ଥିରୁଅନନ୍ତପୁରମ : କେରଳରୁ ପୁଣି ଏକ ଜୀବ ହତ୍ୟାର ମାମଲା ସାମ୍ନାକୁ ଆସିଛି । କେରଳ ମଲ୍ଲାପୁରମରେ ପୁଣି ଏକ ଅମାନୁଷିକ କାଣ୍ଡ ଦେଖିବାକୁ ମିଳିଛି । ନିକଟରେ ଗର୍ଭବତୀ ହାତୀକୁ ସପୁରୀରେ ବିସ୍ଫୋରକ ଭର୍ତ୍ତି କରି ହତ୍ୟା କରାଯାଇଥିବାବେଳେ ପୁଣି ଆଉ ଏକ ଜୀବର ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଗତକାଲି ଏକ ଗର୍ଭବତୀ ଜଙ୍ଗଲୀ ମଇଁଷିକୁ ଗୁଳି କରି ହତ୍ୟା କରାଯାଇଛି । କେବଳ ମଇଁଷିକୁ ହତ୍ୟା କରାଯାଇନାହିଁ ବରଂ ମଇଁଷି ପେଟରେ ରହିଥିବା ବିକଶିତ ଭୃଣକୁ କାଟି ନେଇଯାଇଛନ୍ତି ଶିକାରୀମାନେ । ବିରଳ ପ୍ରଜାତିର ଏହି ମଇଁଷିର ପେଟରେ ଭୃଣଟି ସମ୍ପୂର୍ଣ୍ଣ ଭାବରେ ବିକଶିତ ହୋଇଯାଇଥିବାପରେ ଶିକାରୀମାନେ ଭୃଣଟିକୁ କାଟି ନେଇଯାଇଛନ୍ତି । ତେବେ ଏହି ଘଟଣା ଜଣା ପଡିବା ପରେ ବନବିଭାଗ ପକ୍ଷରୁ ଜଣେ ଶିକାରୀ ଘରେ ରେଡ କରାଯାଇଥିଲା । ଅବୁ ନାମକ ଉକ୍ତ ଶିକାରୀ ଘରୁ 25 କିଗ୍ରା ମାଂସ ଜବତ କରାଯିବା ସହିତ ଅନ୍ୟ 4 ଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ଉକ୍ତ ଭୃଣକୁ କାଟି ବାହାର କରିବା ସହିତ 200 କିଗ୍ରା ମାଂସ ବାହାର କରିଥିଲେ ଏହି ଶିକାରୀ ମାନେ । ଓ୍ବାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ ଆକ୍ଟ 1972 ଅନୁଯାୟୀ ଏହି ସମସ୍ତ ଶିକାରୀମାନଙ୍କୁ ଏବେ ଅତି କମ୍ରେ ସାତ ବର୍ଷ ପାଇଁ କାରାଦଣ୍ଡ ସହ 10 ହଜାର ଟଙ୍କାର ଜରିମାନା ହେବ ।
ଉଲ୍ଲେଖଯୋଗ୍ୟ ଯେ, ଏହି ବିରଳ ପ୍ରଜାତିର ଜଙ୍ଗଲୀ ମଇଁଷିର ଉଚ୍ଚତା 7.2 ଫୁଟ ହୋଇଥିବା ବେଳେ ଏହା 600ରୁ 1500 କିଗ୍ରା ପର୍ଯ୍ୟନ୍ତ ଓଜନ ହୋଇଥାଏ ଏବଂ 56 କିମି ପ୍ରତି ଘଣ୍ଟା ବେଗରେ ଦୌଡିଥାଏ ।ତେବେ ମଲ୍ଲାପୁରମରେ ନିୟମିତ ଭାବରେ ଜୀବ ଶିକାର କରାଯାଉଥିବା ବେଳେ କେରଳ ସରକାରଙ୍କ ନିଷ୍କ୍ରିୟତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମଲ୍ଲାପୁରମ୍ରେ ଗର୍ଭବତୀ ହାତୀହତ୍ୟା ଘଟଣାକୁ ନେଇ ସାରାଦେଶରେ ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ ଏହାର କିଛି ଦିନ ପରେ ପୁଣି ଏପରି ଏକ ଘଟଣା ଦେଖିବାକୁ ମିଳିଛି । (ଏଜେନ୍ସି)