Categories
ବିଶେଷ ଖବର ମତାମତ

ରକେଟ ବେଗରେ ଫାଇଲ, ହେଲେ ଫାଇଲର ଗତି ଓ ବେଗର ନିୟନ୍ତ୍ରଣ ଆପଣଙ୍କ ହାତରେ ଅଛି ତ ମୁଖ୍ୟ ଶାସନ ସଚିବ ମହାଶୟ!

କେଦାର ମିଶ୍ର 

ଭଲ ଲାଗିଲା, ଯେତେବେଳେ ନୂଆ ମୁଖ୍ୟ ଶାସନ ସଚିବ ଭାବରେ ଦାୟିତ୍ଵ ଗ୍ରହଣ କରି ଅସିତ ତ୍ରିପାଠୀ ପ୍ରଶାସନର ଜୀବନରେଖା ବୋଲାଉଥିବା ଫାଇଲ ବିଷୟରେ ଏକ ବିଶେଷ ମତ ରଖିଲେ। ମୁଖ୍ୟ ଶାସନ ସଚିବଙ୍କ କହିବା କଥା ହେଲା, ଯେତେବେଳେ ଆମର ବ୍ୟକ୍ତିଗତ ସ୍ଵାର୍ଥର କଥା ଉଠେ, ସେତେବେଳେ ଫାଇଲ ରକେଟ ବେଗରେ ଠିକଣା ଜାଗାରେ ପହଞ୍ଚି ଯାଏ। ସେ ସମାନ ବେଗ ଓ ତତ୍ପରତା ସବୁ ଫାଇଲରେ ଦେଖିବାକୁ ମିଳିବା ଉଚିତ। ରାଜ୍ୟର ସର୍ବୋଚ୍ଚ ପ୍ରଶାସନିକ ଅଧିକାରୀ ଭାବରେ ସେ ସଠିକ ଜାଗାରେ ହାତ ମାରିଛନ୍ତି। ଫାଇଲର ବେଗ ଓ ଗତି ଉପରେ ହିଁ ପ୍ରଶାସନର ସବୁକିଛି ନିର୍ଭର କରିଥାଏ। ଯଦି ରକେଟ ବେଗରେ ଫାଇଲ ସଠିକ ଠିକଣାରେ ପହଞ୍ଚିବା ତାହେଲେ, ତୁରନ୍ତ ଓ ତ୍ଵରିତ ନିଷ୍ପତ୍ତି ନିଆ ଯାଇପାରିବ। ହେଲେ ଫାଇଲର ଗତି ରକେଟ ଭଳି ହୋଇପାରିବାର ସମ୍ଭାବନା ଥିବା ସତ୍ତ୍ୱେ ଏହା କଇଁଛ ପରି ଗତି କରେ କାହିଁକି? କାହିଁକି ସରକାରୀ ଥାକ ସବୁରେ ବର୍ଷ ବର୍ଷ ଧରି ଫାଇଲ ଗୁଡିକ ଧୂଳି ଖାଇ ପଡି ରହିଥାନ୍ତି? ଛୋଟ ଛୋଟ ନିଷ୍ପତ୍ତି ନେବାକୁ ବାବୁମାନେ ବର୍ଷ ବର୍ଷ ଧରି ବିଳମ୍ବ କରନ୍ତି କାହିଁକି? ବେଳେବେଳେ ନ’ ତାଲାରୁ ସଚିବାଳୟ (ଏବେ କୁଆଡେ ଲୋକସେବା ଭବନ)କୁ ପହଞ୍ଚିବା ଲାଗି ଗୋଟେ ଫାଇଲକୁ ପାଞ୍ଚ ବର୍ଷ ସମୟ ଲାଗିଯାଏ। କଣ ହୋଇପାରେ ଏହାର କାରଣ?

କେହିବି କେବେ ଯଦି ନ’ ତାଲା ବା ସଚିବାଳୟ ବା ଅନ୍ୟ କୌଣସି ସରକାରୀ ଅଫିସକୁ ଯାଇଥିବେ, ସେ ନିଶ୍ଚୟ ଫାଇଲ କାମ ଦେଖିଥିବେ। ଆମର କିରାଣୀ ବାବୁଙ୍କଠୁ ବଡ ବାବୁ, ବଡ ବାବୁଙ୍କଠୁ ସବାସାନ ଅଧିକାରୀ, ସେଇଠୁ ମଝିଆଁ ଅଧିକାରୀ ଓ ତାପରେ ଯାଇ ବଡ ଅଧିକାରୀଙ୍କ ପାଖକୁ ଫାଇଲ ଯାଏ। ଯଦି ଟିକେ ବଡ ନିଷ୍ପତ୍ତି, ସେଠୁ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଏ। ତାରି ଭିତରେ ଘୂରି ଘୂରି ଫାଇଲ କାହା ଟେବଲ ତଳେ ହଜି ମଧ୍ୟ ଯାଇଥାଏ। ହଜାର ହଜାର ଫାଇଲ ନିତାନ୍ତ କଦର୍ୟ ଅବସ୍ଥାରେ ଆମର ସରକାରୀ କାର୍ୟାଳୟ ଗୁଡିକରେ ପଡି ରହିଥାନ୍ତି। ପ୍ରଶାସନର ତଳ ସ୍ତରରେ ଯେଉଁ ନିଷ୍ପତ୍ତି ଗୁଡିକ ଅତି ସହଜରେ ହୋଇ ପାରନ୍ତା, ତାକୁ ଅଯଥାରେ ଉପର ମହଲା ପର୍ୟନ୍ତ ଅଣାଯାଏ। ସବୁଠୁ ବେଶୀ ଫାଇଲ ଜମା ହୋଇ ରୁହେ ସରକାରୀ କର୍ମଚାରୀଙ୍କ ଅବସର ଓ ପେନସନ କୁ ନେଇ। ଜଣେ ଜିଲା ସ୍ତରର ସାଧାରଣ କିରାଣୀ ନିଜ ପେନସନ ଗଣ୍ଡାକ ପାଇବାକୁ ବାର ଦୁଆର ଧକ୍କା ଖାଉଥିବାର ଅସହାୟ ଦୃଶ୍ୟ ଆମେ ଦେଖିଛୁ,। ଛୋଟ ଛୋଟ କଥାକୁ ନେଇ ଫାଇଲ ଚାପି ବସି ପଡିବାର ବହୁ ଉଦାହରଣ ଆମ ରାଜ୍ୟରେ ରହିଛି। ଏହାକୁ ପରିବର୍ତ୍ତନ କରିବ କିଏ? ଯେଉଁ ଦିନର ଫାଇଲ ସେହିଦିନ କ୍ଲିଅର କରିବାକୁ ସରକାରୀ ବାବୁମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେବେ କି?

ଫାଇଲ କରିବା କ୍ଷେତ୍ରରେ ଦୁଇ ପ୍ରକାର ସରକାରୀ ଅଧିକାରୀଙ୍କୁ ଆମେ ଦେଖିବାକୁ ପାଉ। ଗୋଟେ ପ୍ରକାର ଅଧିକାରୀ ଯେଉଁମାନେ ଫଇସଲା ନେବାରେ ବିଲକୁଲ ଡେରି କରନ୍ତି ନାହିଁ, ହେଲେ ସେମାନଙ୍କ ଫଇସଲା ଟି ହେଉଛି- ଡିସ୍କସ, ଏଗ୍ଜାମିନ ବା ହୋଲ୍ଡ ଅନ। ଏ ପ୍ରକାର ନିଷ୍ପତ୍ତି ଅପେକ୍ଷା ନିଷ୍ପତ୍ତି ନ ନେବା ଭଲ। ଅନ୍ୟ ପ୍ରକାର ଅଧିକାରୀ ହେଲେ ପ୍ରଚଣ୍ଡ ବିଳାସୀ। ଏମାନଙ୍କ ଲାଗି ସରକାରୀ ଚାକିରି ହେଉଛି କାମ ନ କରି ଦରମା ନେବାର ସହଜ ପ୍ରତିଷ୍ଠାନ। ଏଇ ବାବୁମାନେ ନିଜ ଟେବଲରେ ପ୍ରାୟ ନଥାନ୍ତି। ଏମାନଙ୍କ କଲମର ଗତି ଏତେ ମନ୍ଥର ଯେ ଗୋଟିଏ ବାକ୍ୟ ଲେଖିବାକୁ ଏମାନେ ଗୋଟିଏ ଦିନ ନିଅନ୍ତି। ଅନେକ ସମୟରେ ଏମାନେ ଫାଇଲ କୁ କେବଳ ଦେଖିବାକୁ ମାସେ ବା ଅଧିକ ସମୟ ନିଅନ୍ତି। ଏଇ ଉଭୟ ପ୍ରକାର ଅଧିକାରୀଙ୍କ ବନ୍ଧନୀରେ ଫାଇଲ ର ଭାଗ୍ୟ ଝୁଲୁଥାଏ। ତେବେ ଆଉ କିଛି ଅଧିକାରୀ ଥାନ୍ତି, ଯେଉଁ ମାନଙ୍କ ଲାଗି ହିଁ ପ୍ରଶାସନ ଚାଲିଥାଏ। ଏମାନେ ସବୁ କର୍ମଠ ଓ ରାତି ଦିନ ଏମାନେ ଫାଇଲ ଘାଣ୍ଟୂଥାନ୍ତି। ଏମାନଙ୍କ ସଂଖ୍ୟା ସରକାରୀ ଦପ୍ତର ଗୁଡିକରେ ଅତି ବେଶୀରେ ଜଣେ ବା ଦୁଇଜଣ। ବର୍ତ୍ତମାନ ମୁଖ୍ୟ ଶାସନ ସଚିବଙ୍କ ପ୍ରଥମ ଦାୟିତ୍ଵ ହେବା ଉଚିତ, ସବୁ କର୍ମଚାରୀଙ୍କ କାମ କରିବାର ଗତି ଓ ପ୍ରଗତି ବିଷୟରେ ଏକ ସ୍ପଷ୍ଟ ଦିଶା ନିର୍ଦ୍ଦେଶ। ସାନବାବୁ,  ବଡବାବୁ ଓ ହାକିମଙ୍କ ଭିତରେ ଦୂରତା କମାଇଲେ ଯାଇ ଫାଇଲର ଗତି ତୀବ୍ର ହେବ।

ଏବେ ସବୁକିଛି ମୁଖ୍ୟ କ୍ଷମତା କେନ୍ଦ୍ର ଉପରେ ହିଁ ନିର୍ଭର କରୁଛି। ପୁରା ଫାଇଲ ବ୍ୟବସ୍ଥାର ରିମୋଟ କଣ୍ଟ୍ରୋଲ ମୁଖ୍ୟ ଶାସନ ସଚିବଙ୍କ ହାତରେ। ସେ ଚାହିଁଲେ ସବୁକିଛି ରାତାରାତି ସୁଧୁରିଯିବ। ଫାଇଲ ରକେଟ ବେଗରେ ଯିବ ନା କଇଁଛ ପରି ଧୀର ମନ୍ଥର ଗତିରେ ଚାଲିଥିବ, ତାର ନିର୍ଣ୍ଣୟ ମାନ୍ୟବର ମୁଖ୍ୟ ଶାସନ ସଚିବଙ୍କୁ ହିଁ ନେବାକୁ ପଡିବ।

ବିପଦରେ ଓଡିଆ ଗଣମାଧ୍ୟମର ଭବିଷ୍ୟତ, ଟିଭି ଚ୍ୟାନେଲ ଗୁଡିକରେ ବ୍ୟାପକ କର୍ମଚାରୀ ଛଟେଇ ଆରମ୍ଭ

Categories
ବିଶେଷ ଖବର ମତାମତ

ବଦଳିବେ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ! ହେଲେ କାହିଁକି ଏବଂ କୁଆଡେ ଯିବେ, କିଏ ହେବ ପରବର୍ତ୍ତି ମୁଖ୍ୟ ଶାସନ ସଚିବ ?

ସମୀକ୍ଷା ବ୍ୟୁରୋ

କିଛି ଦିନ ତଳେ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ସେଚ୍ଛାକୃତ ଅବସର ନେଇ ଲୋକାୟୁକ୍ତର ସଦସ୍ୟ ଭାବେ ଯୋଗଦେଲେ।  । ତାଙ୍କ ସ୍ଥାନରେ ଆସ୍ଥାୟୀ ଭାବେ ବିଜୟ ଶର୍ମାଙ୍କୁ ପୋଲିସ ଡିଜି ଭାବେ ନିଯୁକ୍ତି ଦିଆଗଲା। ରାଜେନ୍ଦ୍ର ପ୍ରସାଦଙ୍କ ଅବସର ସମୟ ବାକି ଥିବା ବେଳେ ସେ ଲୋକାୟୁକ୍ତ ଯିବା ପାଇଁ ସେଚ୍ଛାକୃତ ଅବସର ନେଲେ। ଠିକ୍ ସେହି ଢାଞ୍ଚାରେ ଓଡିଶାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ମଧ୍ୟ ବଦଳିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତାଙ୍କର କାର୍ଯ୍ୟକାଳ ଆହୁରି ଏକ ବର୍ଷରୁ କମ ସମୟ ଥିଲେ ମଧ୍ୟ ସେ କାହିଁକି ଇସ୍ତଫା ଦେବେ ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମୁଖ୍ୟମନ୍ତ୍ରୀଙ୍କ ଗୁଡ ବୁକ୍ ରେ ରାଜେନ୍ଦ୍ର ପ୍ରସାଦଙ୍କ ପରି ଆଦିତ୍ୟ ପ୍ରସାଦ ପାଢୀ ମଧ୍ୟ ଅଛନ୍ତି। ହେଲେ ତାଙ୍କର କାର୍ଯ୍ୟକାଳ ପୁରିବା ଆଗରୁ ସେ ଏପରି କାହିଁକି ପଦକ୍ଷେପ ନେଉଛନ୍ତି ଏବଂ ତା ପଛରେ କଣ ରହିଛି କାରଣ ତାହା ସମସ୍ତେ ଜାଣିବା ପାଇଁ ନିଶ୍ଚିତ ଆଗ୍ରହ ପ୍ରକାଶ କରିବେ।

ଏହାର କାରଣ ହେଲା ଯେ ସେ ରାଜ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତ ହେବେ। ବର୍ତ୍ତମାନ ରାଜ୍ୟ ନିର୍ବାଚନ କମିଶନର ପଦବୀ ଦୀର୍ଘ ଦିନ ଧରି ଖାଲି ରହିଛି। ସେହି ପଦବୀରେ କୁଆଡେ ଆଦିତ୍ୟ ପ୍ରସାଦଙ୍କୁ ନିଯୁକ୍ତି ଦିଆଯିବ ବୋଲି କୁହାଯାଉଛି। କାରଣ ହେଲା କେଉଁ ମୂର୍ହୁତରେ ରାଜ୍ୟରେ ପୌର ନିର୍ବାଚନ ହୋଇପାରେ। ତା ପୂର୍ବରୁ ସେହି ପଦବୀରେ ଆଦିତ୍ୟ ପାଢୀଙ୍କୁ ନିଯୁକ୍ତି ଦିଆଯାଉ ବୋଲି ସରକାର ଚାହୁଁଛନ୍ତି। ହେଲେ ସେ ଅବସର ନେବା ପରେ ତାଙ୍କୁ ଏହି ନିଯୁ୍କ୍ତି ଦିଆଯାଇପାରିବ ନାହିଁ। କାରଣ ଏତେ ସମୟ ଅପେକ୍ଷା କରାଯାଇପାରିବ ନାହିଁ। ସେଥିପାଇଁ ନିର୍ବାଚନ ପୂର୍ବରୁ ସେ ସେଚ୍ଛାକୃତ ଅବସର ନେଇ ତାଙ୍କୁ ସେଠାରେ ଥଇଥାନ କରାଯିବ ବୋଲି ଜଣାପଡିଛି। ଅନ୍ୟପକ୍ଷରେ ଆଦିତ୍ୟ ପାଢୀ ଯଦି ମୁଖ୍ୟ ଶାସନ ସଚିବ ପଦବୀ ଏବେ ନ ଛାଡିବେ ତେବେ ଅବସର ପରେ ତାଙ୍କୁ ହୁଏତ ଆଉ କେଉଁଠି ଥଇଥାନ କରିବା ସମ୍ଭବ ହେବ ନାହିଁ। ତେଣୁ ଏପରି ମୌକାକୁ ଆଦିତ୍ୟ ପାଢୀ ହାତ ଛଡା କରିବାକୁ ମଧ୍ୟ ଚାହାଁନ୍ତି ନାହିଁ। ବେଳ ଥାଉ ବାଳ ବାନ୍ଧିବା ପରି ଅବସର ପୂର୍ବରୁ ଥଇଥାନ ହେବା ସବୁଠାରୁ ଭଲ ବୋଲି ଆଦିତ୍ୟ ପାଢୀ ଭାବି ନେଇଛନ୍ତି। ରାଜ୍ୟ ନିର୍ବାଚନ କମିଶନର ହେଲେ ଅନ୍ତତଃ 65 ବର୍ଷ ପର୍ଯ୍ୟନ୍ତ ସେ ଚାକିରୀରେ ରହିପାରିବେ।

ବର୍ତ୍ତମାନ ରାଜ୍ୟ ନିର୍ବାଚନ କମିଶନର ଭାବେ କାର୍ଯ୍ୟ କରୁଛନ୍ତି ନବ କୁମାର ନାୟକ। ହେଲେ ଗତ ମାର୍ଚ୍ଚ ମାସରୁ ତାଙ୍କର କାର୍ଯ୍ୟକାଳ ସରିଯାଇଛି। ଯେହେତୁ ସେହି ପଦବୀ ଖାଲି ରହିବ ନାହିଁ, ସେଥିପାଇଁ ପରବର୍ତ୍ତି କମିଶନର ନିଯୁକ୍ତି ପର୍ଯ୍ୟନ୍ତ ସେ କାର୍ଯ୍ୟ କରୁଛନ୍ତି। ଏହି ପଦବୀରେ ମୁଖ୍ୟତଃ ପୂର୍ବତ୍ତନ ମୁଖ୍ୟ ଶାସନ ସଚିବ କିମ୍ବା ବରିଷ୍ଠ ଶାସନ ସଚିବ ପ୍ୟାହା ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଥାଏ। ପୂର୍ବତ୍ତନ ମୁଖ୍ୟଶାସନ ସଚିବ ଅଜିତ ତ୍ରିପାଠୀ ଏବଂ ଡି ଏନ ପାଢୀଙ୍କ ପରି ଅଧିକାରୀ ଏହି ପଦବୀରେ କାର୍ଯ୍ୟ କରିଛନ୍ତି। ଯିଏ ମୁଖ୍ୟ ନିର୍ବାଚନ କମିଶନର ପଦବୀରେ ରହିବେ ସେ ନିର୍ବାଚନ ସମୟରେ ମୁଖ୍ୟ ଶାସନ ସଚିବଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ଡାକି କୈଫତ ଲୋଡିପାରିବେ। ବରିଷ୍ଠ ଆଇଏଏସ ଅଫିସରଙ୍କୁ ଡାକି ତାଗିଦ୍ କରିବା ବା ନିର୍ବାଚନ ପରିଚାଳନା ପାଇଁ ଠିକ୍ ରେ କାର୍ଯ୍ୟ କରିବାକୁ ନିର୍ବାଚନ କମିଶନର ନିର୍ଦ୍ଦେଶ ଦେଇଥାନ୍ତି। ତାଙ୍କ କଥାକୁ ଠିକ ଭାବେ ପାଳନ କରିବା ପାଇଁ ସାଧାରଣତଃ ଅବସର ପ୍ରାପ୍ତ ବରିଷ୍ଠ ଆଇଏଏସ ଅଫିସର ନ ହେଲେ ଆସୁବିଧା ସୃଷ୍ଟି ହେବ। ସେଥିପାଇଁ ଏହି ପଦବୀରେ ଏପରି ବରିଷ୍ଠ ଆଇଏଏସଙ୍କୁ ନିଯୁକ୍ତି ଦିଆଯାଇଥାଏ।

ଆଦିତ୍ୟ ପାଢୀ ରାଜ୍ୟ ନିର୍ବାଚନ କମିଶନର ଭାବେ ଯୋଗଦେବା ପରେ କିଏ ହେବ ପରବର୍ତ୍ତି ମୁଖ୍ୟ ଶାସନ ସଚିବ ସେ ନେଇ ମଧ୍ୟ କଳ୍ପନା ଜଳ୍ପନା ପ୍ରକାଶ ପାଇବାରେ ଲାଗିଛି। ଏହି ମୁଖ୍ୟ ପଦବୀ ପାଇଁ ତିନି ଜଣଙ୍କ ନାମ ଶୁଣାଯାଉଥିଲେ ମଧ୍ୟ ବର୍ତ୍ତମାନର ଗୃହ ସଚିବ ତଥା ଉନ୍ନୟନ କମିଶନର ଅସୀତ ତ୍ରିପାଠୀଙ୍କ ନାମ ଆଗରେ ରହିଛି। କାରଣ ସେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ଗୁଡ ବୁକରେ ଅଛନ୍ତି। ସେ ଅତିରିକ୍ତ ଶାସନ ସଚିବ ପାହ୍ୟାର ଅଧିକାରୀ। ବର୍ତ୍ତମାନ ସେ ଗୃହ ସଚିବ ସହିତ ଉନ୍ନୟନ କମିଶନର, କେବିକେର ମୁଖ୍ୟ ପ୍ରଶାସକ ଏବଂ ଯୋଜନା ବିଭାଗ ଦାୟିତ୍ବରେ ଅଛନ୍ତି। ମୁଖ୍ୟ ଶାସନ ସଚିବ ଛୁଟିରେ ଗଲେ ତାଙ୍କୁ ମଧ୍ୟ ଅସ୍ଥାୟୀ ମୁଖ୍ୟ ଶାସନ ସଚିବ ଦାୟିତ୍ବ ଦିଆଯାଇଥାଏ। ମୁଖ୍ୟତଃ ଅସୀତ ତ୍ରିପାଠୀଙ୍କ ଲିଡରସିପ କ୍ବାଲିଟ ସହିତ କାମ କରିବାର କୌଶଳ ଜଣାଅଛି। ସେଥିପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଭରସା କରିପାରୁଛନ୍ତି। ଏସବୁକୁ ଅନୁଧ୍ୟାନ କଲେ ଅସୀତ ତ୍ରିପାଠୀ ପରବର୍ତ୍ତି ମୁଖ୍ୟ ଶାସନ ସଚିବ ହେବେ ବୋଲି ଲୋକସେବା ଭବନରେ ଚର୍ଚ୍ଚା ଚାଲିଛି।