Categories
ଆଜିର ଖବର

ନୂତନ ମାଇଲଖୁଣ୍ଟ ଲକ୍ଷ୍ୟରେ ରୋହିତ ଶର୍ମା

ନୂଆଦିଲ୍ଲୀ,୫/୧୨: ଭାରତୀୟ ଓପ୍‌ନର ରୋହିତ ଶର୍ମା ଏକ ନୂତନ ମାଇଲଖୁଣ୍ଟ ହାସଲ କରିବାର ପାଦଦେଶରେ ଅଛନ୍ତି। ଟି ଟ୍ବେଣ୍ଟିରେ ପ୍ରଥମ ଭାରତୀୟ ଭାବରେ ୪୦୦ ଛକ୍କା ମାରିବାକୁ ଯାଉଛନ୍ତି ରୋହିତ। ଟି-୨୦ରେ ସର୍ବାଧିକ ଛକ୍କା  ତାଲିକାରେ ପୂର୍ବରୁ ଦୁଇ ଜଣ ଖେଳାଳି ୪୦୦ ଛକ୍କା ମାରିଛନ୍ତି। ସାହିଦ ଆଫ୍ରିଦି(୪୭୬) ଏବଂ କ୍ରିସ୍‌ ଗେଲ୍‌(୫୩୪) ରୋହିତଙ୍କ ଠାରୁ ଆଗୁଆ ଅଛନ୍ତି। ରୋହିତ ବର୍ତ୍ତମାନ ୩୯୯ ଛକ୍କା ମାରିଛନ୍ତି। ଯଦି ଓ୍ବିଣ୍ଡିଜ୍‌ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଗୋଟିଏ ଛକ୍କା ମାରିଲେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଭାବରେ ୪୦୦ ଛକ୍କା ମାରିବାର ରେକର୍ଡ କରିବେ ରୋହିତ। ଆସନ୍ତା କାଲି ଠାରୁ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ଯାଉଛି।

 

Categories
ଖେଳ ବିଶେଷ ଖବର

ଇଣ୍ଡିଆନ ପ୍ରିମିଅର ଲିଗରେ ଶତକ ହାସଲ କରିଥିବା ସର୍ବଶ୍ରେଷ୍ଠ-୫ ଖେଳାଳିଙ୍କ ତାଲିକା

ସମୀକ୍ଷା ବ୍ୟୁରୋ

ଆସନ୍ତାକାଲି ଠାରୁ ଭାରତରେ ଆରମ୍ଭ ହେବାକୁ ଯାଉଛି କ୍ରିକେଟ ମହାସମର ଭିବୋ ଆଇପିଏଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ପ୍ରଥମ ଦିନରେ ଚେନ୍ନାଇ ସୁପରକିଙ୍ଗସ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ। ଏହି ଦୁଇ ଦଳର ଅଧିନାୟକ ହେଉଛନ୍ତି ମହେନ୍ଦ୍ର ସିଂହ ଧୋନି ଏବଂ ବିରାଟ କୋହଲି। ଏହି ଉଦ୍ଘାଟନୀ ମ୍ୟାଚ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏବଂ ବର୍ତ୍ତମାନ ଅଧିନାୟକଙ୍କ ମଧ୍ୟରେ  ଦମଦାର ଲଢେଇ ହେବାର ସମ୍ଭାବନା ରହିଛି। ମ୍ୟାଚ ଖେଳାଯିବାକୁ ଆଉ ୨୪ ଘଣ୍ଟାରୁ କମ ସମୟ ବାକିଥିବାବେଳେ ଭାରତୀୟ ଦଳର ଦୁଇ ଶ୍ରେଷ୍ଠ ଖେଳାଳି ତଥା ଗୁରୁ ଚେଲାଙ୍କ ପ୍ରତିଦ୍ୱନ୍ଦିତା ଦେଖିବାକୁ ଦର୍ଶକ ଉତ୍କଣ୍ଠାର ସହ ଚାହିଁବସିଛନ୍ତି। ଯଦି ୫୦ ଓଭର ବିଶିଷ୍ଠ  ମ୍ଯାଚରେ ଶତକ ହାସଲ କରିବା ଖେଳାଳିଙ୍କ ପାଇଁ କଷ୍ଟକର ହୋଇଥାଏ, ତଥାପି ଟି-୨୦ରେ ଅନେକ ଖେଳାଳିଙ୍କ ଦ୍ଵାରା ଶତକ ହାସଲ କରିବା ଦେଖିବାକୁ ମିଳିଛି। ଏହି ଫର୍ମାଟରେ ଶତକ ହାସଲ କରିବା ଏକ କାଠିକର ପାଠ। କାରଣ ଆଇପିଏଲ୍‌ରେ ସମୁଦାୟ ୬୫୦ଟି ମ୍ୟାଚ୍‌ ଖେଳା ଯାଇଥିବା ବେଳେ ମାତ୍ର ୫୨ଟି ଶତକ ସ୍କୋର ହାେଇଛି। ଅନେକ ଖେଳାଳି ଆଇପିଏଲ୍‌ରେ ଗାେଟିଏ ବି ଶତକ ହାସଲ କରିନଥିବା ବେଳେ ଓ୍ବେଷ୍ଟ ଇଣ୍ଡିଆନ୍‌ କ୍ରିସ୍‌ ଗେଲ୍‌ ୬ଟି ଶତକ ସହିତ ଏହି ତାଲିକାରେ ଏକ ନମ୍ବର ସ୍ଥାନରେ ରହିଛନ୍ତି। କ୍ରିକେଟ ମହାକୁମ୍ଭରେ ଘଟିଥିବା କିଛି ତଥ୍ୟ ତଥା ଶତକ ହାସଲ କରିଥିବା ଖେଳାଳିଙ୍କୁ ନେଇ ବର୍ତ୍ତମାନ ଚାଲିଛି ଚର୍ଚ୍ଚା।

୧. କ୍ରିସ୍‌ ଗେଲ୍‌ , ମ୍ୟାଚ୍‌-୧୧୨, ଶତକ -୬

୨୦୦୯ରେ ନିଜର ଆଇପିଏଲ୍‌ ପଦାର୍ପଣ କରିଥିଲେ ଗେଲ୍‌। କେକେଆର୍‌ ପକ୍ଷରୁ ପ୍ରଥମ ଦୁଇ ସିଜିନ ଖେଳିଥିବା ଗେଲ୍‌ଙ୍କ ସର୍ବାଧିକ ସ୍କାେର ଥିଲା ୮୮। ପରବର୍ତ୍ତୀ ସିଜିନ୍‌ରେ ଆରସିବିକୁ ଯିବା ପରେ ଗେଲ୍‌ ନିଜର ପ୍ରଥମ ଶତକ ହାସଲ କରିଥିେଲ। ପରବର୍ତ୍ତୀ ସିଜିନ୍‌ରେ ୬୬ ବଲ୍‌କରୁ ୧୭୫ ରନ୍‌ ସଂଗ୍ରହ କରିବା ସହିତ ୩୦ ବଲ୍‌ରୁ ଶତକ ମଧ୍ୟ ହାସଲ କରିଥିଲେ। ଗେଲ୍‌ଙ୍କ ୬ଟି ଶତକ ମଧ୍ୟରୁ ୫ଟି ଆରସିବି ପାଇଁ ଆସିଥିବା ବେଳେ ୨୦୧୮ରେ କିଙ୍ଗସ୍‌ ଇଲେଭେନ୍‌ ପକ୍ଷରୁ ଚେନ୍ନାଇ ବିପକ୍ଷରେ ୬ନମ୍ବର ଶତକ ଲଗାଇଥିଲେ।

୨. ବିରାଟ କୋହଲି, ମ୍ୟାଚ୍‌-୧୬୩, ଶତକ-୪

ରନ୍‌ ମେସିନ୍‌ ବିରାଟ କୋହଲି ଆରସିବି ପକ୍ଷରୁ ବିଗତ ୧୧ ସିଜିନ ଖେଳିଥିବା ବେଳେ ୪୯୪୮ ରନ୍‌ ସଂଗ୍ରହ କରିଛନ୍ତି। କୋହଲିଙ୍କ ଶତକର ଅନ୍ୟ ଏକ ମଜାଦାର କଥା ହେଉଛି ଏହି ୪ ଶତକ େଗାଟିଏ ସିଜିନ୍‌ରେ ଆସିଛି। ୨୦୧୬ ବର୍ଷରେ କୋହଲି ୮୧.୦୮ ହାରରେ ୯୩୭ ରନ୍‌ ମଧ୍ୟ ସଂଗ୍ରହ କରିଥିଲେ। କୋହ୍‌ଲି ନିଜ ଶତକ ମଧ୍ୟରୁ ଦୁଇଟି ଗୁଜୁରାତ ଲାୟନ୍ସ ବିପକ୍ଷରେ ସ୍କୋର କରିଥିବା ବେଳେ ପୁନେ ଏବଂ ପଞ୍ଜାବ ବିପକ୍ଷରେ ଗୋଟିଏ ଲେଖାଏଁ ଶତକ ହାସଲ କରିଛନ୍ତି।

୩.ସେନ୍‌ ଓ୍ବାଟ୍‌ସନ୍‌, ମ୍ୟାଚ୍‌-୧୧୭, ଶତକ-୪

ଓ୍ବାଟ୍‌ସନ୍‌ ନିଜ ୪ ଶତକ ମଧ୍ୟରୁ ୨ଟି ରାଜସ୍ଥାନ ରୟାଲ୍ସ ନିମେନ୍ତ ସ୍କୋର କରିଥିବା ବେଳେ ଅନ୍ୟ ଦୁଇଟି ଚେନ୍ନାଇ ସୁପର କିଙ୍ଗସ୍‌ ନିମନ୍ତେ ସ୍କୋର କରିଛନ୍ତି। ୨୦୧୦ ଏବଂ ୧୧ରେ ରୟାଲ୍ସ ପାଇଁ ଶତକ ହାସଲ କରିଥିବା ଓ୍ବାଟ୍‌ସନ୍‌ ୨୦୧୩ରେ ଚେନ୍ନାଇ ପକ୍ଷରୁ ରୟାଲ୍ସ ବିପକ୍ଷରେ ତୃତୀୟ ଶତକ ଏବଂ ଗତବର୍ଷ ଫାଇନାଲ୍‌ରେ ନିଜର ଚତୁର୍ଥ ଶତକ ହାସଲ କରିଥିଲେ।

୪.ଡେଭିଡ୍‌ ଓ୍ପାର୍ଣ୍ଣର, ମ୍ୟାଚ୍‌-୧୧୪, ଶତକ-୩

ଗତବର୍ଷ ବଲ୍‌ ଟ୍ୟାମ୍ପରିଂ ପାଇଁ ବାସନ୍ଦାଦେଶ ଭୋଗୁଥିବା ଓ୍ବାର୍ଣ୍ଣର ଦୁଇଟି ଫ୍ରାଞ୍ଚାଇଜି ପାଇଁ ଆଇପିଏଲ୍‌ ଖେଳିଛନ୍ତି। ୨୦୦୯-୧୩ ପର୍ଯ୍ୟନ୍ତ ଦିଲ୍ଲୀ ପକ୍ଷରୁ ଖେଳିଥିବା ବେଳେ ୨୦୧୪ରୁ ବତ୍ତର୍ମାନ ପର୍ଯ୍ୟନ୍ତ ହାଇଦ୍ରାବଦ ଟିମ୍‌ରେ ରହିଛନ୍ତି। ଡିଡି ପାଇଁ କୋଲକତା ଏବଂ ହାଇଦ୍ରାବାଦ ବିପକ୍ଷରେ ଶତକ ହାସଲ କରିଥିବା ବେଳେ, ହାଇଦ୍ରାବାଦ ପକ୍ଷରୁ ଖେଳୁଥିବା ବେଳେ ନିଜର ତୃତୀୟ  ଶତକ ହାସଲ କରିଥିଲେ।

୫. ଏବି ଡିଭିଲିୟର୍ସ, ମ୍ୟାଚ୍‌-୧୪୧, ଶତକ-୩

ଏହି ଦକ୍ଷିଣ ଆଫ୍ରିକୀୟ ବିସ୍ଫାେରକ ବ୍ୟାଟ୍ସମ୍ୟାନ୍‌ ଦିଲ୍ଲୀ ପକ୍ଷରୁ ତିନି ସିଜିନ ଖେଳିଥିବା ବେଳେ ଗୋଟିଏ ଶତକ ହାସଲ କରିଥିଲେ। ଚେନ୍ନାଇ ବିପକ୍ଷରେ ୨୦୦୯ରେ ସେ ଏହି ଶତକ ହାସଲ କରିଥିଲେ। ଅନ୍ୟ ଦୁଇଟି ଶତକ ଆରସିବି ପକ୍ଷରୁ ଖେଳୁଥିବା ସମୟରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜୁରାଟ ଲାୟନ୍ସ ବିପକ୍ଷରେ ଯଥାକ୍ରମେ ୨୦୧୫ ଏବଂ ୧୬ରେ ସଂଗ୍ରହ କରିଥିଲେ।