Categories
ଅପରାଧ ଆଜିର ଖବର ଜାତୀୟ ଖବର

ପାଲଗଡ ସାଧୁହତ୍ୟା ମାମଲାରେ ଆଉ 24 ଜଣଙ୍କୁ ଗିରଫ କଲା ସିଆଇଡି

ମୁମ୍ବାଇ : ପାଲଗଡ ସାଧୁ ହତ୍ୟା ମାମଲାରେ ଆଉ 24 ଜଣଙ୍କୁ ଗିରଫ କରିଛି ମହାରାଷ୍ଟ୍ର ସିଆଇଡି । ପାଲଗଡର ଗଡଚିଞ୍ଚାଲେରେ ଘଟିଥିବା ଏହି ବର୍ବର କାଣ୍ଡରେ ପୂର୍ବରୁ ପୋଲିସ ଦ୍ୱାରା 128 ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସିଆଇଡି ପକ୍ଷରୁ 208 ଜଣଙ୍କୁ ଗିରଫ କରାଯାଇଥିଲା । ନୂତନ ଭାବରେ 24 ଜଣଙ୍କୁ ଗିରଫ କରାଯିବା ପରେ ସମୁଦାୟ ଅଭିଯୁକ୍ତଙ୍କ ସଂଖ୍ୟା ବର୍ତ୍ତମାନ 366ରେ ପହଞ୍ଚିଛି। ସମସ୍ତ ଅଭିଯୁକ୍ତଙ୍କୁ ଆସନ୍ତାକାଲି ଦହୁନୁ କୋର୍ଟରେ ହାଜର କରାଯିବ ବୋଲି ସିଆଇଡି ମୁଖପାତ୍ର ଅମୃତ ଅଧିକାରୀ ପ୍ରକାଶ କରିଛନ୍ତି । ସେହିପରି ଏହି ମାମଲାରେ ସମୁଦାୟ 11ଜଣ ନାବାଳକଙ୍କୁ ମଧ୍ୟ ଗିରଫ କରାଯାଇଛି । ଅଭିଯୁକ୍ତଙ୍କ ମଧ୍ୟରୁ 62ଜଣ ଜାମିନ ଆବେଦନ କରିଥିବା ବେଳେ ଥାନେ ସେସନ୍ସ କୋର୍ଟରେ ଆଜି ଉକ୍ତ ମାମଲାର ଶୁଣାଣି କରାଯିବ ।

ଉଲ୍ଲେଖଯୋଗ୍ୟ ଯେ, ଏପ୍ରିଲ୍‌ 16 ତାରିଖରେ ଏକ କାର୍‌ରେ ଦୁଇ ସାଧୁଙ୍କ ସମେତ ଜଣେ ଡ୍ରାଇଭର୍‌ ଯାଉଥିବାବେଳେ ପିଲା ଚୋର ଗୁଜବରେ ଭିଡ୍‌ ହିଂସାର ଶିକାର ହୋଇଥିଲେ । ଭିଡ ହିଂସାର ଶିକାର ହୋଇଥିବା ଦୁଇ ସାଧୁ ହେଉଛନ୍ତି  ଜୁନା ଆଖଡାର କଳ୍ପଭ୍ରିକ୍ଷାଗିରି ମହାରାଜ(70) , ସୁଶୀଳଗିରି ମହାରାଜ(35) ଏବଂ ଡ୍ରାଇଭର ନୀଲେଶ ତେଲଗାଡେ(30) । ତିନିହେଁ ଏକ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ସାମିଲ୍‌ ହେବା ପାଇଁ  ସୁରଟ ଯାଉଥିବା ବେଳେ ପିଲା ଚୋର ଗୁଜବ କାରଣରୁ ଭିଡ ହିଂସାର ଶିକାର ହୋଇ ପ୍ରାଣ ହରାଇଥିଲେ ।  ଏହି ଘଟଣାକୁ ନେଇ ଦେଶବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ମାମଲାର ତଦନ୍ତ ଭାର ସିଆଇଡି ହାତକୁ ଯାଇଥିଲା ।