍ରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆମେ ଦେଶକୁ ନକ୍ସଲବାଦରୁ ମୁକ୍ତ କରିବାକୁ ସଂକଳ୍ପବଦ୍ଧ। ସରକାରୀ ଏବଂ ସୁରକ୍ଷା ବାହିନୀଙ୍କ ଉଦ୍ୟମ ହେତୁ ଛତିଶଗଡରେ ନକ୍ସଲବାଦ ଏକ ଛୋଟ ଅଞ୍ଚଳରେ ସୀମିତ ରହିଛି ଏବଂ ଖୁବ୍ ଶୀଘ୍ର ସମଗ୍ର ଦେଶ ନକ୍ସଲବାଦରୁ ସମ୍ପୂର୍ଣ୍ଣ ମୁକ୍ତ ହେବ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ଛତିଶଗଡ ଉପମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ଶର୍ମା

ଭୁବନେଶ୍ୱର: ଆସନ୍ତାକାଲି ମଙ୍ଗଳବାରରେ ଓଡ଼ିଶାର ନବରଙ୍ଗପୁର ଜିଲ୍ଲା ଉମରକୋଟକୁ ଦିନିକିଆ ଗସ୍ତରେ ଆସୁଛନ୍ତି ଛତିଶଗଡ ଉପମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ଶର୍ମା। ‘ବିକଶିତ ଭାରତ’ ଗଠନ ପାଇଁ ଜନପରାମର୍ଶ ଓ ଜନସହଯୋଗ ପାଇଁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ମୋଦିଜୀ ଦେଇଥିବା ଚିଠିକୁ ରାଜ୍ୟର ୧ କୋଟି ପରିବାର ପାଖରେ ପହଂଚାଇବା ଉଦ୍ଦେଶ୍ୟରେ ବୈଠକରେ ଯୋଗ ଦେଇ ଲୋକଙ୍କୁ ଅବଗତ କରାଇବେ।

‘ବିକଶିତ ଓଡ଼ିଶା ଓ ବିକଶିତ ଭାରତ’ ହିଁ ମୋଦିଙ୍କ ଗ୍ୟାରେଂଟି। ମୋଦିଜୀ ପୁଣି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ଓ ବିଜେପି ଦେଶ ଓ ରାଜ୍ୟରେ ସରକାର ଗଠନ କରିବ। ଲୋକସଭା ନିର୍ବାଚନରେ ୪ଶହରୁ ଊର୍ଦ୍ଧ୍ୱ ଆସନ ଜିତି ଦଳ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିବ। ଏହି ଅଭିଯାନରେ ନବରଙ୍ଗପୁରବାସୀଙ୍କୁ ସାମିଲ କରିବା ପାଇଁ ଆସୁଛନ୍ତି ଶ୍ରୀ ଶର୍ମା।

ଏହି ଗସ୍ତ ସମୟରେ ଶ୍ରୀ ଶର୍ମା କାର୍ଯ୍ୟକର୍ତା ସମ୍ମିଳନୀ ସହ ବଣିକ ସଂଘ ସଦସ୍ୟଙ୍କ ବୈଠକ, ଲାଭାର୍ଥୀ ସମ୍ମିଳନୀ ଓ ଘର ଘର ଜନସଂପର୍କ କାର୍ଯ୍ୟକ୍ରମରେ ଯୋଗ ଦେବେ। ଶ୍ରୀ ଶର୍ମାଙ୍କ ନବରଙ୍ଗପୁର ଗସ୍ତ ଓଡିଆ ଲୋକଙ୍କ ପାଇଁ ନୂତନ ଉତ୍ସାହ ସୃଷ୍ଟି କରିବ ବୋଲି ରାଜ୍ୟ ସମ୍ପାଦକ ଶ୍ରୀ ସରୋଜ କର ସୂଚନା ଦେଇଛନ୍ତି।

Categories
ଆଜିର ଖବର

ଏନ୍‌ଆର୍‌ସି ଲାଗୁ ହେଲେ ଛତିଶଗଡର ଅର୍ଦ୍ଧାଧିକ ଲୋକ ନିଜର ନାଗରିକତା ପ୍ରମାଣରେ ବିଫଳ ହେବେ : ରୂପେଶ ବାଘେଲ

ରାୟପୁର, 21/12 : ଏନ୍‌ଆରସିକୁ ନେଇ ନିଜର ମତ ରଖିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ରୂପେଶ ବାଘେଲ । ରାଜ୍ୟରେ ଏନ୍‌ଆରସି ଲାଗୁ ହେଲେ 50 ପ୍ରତିଶତ ଲୋକ ନାଗରିକତା ପ୍ରମାଶ କରିବାରେ ଅସମର୍ଥ ହେବେ ବୋଲି ବାଘେଲ ମତ ଦେଇଛନ୍ତି । ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣକୁ ନେଇ ଶୁକ୍ରବାର ସନ୍ଧ୍ୟାରେ ଏହି ମତ ଦେଇଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ରୂପେଶ ବାଘେଲ ।ଛତିଶଗଡର ଅଧିକ ଜନତା ନିରକ୍ଷର ଏବଂ ଅନ୍ୟ ରାଜ୍ୟରେ କାମ କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି । ଏନ୍‌ଆରସି ଲାଗୁ ହେବା ଫଳରେ 50ରୁ 100 ବର୍ଷ ପୂରୂଣା ଦସ୍ତାବିଜ ସାଧାରଣ ଲୋକ କେଉଁଠାରୁ ଆଣିବେ ବୋଲି ବାଘେଲ ପ୍ରଶ୍ନ କରିଛନ୍ତି । 1906 ମସିହାରେ ଦକ୍ଷିଣ ଆଫ୍ରିକାରେ ବ୍ରିଟିଶ ସରକାରଙ୍କ ଭେଦଭାବ ନିୟମ ସହିତ ଏନ୍‌ଆରସି ସମାନ ବୋଲି ବାଘେଲ କହିଥିଲେ । ମହତ୍ମା ଗାନ୍ଧୀ ସେ ସମୟରେ ଭେଦଭାବକୁ ବିରୋଧ କରିଥିବା ବେଳେ ବର୍ତ୍ତମାନ ଦେଶବାସୀ ଏନ୍‌ଆରସିକୁ ବିରୋଧ କରୁଛନ୍ତି । ଏହା ସହିତ ଏନ୍‌ଆରସି ଲାଗୁ ନେଇ ଏନ୍‌ଡିଏ ସରକାରକୁ ମଧ୍ୟ ସମାଲୋଚନା କରିଥିଲେ ବାଘେଲ । (ଏଜେନ୍ସୀ)